Latest Odisha News

BREAKING NEWS

ଆପଣଙ୍କ ଆଖପାଖରେ ଅଛନ୍ତି କି ସ୍କିଜୋଫ୍ରେନିଆ ରୋଗୀ; ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ପ୍ରତିକାର

ଭୁବନେଶ୍ୱର: ସ୍କିଜୋଫ୍ରେନିଆ ଏକ ଗୁରୁତ୍ଵର ମାନସିକ ରୋଗ । ଏହି ରୋଗରେ ମାନସିକ ସାମର୍ଥ୍ୟ ବ୍ୟାହତ ହୋଇପଡ଼େ । ଫଳରେ ରୋଗୀ ଚିନ୍ତାଭାବନା ଅନୁଭବ ଓ କାର୍ଯ୍ୟକଳାପରେ ପ୍ରକାଶ ପାଏ ଅସ୍ଵାଭାବିକତା ।ଏଭଳି ରୋଗୀମାନେ କେଉଁଟା ବାସ୍ତବ ଓ କେଉଁଟା କାଳ୍ପନିକ, ଏହାର ବାଛବିଚାର କରିପାରନ୍ତି ନାହିଁ।

ସ୍କିଜୋଫ୍ରେନିଆ ଶବ୍ଦଟି ଦୁଇଟି ଗ୍ରୀକ୍ ଶବ୍ଦରୁ ଉଦ୍ଧୃତ । ଶବ୍ଦଟି ଦୁଇଟି ହେଉଛି ‘ସ୍କିଜୋ’ ଏବଂ ଫ୍ରେନ୍’ । ‘ସ୍କିଜୋ ର ଅର୍ଥ ବିଭାଜନ ଏବଂ ଫ୍ରେନ୍ ର ଅର୍ଥ ମନା । ତେଣୁ ସ୍କିଜୋଫ୍ରେନିଆ ରୋଗରେ ମନ ବିଭାଜିତ ହେବା ସହ କାର୍ଯ୍ୟ ଅସନ୍ତୁଳିତ ହୋଇପଡେ ।

ଏଭଳି ରୋଗର କାରଣ:

ଏହି ରୋଗଟି କାହିଁକି ହୁଏ ତାହା ଏପର୍ଯ୍ୟନ୍ତ ସଠିକ ଭାବରେ ଜଣାନାହିଁ । ତେବେ ଏହି ରୋଗ ହେବାରେ କିଛି ବଂଶଗତ ପ୍ରଭାବ ରହିଥାଏ ବୋଲି କୁହାଯାଏ। ଯେଉଁ ପରିବାରରେ କେହି ନା କେହି ନିକଟ ସମ୍ପର୍କୀୟ ସ୍କିଜୋଫ୍ରେନିଆରେ ଆକ୍ରାନ୍ତ ହୋଇଥିବେ, ସେହି ପରିବାରର ଅନ୍ୟ କେହି ଏଥିରେ ଆକ୍ରାନ୍ତ ହେବାର ଆଶଙ୍କା ବେଶି ରହିଥାଏ । ଅସ୍ଵାଭାବିକ ମାନସିକ ଚିନ୍ତା, ପାରିବାରିକ ତଥା ମାନସିକ ଚାପ ଏହି ରୋଗ ସୃଷ୍ଟିକୁ ପ୍ରତ୍ସାହନ ଦେଇପାରେ ।

ସାଧାରଣ ଭାବରେ ଦେଖିଲେ ଯେଉଁମାନେ ଶାନ୍ତ, ଧୀର ,ଧର୍ମୀୟ ଭାବନା ସମ୍ପନ୍ନ, ସମାଜର ରୀତିନୀତି ମାନି ଚଳିବାରେ ଅଭ୍ୟସ୍ତ ସେମାନେ ସ୍କିଜୋଫ୍ରେନିଆ ପ୍ରତି ଅଧିକ ସମ୍ବେଦନାଶୀଳ।

ଆପଣ ଜାଣନ୍ତି ମଣିଷ ମସ୍ତିଷ୍କରୁ ଏକ ରାସାୟନିକ ଉପାଦାନ କ୍ଷରିତ ହୋଇଥାଏ। ଏହାକୁ ନ୍ୟୁରୋଟ୍ରାନ୍ସମିଟର ବା ସ୍ନାୟୁସଞ୍ଚାରକ ବୋଲି କହନ୍ତି । ଏଗୁଡିକ ସାହାଯ୍ୟରେ ମସ୍ତିଷ୍କର ସ୍ନାୟୁକୋଷଗୁଡିକ ନିଜ ନିଜ କାର୍ଯ୍ୟ ସମ୍ପାଦନ କରିଥାନ୍ତି ।

କିନ୍ତୁ ସ୍କିଜୋଫ୍ରେନିଆ ରୋଗୀଙ୍କ କ୍ଷେତ୍ରରେ ମସ୍ତିଷ୍କର କ୍ଷରିତ ସ୍ନାୟୁସଞ୍ଚାରକ ଉପାଦାନର ମାତ୍ରାରେ ତାଳମେଳ ରହି ନ ଥାଏ । ତେଣୁ ରୋଗୀଠାରେ ବିଭିନ୍ନ ଅସ୍ଵାଭାବିକ ତଥା ଅସନ୍ତୁଳିତ ପ୍ରତିକ୍ରିୟା ପ୍ରକାଶ ପାଇଥାଏ ।

ଏହି ରୋଗର ଲକ୍ଷଣ:

ଏହି ରୋଗର ଲକ୍ଷଣ ସାଧାରଣତଃ ଖୁବ୍ ଧୀରେ ଧୀରେ ପ୍ରକାଶ ପାଉଥିବାରୁ ରୋଗକୁ ତାର ପ୍ରାଥମିକ ଅବସ୍ଥାରେ ଚିହ୍ନିବା ସହଜ ହୋଇ ନଥାଏ । ତେବେ କେଉଁକେଉଁ କ୍ଷେତ୍ରରେ ଲକ୍ଷଣ ବି ହଠାତ୍ ପ୍ରକାଶ ପାଇପାରେ । ସାଧାରଣ ଭାବରେ ଦେଖିଲେ ପ୍ରତି ଶହେ ଜଣ ବ୍ୟକ୍ତିଙ୍କ ମଧ୍ୟରେ ଅନ୍ତତଃ ଜଣେ ଏହି ରୋଗର ଶିକାର ହୁଅନ୍ତି ।

ପୁଣି କିଶୋର କିଶୋରୀ ଓ ଯୁବତୀ ଯୁବକମାନେ ବେଶି ସଂଖ୍ୟାରେ ଏହି ରୋଗ ଭାଗିଥାନ୍ତି । ସ୍କିଜୋଫ୍ରେନିଆ ରୋଗୀଟି ପାଇଁ ଦୁନିଆର ରୀତିନୀତି ସଂପୂର୍ଣ୍ଣ ଅଲଗା । ତାର ଦୁନିଆ ଏକ ଅଲଗା ଦୁନିଆ ଓ ସେ ସେହି ଦୁନିଆର ବାଦସାହ ପରି ଅନୁଭବ କରେ। ସେ ଜଣେ ରୋଗୀ ବୋଲି ତାର ଧାରଣା ନ ଥାଏ । ସେ ନିଜେ ଠିକ୍ ଭାବେ ଚିନ୍ତା କରିପାରେନି, ଅନୁଭବ କରିପାରେନି କି ସାଧାରଣ ଲୋକଙ୍କ ପରି ଆଚରଣ ଦେଖାଇପାରେନି । ଯାହା ବୁଝିଥିବା ସେଇଆ- ସ୍ଥାନ, କାଳ ପାତ୍ର ଏସବୁ ବିଚାର କରିବା ପାଇଁ ସେ ଥାଏ ସମ୍ପୁର୍ଣ୍ଣ ଅସମର୍ଥ ତାର ଉପଲବ୍ଧି ପରିବର୍ତ୍ତିତ ହୋଇଯାଏ । କଥୋପକଥନରେ ପ୍ରାସଙ୍ଗିକତା ରହେନି । ତା’ଠାରେ ଆବେଗ ଭାବପ୍ରବଣତା ଇଚ୍ଛାଶକ୍ତି , ଉତ୍ସାହ, ସାମାଜ୍ୟକତା, ଏକାଗ୍ରତା ଇତ୍ୟାଦି ଅସ୍ୱାଭାବିକ ହୋଇପଡ଼େ ।

ପ୍ରତିକାର ବ୍ୟବସ୍ଥା:

ରୋଗୀର ଅସ୍ଵାଭାବିକ ଲକ୍ଷଣ ଦେଖି ଅମାନିଆ, ଜାଣିସିଆଣା, କର୍ମକୋଢି ,ବୋକା ଆଦି ନିଜର ମତାମତ ଦେବା ଅପେକ୍ଷା ତୁରନ୍ତ ତାଙ୍କୁ ନେଇ ମାନସିକ ରୋଗ ବିଶେଷଜ୍ଞଙ୍କୁ ଦେଖାଇବା ଆବଶ୍ୟକ । ଯେତେ ଶୀଘ୍ର ତାର ଚିକିତ୍ସା ଆରମ୍ଭ କରାଯାଏ ସେତେ ଭଲ ଓ ରୋଗ ଉପଶମର ସମ୍ଭାବନା ସେତେ ଅଧିକ ଥାଏ ।

Leave A Reply

Your email address will not be published.