କିତ୍କିତ୍
ଅଶୋକ କୁମାର ସିଂହ
ରେଖା ଟାଣିଛି କିଏ, ଜଣାନାହିଁ
ମୋର ଡେଇଁବାର ଅଛି, ଛୁଇଁବାର ଅଛି
ତୁମେ ଖସି ଯାଉଥିବ, ମୁଁ ମାଡି ବସୁଥିବି
ମୁଁ ଖସି ଯାଉଥିବି, ତୁମେ ଧରିବାକୁ ହାଇଁ ପାଇଁ
ଏ ରାହା, ରହନ୍ତା ନାହିଁ ତୁମକୁ ଛୁଇଁବା ପର୍ଯ୍ୟନ୍ତ?
ରହେ ନାହିଁ, ରହେ ନାହିଁ,
ନିଶ୍ଵାସ ଛାଡି ଯାଏ, ଛାଡି ଯାଏ ଆତ୍ମବିଶ୍ଵାସ
ଫେରିଯିବାକୁ ପଡେ
ଟଣା ହୋଇଥିବା ଗାରର ନିରାପଦ କୋଳକୁ ।
ଏଥର ଆସ, ଆଉ କାହିଁକି ମାରିବା ପରସ୍ପରକୁ
ଖେଳ ସରିଲାଣି,
ସତରେ କିଏ କଣ ଜିତେ ନା ହାରେ?
ହାତ ମିଳେଇ ସାରିଲା ପରେ?
ନଡିଆ ଭାଙ୍ଗିବା, ମିଳିମିଶି ଖାଇବା
ପୁଣି ଫେରିଯିବା ଘରଭଂଗା ତାଲିକାକୁ
ଫୋନିରେ ଧସିଥିବା, କେବିନ୍ ଘରକୁ ସିଧା କରିବାକୁ
ଫେରିଯିବା, ବୁଢା ବାପର ବିଛଣା ପାଖକୁ
ଅନ୍ଧାର ଘରେ ଗରମରେ ସିଝୁଥିବା
ଶୋଷିଲା ଦେହକୁ, ଆଁ କରିଥିବା ମାଟିକୁ, ଚଷିବାକୁ।
ଖେଳ ସରିଲାଣି ହୋ ସଭାଜନେ
ଏବେ କମର ଭିଡ଼ ଦେଶ ଗଢିବାକୁ
ଉଜୁଡି ଯାଇଥିବା ସମ୍ପର୍କ, ଭାଇଚାରା
ଯାହା ମାଟିରେ ମିଶାଇଥିଲ, ଖେଳରେ
ଧୋଇଧାଇ ସଫା କରିବାକୁ, ଆଉ ସଜାଡ଼ି ଦେବାକୁ ।
ଆଉ କିତ୍କିତ୍ ରାହା ଦିଅନା
ସମ୍ଭାଳିରଖ, ନିଶ୍ଵାସ, ବିଶ୍ଵାସ
ପାଞ୍ଚବର୍ଷ, ପୁଣିଥରେ ଧରିବାକୁ, ଛାଡିବାକୁ
କଣ ବୁଣିଲ, କଣ କାଟିଲ, ହିସାବ ନେବାକୁ ।