ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୯
ସାଧାରଣତଃ ଜଣେ ଛିଙ୍କିଲାବେଳେ ଏମିତି ହୋଇଥାଏ ।
କେହି ଜଣେ ଯଦି ଆମର ଶୁଣିପାରିବା ଭଳି ସ୍ଥାନରେ ରହି ଛିଙ୍କିଥାଏ ,ତାହାହେଲେ ଆମେ ଆମର ପ୍ରତିକ୍ରୀୟା ଦେବା ଭଳି ଯଥାଶିଘ୍ର କହିଥାଉ, ଈଶ୍ୱର ତମର ମଙ୍ଗଳ କରନ୍ତୁ ।
କାହିଁକି ଏମିତି ଯେ ?
ହଠାତ୍ ଯଦି ଆମ ନିକଟରେ କାହାକୁ ଛିଙ୍କ ମାଡେ ତାହାହେଲେ ସ୍ୱତଃ ଆମ ପାଟିରୁ ଈଶ୍ୱର ତମର ମଙ୍ଗଳ କରିବେ ବୋଲି ଯାହା ବାହାରିପଡିଥାଏ ତାହା ହେଉଛି ଆମର ଏକ ଚିର ପରିଚିତ ଆଶୀର୍ବଚନ ।
ଆମର ଏହି ସୁନ୍ଦର ପୃଥିବୀ ଈଶ୍ୱରଙ୍କ ନିର୍ମାଣ । ଈଶ୍ୱର ସେହି କାରଣରୁ ଏହାକୁ ସବୁବେଳେ ସେମିତି ସୁନ୍ଦରପଣରେ ସୁରକ୍ଷିତ କରି ରଖିବାକୁ ସଚେଷ୍ଟ ଥାଆନ୍ତି ବୋଲି ଆମର ସହଜାତ ବିଶ୍ୱାସ । ଯଦି ପୃଥିବୀରେ କୌଣସି ଅଘଟଣ ଘଟେ ବା ଆମ ଆଖିକୁ ସୁନ୍ଦର ଦିଶୁନଥିବା ଭଳି କିଛି ଘଟେ ତାହାହେଲେ ଆମ ଭିତରେ ଗୋଟିଏ ଦ୍ୱନ୍ଦ୍ୱ ଉପୁଜେ। ଈଶ୍ୱର ଆମ ଆଖପାଖରେ ସତରେ ଅଛନ୍ତି ତ, ଯଦି ଅଛନ୍ତି ତାହାହେଲେ ଏଇଭଳି ଅଘଟଣଟି ଘଟିଗଲା କାହିଁକି ? କହିବାକୁଗଲେ ଏଇ ଭଳି ଯେଉଁ ଦ୍ୱନ୍ଦ୍ୱଟି ଆମ ଭିତରେ ଘଟିଯାଏ ତାହା ବସ୍ତୁତଃ ଆମକୁ ଈଶ୍ୱରଙ୍କ ଅସ୍ତିତ୍ୱପ୍ରତି ସନ୍ଦିହାନ କରି ଦେଇଥାଏ । ଏହି ଭଳି ଏକ ପରିସ୍ଥିତିରୁ ଆମକୁ ମୁକୁଳାଇଦେବାକୁ ଅର୍ଥାତ୍ ଆମ ଭିତରେ ଈଶ୍ୱର ବିଶ୍ୱାସକୁ ପ୍ରତିଷ୍ଠିତ କରି ରଖିବା ପାଇଁ ଆମକୁ କୁହାଯାଏ ଯେ,ଈଶ୍ୱର ଅଛନ୍ତି,ସେ ଆମର ମଙ୍ଗଳ ବିଧାନ କରନ୍ତି ଆଉ ସେ ଆମର କେଉଁପରି ମଙ୍ଗଳ ବିଧାନ କରିଥାଆନ୍ତି ତାହା ଆମ ଭଳି ମଣିଷର ଦୃଷ୍ଟିକୁ ହୁଏତ ସହଜରେ ଦେଖାଯିବା ସମ୍ଭବ ନୁହଁ ।
କାହାକୁ ଛିଙ୍କ ମାଡିଲେ ପ୍ରାଚୀନ ରୋମର ଅଧିବାସୀମାନେ ସେତିକିବେଳେ ପ୍ରାର୍ଥନା କରିବା ଭଳି କହୁଥିଲେ, ଜୁପିଟର ତମକୁ ରକ୍ଷା କରନ୍ତୁ । ସେହିଭଳି ପ୍ରାଚୀନ କାଳର ଗ୍ରୀସ୍ ଦେଶରେ ଲୋକମାନେ ପାଖରେ କିଏ ଜଣେ ଛିଙ୍କି ଦେଲେ ତୁରନ୍ତ କହୁଥିଲେ, ପ୍ରଭୂ ଜିଅସ୍ ତମକୁ ରକ୍ଷା କରନ୍ତୁ।
ପ୍ରାଚୀନ କାଳରେ ଗ୍ରୀସ୍ ଆଉ ରୋମର ଚଳଣିରେ ଛିଙ୍କକୁ ଏକ ବିଶେଷ ବ୍ୟକ୍ତିଗତ ବିପଦ ବୋଲି ବିଚାର କରାଯାଉଥିଲା । କହିବା କଥା ହେଉଛି ସଭ୍ୟତାର ଆଦ୍ୟ କାଳରେ ମଣିଷର ବିଶ୍ୱାସ ଥିଲା ଯେ ମଣିଷର ଯାହା ସାର ପଦାର୍ଥ ବା ଆମେ ଯାହାକୁ କହିବା ମଣିଷର ଜୀବନ ବା ପ୍ରାଣ ତାହା ଅସଲରେ ମଣିଷର ମୁଣ୍ଡରେ ଅବସ୍ଥାନ କରେ ଏବଂ ଅକସ୍ମାତ୍ କୌଣସି ଦୁର୍ଘଟଣା ଭଳି ଯଦି କେହି ଛିଙ୍କି ବସେ ତେବେ ସେହି ଛିଙ୍କ ଦେଇ ତାହାର ମସ୍ତିଷ୍କରୁ ଯେତେକ ସାର ପଦାର୍ଥ ବା ତାହାର ଜୀବନ ବାହାରିଯାଏ । ପ୍ରାଚୀନ କାଳରେ ମଣିଷର ଏମିତି ବିଶ୍ୱାସ କରିବା ପଛରେ କାରଣ ହେଉଛି ଯେ ମଣିଷର ମରଣ ଶଯ୍ୟାରେ ଯେଉଁ ଶେଷ ହିକକା ଆସିବା କଥା ସେମାନେ ଦେଖିଥାନ୍ତି ସେହି ହିକକା ଦ୍ୱାରା ମଣିଷର ପ୍ରାଣ ବାହାରିଯାଏ ବୋଲି ସେମାନେ ମନେକରୁଥିଲେ । ହିକକା ଆଉ ଛିଙ୍କ ଭିତରେ ସେମାନେ କୌଣସି ଫରକ ବାରିପାରୁନଥିଲେ । ତେଣୁ ଛିଙ୍କକୁ ଧରି ରଖିବାକୁ ଅର୍ଥାତ୍ ଛିଙ୍କକୁ ଧରି ରଖିବା ଅର୍ଥ ମଣିଷର ପ୍ରାଣକୁ ଧରି ରଖିବା ପାଇଁ ସେମାନେ ପରବର୍ତ୍ତି ଛିଙ୍କଟି ଯେମିତି ଆଉ ବହିର୍ଗମନ ନହୁଏ, ସେଇଥିପାଇଁ ଈଶ୍ୱରଙ୍କ ସୁରକ୍ଷା ଲୋଡୁଥିଲେ ଆଉ କହୁଥିଲେ, ଈଶ୍ୱର ତମର ମଙ୍ଗଳ କରନ୍ତୁ ।
କିନ୍ତୁ ପରବର୍ତ୍ତି କାଳରେ ଛିଙ୍କକୁ ନେଇ ମଣିଷର ବିଚାର କିଛି ପରିମାଣରେ ବଦଳି ଯାଇଥିଲା ।
ଖ୍ରୀଷ୍ଟ ପୂର୍ବ ଚତୁର୍ଥ ଶତାବ୍ଦୀରେ ଗ୍ରୀସ୍ ଚିନ୍ତାନାୟକ ସକ୍ରେଟିସ୍ ଏବଂ ଚିକିତ୍ସାଶାସ୍ତ୍ରର ଜନକ ବୋଲି ବିଦିତ ହିପୋକ୍ରାଟସ୍ ମଣିଷ ସଭ୍ୟତାକୁ ଛିଙ୍କ ସମ୍ପର୍କରେ ଗୋଟିଏ ନୂତନ ଅବଧାରଣା ପ୍ରଦାନ କରିଥିଲେ । ଏହି ଉଭୟ ଗ୍ରୀକ୍ ବିଦ୍ୱାନଙ୍କ ଅନୁସାରେ ନାକପୁଡା ଦେଇ ଯଦି କୌଣସି ବାହାର ପଦାର୍ଥ ବା କୌଣସି ଅପପଦାର୍ଥ ଆମର ଶରୀର ଭିତରକୁ ପ୍ରବେଶ କରିଥାଏ ତେବେ ଆମର ମସ୍ତିଷ୍କ ଛିଙ୍କ ମାଧ୍ୟମରେ ତାହାକୁ ପ୍ରତିହତ କରିଦେଇଥାଏ । ସକ୍ରେଟିସ୍ ଆଉ ହିପୋକ୍ରାଟସଙ୍କର ଏହି ଭଳି ବିଚାରକୁ ସେ ସମୟର ତରୁଣମାନେ ଗ୍ରହଣ କରୁଥିଲେ ବି ଅସୁଖରେ ପଡିଥିବା ବେଳେ ଛିଙ୍କ ଯେମିତି ମଣିଷ ଭିତରୁ ପ୍ରାଣକୁ ସାଥିରେ ନେଇ ବାହାରି ଯିବ ସେହି ଭୟ ସେ ସମୟର ସମାଜରେ ତଥାପି ରହିଥିଲା । ତେଣୁ କହିବା କୁ ଗଲେ ଛିଙ୍କ ପରେ ଯେମିତି ଜଣକର ସ୍ୱାସ୍ଥ୍ୟ ସୁରକ୍ଷିତ ହୋଇ ରହିବ ସେଇଥିପାଇଁ ସେମାନେ କହୁଥିଲେ,ପ୍ରଭୂ ଜିଅସ୍ ତମକୁ ରକ୍ଷା କରନ୍ତୁ ।
ଛିଙ୍କର ପ୍ରଚଳିତ ଧାରଣାକୁ ନେଇ ଗ୍ରୀସ୍ ଓ ରୋମରେ କ୍ରମଶଃ ଏକ ପ୍ରକାରର ବିରୋଧାଭାସ ଏକ ପ୍ରକାର କୁସଂସ୍କାରରେ ପରିବର୍ତ୍ତନ ହୋଇଗଲା । କ୍ରମଶଃ ସେମାନେ ସକ୍ରେଟିସ୍ ତଥା ହିପୋକ୍ରାଟସଙ୍କ ମତକୁ ଗ୍ରହଣ କରିବାକୁ ଆରମ୍ଭ କଲେ । ନାକପୁଡା ଦେଇ ଶରୀର ଭିତରକୁ ପ୍ରବେଶ କରିଥିବା ବାହାରର ଅପପଦାର୍ଥ ତଥା ବିଷାକ୍ତ ପଦାର୍ଥକୁ ମସ୍ତିଷ୍କ ଯେଉଁ ପ୍ରକ୍ରିୟାରେ ପ୍ରତିହତ କରିଥାଏ ତାହାକୁ ସାଧାରଣରେ ଛିଙ୍କ ବୋଲି ବୁଝିବା ଭଳି ପ୍ରକ୍ରିୟା ଆରମ୍ଭ ହେଲା ଏବଂ ତାହା ସହିତ ଏହି ଧାରଣାଟି ବି ବିକଶିତ ହେବାକୁ ଲାଗିଲା ଯେ, ତମେ ଯଦି ଛିଙ୍କକୁ ନିଜ ଭିତରେ ଅଟକାଇ ରଖିବ ତେବେ ତାହା ତମର ଶରୀର ପ୍ରତି ହାନିକାରକ ହେବ । ତେଣୁ ଛିଙ୍କ ଏକ ପ୍ରକାର ଆନନ୍ଦଦାୟକ ନିର୍ଗମନ ଏବଂ ଏହା ମଣିଷକୁ ନିଜ ଭିତରେ ଥିବା ବିଷାକ୍ତ ପଦାର୍ଥରୁ ମୁକ୍ତ କରିଦେଉଥିବା କାରଣରୁ ଖ୍ରୀଷ୍ଟ ପୂର୍ବ ଚତୁର୍ଥ ଶତାବ୍ଦୀର ଶେଷ ଆଡ଼କୁ ଛିଙ୍କ ପରେ (ବିଷାକ୍ତ ପଦାର୍ଥ ବା ଅସୁଖରୁ ମୁକ୍ତ ହେବା କାରଣରୁ ) ମଣିଷକୁ ଗୋଟିଏ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିବାର ଆବଶ୍ୟକତା ଅନୁଭବ କରାଗଲା । ସେଇଥିପାଇଁ ଛିଙ୍କ ପରେ ଏକ ଶୁଭେଚ୍ଛା ବାର୍ତ୍ତା ହିସାବରେ ଜଣକ ଉଦ୍ଦେଶ୍ୟରେ କୁହାଯାଉଥିଲା, ପ୍ରଭୂ ଜିଉସ୍ ତମର ମଙ୍ଗଳ କରନ୍ତୁ,ପ୍ରଭୂ ଜୁପିଟର ତମର ମଙ୍ଗଳ କରନ୍ତୁ ।
ଈଶ୍ୱର ତମର ମଙ୍ଗଳ କରନ୍ତୁ ବୋଲି ଖ୍ରୀଷ୍ଟୀୟ ଆଶୀର୍ବଚନ ପୂର୍ବକାଳର ଗ୍ରୀକ୍ ଏବଂ ରୋମାନ ମାନଙ୍କ ଭଳି ମଣିଷର ସେହି ଛିଙ୍କ ସହ ଜଡିତ ଥିଲେବି ଏହାର ପରିପ୍ରେକ୍ଷ୍ୟଟି ଟିକିଏ ଭିନ୍ନ।
ଖ୍ରୀଷ୍ଟ୍ରୀୟ ଷଷ୍ଠ ଶତାବ୍ଦୀରେ ରୋମ୍ ରେ ପୋପ୍ ଥାଆନ୍ତି ଗ୍ରେଗୋରି,ଦି ଗ୍ରେଟ୍ । ତାଙ୍କ ସମୟରେ ଇଟାଲୀରେ ଗୋଟିଏ ମହାମାରୀ ବ୍ୟାପିଥିଲା । ଏହି ମହାମାରୀ ର ପ୍ରାଦୁର୍ଭାବ ବଡ ବ୍ୟାପକ ଥିଲା । ଏଥିରେ ଆକ୍ରାନ୍ତ ହେଉଥିବା ଲୋକଙ୍କର ଏକମାତ୍ର ଲକ୍ଷଣ ଥିଲା ଛିଙ୍କ । ଛିଙ୍କ ଅନେକ ଦିନ ଧରି କ୍ରମାଗତ ଭାବରେ ହେଉଥିଲା ଏବଂ ଏଥିରେ ଅନେକ ମୃତ୍ୟୁ ମୁଖରେ ପଡୁଥିଲେ । ତେଣୁ ଖ୍ରୀଷ୍ଟୀୟ ଷଷ୍ଠ ଶତାବ୍ଦୀରେ ଇଟାଲୀରେ ଲୋକେ ଏହି ମହାମାରୀର କାରଣରୁ ଛିଙ୍କକୁ ଭାରି ଭୟ କରୁଥିଲେ । ସେ ସମୟରେ ଛିଙ୍କ କହିବାକୁ ଗଲେ ମୃତ୍ୟୁର ସମାର୍ଥକ ଥିଲା । ଏତେ ଲୋକ ସେହି ମହାମାରୀରେ ପୀଡିତ ହୋଇପଡୁଥିଲେ ଯେ ମରଣମୁଖା ଏହିଭଳି ପୀଡିତ ଥିବା ଲୋକଙ୍କର ଶେଜ ନିକଟରେ ପ୍ରାର୍ଥନା କରିବା ପାଇଁ ଖ୍ରୀଷ୍ଟାନ ପାଦ୍ରୀ ମାନଙ୍କ ପାଖରେ ସେତିକି ସମୟ ନଥିଲା । ଏହି ସମସ୍ୟାର ସମାଧାନ ପାଇଁ ପୋପ୍ ଗ୍ରେଗୋରୀ,ଦି ଗ୍ରେଟ୍ ଗୋଟିଏ ଘୋଷଣା କରିଥିଲେ । ୧୬ ଫେବ୍ରୁଆରୀ ୬୦୦ ଖ୍ରୀଅ ଦିନ ପୋପଙ୍କର ସେହି ଘୋଷଣାନାମାରେ କୁହାଯାଇଥିଲା ଯେ ପୀଡିତଙ୍କ ମରଣ ଶେଜ ନିକଟରେ ପ୍ରାର୍ଥନାକୁ କେବଳ ଗୋଟିଏ ବାକ୍ୟରେ ସମ୍ପନ୍ନ କରାଯାଇ ପାରିବ ଆଉ ସେହି ବାକ୍ୟଟି ହେଉଛି ,ଈଶ୍ୱର ତୁମର ମଙ୍ଗଳ କରନ୍ତୁ ।
ଖ୍ରୀଷ୍ଟୀୟ ଷଷ୍ଠ ଶତାବ୍ଦୀର ସେହି ଛିଙ୍କ -ମହାମାରୀ ଏବଂ ପୋପ୍ ଗ୍ରେଗୋରୀ, ଦି ଗ୍ରେଟଠାରୁ ସେଇ ପ୍ରାର୍ଥନାର ବାକ୍ୟଟି ସମଗ୍ର ଇଉରୋପ୍କୁ ବ୍ୟାପିଯାଇଥିଲା । ଅବିକଳ ସେଇଭଳି ମହାମାରୀ ର ପରିସ୍ଥିତି ନଥାଉ ପଛକେ, ଛିଙ୍କ ଥାଉ କି ନଥାଉ ପଛକେ, ମଣିଷର ମଙ୍ଗଳ କାମନା ,ଶୁଭେଚ୍ଛା ଆଉ ସୁସ୍ୱାସ୍ଥ୍ୟ ଉଦ୍ଦେଶ୍ୟରେ ଈଶ୍ୱର ବିଶ୍ୱାସକୁ ଦୃଢ କରିବା ଉଦ୍ଦେଶ୍ୟରେ ଆମେ କହିଥାଉ, ଆଉ ଏହିଭଳି କହିବା ବି ଆମର ଅଭ୍ୟାସରେ ପରିଣତ ହୋଇଗଲାଣି , ଈଶ୍ୱର ତମର ମଙ୍ଗଳ କରନ୍ତୁ।
Comments are closed.