Latest Odisha News

ଆମ ଅସ୍ମିତା ଓ ଅସ୍ତିତ୍ବର ଅନ୍ୟ ନାମ ସାହିତ୍ୟ ହେଉ : ବଳରାମ ପୂଜାରୀ

ମାଟି ଓ ମାଟିମନସ୍କତାକୁ ନେଇ ସବୁବେଳେ କବିତା ଲେଖୁଥିବା କବି ବଳରାମ ପୂଜାରୀ , ଓଡ଼ିଆ ସାହିତ୍ୟ ଜଗତର ଏକ ସଶ୍ରଦ୍ଧ ନାମ । ତାଙ୍କ କବିତା ପାହାଡ଼ର କଥା କହେ , ନଦୀର କଥା କହେ , ଡଙ୍ଗରର ଚିତ୍ର ସଜାଏ ପୁଣି ଆଦିବାସୀମାନଙ୍କ ଜୀବନର ଗୀତ ଗାଏ । ନିଜ ଜନ୍ମମାଟିର ପ୍ରତିଟି ଅଣୁକଣାରେ ଅନୁପ୍ରାଣିତ ତାଙ୍କ ସାହିତ୍ୟ, ଚିରସ୍ରୋତା ନଈଟେ ପରି ସର୍ବଦା ଚଳଚଞ୍ଚଳ ।

ତାଙ୍କ ରଚିତ ମାଟିମଗ୍ନା, ମେଘଲଗ୍ନା, ଶବ୍ଦବ୍ରହ୍ମ ପ୍ରଭୃତି କବିତା ସଙ୍କଳନ ବହୁଳ ଭାବରେ ପାଠକଙ୍କ ଦ୍ୱାରା ଆଦୃତ । ନିଜର ଅନବଦ୍ୟ ସାହିତ୍ୟ କୃତି ପାଇଁ ସେ ଅନେକ ଅନୁଷ୍ଠାନ ପକ୍ଷରୁ  ସମ୍ମାନିତ ଓ ସମ୍ବର୍ଦ୍ଧିତ ।

କବି ବଳରାମ ପୂଜାରୀଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କ ଆଳାପ

 

କବିତା ଶବ୍ଦର ବ୍ୟାଖ୍ୟା କିପରି କରିବେ ?

ପ୍ରଶ୍ୱାସ ହୋଇ ସମଗ୍ର ବ୍ୟବସ୍ଥାକୁ ନିୟନ୍ତ୍ରିତ କରୁଥିବା ଗଭୀର ମନସ୍ତତ୍ତ୍ୱକୁ ଯଦି ଜୀବନ କୁହାଯାଏ, ତେବେ ଜୀବନ ଭିତରେ ଜୀବନ ଭରୁଥିବା ସାରାଂଶକୁ କବିତା କୁହାଯିବ । ଆତ୍ମା ଓ ପରମାତ୍ମାର ଅଦୃଶ୍ୟ ଅକ୍ଷକୁ କବିତା କୁହାଯିବ । କିଛି ଗୋଟାଏ ଭୋଗି ହେଉଥିବା ଅନ୍ତର୍ନିହିତ ଅନ୍ତର୍ନାଦକୁ କବିତା ବୋଲି ସଂଜ୍ଞା ଦିଆଯାଇପାରିବ । ମୋ ମତରେ ମୋ ଶରୀରରେ ଦଉଡୁଥିବା ସମଗ୍ର ଜୀବନ ବିନ୍ଦୁମାନଙ୍କୁ କବିତା କହିବି ।

ଆପଣଙ୍କ ଜୀବନ ଉପରେ ସାହିତ୍ୟର ପ୍ରଭାବ କଣ? ସାହିତ୍ୟରେ ନଥିଲେ ଜୀବନର ଗତିପଥ ବଦଳି ଯାଇଥାନ୍ତା କି ?

ମୋ ଉପରେ ସାହିତ୍ୟର ଗଭୀର ପ୍ରଭାବ ରହିଛି । କେଉଁଠି ମୁଁ ତାକୁ କୋଳେଇ ନିଏ ତ କୋଉଠି କେମିତି, ସେ ମୋତେ କୋଳେଇ ନିଏ ,ଏଇ ପରସ୍ପର ଆବେଗାତ୍ମକ ସମ୍ପର୍କ ଭିତରେ ଦୁହେଁ ଯୋଡାଯୋଡି ହୋଇଯାଇଛୁ । ସାହିତ୍ୟ ମୋତେ ଆନନ୍ଦରେ ବଞ୍ଚିବାର ଖୋରାକ ଯୋଗାଉଛି ତ ଦୁଃଖରେ କାନ୍ଦିବାକୁ କାନ୍ଧଟିଏ ହୋଇ ମୋତେ ଆଉଜେଇ ନେଇଛି । ସତରେ , ପ୍ରେମର ଚିରନ୍ତନ ପ୍ରବାହମାନରେ ପରସ୍ପର ଭଲ ପାଇ ବସିଛୁ । ଆଉ ସାହିତ୍ୟ ନଥିଲେ ଜୀବନର ଗତିପଥ ଟିକେ ଭିନ୍ନ ହୋଇଥାନ୍ତା ବୋଧେ । ସାଧାରଣ ଜୀବନର ଜଞ୍ଜାଳିଆ ପରିସ୍ଥିତିର ଭିଡ ଭିତରେ ମୁଁ ବି କୋଉଠି ହଜି ଯାଇ ଖାଲି ଟଙ୍କା ପଇସା, ଖାଦ୍ୟ, ବସ୍ତ୍ର ବାସଗୃହ ଭିତରେ ସୀମିତ ହୋଇ ରହିଯାଇଥାନ୍ତି । ଅବଶ୍ୟ ଐଶର୍ଗିକ ପ୍ରେମ, ଭୋଗୁଥିବାର ଭାବ, ଅମୃତ ସ୍ପର୍ଶର ବହୁତ ଦୂରରେ ଥାଆନ୍ତି । ଯୋଉଟା କି ମୋର ପସନ୍ଦ ନୁହଁ ।

ଆପଣଙ୍କ ପ୍ରଥମ ପ୍ରକାଶିତ କବିତା କ’ଣ ଥିଲା ? ନିଜ ସୃଷ୍ଟିର ମୁଦ୍ରିତ ରୂପ ଦେଖିଲା ପରେ ଆପଣଙ୍କ ଅନୁଭୂତି କିପରି ଥିଲା ?

ମୋର ପ୍ରଥମ ପ୍ରକାଶିତ କବିତା “ଭିଜା ଓଢଣୀ “, ଯାହା କି ଐତିହାସିକ ମହାବିଦ୍ୟାଳୟ, କୋରାପୁଟର ବାର୍ଷିକ ଉତ୍ସବ ମୁଖପତ୍ର ୧୯୯୦ ମସିହାରେ ପ୍ରକାଶ ପାଇଥିଲା, କିନ୍ତୁ ଏହି କବିତାଟି ସମ୍ବାଦ ଦୈନିକ ସମ୍ବାଦପତ୍ର ପକ୍ଷରୁ “ଦକ୍ଷିଣ ଓଡିଶା ସାହିତ୍ୟ ପୃଷ୍ଠା “ରେ ପ୍ରକାଶିତ ହୋଇ ପାଠକୀୟ ଆଦୃତି ଲାଭ କରିଥିଲା । ପ୍ରଥମ ସୃଷ୍ଟିର ମର୍ମସ୍ପର୍ଶୀ ମୁଦ୍ରିତ ରୂପ ଦେଖି ମୁଁ ବିଭୋର ହୋଇଥିଲି । ସେତେବେଳେ ତ ମୋବାଇଲର ବ୍ୟବହାର ନ ଥିଲା, ଅନେକ ମୋର ପାଠକ ଓ ବନ୍ଧୁ ମତେ କୁଡୁମୁଲୁଗୁମ୍ମା ଠିକଣାରେ ଚିଠି ପଠାଇଥିଲେ । ଆଜି ବି ମୁଁ ତାକୁ ସାଇତି ରଖିଛି ।

କବିତା ଲେଖିବା, କବି ବୋଲି ପାଠକୀୟ ସ୍ୱୀକୃତି ପାଇବା ପର୍ଯ୍ୟନ୍ତ ଯାତ୍ରା ବିଷୟରେ କିଛି କୁହନ୍ତୁ ?

ପ୍ରଥମେ ମୋ ଐତିହାସିକ ଡିଏଭି କଲେଜ କୋରାପୁଟର ମାଗାଜିନ୍, ତାପରେ ସମ୍ବାଦ ସାହିତ୍ୟ ପୃଷ୍ଠା ଓ ପରେ ଆମ କୁଡୁମୁଲୁଗୁମ୍ମାର ନିର୍ଝରିଣୀ ସାହିତ୍ୟ ସଂସଦର ପତ୍ରିକା ରେ ମୋର କବିତା “ସାହିତ୍ୟ ବଞ୍ଚିଛି ଝୁଲାମୁଣିରେ ‘ପ୍ରକାଶିତ ହୋଇଥିଲା, ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀ, ଗଞ୍ଜାମ ତରଫରୁ ସମ୍ମାନୀୟ ମହାସଚିବ ଦଣ୍ଡପାଣୀ ମହାପାତ୍ର ଓ ମାଲକାନଗିରି ଜିଲ୍ଲା ଶାଖା ସଭାପତି କିଶୋର ଚନ୍ଦ୍ର ପ୍ରଧାନଙ୍କ ଦ୍ବାରା କବିତାଟିଏ “ସଂହାର ସଂହିତା ” ରେ ପ୍ରକାଶିତ ହୋଇଥିଲା । ତାପରେ ଉତ୍ସାହର ଲେଖା ଜାରି ରଖିଲି ଏବଂ ମୋର ନିଜସ୍ଵ କବିତା ସଂକଳନ “ଶବ୍ଦବ୍ରହ୍ମ “ସିଦ୍ଧବୀର ଅଫସେଟ, ନେହେରୁ ନଗର, ବ୍ରହ୍ମପୁର ରେ ପ୍ରକାଶିତ କଲି । ପ୍ରଥମ ସଙ୍କଳନ ଶବ୍ଦବ୍ରହ୍ମକୁ ସମଗ୍ର ଓଡ଼ିଶାରେ ପ୍ରଶଂସା ମିଳିଲା । ବୌଦ୍ଧର ନୀଳଚକ୍ର ସାହିତ୍ୟ ଅନୁଷ୍ଠାନର ସମ୍ମାନନୀୟ ସଭାପତି ଭାବସମ୍ରାଟ୍ ସଞ୍ଜୟ କୁମାର ପଣ୍ଡା ମୋତେ ତାଙ୍କ ଅନୁଷ୍ଠାନ ତରଫରୁ “ନୀଳଚକ୍ର ନବଜ୍ୟୋତି” ସମ୍ମାନ ପ୍ରଦାନ କରିଥିଲେ । ତାପରେ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀ ତରଫରୁ ମହାମହିମ ରାଜ୍ୟପାଳ ଆନ୍ଧ୍ରପ୍ରଦେଶ ବିଶ୍ୱ ଭୂଷଣ ହରିଚନ୍ଦନ ମହୋଦୟଙ୍କ ହସ୍ତରୁ ବ୍ରହ୍ମପୁର ଟାଉନ୍ ହଲଠାରେ ସମ୍ବର୍ଦ୍ଧିତ ହେବା ମୋ ପାଇଁ ଗର୍ବର ମୁହୂର୍ତ୍ତ ଥିଲା । ତାପରେ ବୌଦ୍ଧିକ ପତ୍ରିକା ରାଷ୍ଟ୍ରଦୀପର ବସନ୍ତ ମିଳନ ଉତ୍ସବରେ ଶ୍ରେଷ୍ଠ କବି ଭାବରେ ଶାରଳା ଭବନ, କଟକଠାରେ ସମ୍ବର୍ଦ୍ଧିତ କରିଥିଲେ ।

ଆମ କୁଡୁମୁଲୁଗୁମ୍ମା ରାଷ୍ଟ୍ରଦୀପ ପ୍ରତିନିଧି ଯୁଗଳ କିଶୋର ସ୍ୱାଇଁଙ୍କ ଅବଦାନ ବି ଅତୁଳନୀୟ । ତାଙ୍କରି ଉତ୍ସାହ ଓ ପ୍ରେରଣାରେ ମୁଁ ରାଷ୍ଟ୍ରଦୀପ ନିମନ୍ତେ କବିତା ଲେଖି ପଠାଉଥିଲି । ସଂସ୍କୃତି ପରିଷଦ ମାଲକାନଗିରିର ମାଲ୍ୟବନ୍ତ ମହୋତ୍ସବ, ନବରଙ୍ଗପୁରର ମଣ୍ଡେଇ ଓ କୋରାପୁଟ ଜିଲ୍ଲାର ପରବ ସାଂସ୍କୃତିକ ଉତ୍ସବରେ ବି ମାନନୀୟ ଜିଲ୍ଲାପାଳମାନଙ୍କ ତରଫରୁ ସମ୍ବର୍ଦ୍ଧିତ ହୋଇଛି । ନୂଆପଡା ଗଞ୍ଜାମର ବାହୁଡ଼ା ମହୋତ୍ସବରେ ଯୁବ କବି ଭାବରେ ଅନୁପମ ମିଡିଆ ତରଫରୁ କୁଡୁମୁଲୁଗୁମ୍ମାଠାରେ ଉତ୍କଳ ଦିବସ ଅବସରରେ ସାମ୍ବାଦିକ ରାମହରି ସାହୁଙ୍କ ତରଫରୁ ଯୁବ ସାହିତ୍ୟିକ ଭାବରେ ସମ୍ବର୍ଦ୍ଧିତ ହୋଇଛି । ଦାସିଆ ସାଂସ୍କୃତିକ ପରିଷଦ, ଉମରକୋଟର ରାଜ୍ୟସ୍ତରୀୟ ସାରସ୍ବତ ଉତ୍ସବରେ ପ୍ରେରଣା ସମ୍ମାନ ୨୦୨୧ରେ ସମ୍ବର୍ଦ୍ଧିତ ହୋଇଛି ।ଏହି ମଧ୍ୟରେ ମୋର ଦ୍ୱିତୀୟ କବିତା ସଙ୍କଳନ ମେଘଲଗ୍ନା ଓ ତୃତୀୟ କବିତା ମାଟିମଗ୍ନା, ଇଭେନ୍ଟସ୍ ପ୍ରକାଶନ ଭୂବନେଶ୍ବର ତରଫରୁ ସମ୍ମାନୀୟ ବରିଷ୍ଠ ସାହିତ୍ୟିକ ତଥା କଥାକାର ପ୍ରକାଶ ମହାପାତ୍ର ସାରଙ୍କ ଦ୍ବାରା ପ୍ରକାଶିତ ହୋଇଥିଲା ଓ ଆମାଜନରେ ବହୁଳ ବିକ୍ରି ପୁସ୍ତକ ଭାବେ ପରିଗଣିତ ହୋଇ ପୁରସ୍କୃତ ହୋଇଛି । ବର୍ତ୍ତମାନ ମୋର ବହୁ ପ୍ରତିକ୍ଷୀତ କବିତା ସଙ୍କଳନ ଈଶ୍ବରଙ୍କ ଭାଡି ପ୍ରକାଶିତ ହୋଇଛି । ଏହାରି ମଧ୍ୟରେ ଆକାଶବାଣୀ କଟକ ଓ ଜୟପୁର ତରଫରୁ ମୋର ସାକ୍ଷାତକାର ଓ କବିତା ପ୍ରଚାରିତ ହୋଇଛି । ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଗଞ୍ଜାମର କବିତା ଘର, ବ୍ରହ୍ମପୁର ତରଫରୁ ରାଜ୍ୟ ସ୍ତରୀୟ ସାରସ୍ବତ ଉତ୍ସବରେ ମୋତେ “ରାଜ୍ୟସ୍ତରୀୟ କବିତା ସମ୍ମାନ ୨୦୨୧”ରେ ସମ୍ବର୍ଦ୍ଧିତ କରାଯିବ ବୋଲି ଘୋଷଣା କରାଯାଇଛି । ଏହି ସବୁ ସମ୍ମାନ ଓ ସ୍ୱୀକୃତି ମୋର କୁଡୁମୁଲୁଗୁମ୍ମା , ମାଲକାନଗିରି ଓ ସମଗ୍ର ଓଡିଶାବାସୀଙ୍କୁ ଉତ୍ସର୍ଗ କରୁଛି । ବନ୍ଧୁମାନଙ୍କ ଉତ୍ସାହ ଓ  ଆଶୀର୍ବାଦ ମୋତେ ଆହୁରି ଲେଖିବାକୁ ପ୍ରେରଣା ଯୋଗାଉଛି । ଆପଣଙ୍କ ଉତ୍ସାହ ଓ ପ୍ରେରଣା ମଧ୍ୟ ମୋ ପାଇଁ ଅମୃତର ସ୍ପନ୍ଦନ । ଅନେକ ସମୟରେ ଓଡ଼ିଶା ସମ୍ବାଦ ମିଡିଆ ତରଫରୁ ମୋର ଅନେକ କବିତା ଓ ଅନୁଭୂତିକୁ ସ୍ଥାନ ଦେଇ ପ୍ରଚାର ଓ ପ୍ରସାର କରାଯାଇଛି । ତେଣୁ ମୁଁ ଆପଣଙ୍କ ନିକଟରେ ମଧ୍ୟ ଋଣୀ ରହିଲି ।

ଆପଣଙ୍କ କବିତା ସବୁବେଳେ ମାଟିର କଥା , କହେ ପ୍ରକୃତିର କଥା କହେ । ଏପରି କାହିଁକି ?

ପିଲାଟି ଦିନରୁ ମୋର କୁଡୁମୁଲୁଗୁମ୍ମା ମାଲକାନଗିରି ମାଟିର ନୈସର୍ଗିକ ରୂପ ସମ୍ଭାର , ଅଗନା ଅଗନି ସବୁଜିଆ ବଣ ଜଙ୍ଗଲର ଚିତ୍ରକଳ୍ପ, କୁଞ୍ଚୁକୁଞ୍ଚିଆ ପଥର ଛାତିରେ ଠିଆ ହୋଇଥିବା ଡେଙ୍ଗା , ଡେଙ୍ଗା ପାହାଡ ପର୍ବତର ଉହାଡରୁ କଚାଡି ହେଉଥିବା ପାହାଡୀ ଚଗଲୀ ଝରଣା, ରଂଗଡିଆ ମାଟି ମୁଠାଏର ପବିତ୍ର ସ୍ପର୍ଶ ମୋତେ ସାହିତ୍ୟ ମନସ୍କ କରିଛି ଓ ଆଦିବାସୀ ଆଦିଭୂମି ମାଲକାନଗିରି ମାଟିର କଥା ଓ ବେଦନାର ଗଭୀର ଅନ୍ତର୍ନାଦ ମୋତେ ମାଟି କଥା ହିଁ ଶିଖାଇଛି । ମନର କେଉଁଠି ନା କେଉଁଠି ମାଟି ପ୍ରତି ଅଗାଧ ଅନୁରାଗ ମୋତେ ଓ ମୋର ଜୀବନ ଭଗ୍ନାଂଶର ମହାମନ୍ତ୍ର ଆପଣମାନଙ୍କୁ ଶୁଣାଇବାର ପ୍ରଚେଷ୍ଟା କରିଛି । ସୀମାନ୍ତ ସରହଦର ଅବହେଳିତ ସ୍ୱରକୁ ମଜଭୁତ କରିବା ପାଇଁ ମୋର ଏକ ଛୋଟ ପ୍ରୟାସ ମାତ୍ର । ପ୍ରକୃତିକୁ ନେଇ ଆମର ଅସ୍ମିତା ଓ ଅସ୍ତିତ୍ବ । ତେଣୁ ଆମ ମାଟିର ସଂସ୍କୃତି, ପରମ୍ପରା , ଭାଷା ଓ ସାହିତ୍ୟର ସୁରକ୍ଷା ସହ ଆଦିବାସୀ ଅଧ୍ୟୁଷିତ ସୀମାନ୍ତ ଓଡ଼ିଶାର ଅବହେଳିତ ସ୍ୱରକୁ ସ୍ୱୀକୃତି ପ୍ରଦାନ ମୋର ମୂଳ ଲକ୍ଷ୍ୟ ।

ଆଜିକାଲି ସାହିତ୍ୟରେ ଅଶ୍ଳୀଳତା ପଶିଲାଣି ବୋଲି ଅନେକ ମତ ଦିଅନ୍ତି । ସେ ବିଷୟରେ ଆପଣ କ’ଣ କହିବେ ?

ପ୍ରକୃତରେ ଶ୍ଲୀଳ ଓ ଅଶ୍ଲୀଳ ଏକ ଅନୁଭବର କଥା । ସାମାଜ ଟାଣିଥିବା ଲକ୍ଷ୍ମଣରେଖା ଆମ ଜୀବନ ଚଳଣିରେ ବହୁତ ପ୍ରଭାବ ପକାଏ ।କିଛି ନିୟମ ଉପଯୋଗୀ ହେବାବେଳେ କିଛି ପଛରୁ ଭିଡି ଧରି ବାଟ ଓଗାଳିବା ଭଳି ପ୍ରତ୍ୟୟମାନ ହୁଅନ୍ତି । ମନ୍ଦିର ଗାତ୍ରରେ ଖୋଦେଇ ହୋଇଥିବା ପ୍ରଣୟଲିପ୍ତ ଯୁଗଳ ମୂର୍ତ୍ତିକୁ ଯଦି ଆମେ ଅନୁଶୀଳନ କରିବା , ତେବେ ଶିଳ୍ପୀର ସେହି ସମୟର ମନସ୍ତତ୍ତ୍ୱ ନିହାଣ ମୁନରେ ସୃଷ୍ଟି କରିଚାଲେ ମନର ଆବେଗାତ୍ମକ ଭାବନାକୁ । ଭଗବତ ଚିନ୍ତନ ଓ ଚେତନା ସହ ସହ ସମତାଳରେ ଭଲ ଓ ଖରାପ ଆମ ସହ ପାଖାପାଖି ରହିଥାନ୍ତି, ଆମେ ବିଭୂସତ୍ତାକୁ ଉପଲବ୍ଧି କରିବାକୁ ହେଲେ ମନ ଚଇତନକୁ ସ୍ଥିର ରଖି ଆଗକୁ ବଢିଲେ ବିଭୂ କୃପା ଲାଭ କରିପାରୁ । ଠିକ୍ ସେହିପରି, ସାହିତ୍ୟରେ ଅଶ୍ଲୀଳ ବୋଲି ଯାହା ରୂପ ପାଏ , ହୁଏତ ସେହି ପ୍ରସଙ୍ଗରେ ତାହା ଗ୍ରହଣ ଯୋଗ୍ୟ ବିବେଚିତ ହୋଇପାରେ । କିନ୍ତୁ, ସମାଜକୁ କ୍ଷତି ପହଞ୍ଚାଇବା ଭଳି ଅଶ୍ଲୀଳ ଧର୍ମୀ ବ୍ୟବସାୟ ଭିତ୍ତିକ ଉପସ୍ଥାପନା ହେଲେ ତାହା ଆମର ଆଗାମୀ ଭବିଷ୍ୟତ ପୀଢ଼ିକୁ କୁପଥଗାମୀ କରିବା ସହ ସମାଜର ସନ୍ତୁଳନରେ ବାଧା ଉପୁଜିବ । ଆଜିକାଲି କଳାତ୍ମକର ଦ୍ବାହି ଦେଇ ଅନେକ ସୃଜକ ଏପରି ଭାବରେ ନିଜକୁ ପ୍ରତିଷ୍ଠିତ କରିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଆମେ ଏ ସବୁକୁ ଗ୍ରହଣ ନ କଲେ ସ୍ୱତଃ ପ୍ରବୃତ୍ତ ଭାବରେ ସେଗୁଡିକ ଅଗ୍ରାହ୍ୟ ହୋଇଯିବ ।

ପେଶା ଓ ନିଶା ମଧ୍ୟରେ କେବେ ଛନ୍ଦି ହୋଇଛନ୍ତି କି ?

ମୋର ପେଶା ଶିକ୍ଷକତା । ବୃତ୍ତିରେ ପ୍ରାଥମିକ ଶିକ୍ଷକ ହୋଇଥିବାରୁ ଓ ନିଶା ସାରସ୍ବତ ସାଧନା ହୋଇଥିବାରୁ କେବେ ବି କୌଣସି ଅସୁବିଧା ଉପଲବ୍ଧି କରିନାହିଁ । ଶିକ୍ଷା ଓ ସାହିତ୍ୟ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ ଭଳି । ଶିକ୍ଷକ ଭାବରେ ମାଲକାନଗିରି ମାଟିର ବିଭିନ୍ନ ଅଞ୍ଚଳ କୁ ବଦଳି ହୋଇଛି ଏବଂ ଅନେକ ଅନାଲୋଚିତ ବିଷୟ, ତଥ୍ୟ ଓ ସଂସ୍କୃତିକୁ ପରଖି ତାକୁ ମୋ କବିତାରେ ରୂପ ଦେବାକୁ ଚେଷ୍ଟା କରୁଛି । ସତରେ, ଏଇ ଜନ୍ମରେ ଶିକ୍ଷକଟିଏ ହୋଇ ଶିକ୍ଷାଦାନ କରିବା ଓ ସାହିତ୍ୟମନସ୍କ ହୋଇ ମାଲକାନଗିରି ମାଟିର କଥା କବିତାକୁ ଓଡ଼ିଶାର କୋଣ ଅନୁକୋଣରେ ପହଞ୍ଚାଇବା ମୋ ପାଇଁ ଅମୃତର ଆଶୀର୍ବାଦ ।

ପାଠକ ନକରାତ୍ମକ ମତ ରଖିଲେ ଆପଣ ତାକୁ କିପରି ଭାବରେ ଗ୍ରହଣ କରିବେ ?

ସୃଷ୍ଟି ଟି କିଭଳି ହେବ,  ତାହା ସୃଜକର ସେହି ସମୟର ମନସ୍ତତ୍ତ୍ୱ ଉପରେ ନିର୍ଭର କରେ । ସବୁ ସୃଜନ କାଳଜୟୀ ହେବେ ,ଏହା ସମ୍ଭବ ନୁହେଁ । ବହୁତ ସୁନାମଧନ୍ୟ କବି, ଲେଖକ, କଥାକାର ବି କେବେ କେବେ ଏମିତି କିଛି ଲେଖି ବସନ୍ତି ତାହା ସର୍ବଜନଙ୍କୁ ଛୁଇଁ ପାରି ନଥାଏ । ତେଣୁ ପାଠକୀୟ ଆଦୃତି ସେହି ସୃଷ୍ଟି ପାଇଁ ମିଳି ନଥାଏ । ଯେହେତୁ ସୃଜକ ନିମନ୍ତେ ପାଠକଟିଏ ଭାଗ୍ୟ ନିର୍ଦ୍ଧାରଣ କରେ , ସେହି କ୍ଷେତ୍ରରେ ପାଠକର ନିନ୍ଦା ଓ ପ୍ରଶଂସା ଉଭୟକୁ ଆଶୀର୍ବାଦ ମନେ କରିବା ଉଚିତ୍ । ପାଠକଟିଏ ନକରାତ୍ମକ ମନ୍ତବ୍ଯ ସେତେବେଳେ ଦିଏ , ଯେତେ ବେଳେ ତାର ମନ ହୃଦୟକୁ ଆନ୍ଦୋଳିତ କରୁଥିବା ସୃଜକର ଆଚରଣ ଓ ଉଚ୍ଚାରଣ ଭିତରେ ସେ ଫରକ୍ ଅନୁଭବ କରେ ।’

ସାରସ୍ୱତ ସାଧନାରେ ସମ୍ମାନ ଓ ସ୍ୱୀକୃତି ଜଣେ ଲେଖକଙ୍କୁ କିପରି ଭାବରେ ପ୍ରଭାବିତ କରେ ? ଏହାଦ୍ୱାରା ଲେଖକଙ୍କର ଦାୟିତ୍ୱବୋଧ ବଢିଯାଏ କି ?

ସମ୍ମାନ ଓ ସ୍ୱୀକୃତି ଜଣେ ସାରସ୍ବତ ସାଧକକୁ ଗଭୀର ପ୍ରଭାବିତ କରେ । ନିଜ ସୃଷ୍ଟି ର ପ୍ରଶଂସା ଓ ସ୍ନେହ ସ୍ୱୀକୃତିକୁ ଆଶୀର୍ବାଦ ମନେ କରେ । ଆଗକୁ ଆଗକୁ ବଢିବାକୁ ପ୍ରେରଣା ଯୋଗାଏ । ସତକଥା, ସାହିତ୍ୟିକର ଦାୟିତ୍ବବୋଧ ବଢିଯାଏ ।ସମ୍ମାନ ପାଇବା ପରେ ପରେ ସେ ନିଜକୁ ପରିମାର୍ଜିତ କରିବା ସହ ନିଜ ସୃଷ୍ଟିର ପାକଳତାକୁ ବି ଧ୍ୟାନ ଦେବା ପାଇଁ ହୁଏ ।କାରଣ, ସମ୍ମାନ ଓ ଶୁଭେଚ୍ଛା, ପ୍ରଶଂସା ଏ ସବୁ ମିଳିବା ଯେତିକି କଷ୍ଟ, ତାକୁ ସବୁ ସମୟରେ ପରିଚାଳନା କରି ବଜାୟ ରଖିବା, ତା’ଠାରୁ ଢେର କଷ୍ଟକର ବ୍ୟାପାର । ଦାୟିତ୍ବର ବୋଝ ମୁଣ୍ଡାଇବାକୁ ହୁଏ ଓ ସମାଜରେ ପ୍ରତିଷ୍ଠା ଲାଭ ପରେ ପରେ ନିଜର ବ୍ୟକ୍ତିଗତ ଜୀବନ ବିଷୟରେ ସଦା ସର୍ବଦା ଶୃଙ୍ଖଳିତ ହୋଇ ରହିବାକୁ ହୁଏ । କାରଣ ଆପଣଙ୍କୁ ଆଦର୍ଶ ବୋଲି ଭାବିଥିବା ବ୍ୟକ୍ତି ବିଶେଷ ଯେତେବେଳେ ଆପଣଙ୍କଠାରେ କୌଣସି ଆଦର୍ଶର ସଂଜ୍ଞା ଖୋଜି ପାଏନାହିଁ , ସେ ନିରାଶ ହୁଏ ।

ସମସାମୟିକ ଲେଖକଙ୍କୁ କି ବାର୍ତ୍ତା ଦେବେ ?

ସାହିତ୍ୟ ସମାଜର ଦର୍ପଣ । ଏଣୁ ସାହିତ୍ୟକୁ ପ୍ରବୃତ୍ତି ବୋଲି ଧରିନେଇଥିବା ବନ୍ଧୁ ମାନଙ୍କୁ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବି । ଆମେ ସମସ୍ତେ ମିଳିମିଶି ସମାଜର କଥା ବ୍ୟଥାକୁ ଆଗକୁ ଆଣିବା ସହ ଓଡ଼ିଆ ଭାଷା ସାହିତ୍ୟର ପରିବର୍ଧନ ନିମନ୍ତେ ଚେଷ୍ଟା କରିବା । ସାମ୍ପ୍ରତିକ ଜୀବନରେ , ସାହିତ୍ୟର ମର୍ଯ୍ୟଦା ସମାଜରେ ଢେର ବେଶୀ । ଏହା ଏକ ଶୁଭ ଲକ୍ଷଣ । ଯେଉଁ ଦେଶର ସାହିତ୍ୟ ଯେତେ ଉନ୍ନତ ସେହି ଦେଶ ର ସାମାଜିକ ଜୀବନ ସେତେ ଶୃଙ୍ଖଳିତ ଓ ପରିପୃଷ୍ଟ । ଆମେ ସମସ୍ତେ ଗୁଣ୍ଡୁଚି ମୂଷାଟିଏ ଭଳି କିଛି କିଛି ଅବଦାନ ଆମ ଭାଷା, ସାହିତ୍ୟ, ସଂସ୍କୃତି ଓ ପପରମ୍ପରା ପ୍ରତି ରହିବା ଆବଶ୍ୟକ । ସମକାଳୀନ ବନ୍ଧୁମାନଙ୍କୁ ଏତିକି କହିପାରେ, ସାହିତ୍ୟ ପ୍ରବାହମାନ ସୁକ୍ଷ୍ମ କାରିଗରୀ କୌଶଳଟିଏ, ଯାହାର ରକ୍ଷଣାବେକ୍ଷଣ ଓ ପ୍ରଗତି ପରିପୃଷ୍ଟ ଆପଣଙ୍କ ହାତରେ । ସାହିତ୍ୟକୁ କେବେ ହାରିବାକୁ ଦେବାନି କେବେ ନିନ୍ଦିତ ହେବାକୁ ଦେବାନି । ଆମ ଅସ୍ମିତା ଆମ ଅସ୍ତିତ୍ବର ଅନ୍ୟ ନାମ ସାହିତ୍ୟ ହେଉ ।

Leave A Reply

Your email address will not be published.