Latest Odisha News

BREAKING NEWS

ସ୍ୱଳ୍ପ ଗଳ୍ପ : ନୁବା, ଏକ ବିଦାୟ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୬୩

 

ନୁବା ହେଉଛନ୍ତି ଖରାର ଦେବୀ।

ତାହାହେଲେ ଏଇଠି ଖରା ଯେତେବେଳେ ଚାରିଆଡ ପ୍ରଚଣ୍ଡ ତାପର ପ୍ରହରଣଧାରିଣୀ(?) ସେତେବେଳେ ଗୋଟିଏ ଦେବୀ ରୂପରେ ଖରାକୁ ଦେଖିଲେ ଆମକୁ ସତରେ ଆଗ କେମିତି ଲାଗିବ ? ଦେବୀର ସହଜାତ ମାତୃସୁଲଭ କୌଣସି ମମତାମୟ କୋମଳ ସ୍ପର୍ଶର ଅକିଞ୍ଚନକର ଅଭିଳାଷ ନା ହେ ଦେବୀ ବିଦାୟ ବୋଲି ନତଜାନୁ ହୋଇ ଅସହାୟତାର ପ୍ରାର୍ଥନା ?

ଦେବୀର ଅର୍ଥ ସେ ଶକ୍ତିସ୍ନାତା । ତାହାକୁ ପରାସ୍ତ କରିବାର ସାଧ୍ୟ ଆମର ନାହିଁ । ତେଣୁ ପ୍ରବଳ ଖରାରେ ତୃଷାର୍ତ୍ତ ଯାତନାକୁ ଭୋଗୁଥିବା ବେଳେ ସେଥିରୁ ପରିତ୍ରାଣ ପାଇଁ ଆମେ କେବଳ ଅନୁନୟ ବିନୟ କରିପାରୁ ଯେ ହେ ଖରା,ତମେ ଯଦି ଦେବୀ ,ତାହାହେଲେ ତମେ ଦୟାପରବଶ ହୋଇ ଅପସରି ଯାଅ ।

ଖରା କ’ଣ ସତରେ ଜଣେ ଦେବୀ ?

ପ୍ରଖର ତପନ ତାପରେ ଯେଉଁ ପୁରୁଷାଳୀ ସୂର୍ଯ୍ୟ ଆମ ସାମ୍ନାରେ ତାହାର ଅମିତବିକ୍ରମକୁ ପ୍ରତିସ୍ଥାପନ କରି ସମଗ୍ର ପୃଥିବୀରେ ହାହାକାର ସୃଷ୍ଟି କରିବାକୁ ସମର୍ଥ ତାହାକୁ ଆମେ କ’ଣ ଗୋଟିଏ ଦେବୀ ରୂପରେ ସତରେ ଦେଖିପାରିବା ? ଆମର ପୁରୁଷତାନ୍ତ୍ରିକ ଦୃଷ୍ଟି କ’ଣ ସତରେ ସେହି ଭଳି ଗୋଟିଏ ପରାକ୍ରମୀ ଦେବୀକୁ ଦେଖିପାରିବା ପାଇଁ ସମର୍ଥ ?

ଶକ୍ତି ଆଉ ସାମର୍ଥ୍ୟକୁ ନେଇ ଲୈଙ୍ଗିକ ଆଧିପତ୍ୟର କଥା, ଏକ ଭିନ୍ନ ପ୍ରସଙ୍ଗ।

ଏହା ଆଦ୍ୟକାଳର କଥା। ପୁରାଣର କଥା। ଖ୍ରୀଷ୍ଟପୂର୍ବ ୫୦୦ରେ ରଚିତ ଏକ ପୋଥି ଯାହାର ନାଆଁ “ଶିଜିଙ୍ଗ୍ ” ରେ ତାଙ୍କର ପ୍ରଥମ ଉଲ୍ଲେଖ ମିଳିଥାଏ । ପରେ ୩୮୬ ଖ୍ରୀଷ୍ଟାବ୍ଦରେ “ଶ୍ୟାନହାଇଜିଙ୍ଗ୍” ବୋଲି ଆଉ ଗୋଟିଏ ପୋଥିର ସତରତମ ଅଧ୍ୟାୟରେ ଖରା ଦେବୀଙ୍କର ଉତ୍ପତ୍ତି ଆଉ ବର୍ଣ୍ଣନାର କଥା ବିଶେଷ ଭାବରେ ରହିଅଛି । ସେଥିରେ ଥିବା ବର୍ଣ୍ଣନା ଅନୁସାରେ ଖରା ଦେବୀ ହେଉଛନ୍ତି ବାମନଆକୃତି ବିଶିଷ୍ଟ ,ଉଚ୍ଚତାରେ ସାଢେ ତିନିଫୁଟ୍ ,ଦେଖିବାକୁ ମଣିଷ ଭଳି,ଲଣ୍ଡିତ ମସ୍ତକ,ସବୁବେଳେ ତାଙ୍କର ପୋଷାକର ରଙ୍ଗ ସବୁଜ । ତାଙ୍କର ମଣିଷ ଭଳି ଦୁଇଟି ପାଦ ରହିଛି ମାତ୍ର ସେ ଏହାର କଦାପି ଉପଯୋଗ କରନ୍ତି ନାହିଁ । ସବୁବେଳେ ଉଡି ଉଡି ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଯାଉଥାନ୍ତି ସେ।

ପୁରାଣ ଅନୁସାରେ ଖରାର ଏହି ଦେବୀଙ୍କର ଦୁଇଟି ନାଆଁ ,ନୁବା ଆଉ ହାନବା। ନୁ ର ଅର୍ଥ ସ୍ଥାନୀୟ ଭାଷାରେ ହେଉଛି ଖରା ଆଉ ବା ର ଅର୍ଥ ହେଉଛି ଦେବୀ। ସେ ଯେଉଁଠିକୁ ଯାଆନ୍ତି କହିବା କଥା ହେଉଛି ସେଇଠି ଖରା ଆରମ୍ଭ ହୋଇଯାଏ ।

ନୁବା ବା ଖରାଦେବୀଙ୍କୁ ହାନବା ବୋଲି ଏଇଥିପାଇଁ କୁହାଯାଏ ଯେ ସେ ବିଶେଷରେ ପ୍ରାଚୀନ ଚାଇନାର ଉପକଥାର ଜଣେ ଦେବୀ ଚୀନା ଭାଷାରେ ପ୍ରାଚୀନ ଚାଇନାକୁ ହାନ୍ କୁହାଯାଏ ଆଉ ବା ର ଅର୍ଥ ଚୀନା ଭାଷାରେ ଦେବୀ ବୋଲି ଆଗରୁ କୁହାଯାଇଛି ।

ଗୋଟିଏ ବିଶେଷ ଯୁଦ୍ଧର ପ୍ରୟୋଜନର କାରଣରୁ ନୁବା ଆକାଶରୁ ପୃଥିବୀକୁ ଓହ୍ଲାଇ ଆସିଥିଲେ ଆଉ ସେହି ଯୁଦ୍ଧର ଶେଷ ହେବା ପରେ ବି ସେ ପୃଥିବୀକୁ ଛାଡି ଆଉ କୁଆଡେ ଯାଇ ନାହାଁନ୍ତି ।

ଆମର ଯେମିତି ଇନ୍ଦ୍ର ଠିକ୍ ସେମିତି ଚାଇନା ଉପକଥାର ଦେବରାଜ ହେଉଛନ୍ତି ହୁୟାଂ ଦୀ। ଆଉ ଏହି ପରାକ୍ରମଶାଳୀ ଦେବତାଙ୍କର କନ୍ୟା ହେଉଛନ୍ତି ଖରାର ଦେବୀ ନୁବା । ଥରେ
ହୁୟାଂ ଦୀ ଙ୍କୁ କ୍ଷମତା ପାଇଁ ଗୋଟିଏ ଯୁଦ୍ଧ ଲଢିବାକୁ ହୋଇଥିଲା ଚାଇନା ଉପକଥାର ଆଉ ଜଣେ ଶକ୍ତିଶାଳୀ ଦେବତା ଛିୟୁ ଙ୍କ ସହ। ଏହି ଯୁଦ୍ଧର ଯୁଦ୍ଧକ୍ଷେତ୍ର ଟି ଥିଲା ପୃଥିବୀ। ହୁୟାଂ ଦୀ ଙ୍କ ସହିତ ସେହି ନିର୍ଣ୍ଣାୟକ ଯୁଦ୍ଧରେ ଛିୟୁଙ୍କୁ ସହାୟତା ଯୋଗାଇଥିଲେ ବୃଷ୍ଟିର ଦେବତା ୟୁ ସି ଆଉ ଝଡର ଦେବତା ଫେଙ୍ଗ୍ ବୋ । ହୁୟାଂ ଦୀ ତେଣୁ ଯୁଦ୍ଧକୁ ଜିତିବା ପାଇଁ ଅବଶେଷରେ ନିଜର କନ୍ୟା ନୁବା ଙ୍କୁ ପୃଥିବୀକୁ ଆସିବାକୁ କହିଥିଲେ। ନୁବା ଆସିବା ପରେ ଯୁଦ୍ଧର ଫଳାଫଳ ବଦଳି ଯାଇଥିଲା। ଛିୟୁଙ୍କୁ ପରାସ୍ତ କରି ହୁୟାଂ ଦୀ ନିଜର ସାର୍ବଭୌମତ୍ୱ କୁ ତ୍ରିଜଗତ ଅର୍ଥାତ୍ ଜଳ,ସ୍ଥଳ ଆଉ ଆକାଶରେ ପ୍ରତିଷ୍ଠିତ କରିପାରିଥିଲେ।

ସେହି ଗୁରୁତ୍ୱପୂର୍ଣ୍ଣ ଯୁଦ୍ଧ ପରେ ଖରାର ଦେବୀ ନୁବା ଆଉ ଆକାଶକୁ ଫେରିଯିବାକୁ ମନ ବଳାଇଲେ ନାହିଁ । ସେ ଏଇଠି ଏଇ ପୃଥିବୀରେ ରହିଗଲେ । ଆଗରୁ କୁହା ହୋଇଛି ନୁବା ଯେଉଁଆଡେ ଯାଆନ୍ତି ଖରା ସିଆଡେ ବ୍ୟାପିଯାଏ । ତାହାଫଳରେ ଖରାକୁ ନେଇ ସହଯାତ୍ରା କରୁଥିବା ଏଇ ଦେବୀ ନୁବାଙ୍କୁ ନେଇ ପୃଥିବୀରେ ବେଶ୍ କିଛି ଅସୁବିଧା ଦେଖାଯାଇଥିଲା। ପୃଥିବୀରେ ଏକ ପ୍ରକାର ସ୍ଥାୟୀ ଭାବରେ ବସବାସ କରୁଥିବା କୃଷିର ଦେବତା ଶୁଜୁଙ୍ଗ୍ ଏଥିରେ ବେଶ୍ ପ୍ରଭାବିତ ହୋଇଥିଲେ। ସେ ତେଣୁ ଦେବରାଜ ହୁୟାଂ ଦୀ ଙ୍କୁ ପ୍ରାର୍ଥନା କଲେ, ଯେମିତି ନୁବାଙ୍କୁ ସେ ଆକାଶକୁ ଏଥର ଫେରାଇ ନିଅନ୍ତି । ହୁୟାଂ ଦୀ ବସ୍ତୁସ୍ଥିତିକୁ ଅନୁଧ୍ୟାନ କରିବା ପରେ କନ୍ୟା ନୁବାକୁ ଲାଲ୍ ନଦୀର ଆରପଟରେ ବସବାସ କରିବା ପାଇଁ କହିଥିଲେ। ପିତାଙ୍କର ଏଇ କଥାକୁ ଅମାନ୍ୟ କରି ନପାରି ନୁବା ଏହାପରେ ଯାଇ ଲାଲ ନଦୀର ଆରପଟେ ବସବାସ କରିବାକୁ ଲାଗିଲେ ମଧ୍ୟ ମଝିରେ ମଝିରେ ଲାଲ୍ ନଦୀର ଏପଟକୁ ଚାଲି ଆସୁଥିଲେ । କହିବା ବାହୁଲ୍ୟ ଯେ ଚାଇନା ଉପକଥା ଅନୁସାରେ ଲାଲ୍ ନଦୀର ଏପଟରେ ରହି ଥିଲା ମଣିଷ ମାନଙ୍କର ବସତି । ସେଇଥିପାଇଁ ତ କୃଷି କର୍ମ ପାଇଁ ବର୍ଷାର ଆବଶ୍ୟକତା ପଡିଲେ ଲୋକେ ନଦୀର ଭିତର ପ୍ରବେଶ କରି ସମବେତ ପ୍ରାର୍ଥନା କରିଥାନ୍ତି, ହେ ଦେବୀ,ହେ କରୁଣାବତୀ ନୁବା ,ତମେ ଏଥର ଫେରିଯାଅ ଉତ୍ତରକୁ,ନଦୀ ଆରପଟର ତମର ସ୍ୱସ୍ଥାନକୁ ।

ଚାଇନା ର ଉପକଥାରେ ଖରାର ଦେବୀଙ୍କୁ ସମ୍ମାନଜନକ ଭାବରେ ଏଇଠୁ ଘଉଡିଦେବା ପାଇଁ ଅନେକ ଉପଚାର ର ବିଧାନ କଥା ରହିଛି। ସେମାନେ ଖରାର ଦେବୀ ନୁବାଙ୍କର ପ୍ରତୀକ ହିସାବରେ ସଦ୍ୟ କବରପ୍ରାପ୍ତ ମଣିଷର ଶବକୁ ବିବେଚନା କରିଥାନ୍ତି। ଯଦି ବେଶି ଖରା ହୁଏ ଆଉ ବର୍ଷାର କୌଣସି ସମ୍ଭାବନା ଦେଖାନଯାଏ ତାହାହେଲେ ସେମାନେ କୌଣସି ସଦ୍ୟ କବରକୁ ଖୋଳି ତାହାଭିତରୁ ମଣିଷର ଶବକୁ ବାହାର କରିଥାନ୍ତି । ତାହାପରେ ଜଣକ ପରେ ଜଣେ ହାତରେ ଗୋଟିଏ ଚାବୁକ ଧରି ସେହି ଶବ ଉପରେ ଆଘାତ କରୁଥାନ୍ତି । ଗୋଟିଏ ପ୍ରହର ଧରି ଏହିଭଳି ଗୋଟିଏ ଶବ ଉପରେ ସାମୁହିକ ବେତ୍ରାଘାତର ଅନୁଷ୍ଠାନଟିକୁ ସଂପନ୍ନ କରିପାରିଲେ ଖରାର ଦେବୀ ସେଇ ସ୍ଥାନକୁ ଛାଡି ଅନ୍ୟତ୍ର ଯିବା ନିଶ୍ଚିତ ବୋଲି ସେମାନେ ମନେ କରିଥାନ୍ତି।

ଖରା ର ଦେବୀଙ୍କୁ ତଡିବା ପାଇଁ ଚାଇନାରେ ଯେଉଁ ଉପଚାରଟି ସବୁଠାରୁ ଅଧିକ ଜନପ୍ରିୟ ତାହା ହେଉଛି,ଗୋଟିଏ ଅଳ୍ପ ବୟସର ଝିଅକୁ ଖରାର ଦେବୀ ନୁବାଙ୍କ ବେଶରେ ସଜ୍ଜିତ କରାଯାଇଥାଏ । ଦେବୀ ବେଶରେ ସଜ୍ଜିତ ହେବାର ଅର୍ଥ ହେଉଛି ତାହାର ଦେହରେ ରହିଥାଏ ସବୁଜରଂଗର ପୋଷାକ ଆଉ ଲଣ୍ଡିତ ମସ୍ତକରେ ଥାଏ ଗୋଟିଏ ମୁକୁଟ। ଝିଅଟି ଦେବୀ ବେଶରେ ଦୌଡୁଥାଏ ଆଉ ଯୋଦ୍ଧାବେଶରେ ବୟସ୍କ ସୈନିକ ମାନେ ଅସ୍ତ୍ରଶସ୍ତ୍ର ସହିତ ତାହାର ଅନୁଧାବନ କରି ଚାଲୁଥାନ୍ତି । ବୀରବାଜା ମାନ ଚାରିଆଡକୁ ପ୍ରକମ୍ପିତ କରି ବାଜୁଥାଏ ସେତେବେଳେ ।

ଅଧିକ କିଛି କହିବାର ନାହିଁ । ଖରାର ଦେବୀ ବା ନୁବାର ଦୌରାତ୍ମ୍ୟ ସହ ଆମେ ବେଶ୍ ପରିଚିତ । କିନ୍ତୁ ବୟସ୍କ ମାନଙ୍କର ପୃଥିବୀରେ ନୁବା ବେଶରେ ଏମିତି ଝିଅଟିଏକୁ ଆମ ଗହଳିରୁ ତଡିଦେବାର ଭବ୍ୟ ଆୟୋଜନ ଆଉ ଉଲ୍ଲାସ ଦେଖିବାକୁ ଅଧିକ କରୁଣ,ଅଧିକ କଷ୍ଟକର ।

Leave A Reply

Your email address will not be published.