Latest Odisha News

ନିଜକୁ ନିଜେ ଖୋଜିବାର ପ୍ରୟାସରେ ମୁଁ ସାହିତ୍ୟ ପ୍ରତି ଆକୃଷ୍ଟ ହେଲି : ଦେବାଶିଷ ଆଚାର୍ଯ୍ୟ

ଓଡ଼ିଆ ସାହିତ୍ୟ ଜଗତରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ସଂରକ୍ଷିତ କରିସାରିଥିବା ଦେବାଶିଷ ଆଚାର୍ଯ୍ୟ ଜଣେ ଅନନ୍ୟ ପ୍ରତିଭା । ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ବାଲ୍ୟକାଳରୁ ସେ ସାହିତ୍ୟ ପ୍ରତି ସମର୍ପିତ।

ଓଡ଼ିଆ ସାହିତ୍ୟର ନବ ପ୍ରତିଭା ଦେବାଶିଷ ଆଚାର୍ଯ୍ୟଙ୍କ ସହ ‘ସ୍ଵଳ୍ପ ଆଳାପ’

ମୁଁ କାହିଁକି ଲେଖେ ?

ନିଜକୁ ଚିହ୍ନିବା, ଅନ୍ୟକୁ ଚିହ୍ନାଇବା, ଚରିତ୍ର ଚିତ୍ରଣ କରିବା, ସର୍ବୋପରି ଅନ୍ୟଠାରେ ନିଜକୁ ଖୋଜିବାର ପ୍ରୟାସରେ ମୋ କଲମ ଜୀବିତ। ବିବର୍ତ୍ତନର ଦୁନିଆରେ ଟିକେ ପଛକୁ ଫେରିଯାଇ ଅନୁସରଣ ନକରି ଅନୁସନ୍ଧିତ୍ସୁ ହେବା ପାଇଁ ମୋର କଲମ ସଂକଳ୍ପବଦ୍ଧ ।

ସାହିତ୍ୟ ସର୍ଜନା ପାଇଁ କାହିଁକି ଆଗ୍ରହୀ ହେଲେ?

ମୋ ନନା ନିରୋଳା ସମୟରେ କିଛି କବିତା, ଆଲେଖ୍ୟ ଲେଖି ରଖନ୍ତି ତାଙ୍କ ଡାଏରୀରେ, ଯାହା ପଢ଼ିବା ଦ୍ଵାରା ମୋ’ ମନରେ ପାରିପାର୍ଶ୍ବିକ ପରିସ୍ଥିତି ଉପରେ କିଛି ଅଧିକ ଜାଣିବାକୁ ଉତ୍ସୁକତା ଭରିଦେଲା ଏବଂ ସେଠାରୁ ହିଁ ଜାଗ୍ରତ ହୋଇଉଠେ ମୋ କଲମ। ମୋର ଚତୁଃପାର୍ଶ୍ୱରେ ଘଟୁଥିବା ଘଟଣାବଳୀ ଭିତରେ ଭିଡ଼ରେ ହଜି ଯାଉଥିବା ସେହି ଚରିତ୍ର ବାଧ୍ୟ କରିଛି ବାରମ୍ବାର କିଛି ଲେଖି ଦେବାକୁ । ପ୍ରକୃତି, ଚରିତ୍ର, ଘଟଣାବଳୀ ଓ ବିଦ୍ରୋହ ପ୍ରଜ୍ଜ୍ଵଳିତ କରିଛି ସାହିତ୍ୟ ସୃଜନର ବହ୍ନି। ଏଥି ପାଇଁ ଆଉ ଏକ ଉପାଦାନ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପଢୁଥିବା ସମୟରେ ହେଇଥିବା ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତା.. ଯାହାକୁ ଆଦୌ ଏଡ଼ାଇ ଦିଆଯାଇ ନପାରେ।

ପ୍ରଥମ ପ୍ରକାଶିତ ଲେଖାଟି କଣ ଥିଲା ଓ ତାହା କିପରି ଆପଣଙ୍କୁ ପ୍ରେରିତ କରିଥିଲା?

ଅନେକ ଗଳ୍ପ କବିତା ଭିନ୍ନ ଭିନ୍ନ ଆନ୍ଥୋଲୋଜି (ସଂକଳନ) ଓ ଇ ପତ୍ରିକାରେ ପ୍ରକାଶିତ ହୋଇଥିଲେ ମଧ୍ୟ ତନ୍ମଧ୍ୟରୁ ଗାନ୍ଧିଜୟନ୍ତୀରେ ପ୍ରକାଶିତ ଏକ କବିତା ଏବଂ ଧରିତ୍ରୀରେ ବନ୍ଧୁତ୍ୱ ଦିବସରେ ପ୍ରକାଶିତ ଏକ କବିତା, ଯାହାକି ମୋତେ ଆଉ କିଛି ଅଧିକ ଲେଖିବା ପାଇଁ ପ୍ରେରଣା ଯୋଗାଇଛି, ତତସହିତ ମୋତେ ନିଜକୁ ସାହିତ୍ୟ ସମାଜରେ ମୋର ସ୍ଥାନ କେଉଁଠି ଜଣାଇବାରେ ସାହାଯ୍ୟ ମଧ୍ୟ କରିଛି ଓ ନିଜର ସୃଷ୍ଟିକୁ ସୁଧାରିବାର ମାଧ୍ୟମ ମଧ୍ୟ ହୋଇପାରିଛି।

ଗଳ୍ପ / କବିତା ମାଧ୍ୟମରେ ଆପଣଙ୍କର କେଉଁ ବାର୍ତ୍ତା ରହିଥାଏ ?

ସମସ୍ତଙ୍କ ଗଳ୍ପ/କବିତା କାଳଜୟୀ ହୋଇ ନପାରେ, କିନ୍ତୁ ସମସ୍ତେ ଏ ଦିଗରେ ଚେଷ୍ଟିତ ହେବା ବାଞ୍ଛନୀୟ। ଚାଲୁ ଲେଖାରୁ ବିରତ ରହି, ମାର୍ଜିତ ତଥା ନିର୍ଭୁଲ ସୃଷ୍ଟି ଉପରେ ଦୃଷ୍ଟି ଦେବା ଆବଶ୍ୟକ। ସାହିତ୍ୟ ତୋଷାମଦିଆ ରହିତ ହୋଇ ଏକ ଦାୟିତ୍ୱବାନ, ସୁସ୍ଥ ସମାଜ ଗଠନରେ ମୁଖ୍ୟ ଉପାଦାନ ହେବା ନିତାନ୍ତ ଆବଶ୍ୟକ। ପରିଶେଷରେ ଗୋଟିଏ କଥା ଲେଖକକୁ ସମାଜରେ ଘଟୁଥିବା ନିୟମିତ ଘଟଣା ହନ୍ତ ସନ୍ତ କରୁ ଯାହା ଫଳରେ ସେ ମଣିଷ ଜୀବନର ବାସ୍ତବଚିତ୍ରଟିକୁ ଶବ୍ଦରେ ରୂପ ଦେଉ ଆଉ ପାଠକଟିଏ ତାକୁ ପଢି ଅନୁଭବ କରୁ ଆରେ ଇଏତ ମୋ କଥା ସବୁ କହିଛି, ଆଉ ସେ ସେଇ ଲେଖାଭିତରେ ନିଜକୁ ପାଇ ଆତ୍ମବିଭୋର ହେଉ।

ତାଙ୍କ ରଚନାରୁ କବିତାମୋ ମାତୃଭୂମି

ହୃଦୟ ଯାହାର ସରଗଠୁ ବଡ଼
ମମତା ପୁରନ୍ତା ନଈ
ଆନକୁ ନିଜର ନ ଭାବେ ସେ ପର
ପ୍ରିୟ ମାତୃଭୂମି ସେହି (୧)

ନମସ୍କୃତ୍ୟ ମୋର ଓଡ଼ିଶା ଭୂଇଁ ସେ
ପ୍ରାଚୂର୍ଯ୍ୟ ପୂରିତ ପୁଣ୍ୟତୋୟା ଯେ
ଉତ୍କଳୀୟତାର ଉତ୍କର୍ଷତା ସେ ତ
ଦୃଶ୍ୟ ହୁଏ ନାହିଁ ହୁଏ ଅଙ୍ଗୀଭୂତ (୨)

ସ୍ୱର୍ଣ୍ଣ ଲିପିବଦ୍ଧ ଯା’ର ଇତିହାସ
ସମୃଦ୍ଧି ବିରତ୍ଵ ପ୍ରଗତିର ଦେଶ
ମହା ଚକ୍ରବର୍ତ୍ତୀ ଅଶୋକ ରୁଧିର
ଶାଣିତ ନୁହଁ ସେ ବୀରତ୍ୱର ଗାର (୩)

କବିର ଲେଖନୀ ଚିତ୍ରକର ତୂଳୀ
ସୌନ୍ଦର୍ଯ୍ୟ, ଚାପଲ୍ୟ ଆକର୍ଷଣ ଢାଳି
ପ୍ରସ୍ଫୁଟିତ ସ୍ରୋତେ ମନ ମୁଗ୍ଧ କରି
ଅପୂର୍ବ ଆଭାର ଉନ୍ମୋଚନ କରି (୪)

ବହୁ ପୁରାତନ ସୁଶୋଭ୍ୟ ସଂସ୍କୃତି
ଚକ୍ଷୁ ଉନ୍ମୋଚୟେ ଭରଇ ସେ ପ୍ରୀତି
ମାର୍ଜିତ ଜ୍ଞାନର ନିକଷା ପ୍ରାଚୀରେ
ପ୍ରତି ଉତ୍କଳୀୟ ରକ୍ତ ବିନ୍ଦୁରେ (୫)

ଅତ୍ୟାଧୁନିକତାର ଚୁମ୍ବକୀୟ ସ୍ପର୍ଶ
ଅଙ୍କୁରୋଦଗମ୍ ସେ ସମ୍ପୂର୍ଣ୍ଣ ଉତ୍କର୍ଷ
ଉତ୍କଳୀୟତାର ସ୍ରୋତ ସ୍ୱାଭିମାନ
ଅଭିବ୍ୟକ୍ତ ହୁଏ ଯଥାସାଧ୍ୟ ମାନ (୬)

ପ୍ରକୃତି ମଂଚର ରଙ୍ଗଶାଳା ସେ ଯେ
ଅବୀରେ ରଞ୍ଜିତ ଭରା ସବୁଜିମା
ଲୋଲୁପ ଦୃଷ୍ଟିର ମୁଖ୍ୟ ଆକର୍ଷଣ
ନମସ୍କୃତ୍ୟ ଦେବୀ ନୁହଁଇ ପ୍ରତିମା (୭)

Leave A Reply

Your email address will not be published.