Latest Odisha News

BREAKING NEWS

ମଣିଷକୁ ମାନବତ୍ୱ ପ୍ରଦାନ କରିବା ଶିକ୍ଷାର ଲକ୍ଷ୍ୟ: ରାଜ୍ୟପାଳ ଗଣେଶୀ ଲାଲ

ଭୁବନେଶ୍ୱର: କିଟ୍‍ ବିଶ୍ୱବିଦ୍ୟାଳୟର ରୌପ୍ୟଜୟନ୍ତୀ ପୂର୍ତ୍ତି ଅବସରରେ ଆଜି ସର୍ବଭାରତୀୟ କୁଳପତି ସମ୍ମିଳନୀ ତଥା ଶିକ୍ଷା ଉପରେ ଏକ ଅନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‍ ମଣିଷ ଜୀବନରେ ଶିକ୍ଷାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । କହିଥିଲେ- ସମଗ୍ର ବିଶ୍ୱରେ ଗୁରୁ ଓ ଶିଷ୍ୟ ପରମ୍ପରା ବହୁ ପୁରାତନ ।

ଶିକ୍ଷା ହିଁ ଗୁରୁଙ୍କ ମାଧ୍ୟମରେ ଶିଷ୍ୟମାନେ ଗ୍ରହଣ କରି ସମାଜରେ ପରିବ୍ୟାପ୍ତ କରି ଆସିଛନ୍ତି । ଶିକ୍ଷା ହିଁ ପ୍ରତ୍ୟେକ ମଣିଷକୁ ମାନବତ୍ୱ ପ୍ରଦାନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଶିକ୍ଷା ଆମକୁ ଏକ ବ୍ୟବସ୍ଥିତ ସୀମା ମଧ୍ୟରେ ରହିବାକୁ ପ୍ରସ୍ତୁତ କରିବା ସହ ଆତ୍ମ ବିକାଶରେ ସହାୟକ ହୋଇଥାଏ । ଶାନ୍ତି, ମୈତ୍ରୀ ଓ ମାନବିକତା ସୁନିଶ୍ଚିତ କରିବାରେ ଆଧୁନିକ ଶିକ୍ଷା ବିଫଳ ହୋଇଛି ବୋଲି ପାଶ୍ଚାତ୍ୟ ଦେଶ ଗୁଡ଼ିକ ସମେତ ବିଶ୍ୱ ଏବେ ଅନୁଭବ କଲେଣି ।

ଅହଂକାର, କ୍ରୋଧ, ଅସୂୟାଭାବ ପରିହାରକ କରି ସମସ୍ତଙ୍କ ପ୍ରତି ଦୟାଶୀଳ, ସମ୍ବେଦନଶୀଳ, ଭାତୃଭାବ ପ୍ରଦର୍ଶନ କରିବା ହେଉଛି ଶିକ୍ଷାର ପ୍ରକୃତ ଉଦ୍ଦେଶ୍ୟ ବୋଲି ପ୍ରଫେସର ଲାଲ୍‍ କହିଥିଲେ । କିଟ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ସର୍ବଭାରତୀୟ କୁଳପତି ସମ୍ମିଳନୀରେ ରଖା ଯାଇଥିବା ବିଷୟ ବସ୍ତୁ ‘ଏଜୁକେସନ୍‍ ଫର ବିଲ୍‍ଡିଂ ହ୍ୟୁମାନିଟି ଉଇଥ ହାର୍‍ମୋନୀ ଆଣ୍ଡ ପିସ୍‍’ ବାସ୍ତବରେ ସମୟୋପଯୋଗୀ ଓ ଯଥାର୍ଥ ବୋଲି ରାଜ୍ୟପାଳ କହିଥିଲେ ।

ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ କହିଲେ, ଶିକ୍ଷା କେବଳ ଯେ ଆମର ଜ୍ଞାନର ବିକାଶ କରିଥାଏ ତା ନୁହେଁ, ଏହା ଉପରେ ଗୋଟିଏ ରାଷ୍ଟ୍ରର ବିକାଶ ଓ ସମୃଦ୍ଧି ମଧ୍ୟ ନିର୍ଭର କରିଥାଏ । ରାଷ୍ଟ୍ର ଗଠନରେ ନୂତନ ଶିକ୍ଷାନୀତିର ଏକ ପ୍ରମୁଖ ଭୂମିକା ରହିଛି । ତେଣୁ ଆମ ରାଜ୍ୟରେ ଖୁବ୍‍ ଶୀଘ୍ର ନୂତନ ଶିକ୍ଷାନୀତି ପ୍ରଚଳନ ହେବା ଆବଶ୍ୟକ ବୋଲି ସେ ପରାମର୍ଶ ଦେଇଥିଲେ । ଆଇଆଇଏମ୍‍ ନାଗପୁରର ନିର୍ଦ୍ଦେଶକ ପ୍ରଫେସର ଭିମରାୟା ମେତ୍ରି କହିଲେ, ଶିକ୍ଷା କ୍ଷେତ୍ରରେ ଅନ୍ତର୍ଭୁକ୍ତିକରଣ ବିଶେଷ କରି ଜନଜାତିଙ୍କ ଅନ୍ତର୍ଭୁକ୍ତିକରଣ କ୍ଷେତ୍ରରେ କିଟ୍‍ ସମସ୍ତଙ୍କ ଉଦାହରଣ ପାଲଟିଛି ।

ଜାତୀୟ ଶିକ୍ଷାନୀତିରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନ ସହ ମୂଲ୍ୟବୋଧ ଓ ପରମ୍ପରାର ସମନ୍ୱୟ ଘଟିଛି ବୋଲି ସେ କହିଥିଲେ । ଆଇଆଇଟି ଧରୱାଡର ନିର୍ଦ୍ଦେଶକ ପ୍ରଫେସର ଭି.ଆର୍ ଦେଶାଇ ଶିକ୍ଷାର ମାଧ୍ୟମ ରୂପେ ଆଞ୍ଚଳିକ ଭାଷାକୁ ଗୁରୁତ୍ୱ ଦିଆଯିବା ସହ ସଂସ୍କୃତକୁ ଦ୍ୱିତୀୟ ଭାଷା ଭାବେ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ଭାରତର ସମୃଦ୍ଧ ଗୁରୁ-ଶିଷ୍ୟ ପରମ୍ପରା ଉପରେ ଆଲୋକପାତ କରି ବର୍ତ୍ତମାନ ସମୟରେ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ଉପରେ ଯୋଧପୁର ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପୁନମ ସକ୍ସସେନା ଗୁରୁତ୍ୱାରୋପ କରିଥିଲେ ।

ଏହି ଅବସରରେ କିଟ୍‍ ଓ କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ, ମାନବିକ ମୂଲ୍ୟବୋଧ ଓ ଦୟାଶୀଳ ଉପରେ ପର୍ଯ୍ୟବେସିତ କିଟ୍‍ ହେଉଛି ଏକ ସମାଜ ଆଧାରିତ ଅନୁଷ୍ଠାନ । ଚଳିତବର୍ଷ କିଟ୍‍ ତାର ରୌପ୍ୟ ଜୟନ୍ତୀ ପାଳନ କରୁଥିବା ବେଳେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ କିଟ୍‍ ସହ ଜଡ଼ିତ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ । ଶିକ୍ଷାରେ ଅନ୍ତର୍ଭୁକ୍ତିକରଣ ସମେତ ଜାତୀୟ ଶିକ୍ଷା ନୀତିର ସମସ୍ତ ଉଦ୍ଦେଶ୍ୟ କିଟ୍‍ ପୂରଣ କରୁଛି ।

କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତା ସାମନ୍ତ ସ୍ୱାଗତ ଭାଷଣ ଦେଇ ଶିକ୍ଷା ମାଧ୍ୟମରେ ବିଶ୍ୱରେ ଶାନ୍ତି ଓ ସୌହାର୍ଦ୍ଦ୍ୟ ଅଣାଯାଇପାରେ । ଏହି ଅବସରରେ ସେ କିଟ୍‍ର ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ପାଇଥିବା ସଫଳତା ଉପରେ ଆଲୋକପାତ କରିଥିଲେ ।

କାର୍ଯ୍ୟକ୍ରମରେ ସର୍ବଭାରତୀୟସ୍ତରର ୧ଶହରୁ ଊର୍ଦ୍ଧ୍ୱ ବିଶ୍ୱବିଦ୍ୟାଳୟର କୁଳପତି, ଆଇଆଇଟି, ଆଇଆଇଏମର ନିଦ୍ଦେର୍ଶକଙ୍କ ସମେତ ବିଭିନ୍ନ ମହାବିଦ୍ୟାଳୟରୁ ୩ ଶହରୁ ଊର୍ଦ୍ଧ୍ୱ ଅଧ୍ୟକ୍ଷ, ଯୋଗ ଦେଇଥିଲେ । ଦିନ ତମାମ ୫ଟି ବିଭିନ୍ନ ସମାନ୍ତରାଳ ଅଧିବେଶନ, ତିନୋଟି ରାଉଣ୍ଡ ଟେବଲ୍‍ ଅଧିବେଶନ ଓ ଡିଜିଟାଲ୍‍ ଲାଇବ୍ରେରୀ ଉପରେ ଗୋଟିଏ ଅଧିବେଶନ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.