ଅଳସୁଆ, କ୍ଷୁଧାର୍ତ୍ତ ଓ ଯୋଜନା

ଗଲା ସପ୍ତାହର କଥା, ସକାଳୁ ଚା’ ପିଇବାବେଳେ ପାଖରେ ଆସି ଠିଆ ହେଲେ ଘରେ କାମ କରୁଥିବା ସୁକାନ୍ତି ନାନୀ। କ’ଣ ଜଳଖିଆରେ ତିଆରି ହେବ ବୋଲି ପଚାରି ଠିଆ ହୋଇ ରହିଲେ, କିଛି ସମୟ ପର୍ଯ୍ୟନ୍ତ ପାଖରେ। ମୁଁ କହିଲି, ଜଲଦି ଜଳଖିଆ ତିଆରି କରିଦିଅ, ସାରଙ୍କର ଟାଇମ୍ ହେଲାଣି ବାଥରୁମରୁ ଶୀଘ୍ର ଆସିଯିବେ। କିନ୍ତୁ କାହିଁକି କେଜାଣି ସେ ପୁଣି ସେମିତି ଠିଆ ହୋଇରହିଲେ । ତା’ପରେ ପୁଣିଥରେ ପଚାରିଲି କ’ଣ ହେଲା, ଏମିତି କାହିଁକି ଠିଆ ହେଲ। ଜଲଦି ଜଲଦି ଜଳଖିଆ ରେଡି କରିଦିଅ।

ଏଥର କିନ୍ତୁ ସେ ଚୁପ୍ ନରହି କହିଲେ ମା’ ଜାଣିଛ , ବାସନମଜାଳି ଯେଉଁ ସ୍ତ୍ରୀ ଲୋକଟି(ଲକ୍ଷ୍ମୀ) ସବୁଦିନେ ଆସେ କହିଯାଇଛି କାଲିଠୁ ଆଉ ଦୁଇଓଳି ନଆସି ଗୋଟିଏ ଓଳି ଆସିବ। ମୁଁ ପଚାରିଲି କାହିଁକି କ’ଣ ହେଲା ତା’ର? ଦେହପା ଭଲ ନାହିଁ କି ତା’ର? ଦୁଇଓଳି ଆସିବାକୁ କଷ୍ଟ ହେଉଛି ବୋଧେ। ହଉ ତା’ହେଲେ ସେ କାଲି ଆସୁ, କଥା ହେଲେ ଜଣାପଡ଼ିବ ତା’ର କ’ଣ ହୋଇଛି।

ପରଦିନ ଯେତେବେଳେ ସେ ଆସିଲା ମୁଁ ବ୍ୟସ୍ତ ହୋଇ ତାକୁ ପଚାରିଲି କ’ଣ ହୋଇଛି ତୋର। ଦେହ ଭଲନାହିଁ କି? ଦୁଇ ଓଳି ଆଉ ବାସନ ମାଜିବାକୁ ଆସିପାରିବୁ ନାହିଁ। ମୋର ବ୍ୟସ୍ତତା ଦେଖି ସେ ଟିକେ ହସି ହାଲକା ଭାବେ ଉତ୍ତର ଦେଲା- ନାହିଁ ମ ମା’। ଦେହ ଭଲ ଅଛି କିନ୍ତୁ ଆଉ ଏବେ ବେଶୀ କାମ କରିବି ନାହିଁ ବୋଲି ଭାବୁଛି। ମୁଁ କହିଲି, ତୋର ତ’ ହାତଗୋଡ଼ ଚଳୁଛି, ଆଉ ବୟସ ବି କମ୍ ଅଛି, କ’ଣ ଅସୁବିଧା ଯେ କାମ ଆଉ ଗୋଟିଏ ଓଳି କରିବୁ ନାହିଁ। ସେ ଉତ୍ତର ଦେଲା- ଅସୁବିଧା କିଛି ନାହିଁ ବରଂ ମୋର ସୁବିଧା ହୋଇଯାଇଛି। ମୁଁ କହିଲି କ’ଣ ତୋତେ କେଉଁଠି ଲଟେରୀ ମିଳିଯାଇଛି କି? ମୋ ପ୍ରଶ୍ନ ଶୁଣି ସେ ମୋତେ ଅତି ସରଳ ଭାଷାରେ ବୁଝାଇଲା। ମୁଁ ଖଟୁଛି ମୋର ପିଲାଙ୍କ ପାଇଁ ଆଉ ମୋ ପେଟ ପାଇଁ। କିନ୍ତୁ ଏବେ ଟଙ୍କିକିଆ ଚାଉଳ ପରେ ଆହାର ୫ଟଙ୍କିଆ ଖାଦ୍ୟ ପରେ ଏବେ ଟଙ୍କିକିଆ ଖାଦ୍ୟ ମିଳିଲାଣି। ଏତେ ସବୁ ଆରାମରେ ମିଳିଯାଉଛି। ୫ଟଙ୍କାରେ ମିଳୁଥିଲା ଏବେ ଟଙ୍କାକରେ ମିଳିବ। ତେଣୁ ମୁଁ ଦୁଇଓଳି ଆଉ ଖଟିବି ନାହିଁ। ଗୋଟିଏ ଓଳି ୩ଟା ଘର କାମ ଧରିବି, ବାସ୍ ସେତିକି। ମୁଁ କହିଲି ମାନେ ତୁମ ପରିବାରରେ ଏତେ ଲୋକ। କାମ ବନ୍ଦ କରିଦେଲେ ଚଳିବ କେମିତି। ଲକ୍ଷ୍ମୀର ଉତ୍ତର ଥିଲା ଟଙ୍କିକିଆ ମିଲ୍ ଅଛି ପରା। ଖାଇବା ପାଇଁ ପରିଶ୍ରମ କରିବା କଥା। ଆଉ ଖାଇବା ତ ମିଳିଯିବ କେଉଁଠି ଟଙ୍କାକରେ ତ କେଉଁଠି ୫ଟଙ୍କାରେ। ତା’ହେଲେ ମୁଁ ଆଉ ଏତେ କାମ କରିବି କାହିଁକି। ତମେ କ’ଣ ଏତିକି କଥା ଜାଣିପାରୁନ ଯେ ଟଙ୍କାକରେ ଖାଇବା ମିଳିଲେ ପରିଶ୍ରମ ଆଉ କ’ଣ ଦରକାର। ମୁଁ ତା’ର କଥା ଶୁଣି ଆବାକାବା ହୋଇ ଖାଲି ଅନେଇ ରହିଲି ତାକୁ। ତା’ପରେ ମୁଁ କହିଲି ହଉ, ତା’ହେଲେ ତୁ ଗୋଟିଏ ଓଳି କାମ କରିବୁ ଯଦି ସେମିତି ଗୋଟିଏ ଓଳିର ଟଙ୍କା ନେବୁ। ତୋର ଆର ଓଳିର ଟଙ୍କାଟା ଯିଏ କାମ କରିବ ସେ ନେବ। ସଙ୍ଗେସଙ୍ଗେ ଉତ୍ତର ଦେଲା ନା ନା ସେମିତି ହେବନି। ଦୁଇଓଳିର ଟଙ୍କା ଦେମ ମତେ, ମୁଁ କିନ୍ତୁ ଗୋଟିଏ ଓଳି କାମ କରିବାକୁ ଆସିବି। ନହେଲେ ମୁଁ କାମ ଛାଡ଼ିଦେବି । ତା’ର ଅଦ୍ଭୂତ ଯୁକ୍ତି ଶୁଣି ମୁଁ ଚୁପ୍ ହୋଇ ରହିଗଲି।

ତା’ପରେ ପଛପଟେ ଥିବା ଜଣେ ଭଦ୍ର ମହିଳାଙ୍କର ଫୋନ୍ ଆସିଲା। ସେହି ଭଦ୍ରମହିଳାଙ୍କ ଘରେ ବି ଲକ୍ଷ୍ମୀ ବାସନ ମାଜେ। ସେହି ଭଦ୍ରମହିଳାଙ୍କ ସ୍ୱର ଫୋନରେ ବ୍ୟସ୍ତବିବ୍ରତ ଜଣାପଡ଼ୁଥିଲା। ସେପଟୁ କହିଲେ ମ୍ୟାଡ଼ାମ ଆମ ଘରେ ଲକ୍ଷ୍ମୀ ଆଉ କ’ଣ ଗୋଟିଏ ଓଳି ଆସିବ ନାହିଁ ବୋଲି କହିଲା। ଆପଣଙ୍କ ଘରେ ବି ସେ ସେମିତି କିଛି କହିଛି କି? ମୁଁ କହିଲି ହଁ, ଆମଘରେ ମଧ୍ୟ ସେଇ ଏକା କଥା କହିଛି।

ଉପରୋକ୍ତ କଥାକୁ ଏଇଠି ଲେଖିବାର କାରଣ ଏୟା ଯେ, ପରିସ୍ଥିତି ଏବେ ଏମିତି ହେଲାଣିକି ଲୋକେ ଆଉ ପରିଶ୍ରମ କରିବାକୁ ଆଗ୍ରହ ଦେଖାଉନାହାନ୍ତି। ବଳ-ବୟସ ଥିଲେ ମଧ୍ୟ। ସରକାରଙ୍କ ବିଭିନ୍ନ ମାଗଣା ଯୋଜନାରେ ଲୋକମାନେ ଯେତିକି ଉପକୃତ ହେଉଛନ୍ତି ତା’ଠୁ ଅଧିକ ଯୁବାବସ୍ଥାର ବ୍ୟକ୍ତିମାନେ ଅଳସୁଆ ହେବାକୁ ବସିଲେଣି। ଟଙ୍କାକରେ ଚାଉଳ, ଦୁଇ ଟଙ୍କା ଓ ପାଂଚ ଟଙ୍କାରେ ଖାଦ୍ୟ ଯଦି ମିଳୁଛି, ତା’ହେଲେ ଲୋକମାନେ ପରିଶ୍ରମ କରିବେ ବା କାହିଁକି ବୋଲି ମନରେ ପ୍ରଶ୍ନ ଉଠୁଛି।

ଅବଶ୍ୟ ଏମିତି ଦେଖିବାକୁ ଗଲେ ବୃଦ୍ଧବୃଦ୍ଧାମାନଙ୍କ ପାଇଁ ଏସବୁ ଯୋଜନା ବହୁତ କାମରେ ଲାଗୁଛି। ଯେଉଁ ନିର୍ଦ୍ଦିଷ୍ଟ ବର୍ଗଙ୍କୁ ଦୃଷ୍ଟିରେ ରଖି ଯୋଜନା କରାଯାଇଛି ସେମାନଙ୍କ ପାଇଁ ଏହା ଫଳଦାୟୀ ହୋଇପାରୁଛି। କିନ୍ତୁ ଯେଉଁ ଯୁବଗୋଷ୍ଠୀ ଅବା ପରିଶ୍ରମ କରିବାକୁ ସକ୍ଷମ ଥିବା ବ୍ୟକ୍ତିମାନେ ଯଦି ଏସବୁ ଯୋଜନା ଉପରେ ନିର୍ଭରଶୀଳ ହୋଇ ରହିବେ ତା’ହେଲେ ସେମାନଙ୍କ ଭବିଷ୍ୟତ ଯେ ଅନ୍ଧକାରମୟ ତାହା ଏବେଠୁ ଆକଳନ କରିହେଉଛି। ଏସବୁ ଯୋଜନା ଉପରେ ଅଧିକ ନିର୍ଭରଶୀଳ ହୋଇ ସେମାନେ ନିଜକୁ ମାନସିକସ୍ତରରେ ଅର୍କମଣ୍ୟ କରିଦେଉଛନ୍ତି। ଯାହାର ଜ୍ୱଳନ୍ତ ଉଦାହରଣ ଆମେ ଆମର ଦୈନନ୍ଦିନ ଜୀବନରେ ବିଭିନ୍ନ ଚରିତ୍ରମାନଙ୍କୁ ଦେଖୁଛେ। ଆମ ରାଜ୍ୟରେ ଏମିତି ବହୁତଗୁଡିଏ ଶିଳ୍ପ ସଂସ୍ଥା ଅଛି ଯେଉଁଠାରେ ପ୍ରତ୍ୟେକଦିନ ଶ୍ରମିକ ଶ୍ରେଣୀର ଲୋକମାନଙ୍କର ଆବଶ୍ୟକତା ପଡ଼ିଥାଏ। କିନ୍ତୁ ଦୁଃଖର କଥା କରୋନା ମହାମାରୀ ଏତେ ଶିକ୍ଷା ଦେଇଗଲା ପରେ ମଧ୍ୟ ଏହି ଯୋଜନାଗୁଡ଼ିକ କିଛି ଲୋକଙ୍କୁ ଏଭଳି ପଙ୍ଗୁ କରିଦେଇଛି ଯେ ସେମାନେ ପରିଶ୍ରମ କରି ଅର୍ଥ ରୋଜଗାର କରିବା ପରିବର୍ତ୍ତେ ହାତପାଆନ୍ତାରେ ମିଳୁଥିବା ଅସ୍ଥାୟୀ ସୁବିଧା ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହୋଇଯାଇଛନ୍ତି। ଯେଉଁଥିପାଇଁ ବିଶେଷକରି ଯୁବବର୍ଗଙ୍କୁ ଗାଁ ଗହଳିର ଛକଗୁଡ଼ିରେ ସ୍ମାର୍ଟଫୋନ୍ ଗୋଟିଏ ଲେଖାଏ ଧରି କିମ୍ବା ତାସପାଲିରେ ସମୟ ବିତାଉଥିବାର ଦେଖିବାକୁ ମିଳୁଛି। ସେମାନଙ୍କର ଏଭଳି ମାନସିକତା ଯୋଗୁ ଶିଳ୍ପ ସଂସ୍ଥାଗୁଡ଼ିକରେ ମାନବ ସମ୍ବଳ(ଶ୍ରମିକ ଶ୍ରେଣୀର) ଅଭାବ ପରିଲକ୍ଷିତ ହେଲାଣି। ଆଉ ଶିଳ୍ପ ସଂସ୍ଥାଗୁଡ଼ିକ ମଧ୍ୟ ବହୁତ ଅସୁବିଧାର ସମ୍ମୁଖୀନ ହେଲେଣି।

ଯୋଜନା ହେଉ ମନା ନାହିଁ। ୫ଟଙ୍କିଆ କି ଟଙ୍କିକିଆ। କିନ୍ତୁ ସେହି ଯୋଜନା କେବଳ ସେହିମାନଙ୍କ ପାଇଁ ଉଦ୍ଦିଷ୍ଟ ରହୁ ଯେଉଁମାନେ ପ୍ରକୃତରେ ଏହାର ହକଦାର। ଭିନ୍ନକ୍ଷମ ମଣିଷଟିଏ ହେଉ କିମ୍ବା ବୟସ୍କା ବୃଦ୍ଧବୃଦ୍ଧା। ଅବା ଅସୁସ୍ଥ ମଣିଷଟିଏ। ଅବାପୁଣି ଶିଶୁ। ଏହି ଯୋଜନାରେ ସେମାନେ କିଭଳି ଅର୍ନ୍ତଭୁକ୍ତ ହେବେ ସେଥିପ୍ରତି ସରକାର ଯତ୍ନବାନ ହେବା ଆବଶ୍ୟକ। ଯୋଜନାର ଆଢ଼ୁଆଳରେ ଦାରିଦ୍ର‌୍ୟ ଓ ବେକାରୀକୁ ସରକାର ପ୍ରୋତ୍ସାହନ ଦେଉନାହାନ୍ତି ତ? ସରକାର ଏସବୁ ଦିଗ ପ୍ରତି ଗଭୀର ଭାବେ ଦୃଷ୍ଟି ଦେବାର ଆବଶ୍ୟକତା ବି ଅଛି। ସରକାର ଅବା ବେସରକାରୀ ଯୋଜନାସବୁ ଲୋକଙ୍କୁ ମାନସିକସ୍ତରରେ ପଙ୍ଗୁ କରିନଦେଉ କି ସେମାନଙ୍କ ମଧ୍ୟରେ ପରିଶ୍ରମ କରିବାର ସ୍ପୃହାକୁ କମାଇ ନଦେଉ।

ଆମ ରାଜ୍ୟର ଗ୍ରାମାଂଚଳଗୁଡ଼ିକରେ ଦାରିଦ୍ର‌୍ୟ ଉତ୍କଟ ସ୍ଥିତିରେ ଏବେବି ରହିଛି। ଗ୍ରାମାଂଚଳର ୯୦ ପ୍ରତିଶତ ପରିବାରର ମାସିକ ଆୟ ୫ହଜାର ଟଙ୍କାରୁ କମ୍। ତଥାପି ଲୋକ ଆମର ସଚେତନ ହେଉନାହାନ୍ତି, କି ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ହେଉଥିବା ରାଜନୀତିକ ସରକାର ଏସବୁ ପ୍ରତି ଦୃଷ୍ଟି ଦେବାକୁ ଆଗ୍ରହ ଦେଖାଉ ନାହାନ୍ତି। ୫ଟଙ୍କିଆ ଆହାର ବନାମ ଟଙ୍କିକିଆ ଖାଦ୍ୟ ଭଳି ଯୋଜନାକୁ ପ୍ରୋତ୍ସାହିତ କରିବା ହିଁ ଆଗାମୀ ଦିନରେ ଆଗାମୀ ପୀଢ଼ୀକୁ ଅକର୍ମଣ୍ୟ ଭାବେ ଗଢ଼ି ତୋଳିବାକୁ ମାର୍ଗ ପ୍ରଶସ୍ତ କରୁଛି। ଅତି ସହଜରେ ଖାଇବା ହାତପାଆନ୍ତାରେ ମିଳିଗଲେ ପରିଶ୍ରମ ପ୍ରତି ଲୋକଙ୍କ ଆଗ୍ରହ କମିଯିବ। ଆଉ ନିଜର ହାତଖର୍ଚ୍ଚ ତୁଲାଇବା ପାଇଁ ଏଭଳି ଯୁବଗୋଷ୍ଠୀ ହିଁ ଭବିଷ୍ୟତରେ ବେକାରୀ ଭତ୍ତା ପାଇଁ ଦାବି କରି ବସିବ। ଆଉ ଭୋଟ ରାଜନୀତିରେ ବ୍ୟସ୍ତ ସରକାର ଏଭଳି ଦାବିକୁ ଚାହିଁଲେ ବି ଅଣଦେଖା କରିପାରିବେ ନାହିଁ । ତେଣୁ ଏବେବି ସମୟ ଅଛି, ସରକାର କରିଥିବା ଯୋଜନାଗୁଡ଼ିକର ବିଶ୍ଲେଷଣ କରନ୍ତୁ। ଭୋକିଲାକୁ ଆହାର ଦିଆଯାଉ କିନ୍ତୁ ଅଳସୁଆକୁ ନୁହେଁ। ଯୋଜନାର ସଫଳ ରୂପାୟନ ହେଉ, ଯିଏ ପ୍ରକୃତରେ ତା’ର ହକଦାର। ହାତପାଆନ୍ତାରେ ବିନା ପରିଶ୍ରମରେ ଖାଦ୍ୟ ଓ ଅନ୍ୟାନ୍ୟ ସୁବିଧା ପହଚାଂଇବା ପାଇଁ ସରକାରୀ କଳର ଭେଳିକି ଆମର ଭବିଷ୍ୟତ ପୀଢ଼ୀକୁ ଅର୍କମଣ୍ୟ କରିଦେବ, ଆଉ ସମାଜ କେବେବି ଆମକୁ କ୍ଷମା ଦେବ ନାହିଁ।