Latest Odisha News

BREAKING NEWS

ଯାହା ସେ ପାରିଲାନି…

ଯାହା ସେ ପାରିଲାନି…
କ୍ଷୀରୋଦ ବିହାରୀ ବିଶ୍ୱାଳ

ପୁରୁଣା କାଳିଆ ଚଉଡା଼ ମାଟି କାଂଥର ଘର | ନଡ଼ା ଛପର | ଘର ମଝିରେ ଅଗଣା | ଭିତରେ ତିନୋଟି ଶୋଇବା ଘର, ଠାକୁର ଘର, ରୋଷେଇ ଘର, ଧାନ ରଖିବା ପାଇଁ ଅମାର ଘରକୁ ମିଶେଇଲେ ଛ’ଟି ଘର , ଦାଣ୍ଡ ପଟରୁ ଘର ଭିତରକୁ ପଶିଲେ ବୈଠକି ଘରଟେ | ସେ ଘରେ କୋଣାର୍କ କମ୍ପନିର କଲା ଧଳା ଟିଭିଟେ ଟେବୁଲ ଉପରେ କେଉଁ କାଳରୁ ବସିଛି | ଟିଭି ଟେବୁଲ ଉପରେ ଥିବା ଫାଙ୍କା ଜାଗାରେ ଦୁଇଟା କାଠ ଫୁଲଦାନୀ ଓ କିଛି ଅପରିଷ୍କାର ପ୍ଲାଷ୍ଟିକ ଓ ଉଲରେ ତିଆରି ଫୁଲ |

ମିନତୀ ବହୁତ ଦିନରୁ ଭାବିଲେଣି ସେହି ଫୁଲଦାନୀର ପୁରୁଣା ଫୁଲ ପରିବର୍ତ୍ତନ କରି ନୂଆ ଫୁଲ ଆଣି ରଖିବେ, କିନ୍ତୁ ସମୟ ହେଉନି | ଘର କାମ ସାରି କେବେ ଥରେ ବାହାରକୁ ଗଲେ ତ ନୂଆ ଜିନିଷ କିଛି କିଣିବେ ନିଜ ପାଇଁ, ଘର ପାଇଁ | ମାଟି କାନ୍ଥ ଭିତରେ ଜୀବନ ମାଟି ହେଉଯାଉଛି ଧୀରେ ଧୀରେ |

“ମୋ ଗାମୁଛାଟା ଟିକେ ଦେଇଯା ତ ” ଶଶୁର ନଳ କୂଅ ପାଖରୁ ଚିଲାଲେଇଲେ | ଶଶୁରଙ୍କ ଏହି ଅଭ୍ୟାସ ଗଲାନି , ସବୁ ବେଳେ ଏଟା ଦେ ସେଟା ଦେ | ହାତ ଉଠେଇ କିଛି କରିବେନି , ସବୁବେଳେ ଗୋଟେ ଲୋକ ତାଙ୍କ ପଛରେ ଲାଗିଥିବେ | ମିନତୀର ଦିନ ସାରା ଆଉ କାମ କଣ କି | ସେପଟେ ଗାଈକୁ କୁଣ୍ଡା ଦେଲା ବେଳକୁ ଡାକିବେ, ଚାଉଳରୁ ଗୋଡ଼ି ବାଛିବା ବେଳକୁ ଡାକିବେ | କିଛି କାମ ନଥିଲେ କହିବେ ଗାମୁଛା ଦେ, ଜୋତାଟା ପୋଛି ଦେ | ଘାଣ୍ଟି ହେଇ ହେଇ ଜୀବନ ଗଲା | ସୁଶାନ୍ତ ଦିନରେ ଥରେ ଫୋନ କରେ | ଘର ଭିତରେ ନେଟୱାର୍କ ପାଉ ନଥିବାରୁ ଯଦି ବାଡ଼ି ପଟରେ କଥା ହବ ତ ଶଶୁର କାନ ଦେଇ ଶୁଣୁଥିବେ, ଯେମିତି ମିନତୀ କୋଉ ଅଲଗା ପିଲା ସହିତ କଥା ହେଉଛି କି ଆଉ |

ଶାଶୁ କିଛି ବୁଝନ୍ତିନି | ତାଙ୍କ ସ୍ୱୟଂ ସହାୟକ ଗୋଷ୍ଠୀ ଠିକ ତ ସେ ଠିକ | କେମିତି ବ୍ୟାଙ୍କରୁ ଲୋନ ଆସିବ, ସେ ପଇସା ଗାଁରେ କେମିତି ସୁଧରେ ଲାଗିବ | ମାସକୁ ମାସ କେମିତି ସୁଧ ଆଦାୟ ହେବ | ଅସୁଲ କରିବା ପାଇଁ ଗାଳି, ଝଗଡା, ମାରପିଟ ବି ହୁଏ | ସନ୍ଧ୍ୟାରେ ସେ ସବୁ କଥା ମିନତୀ ସୁଶାନ୍ତକୁ କହେ, ସୁଶାନ୍ତ ସେ ସବୁ ଶୁଣି ବି ନଶୁଣିବା ପରି ରହିଯାଏ| ବାପା ମାଙ୍କୁ କିଛି ବି ସେ ବିଷୟରେ ପଚାରେ ନାହିଁ |

ସୁଶାନ୍ତର କମ୍ପାନୀ ଚାକିରୀ ଛ ମାସରେ ଥରେ ଛୁଟି ମିଳେ | ସେଇ ଛୁଟି ଦିନ ତକ ଦିନ ମିନତୀର ଖୁସି | ସୁଶାନ୍ତ ଆସିଲେ ଘର ପୁରା ଶାନ୍ତ | ଶଶୁର ଘରେ ନରହି ସାଇକେଲ ନେଇ ବଜାର ଯାଆନ୍ତି, ରାତିରେ ଫେରନ୍ତି | ଶାଶୁ ବେଶୀ ସମୟ ପୂଜା ଘରେ ରୁହନ୍ତି | ଘର କାମ ବି କିଛି କିଛି କରିଦିଅନ୍ତି | ମିନତୀକୁ ଲାଗେ ଏସବୁ ପୁଅକୁ ଦେଖେଇବା ପାଇଁ ସେମାନେ କରୁଛନ୍ତି |

ମିନତୀ ସ୍ନାତକ ପରେ ବିଇଡି କରିଛି | ଦେଖିବାକୁ ଅତ୍ୟନ୍ତ ସୁନ୍ଦରୀ ନହେଲେ ବି ମନ୍ଦ ନୁହଁ | ଦୁଇଥର ଓଟିଇଟି କ୍ଲିୟର କଲାଣି କିନ୍ତୁ ନିଜ ଜିଲ୍ଲାରେ ସିଲେକସନ ହେଉନାହିଁ | ଅନ୍ୟ ଜିଲ୍ଲାରେ ଚାକିରୀ ପାଇଁ ଶୁଶାନ୍ତ ରାଜି ନୁହଁ | ଗାଁ ପାଖାପାଖି କୋଉଠି ହେଲେ ସେ ଚାକିରୀ ପାଇଁ ଅନୁମତି ଦେଇପାରେ | ଅନ୍ୟ ଜିଲ୍ଲାରେ ରହିଲେ ବାପା ମା ଙ୍କ କଥା କିଏ ବୁଝିବ ?

ମିନତୀର କିନ୍ତୁ ଚାକିରି କରିବାକୁ ବହୁତ ଇଚ୍ଛା , ଏଥିପାଇଁ ନୁହଁ ଯେ ସେ ନିଜେ ସ୍ୱାବଲମ୍ବୀ ହବ | ନିଜ ପଇସାରେ ନିଜେ ଚଳିବ| ଏଇଥି ପାଇଁ କି ସେ ଟିକେ ସ୍ୱାଧୀନ ଭାବରେ ନିଶ୍ୱାସ ମାରିବ | ଏକୁଟିଆ ଦୁନିଆ କୁ ଭୋଗିବ | କିଛି ନହେଲେ ଗାଁ ପାଖରେ ଚାକିରୀ ପାଇଲେ ବି ଘର ଠାରୁ , ସଂସାର ଠାରୁ ଜଂଜାଳ ଠାରୁ କିଛି ସମୟ ତ ଦୂରରେ ରହି ପାରିବ | ଯେମିତି ଲିପି କରୁଛି |

ଲିପି, ମିନତୀ ର ସମ୍ପର୍କୀୟ ବଡ଼ ଯା | ବଡ ଶଶୁର ଙ୍କ ସାନ ବୋହୁ | ଲିପିକୁ ଦେଖିଲେ ମିନତୀର ବହୁତ ଇର୍ଷା ହୁଏ | ଇର୍ଷା କରିବାର କାରଣ ଏହିକି ଯେ, ଲିପିର ଶାଶୁ ଶଶୁର ତାକୁ କୌଣସି କଥାରେ ଆକଟ କରନ୍ତି ନାହିଁ | ଲିପି ଘର ପଛ ଆମ୍ବଗଛ ପାଖରେ ଘଣ୍ଟା ଘଣ୍ଟା ମୋବାଇଲ ରେ ଗପେ | ତାଙ୍କ ଘରେ ଘର କାମ କରିବା ପାଇଁ ଚାକରାଣୀଟେ ଅଛି | ଚାକରାଣୀ ଟି ସକାଳ ପାଇଟି, ବାସନ ମଜା, ରୋଷେଇ ସବୁ କରିଦିଏ | ଲିପି ସନ୍ଧ୍ୟାରେ ନିଜେ ବଜାର ଯାଏ, ନିଜ ମନ ମୁତାବକ କ୍ରିମ ପାଉଡର, ଫଳ ପରିବା ସବୁ ବାଛି ବାଛି ଆଣିପାରେ | ଚାଟ ଖାଏ, ଗୁପଚୁପ ଖାଏ | ଅବଶ୍ୟ ଲିପିକୁ ଏସବୁ ସ୍ୱାଧୀନତା ମିଳିବାର କାରଣ ଭିନ୍ନ | ଲିପି ର ସ୍ୱାମୀ ବୁଦ୍ଧିଆ ହେଉଛି ଜଣେ କମ ବୁଦ୍ଧିଆ ବ୍ୟକ୍ତି, ମୋଟା ମୋଟୀ ଭାବରେ ଗାଉଁଲି ଭାଷା ରେ କହିଲେ ଆଳୁଆ ବୋଲି କହିପାରିବ | ଉଠ କହିଲେ ଉଠିବ ବସ କହିଲେ ବସିବ |

ଜନ୍ମ ରୁ କଣ ଦେଖି କି ତା ମା ତା ନାଁ ବୁଦ୍ଧିଆ ଦେଇଥିଲା ଯେ ସେକଥା ସେ ଜାଣେ , ବୁଦ୍ଧିଆ ପାଖରେ ଦେହ ବଳ ଅଛି କିନ୍ତୁ ମୁଣ୍ଡ ଗୋବର | ସେ ପାଠ ପଢିନି, ସାଇକେଲ ଚଲା ବି ଶିଖିନି, ପୋଖରୀ ପହଁରା ଜାଣିନି, ବଜାର ସଉଦା କରି ଶିଖିନି | ଲିପି ଗରିବ ଝିଅ | ଚାରି ଭଉଣୀ, ଭାଇ ନାହିଁ, ଲିପି ତିନି ନମ୍ବର | ଛାତ ଘର, ଜମି ବାଡ଼ି ଦେଖି ଲିପି ବାପା ରାଜି ହେଇଥିଲା ସେତେବେଳେ | ପରେ ସିନା ବୁଦ୍ଧିଆ ର ଏମିତି ଅବସ୍ଥା ବାବଦରେ ଜଣାପଡ଼ିଲା | ଜଣା ପଡ଼ିଲେ ବି କୋଉ କୁବେର ଘର ଯେ ବିହା ହେଲା ଝିଅକୁ ନେଇ ପାଖରେ ରଖିବେ | ଲିପି ବି ନଜ ଭାଗ୍ୟ କୁ ନିନ୍ଦା କରି ପଡି ରହିଛି ଚାରି ବର୍ଷ ହେଲାଣି |

ବୁଦ୍ଧିଆର ବଡ଼ ଭାଇ ରାଜଧନୀରେ ରହେ, ସେ ସଂସ୍କୃତି ବିଭାଗରେ ଡ୍ରାଇଭର ଅଛି | ଗାଁକୁ ପ୍ରାୟତଃ ଆସେ ନାହିଁ | ଥରେ ଭୋଟ ଦେବାକୁ ଆସିଥିଲା, ଦିନୁଁଟେ ରହିଲା | ସେକ୍ରେଟେରିଏଟ ରେ ଚାକିରୀ କରୁଛି ବୋଲି ଆଇଡେନଟି କାର୍ଡ଼ଟା ଦିନ ସାରା ବେକରେ ଝୁଲେଇ ବୁଲୁଥିଲା | ସେ ଲିପିର ଦେଢଶୁର ହେବ, ସେଥିପାଇଁ ଲିପି କେବେ ତାଙ୍କ ଆଗକୁ ଯାଇନି | ସେ ମାସକୁ ମାସ ଘର ଚଳିବା ପାଇଁ ପଇସା ପଠାନ୍ତି , ଲିପିକୁ କିଛି ହାତ ଖର୍ଚ ବି ଦିଅନ୍ତି | ଲିପି ପାଇଁ ଛୋଟ ମୋବାଇଲଟେ ବି କିଣି ଦେଇଛନ୍ତି | ଗାଁ ରେ ଚାରି ବଖରା ପକା ଘର ବି ସେ କରିଛି | ଲିପି ପାଇଁ ଲେଡି ବାର୍ଡ଼ ସାଇକେଲଟେ କିଣି ଦେଇଛି | ଲିପି କୁହେ “ଭାଇ କହିଛନ୍ତି ସ୍କୁଟି ଟେ କିଣିଦେବେ, ମୁଁ ମନା କଲି | କହିଲି ମୁଁ ଠିକରେ ଚଲା ଶିଖିନି, କୋଉଠି ପଡିଯିବି ” ଲିପି ଯେ ଏସବୁ ବାହାଦୁରି ମାରି କହୁଛି ଏକଥା ମିନତୀ ବୁଝିପାରେ | କିନ୍ତୁ କିଛି ବି ଉତ୍ତର ଫେରାଇନି |

ଲିପିର ବେଶୀ ଦୁଃଖ ସେ ବେଶୀ ପାଠ ପଢିନି | ପାଠ ଟିକେ ପଢିଥିଲେ ତାର ଯେତିକି ବୁଦ୍ଧି ସେ ବି ରାଜଧାନୀରେ ଚାକିରୀ କରୁଥାନ୍ତା | ଗାଁ ର ପାଠୋଈ ବୋହୁ ବୋଲି ମିନତୀକୁ ମିଳୁଥିବା ସମ୍ମାନ ତାକୁ ବି ମିଳନ୍ତା | ଲିପି ଜାଣେ ସେ ଯେତେ ଫିଂଫିଂ ହେଇ ବୁଲିଲେ ବି ତାକୁ କେହି ଭଲ ନଜର ରେ ଦେଖୁ ନାହାନ୍ତି, କି ସମ୍ମାନ ଦେଉ ନାହାନ୍ତି | ସେଥିପାଇଁ ସେ ମିନତୀକୁ ଇର୍ଷା କରେ |

ମିନତୀ ଘର ଝରକାକୁ ଲିପି ଶୋଇବା ଘର ଝରକା ଦିଶେ | ମିନତୀ ଦ୍ଵିପ୍ରହରେ ବସି “ଶିଳାପଦ୍ମ” ପଢେ “ବର୍ଷା ଵୈଶାଖ ବସନ୍ତ” ପଢେ | ପ୍ରତିଭା ରାୟ ତାକୁ ଆଚ୍ଛାଦିତ କରନ୍ତି | ଲିପି ତା ଝରକା ପାଖରେ ଆଇନା ଧରି ବଟା ଆଳୁ, କ୍ଷୀର, ହଳଦୀ, ବେସନକୁ ଗୋଳେଇ ମୁହଁରେ ଲଗାଉଥାଏ | ଦୁହେଁ ଦୁହିଁଙ୍କୁ ଦେଖନ୍ତି କିଛି ନକହି ହସନ୍ତି | ମିନତୀର ଇଚ୍ଛା ହୁଏ ଏମିତି ଲେପ ଲଗେଇ ଆହୁରି ସୁନ୍ଦରୀ ହେବାକୁ | ଲିପିର ଇଚ୍ଛା ହୁଏ ବହି ଖଣ୍ଡେ ଧରି ନିଜକୁ ଜ୍ଞାନୀ ବୋଲି ଦେଖେଇ ହେବାକୁ | ଦୁହେଁ ଦୁହିଁଙ୍କ ମନ କଥା ଓଠ ନଖୋଲି ଆଖିରେ କୁହନ୍ତି |

ଯେଉଁ ଦିନ ଲିପିର ଇଚ୍ଛା ହୁଏ, ସେଦିନ ବୁଦ୍ଧିଆକୁ ରାତିରେ ଖଟ ଉପରକୁ ଆଣିବାକୁ ଲିପିକୁ ବହୁତ ପରିଶ୍ରମ କରିବାକୁ ପଢେ | ବୁଦ୍ଧିଆ ସୁନ୍ଦର ଅସୁନ୍ଦର ବୁଝେନା ତାକୁ ଗରମ କରିଦେଲେ ତା ଇଂଜିନ ଷ୍ଟାର୍ଟ ହେଇଯାଏ | ତାପରେ ଲିପି ନିର୍ଦେଶରେ ସବୁ ହୁଏ| ଲିପି ବୁଦ୍ଧିଆଠାରୁ ପିଲା ପିଲି ଚାହୁଁନଥିଲା | ଲିପି ଭାବୁଥିଲା ବୁଦ୍ଧିଆର ଛୁଆ ବି ତା ପରି ଆଳୁଆ ହବ, ନିର୍ବୁଦ୍ଧିଆ ହବ | ସେଥିପାଇଁ ଲିପି କଣ ସବୁ ଓଷଦ ଖାଏ | ମିନତୀକୁ ଏ ବାବଦରେ କହିଥିଲା ଆଉ ରାଣ ନିୟମ କରି ମିନତିକୁ କହିଛି ଏସବୁ କାହାକୁ ନକହିବାକୁ |

ଯୋଉଦିନ ବୁଦ୍ଧିଆ ବି ରାଜି ହୁଏ, କାହିଁକି କେଜାଣି ? ଯୋଉ କାମ କବାଟ ଝରକା ବନ୍ଦ କରି ହେବ କଥା ସେକାମ ବେଳେ ଲିପି ଝରକା ଖୋଲା ରଖିଥାଏ | ଗରମ ପାଇଁ ? ନା ଭୁଲ ରେ ଝରକା ଖୋଲା ରହିଯାଏ ? ନା ମିନତୀ କୁ ଚିଡ଼େଇବା ପାଇଁ ? ଯେ ତୋ ସ୍ୱାମୀ ଚାକିରିଆ, ପାଠୁଆ, ବୁଦ୍ଧିମାନ ହେଲେ ବି ତୋ ପାଖରେ ନାହିଁ, ମୋ ସ୍ୱାମୀ ଅପାଠୁଆ, ନିର୍ବୁଦ୍ଧିଆ ହେଲେ ବି ମୋ ପାଖରେ ଅଛି ଦରକାର ବେଳେ ମତେ ସୁଖ ଦଉଚି | ମିନତୀ ନିଜ ଘର ର ଆଲୋକ ବନ୍ଦ କରି ଝରକା ବାଟୁ କିଛି ଦେଖେ କିଛି ଦେଖି ପାରେନି | ତାର ଶୁଶାନ୍ତ କଥା ବହୁତ ମନେ ପଡେ଼ | ଲିପି ଉପରେ ଇର୍ଷା ହୁଏ |

ଦିନେ ଦିନେ ବୁଦ୍ଧିଆ ସାଙ୍ଗ ମେଳରେ ବସି ନିଶା ଖାଇ ଫେରେ | ସେଦିନ ଖଟରେ ବୁଦ୍ଧିଆ ର ମର୍ଜୀ ଚାଲେ | ଝରକା ସେମିତି ଖୋଲା ଥାଏ, ଲିପି ବନ୍ଦ କରିବାକୁ ଚାହିଁଲେବି ବୁଦ୍ଧିଆ ତାକୁ ତଳୁ ଉଠିବାକୁ ଦିଏନାହିଁ, କି ଝରକା ପର୍ଯ୍ୟନ୍ତ ପହଂଚିବାକୁ ଦିଏ ନାହିଁ | ସେଦିନ ବୁଦ୍ଧିଆ ଅମଣିଷ ହୁଏ, ଲିପି ଗାଲରେ, ପିଚାରେ, ଛାତିରେ ଆଙ୍ଗୁଳି ଦାଗ ବସେ | ସକାଳକୁ ସବୁ ଦାଗ ଶାଢ଼ୀ ତଳେ ଲୁଚିଯାଏ | ଗାଲର ଦାଗ ପାଇଁ ଓଢଣା ଦେବାକୁ ହୁଏ | ସେତେବେଳେ ଲିପି ମିନତୀକୁ ଇର୍ଷା କରେ | ଭାବେ ଯଦି ମିନତୀର ସ୍ୱାମୀ ପରି ବୁଦ୍ଧିଆ ବି ଦୂର ଦେଶକୁ ଚାଲି ଯାଆନ୍ତା ବହୁତ ଭଲ ହୁଅନ୍ତା |

ଦିନେ ଲିପି ଆସି ମିନତୀକୁ ବହୁତ ତେଲ ମାଲିସ କଲା | ମିନତୀର ବହୁତ ପ୍ରଶଂସା କଲା | ମିନତୀ ବୁଝୁଥିଲା କି ଲିପିର କିଛି ଗୋଟେ ବଡ଼ କାମ ଅଛି, ସେଥି ପାଇଁ ଏତେ ମାଲିସ ଚାଲିଛି | ମିନତୀ ନିଜ ଆଡୁ କହିଲା, “ଅପା କିଛି କାମ ଅଛି କି ମୋ ପାଖରେ ?”

ତା’ ପରେ ଲିପି ଖୋଲିଲା ତା ଗୁମର ପେଡ଼ି “ହଁ କାମଟେ ଥିଲା ଯେ ହେଲେ କେମିତି କହିବି, ମୋ ତୁଣ୍ଡ ଫିଟୁନି | ତୁମେ ତ ଜାଣ ତୁମକୁ ମୁଁ କେତେ ଭଲ ପାଏ | ନିଜର ସବୁ ଗହନ କଥା ତୁମ ଆଗରେ ଓଗାଳି ପକାଏ | ମୋର କେଉଁ କଥା ତୁମକୁ ଅଛପା ଅଛି ଯେ | ହେଲେ ଏକଥା ଟି କାହାକୁ କହିବନି | ଯାହା ମାଗିବି ନଦେଲେ ପଛେ ନଦିଅ କିନ୍ତୁ କଥା ଗୋଟେ କାନରୁ ଦୁଇ କାନ ଯେମିତି ନହୁଏ | ନହେଲେ ମୁଁ ବିଷ ଖାଇ ବି କି ଦଉଡି ଦେବି ସେକଥା ବି ତୁମେ ଫାଇନାଲ କରିବ |”

ମିନତୀର ହାତ ନେଇ ମୁଣ୍ଡରେ ରଖି କହିଲା “ସତ କୁହ କାହାକୁ କହିବନି”! ମିନତୀ କହିଲା ମୋ ଉପରେ ଯଦି ଭରସା ନାହିଁ ତ କୁହନି | ଲିପି ଆରମ୍ଭ କଲା, “ଗୋଟେ ପୁଅ ମୋ ନମ୍ବର କୋଉଠୁ କେଜାଣି ପାଇଛି ଯେ ଥରେ କଲ କରିଥିଲା ମୁଁ ରଂ ନମ୍ବର କହି ରଖିଦେଲି | ତା ପରେ ସେ ଦୁଇଦିନ ଛାଡ଼ି ପୁଣି କଲ କଲା | ଘରେ କେହି ନଥିଲେ ମୁଁ ତା ସାଙ୍ଗରେ କଥା ହେଲି| ଟୋକାଟା ଘର ବାଲେଶ୍ୱର, ସେ ଗୁଜୁରାଟରେ ଚାକିରୀ କରେ | ସେ ଦୁନିଆ ବାବଦରେ କେତେ କଥା ଜାଣେ | କଥା କଥାରେ ହିନ୍ଦୀ ଇଂଲିଶ ବି ମିଶେଇ ମିଶେଇ କହେ | ମୁଁ ବୁଝି ନପାରିଲେ ବି ହୁଁ କରେ | ତା କଥା କେତେ ମିଠା, ତୁମେ ବି ଥରେ କଥା ହେଲେ ତା ଦିବାନା ହେଇଯିବ | କାଳେ ରାତିରେ ଫୋନ କରିଦେବ ବୋଲି ମୁଁ ମୋବାଇଲ ଅଫ କରିଦେଉଛି | ସେ ଜାଣିନି ମୁଁ ବାହା ହେଇଚି ବୋଲି | ସେ କେବେ ପଚାରିନି କି ମୁଁ କହିନୀ | ଆଜି ସକାଳେ ସେ କହିଲା ମତେ ଟିକେ ଦେଖିବ | ଭିଡିଓ କଲିଂ କରିବ | ମୋ ଫୋନରେ ତ ଖାଲି କଥା ହେଇ ହବ, ନା ସେଥିରେ କାମେରା ଅଛି ନା ନେଟ | ତୁମକୁ ମୁଁ ଦେଖିଚି ଦିଅରଙ୍କ ସହିତ ଭିଡିଓରେ କଥା ହୁଅ | ତୁମ ମୋବାଇଲଟା ଯଦି ଥରେ ଦିଅନ୍ତ ମୁଁ ତା ସହିତ ଥରେ ଭିଡିଓ ରେ କଥା ହୁଅନ୍ତି| ଥରେ ଖାଲି କଥା ହେବି | ଆଜି ରାତିରେ ସମସ୍ତେ ଯାଇଛନ୍ତି ରମାଦେଇ ଘର ଝିଅ ବାହାଘରକୁ | ଝିଅ ବିଦା ହେଲାବେଳକୁ ସକାଳ ହବ, ଏଣୁ ସକାଳ ପୂର୍ବରୁ କେହି ଘରକୁ ଫେରିବେନି | ତୁମ ମୋବାଇଲଟା ଗୋଟେ ରାତି ପାଇଁ ଦେଇପାରିବ ? ଆଉ କେବେ ମାଗିବି ନାହିଁ | ଥରେ ସାହାଯ୍ୟ କର |

ମିନତୀ ଲିପିକୁ ଚାହିଁ ରହି ଥାଏ, ତା ସାହସକୁ ତାରିଫ କରୁଥାଏ | କି ଭାଗ୍ୟ ଲୋ ତୋର, ପର ଟୋକାଙ୍କ ସହିତ କଥା ହେଉଚୁ| ଏବେ ଭିଡିଓ କଲିଙ୍ଗରେ କଥା ହେବୁ | ମିନତୀକୁ ଏସବୁ ସ୍ବପ୍ନ ପରି ଲାଗୁଥିଲା | ମିନତୀ କିଛି ଭାବିବା ପୂର୍ବରୁ ଲିପି ତା ଗୋଡ଼ ଧରିନେଲା | ମିନତୀ ଗୋଡ଼ ଛାଟି ଆଣିଲା “ଅପା ଏସବୁ କଣ କରୁଛ ? ମୁଁ ସାନ ଭଉଣୀଟା ଆପଣ ମୋ ଗୋଡ଼ ଧରି ପାପ ଲଗାଉଛନ୍ତି କାହିଁକି ?”

ହଉ ଗୋଟିଏ ଥର ମୁଁ ମୋବାଇଲ ଦଉଚି | କେହି ଯେମିତି ଆମ ଘରେ ଜାଣିବେନି | କେହି ଜାଣିଲେ ମୋ ଜୀବନ ରହିବନି | ସାନ ଭଉଣୀ ବୋଲି କଥାଟେ କହୁଛି, ଏସବୁ କଥା ଭଲ ନୁହଁ | ଭାଇ ଜାଣିଲେ କଣ ହବ… ଗାଁର କେହି ଜାଣିଲେ ତୁମେ ଗାଁରେ ବାଟ ଚାଲି ପାରିବ ତ ?

ଲିପି କହିଲା “ହେ ତୁମେ ବହୁତ ଅଧିକ ଭାବି ଦଉଛ | ସେ ଗୋଟେ ସାଙ୍ଗ ଭଳିଆ କଥା ହଉଚି | ଦିନ ସାରା ଘରେ ବସି ବସି ଆଉ କଣ କରିବି, ତା ସହିତ କଥା ହେଲେ ଟିକେ ଭଲ ଲାଗୁଚି ଟାଇମପାସ ହେଇଯାଉଛି | ତୁମେ ମୋବାଇଲ ଟିକେ ଦବ ଯଦି ଦିଅ କିନ୍ତୁ ମତେ ଏମିତି ଖରାପ ଭାବନି |

ମିନତୀ ନିଜର ଅନିଚ୍ଛା ସତ୍ୱେ ବି ମୋବାଇଲଟି ଦେଇ ଦେଲା | ସବୁଦିନ ଝରକା ଖୋଲା ରଖୁଥିବା ଲିପି ଆଜି କିନ୍ତୁ ଝରକା ବନ୍ଦ କରିଦେଇଥିଲା |

ରାତି ସାରା ଲିପି ସେ ଟୋକା ସହିତ କଥା ହେଉଥିଲା | ଲିପି କଣ କଥା ହେଉଥିବ ଭାବି ଭାବି ମିନତୀକୁ ବି ନିଦ ନଥିଲା | ମିନତୀ ଜାଣେ ମୋବାଇଲରେ ଭିଡିଓ କଲିଙ୍ଗରେ କଣ ହୁଏ | ଶଶୁର ଶାଶୁଙ୍କ ପାଇଁ ସେ ଶୁଶାନ୍ତ ସହିତ ଭିଡିଓ କଲିଙ୍ଗରେ ଫ୍ରିରେ ଟିକେ କଥା ହେଇପାରେନା | ଯାହା କହେ ଶୁଶାନ୍ତ ହିଁ କହେ, ମିନତୀ ଏପଟରୁ ଚୁପ ହୋଇ ଶୁଣେ | ହେଲେ ଲିପି ଘରେ ତ କାଲି ରାତିରେ କେହି ନଥିଲେ ଲିପି ଯେ କଣ କଣ କହିଥିବ କଣ କଣ କରିଥିବ ସେକଥା ଭାବି ଭାବି ମିନତୀ ରୋମାଂଚିତ ହେଉଥାଏ |

ସକାଳ ହେଲା | ଏପର୍ଯ୍ୟନ୍ତ ବି ଲିପିର ଘର ଲୋକ ଆସିନଥିନ୍ତି ଭୋଜିରୁ | ଲିପି ଆସିଲା ମୋବାଇଲ ଫେରେଇବା ପାଇଁ | ଲିପି ସେଦିନ ଯେତିକି ଖୁସି ଥିଲା ପୂର୍ବରୁ ଏମିତି ଖୁସି ହେବାର ମିନତୀ କେବେ ଦେଖିନଥିଲା | ମିନତୀ କିଛି ପଚାରିବା ପୂର୍ବରୁ ସେ ଗପି ଚାଲିଲା | ପିଲାଟା ଦେଖିବାକୁ ପୁରା ସୁନ୍ଦରଟେ, ଟିକେ ଟିକେ ଦାଢ଼ି ରଖିଛି | ସାଇଜ କରି ଦାଢ଼ି ଏମିତି କାଟିଚି ଯେ ଆମ ଗାଁରେ ସେମିତି କେହି ନାହାନ୍ତି ମ |

– ଆଉ କଣ କହୁଥିଲା ? ମିନତୀ ପରିବା କାଟୁକାଟୁ ଲିପିକୁ ନଚାହିଁ ପଚାରିଲା |
– ମତେ ଦେଖି ଭାରି ଖୁସି ହେଇଗଲା | କହିଲା ତୁମ ପରି ଝିଅ ଆଗରୁ କେବେ ଦେଖିନି | ସବୁଦିନ ମୋ ବନ୍ଧୁ ହୋଇ ରହିବ | ତାକୁ ମୁଁ ମନା କରିଛି ତୁମ ନମ୍ବରକୁ କଲ କରିବାକୁ | ମୁଁ ଗୋଟେ ନୂଆ ମୋବାଇଲଟେ ଆଣିବି ଯେ |

ଲିପି ଗପି ଚାଲିଥାଏ | ତା ଛାତି କେତେ ଓସାର, ସେ କେତେ କେତେ ମଜା ମଜା କଥା ଜାଣିଚି | ମିନତୀ ସବୁ ଶୁଣିବି ନଶୁଣିବା ପରି ନିଜ କାମରେ ଲାଗିଥାଏ |

ଲିପି ଏବେ ଯିବାକୁ ବାହାରିଲା | ମିନତୀ କହିଲା ଅପା ତୁମେ ଯାହା ସବୁ କରୁଛ ଏଗୁଡା ଭଲ କଥା ନୁହଁ ପରେ କିନ୍ତୁ ପସ୍ତେଇବ| ଲିପି ଯାଉ ଯାଉ ରହିଗଲା “ମୁଁ ମୂର୍ଖ ବୋଲି କଣ ଦୁନିଆ ବାବଦରେ ଜାଣିନି ବୋଲି ଭାବୁଛ ? ଆଳୁଆ, ନିର୍ବୁଦ୍ଧିଆ ଘଇତା ନେଇ ଘର କଲେ ଯେ କେତେ ଦହଗଞ୍ଜ ହେବାକୁ ହୁଏ ସେକଥା ତୁମେ ବୁଝିପାରିବନି | ନା ମନ ସୁଖ ନା ଦେହ ସୁଖ , ଖାଲି ପେଟ ପୁରା ଖାଇଦେଲେ ମଣିଷ ବଂଚି ପାରେନି | ତୁମେତ ଗୋଟେ ଝିଅ ତୁମକୁ ଆଉ କଣ ବୁଝେଇ ବି ? ସତ କହିଲ ବର୍ଷ ବର୍ଷ ଦିଅର ଘରକୁ ଆସୁ ନାହାନ୍ତି, ତୁମର କୋଉ ସୁନ୍ଦର ଟୋକାକୁ ଦେଖିଲେ ମନ ଖୁସି ହୁଏନି ? ତାକୁ ନେଇ ସ୍ବପ୍ନ ଦେଖନି ? ଫିଲିମ ହିରୋଙ୍କ ମୁକୁଳା ଛାତି ଦେଖି ଦେହରେ ନିଆଁ ଲାଗେନି ? ଏବେ ତୁମେ କହିବି ନା .. କାହିଁକିନା ଭଲ ଝିଅ, ଭଲ ବହୁର ଆସନରେ ତୁମେ ରହିବାକୁ ଚାହଁ ସବୁଦିନ | ନିଜେ ପଛେ ଜଳି ଜଳି ମରିଯାଏ | ଏଠି କେହି କାହା କଥା ବୁଝନ୍ତିନି, ସମସ୍ତଙ୍କୁ ନିଜ ଖୁସି ବଡ଼, ତ ମୁଁ କାହିଁ କି ମୋ ଖୁସି ଦେଖିବିନି ? ମୁଁ କିଛି ପାପ କରୁନି |” ଲିପି ଚାଲିଗଲା |

ମିନତୀ ଦୁଆର ବଂଧ ପାଖରେ ଠିଆ ହୋଇ ଲିପି ଯିବା ବାଟକୁ ଚାହିଁ ରହିଥାଏ | ଭାବୁଥାଏ ଲିପି କିଛି ମିଛ କହୁନି | ମନର ଭାବନା ଯଦି ଦେଖି ହୁଅନ୍ତା ଲିପିଠାରୁ ବେଶୀ ପାପୀ ହୁଅନ୍ତା ସେ ନିଜେ | କିନ୍ତୁ ତାର ଲିପି ପରି ସାହସ ନାହିଁ | କି ସେ ଲିପି ପରି ସାହସୀ ହେବାକୁ ଚାହେଁ ନାହିଁ |

ସେହି ଦିନରୁ ଲିପି ଆଉ ମିନତୀ ପାଖକୁ ଆସେନା | ଲିପି ନୂଆ ମୋବାଇଲଟେ କିଣିଲାଣି | ଛାତରେ ବସି ଇଅର ଫୋନରେ କଥା ହୁଏ | ମିନତୀ ପ୍ରତିଭା ରାୟଙ୍କୁ ଧରି ଝରକା ପାଖରେ ବସି ପୃଷ୍ଠା ଓଲଟାଏ |

ସକାଳ ସାତ କି ଆଠ ହବ, ମିନତୀ ଘର ବାହାରେ ଲିମ୍ବ ମଞ୍ଜି ଶୁଖାଉ ଥାଏ, ଦେଖିଲା ବୁଦ୍ଧିଆ ଆଉ ଲିପି ସାଇକେଲରେ ଗୋଟେ ବଡ଼ ବ୍ୟାଗ ଧରି କୁଆଡେ ଯାଉଥାନ୍ତି | ମିନତୀ କଥା ହେବାର ଇଚ୍ଛା ନଥାଇ ବି ତାଙ୍କୁ ଦେଖୁଥାଏ | ଲିପିର ଆଖିରେ ଆଖି ମିଶିଗଲା ତ ଲିପି ନିଜ ଆଡୁ କହିହେଲେ “କାଲି ରାତିରେ ମାଆକୁ ସପନରେ ଦେଖିଲି, ମାଆ ଦେହ ଭଲ ନାହିଁ | ବାପା ଫୋନ କରି ବୁଝିଲେ ଯେ ମାର କିଛି ହେଇନି, କିନ୍ତୁ କାହିଁକି କେଜାଣି ମୋ ମନଟା ଗୋଳେଇ ହଉଚି | ବହୁତ ଦିନରୁ ଗାଁକୁ ଯାଇନି ସେଥି ପାଇଁ ଭାବିଲି ଟିକେ ବୁଲି ଆସିବି | ୟେ ଛକ ପାଖରେ ବସରେ ଚଢେଇ ଦେଇ ଆସିବେ |” ମିନତୀ ସମ୍ମତିର ହଁଟେ ମାରିଲା | ସେମାନେ ଚାଲିଗଲେ | ଲିପି ସାଇକେଲ ହ୍ୟାଣ୍ଡେଲ ଧରିଥାଏ, ପଛ କ୍ୟାରିଆରରେ ବ୍ୟାଗ ବଂଧା ହେଇଥାଏ ଆଉ ବ୍ୟାଗ ଉପରେ ବୁଦ୍ଧିଆ ହାତ ପକେଇ ଥାଏ | କିଛି ସମୟ ପରେ ବୁଦ୍ଧିଆ ସାଇକେଲ ଗଡେଇ ଗଡେଇ ଘରକୁ ଫେରିଲା |

ଚାରି ପାଞ୍ଚ ଦିନ ଚାଲିଗଲା | ଏଣେ ବୁଦ୍ଧିଆ ମନ ଗୁଡ଼େଇ ହେଉଥାଏ କି କଣ, କିନ୍ତୁ କହିବ କାହାକୁ ? ଦିନେ ସନ୍ଧ୍ୟାରେ ମିନତୀ ଘରେ ଝାଡ଼ୁ ମାରୁଥିଲା ବୁଦ୍ଧିଆ ଦାଣ୍ଡରୁ ରହି ଡାକ ମାରିଲା | ମିନତୀ ଓଢ଼ଣା ଦେଇ ବାହାରକୁ ଗଲା, ଯାହା ହେଲେ ବି ଦେଢଶୁର ନା | ବୁଦ୍ଧିଆ ଗୋଟେ କାଗଜରେ ଲେଖା ହେଇଥିବା ମୋବାଇଲ ନମ୍ବରଟେ ତଳେ ରଖିଦେଲା | କହିଲା ଏଇ ନମ୍ବରରେ ଟିକେ ଫୋନ କରତ | ଚାରି ଦିନ ହେଲା ଗଲାଣି କିଛି ଖବର ନାହିଁ, ଦୁଇଟାଯାକ ମୋବାଇଲ ନେଇ ଯାଇଛି | ଏଇ ନମ୍ବରଟା ଦେଇଥିଲା କହୁଥିଲା ଏଇଟା ତା ମା ନମ୍ବର |

ମିନତୀ ନମ୍ବର ଲଗେଇଲା, ସେ ନମ୍ବରଟା ଭୁଲ ଥିଲା | ଲିପି ଭୁଲରେ ଭୁଲ ନମ୍ବର ଦେଇ ଯାଇଛି ନା ଜାଣି ଜାଣି ? ଏମିତି ଗୋଟେ ଧାରଣା ମିନତୀ ଭିତରେ ଆସିଲା | ମିନତୀ, ସୁଶାନ୍ତକୁ ଫୋନ କରି ଲିପି କଥା ବୁଝିବାକୁ କହିଲେ | ଶୁଶାନ୍ତ ତାଙ୍କ ବନ୍ଧୁ ମାନଙ୍କୁ ଫୋନ କରି ଜାଣିଲେ କି ଲିପି ତା ବାପା ଘରକୁ ଯାଇ ନାହିଁ | ଏ ଖବର ଚାରିଆଡେ ବ୍ୟାପିଗଲା |

ଖବର ନେବାରୁ ଜଣାପଡିଲା ସେଦିନ ବୁଦ୍ଧିଆ ତାକୁ ବସରେ ବସେଇ ଆସିବା ପରେ ସେ ଆଗ ଛକରେ ଉଲ୍ଳେଇ ଯାଇଥିଲା | ଆଉ ଗୋଟେ ବାଇକ ଵାଲା ସହିତ କୁଆଡେ ଗଲା | ବୁଦ୍ଧିଆ ବାପା ଆସି ଘର ଆଲମିରା ଖୋଲି ଦେଖିଲେ ଗୋଟିଏ ବି ଗହଣା ନାହିଁ କି ପଇସା ନାହିଁ |

ମିନତୀ ଚିନ୍ତା କଲା ସେ ଟୋକା ବାବଦରେ ସବୁ କହିଦେଲେ ଲିପି ଧରା ପଡ଼ିଯାନ୍ତା | କିନ୍ତୁ କହିଲେ ସେ ନିଜେ ବି ବଦନାମ ହେବାର ଭୟ ଅଛି, ସମସ୍ତେ ତାକୁ ବି ଖରାପ ଭାବି ପାରନ୍ତି | ଭଲ ବହୁ ଆୱାର୍ଡଟା ତା ହାତରୁ ଚାଲିଯିବ |

କିଛି ଦିନ ପରେ ଦିନେ ଲିମ୍ବ ମଞ୍ଜି ଶୁଖାଉ ଶୁଖାଉ ସାହସ କରି ମିନତୀ ସେ ନମ୍ବରରେ ଫୋନ କଲା | ଆର ପଟରୁ କେହି ଫୋନ କାଟି ଦେଲା | କିଛି ସମୟ ପରେ ସେହି ନମ୍ବରରୁ ଭିଡିଓ କଲ ଆସିଲା | ମିନତୀ ରିସିଭ କଲା | ଓଠରେ ନାଲି, ଗାଲରେ ନାଲି, ହାତରେ ନାଲି ଚୁଡ଼ି, ଦେହରେ ନାଲି ଚୁଡିଦାର, ଚୁଟି ସବୁ ସିଧା କରି ଲିପି ପୁରା ହିରୋଇନ ପରି ଦିଶୁଥାଏ | ମିନତୀ ମୋବାଇଲ ସୁଇଚ ଅଫ କରି ଲିମ୍ବ ମଞ୍ଜି ଶୁଖେଇବାରେ ଲାଗିଗଲା |

…………………………
ନୂଆପୁର, ବାଲେଶ୍ୱର

Leave A Reply

Your email address will not be published.