Latest Odisha News

BREAKING NEWS

ପାରିପାର୍ଶ୍ବିକ ପରିସ୍ଥିତି ମୋ ହାତରେ କଲମ ଧରେଇଦେଲା : ମଞ୍ଜୁ ରାଣୀ ବେହେରା

ଓଡ଼ିଆ ସାହିତ୍ୟର ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ସାହିତ୍ୟ ସର୍ଜନା ଦିଗରେ ସେ ବାଲ୍ୟକାଳରୁ ସମର୍ପିତ ।

ଓଡ଼ିଆ ସାହିତ୍ୟ ଜଗତର ‘ନବ ପ୍ରତିଭା’ ମଞ୍ଜୁ ରାଣୀ ବେହେରାଙ୍କ ସହ ‘ସ୍ୱଳ୍ପ ଆଳାପ’

ସାହିତ୍ୟ ସର୍ଜନା ପାଇଁ କାହିଁକି ଆଗ୍ରହୀ ହେଲେ?

ସାହିତ୍ୟ ପ୍ରତି ଛୋଟବେଳୁ ଅହେତୁକ ଦୁର୍ବଳତା ରହିଥିଲା। ସେ ଗଳ୍ପ ହେଉ କି କବିତା ଯେବେ ଯେବେ ପଢେ ତାରି ଭିତରେ ହିଁ ମୁଁ ହଜିଯାଏ ; କିନ୍ତୁ ନିଜ ଭିତରର ସୃଜନଶୀଳତା କେବେ ଆବିଷ୍କୃତ ହେଲା ଜାଣିନି, ହୁଏତ ଜୀବନର ଗୁଢ଼ ରହସ୍ୟ ଖୋଜିବା ହେଉ କି ପାରିପାର୍ଶ୍ବିକ ପରିସ୍ଥିତି ହେଉ ସେମାନେ ହିଁ ମତେ କଲମ ଧରି ଶବ୍ଦ ସଜେଇବା ଶିଖେଇ ଥିଲେ।

ପ୍ରଥମ ପ୍ରକାଶିତ ଲେଖାଟି କଣ ଥିଲା ଓ ତାହା କିପରି ଆପଣଙ୍କୁ ପ୍ରେରିତ କରିଥିଲା?

ମୋର ପ୍ରଥମ ପ୍ରକାଶିତ ଲେଖାଟି ଏକ କବିତା ଥିଲା ଯାହା ଏକ ଫେସବୁକ୍ ପେଜରେ ବାହାରି ଥିଲା।ସେତେବେଳେ ଏ ସାହିତ୍ୟ ଦୁନିଆଁରେ ମୁଁ ସମ୍ପୂର୍ଣ୍ଣ ନୂଆ । କିନ୍ତୁ ମୋର ଏକ ଗଳ୍ପ ଥିଲା ଯାହା ମୁଁ ପ୍ରଥମ କରି ଲେଖିଥିଲି, ତାହା ସମ୍ବାଦ “ଜୁଗାର”ରେ ପ୍ରକାଶିତ ହୋଇଥିଲା। ଗଳ୍ପ ରଚନାରେ ଅଭିଜ୍ଞତା ଖୁବ୍ କମ୍ ଥିବା ସତ୍ତ୍ୱେ ତାହା ପାଠକମାନଙ୍କୁ ଭଲ ଲାଗିଥିଲା ।ସେଇ ପାଠକୀୟ ମତାମତ ସବୁ ଓ ସୋସିଆଲ ମିଡିଆ ମାଧ୍ୟମରେ ସାହିତ୍ୟ ଦୁନିଆର ବିଭିନ୍ନ କବି /ଲେଖକଙ୍କ ସଂସ୍ପର୍ଶରେ ଆସିଲା ପରେ ମୁଁ ଅନେକ ମାତ୍ରରେ ପ୍ରେରିତ ହୋଇଥିଲି।

ଗଳ୍ପ / କବିତା ମାଧ୍ୟମରେ ଆପଣଙ୍କର କେଉଁ ବାର୍ତ୍ତା ରହିଥାଏ ?

ମୁଁ ଏବେ ବି ସାହିତ୍ୟ କ୍ଷେତ୍ରରେ ନୂଆଁ।ଏବେ ଏବେ ଲେଖୁଛି ଅନେକ କିଛି ଶିଖୁଛି। ତଥାପି ମୋ ମତରେ ଆମମାନଙ୍କୁ ନେଇ ହିଁ ସାହିତ୍ୟ ଆଉ ସାହିତ୍ୟକୁ ନେଇ ଆମେ ମାନେ। ସାହିତ୍ୟ ସମାଜର ହିତ ନିମନ୍ତେ। ଏହା ସବୁବେଳେ ଜୀବନର କଥା କୁହେ । ସାଧାରଣ ଲୋକଟିଏ ଯାହା କହି ପାରେନି ତାହା ସେ ସାହିତ୍ୟ ମାଧ୍ୟମରେ ଅନୁଭବ କରିଥାଏ। କିନ୍ତୁ ଏବେ ପାଠକ ସଂଖ୍ୟା ଖୁବ୍ କମ୍ ତେଣୁ ଲୋକ ସାହିତ୍ୟରୁ କିଛି ଶିଖିବା ବା ଜାଣିବା ଆଗରୁ ସାହିତ୍ୟ ପ୍ରତି ବେଶୀ ଆଗ୍ରହୀ ହୁଅନ୍ତୁ ଭଳି ମନେହୁଏ।

ତାଙ୍କ ରଚନାରୁ କବିତା : ଯୁଦ୍ଧ

ଏଠି ବାଟ ସରୁ ଅବା ନ ସରୁ
ପ୍ରତି ପାଦ
ଗୋଟେ ଗୋଟେ କୁରୁକ୍ଷେତ୍ର ସାଜେ
ପ୍ରତି କ୍ଷଣରେ
ଅସ୍ତ୍ର ଉଠାଅ ବୋଲି
ଉଚ୍ଚାଟ ସ୍ଵରରେ ଦୁନ୍ଦୁଭି ବାଜେ।

ମୁହୂର୍ତ୍ତ ମୁହୂର୍ତ୍ତରେ ଯେଉଁଠି
“ଯୁଦ୍ଧଂଦେହି”ର ଡାକରା ।

କଥା ଜୟ ପରାଜୟର ନୁହଁ
କି ଧର୍ମ ଅଧର୍ମର ବି ନୁହେଁ
ସମସ୍ତେ ତ ଜଣେ ଜଣେ ମହାରଥୀ
ନିଜ ନିଜ ଆଧିପତ୍ୟ ବିସ୍ତାରରେ
ବାରମ୍ବାର ରକ୍ତପାତ ହୁଏ ଏଠି।

ଚଣ୍ଡାଶୋକ ଧର୍ମାଶୋକରେ ପରିଣତ ହୁଏ
କିଏ ନିର୍ବାଣ ମୋହରେ
କାହା ଆଖିର କଜ୍ଜ୍ୱଳକୁ ବତୁରେଇ
ବାଟ ଭାଙ୍ଗି ଚାଲିଯାଏ।

ହେଲେ ଯୁଦ୍ଧଟେ ଚାଲିଥାଏ ଅହରହ
ବିନା ଅସ୍ତ୍ରରେ
ବିନା ପ୍ରତିପକ୍ଷରେ
କେବେ ପରିଚୟକୁ ନେଇ
କେବେ ସ୍ବପ୍ନକୁ ନେଇ
ଇଚ୍ଛାକୁ ନେଇ
ଅଧିକାରକୁ ନେଇ।

ଖଣ୍ଡିଆ ହୁଏ ଆତ୍ମା, ମନ,ଦେହ
ତଥାପି କେଉଁଠି ଅଟକେନି
ଏ ପ୍ରଲମ୍ବିତ ଯାତ୍ରାପଥର ମହାମୋହ।

ହେଲେ କିଛି ବଦଳେନି
ଯୁଦ୍ଧ ଯେହେତୁ ଜୀବନର
ଶାନ୍ତି ସ୍ତୁପଟିଏ ଗଢ଼ୁଥାଏ ଭାଙ୍ଗୁଥାଏ ନିୟମିତ
ଆଉ ତାରି ତଳେ
ହଜାର ହଜାର ଅଭିଶପ୍ତ ଦୟାନଦୀ
ମୁହଁ ଭାଙ୍ଗି ପଡ଼ିଥାନ୍ତି
“ସତ୍ୟଂ ଶରଣଂ ଗଚ୍ଛାମି”କୁ
ପବନରେ ଉଡେଇ ଦେଇ ଥରକୁ ଥର।

 

Leave A Reply

Your email address will not be published.