ସୃଜନାତ୍ମକ ମୌଳିକ ଲେଖା କ୍ଷେତ୍ରରେ କୌଣସି ସାଲିସ କରାନଯାଉ :ବିଷ୍ଣୁ ସାହୁ

ଓଡ଼ିଆ ଗଳ୍ପସାହିତ୍ୟରେ ନିଜର କ୍ରମବର୍ଦ୍ଧିଷ୍ଣୁ ପ୍ରଭାବ ଓ ପାଠକୀୟତାକୁ ଆଧାର କରି ବିଷ୍ଣୁ ସାହୁ ଜଣେ ସାର୍ଥକ କଥାଶିଳ୍ପୀ ଭାବେ ବହୁ ଚର୍ଚ୍ଚିତ। ଏକ ସୁନ୍ଦର ସମ୍ଭ୍ରାନ୍ତ ଶୈଳୀ , ଚମତ୍କାର ଚରିତ୍ର ନିର୍ମାଣ , ଗଳ୍ପରେ ପ୍ରଚୁର ସଂଜ୍ଞା ଓ ଚିତ୍ରଭାଷାରେ ବିନ୍ୟାସ ତାଙ୍କ ପ୍ରତିଷ୍ଠା ଓ ସଫଳତାର କେତୋଟି ଦିଗ । ତାଙ୍କ ଗଳ୍ପ ପଢ଼ିବାକୁ ଆରମ୍ଭ କରିବା ଅର୍ଥ , ଜଣେ ନିଜକୁ ସ୍ରୋତରେ ଭସାଇନେବା । ବେଶ ପ୍ରତିଭାବାନ ଏଇ ଗାଳ୍ପିକଙ୍କ ଗଳ୍ପପ୍ରବୀଣ ଓ ଜୀବନନିଷ୍ଠ ଗଳ୍ପଚର୍ଯ୍ୟା ତାଙ୍କୁ ସମସାମୟିକ ସ୍ରଷ୍ଟାଙ୍କ ଭିତରେ ସ୍ୱତନ୍ତ୍ର ଭାବେ ଚିହ୍ନାଇ ଦିଏ। ତାଙ୍କର ପ୍ରତ୍ୟେକ ଗଳ୍ପ ଏପରି ଲାଗେ ଯେମିତି ଗାଳ୍ପିକ ଅଗ୍ନିକଣା ଟିକକ ବୁଣିଦେଇ ଶତ ସହସ୍ର ପ୍ରଦୀପ ପ୍ରଜ୍ଵଳିତ କରି ଦିଅନ୍ତି ନିଜର ଗଳ୍ପ ମାଧ୍ୟମରେ। ତାଙ୍କ ଗଳ୍ପର ଗତି ଓ ଗଠନ ଏପରି ଯେପରି ପ୍ରଜାପତି ଟିଏ ହାଲକା ଭାବରେ ଉଡ଼ି ବୁଲିବା ପରି ବେଶ ସାବଲୀଳ ଓ ବର୍ଣ୍ଣମୟ। ଗଳ୍ପଗୁଡ଼ିକ ଉପସଂହାର ଖୁବ ପ୍ରଭାବଶାଳୀ।

ଗଳ୍ପସାହିତ୍ୟକୁ ନିଜର ଅବଦାନ ଲାଗି ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମେତ ଅନ୍ୟାନ୍ୟ ଅନେକ ସମ୍ମାନର ଅଧିକାରୀ ଶ୍ରୀ ସାହୁ ମଧ୍ୟ ଆକାଶବାଣୀ କଟକ କେନ୍ଦ୍ରର ଜଣେ ସ୍ୱୀକୃତିପ୍ରାପ୍ତ ନାଟ୍ୟକାର ,ଗୀତିକାର ଏବଂ ସଙ୍ଗୀତ ନିର୍ଦ୍ଦେଶକ।

ତାଙ୍କ ରଚିତ ବିଷ୍ଣୁ ସାହୁଙ୍କ କଥା କାହାଣୀ, ଗୋଟିଏ ବାଳିକାର ବର୍ଣ୍ଣନା ,  ଚମ୍ପାବଣ, ଜଣେ ସୁନ୍ଦରୀଙ୍କ ସମ୍ପର୍କରେ, ଅସୁସ୍ଥ ପୃଥିବୀ , ଗୋଟିଏ ଗାଁର ଚିତ୍ରପଟ, ମୁନ୍ନା ପାଇଁ ପ୍ରାର୍ଥନା , ଦୁଃଖର ଚାରିକାନ୍ଥ, ବିଷ୍ଣୁ ସାହୁଙ୍କ ପ୍ରେମ ଗଳ୍ପ , ଶେଷସନ୍ଧ୍ୟାର ସଙ୍ଗୀତ , ଜହ୍ନ ରାତିର ହୃଦୟ , ଗୋଟିଏ ଲଣ୍ଠନର ପ୍ରେମ କାହାଣୀ , ଦେହାଗ୍ନି , କାହାଣୀ ଓ କାଠଚମ୍ପା ,ପାପର ଦୈର୍ଘ୍ୟପ୍ରସ୍ଥ  ଓ ବିଷ୍ଣୁ ସାହୁଙ୍କ ଶ୍ରେଷ୍ଠଗଳ୍ପ ଇତ୍ୟାଦି ଗଳ୍ପ ସଂକଳନ ପାଠକୀୟ ମହଲରେ ବେଶ ଆଦୃତ।

ପାରୁଲର ପ୍ରେମିକ,ଯେଉଁ ପୃଥିବୀ ମୁଁ ଛାଡ଼ିଯାଉଛି , ସଙ୍ଗୀତାୟନ, ଗୁଣୁଗୁଣୁ ଜହ୍ନରାତି ଓ ଦେହପଦ୍ମ ଇତ୍ୟାଦି ତାଙ୍କର ଚମତ୍କାର ସୃଷ୍ଟି । ବାବୁଲା ହୋଇବ ଜଗତ ଜିତା , ଲାଲ ଟୁକ ଟୁକ ଝିଅ, ପୁପୁନ୍ ହାତରେ ପେଁକାଳି ପିଲାଙ୍କ ପାଇଁ କି ପପଲ୍ ପୁଁ , କୁନାପାଇଁ ନା ନା ବାୟା ଗୀତ ଇତ୍ୟାଦି  ଖୁବ ମନଛୁଆଁ ଶିଶୁକବିତା।
ଏହାଛଡ଼ା କୋଡ଼ିଏଟି ବେତାର ନାଟକ , ଦଶଟି ଅପେରା ନାଟକ , ପନ୍ଦରଟି ନୃତ୍ୟନାଟିକା, ପାଞ୍ଚଟି ସଙ୍ଗୀତ ରୂପକ ଓ ସାତଟି ଗୀତିନାଟ୍ୟର କାଳଜୟୀ ସ୍ରଷ୍ଟା ସେ। ମୁଖ୍ୟ ପ୍ରସଙ୍ଗ ଶୀର୍ଷକରେ ଏକ ପ୍ରବନ୍ଧ ମଧ୍ୟ ସେ ରଚନା କରି  ପାଠକଙ୍କ ଦ୍ୱାରା ବେଶ ପ୍ରଶଂସା ସାଉଁଟିଛନ୍ତି।

ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର , ବିଷୁବମିଳନ ପୁରସ୍କାର, କଣ୍ଢେଇ ଶିଶୁସାହିତ୍ୟ ପୁରସ୍କାର , ଝୁମୁକା ଶିଶୁ ସାହିତ୍ୟ ପୁରସ୍କାର ,ଶ୍ରେଷ୍ଠ ଗୀତିକାର ପୁରସ୍କାର, ବିଷୁବ ଝଙ୍କାର ଗଳ୍ପ ପୁରସ୍କାର , ଜିଲ୍ଲା ଶିଶୁସାହିତ୍ୟ ପୁରସ୍କାର , ସଭା  ଗଳ୍ପ ପୁରସ୍କାର, ସୁଲେଖା ଗଳ୍ପ ପୁରସ୍କାର,  ଶ୍ରେଷ୍ଠ ଗାଳ୍ପିକ ପୁରସ୍କାର , ସାହିତ୍ୟ ଭାରତୀ -ସ୍ମୃତି ସ୍ମାରକୀ ଗଳ୍ପ ପୁରସ୍କାର , ଜାତୀୟ ପୁରସ୍କାର ( ଆକାଶବାଣୀ ସଙ୍ଗୀତ ରୂପକ ) ଅର୍ପଣ ଗଳ୍ପ ପୁରସ୍କାର, ଅଳକା ଗଳ୍ପ ପୁରସ୍କାର , ଶ୍ୟାମସୁନ୍ଦର ମହାପାତ୍ର ଗଳ୍ପ ସମ୍ମାନ, କହ୍ନେଇଲାଲ ଗଳ୍ପ ପୁରସ୍କାର , ସୁରେନ୍ଦ୍ର ମହାନ୍ତି ଗଳ୍ପ ସମ୍ମାନ , ଧ୍ୱନିପ୍ରତିଧ୍ୱନୀ ଗଳ୍ପ ସମ୍ମାନ ଇତ୍ୟାଦି  ସମ୍ମାନରେ ସେ ସମ୍ମାନିତ।

ଓଡ଼ିଆ ସାହିତ୍ୟର ଉଜ୍ୱଳ ଜ୍ୟୋତିଷ୍କ ଲେଖକ ବିଷ୍ଣୁ ସାହୁଙ୍କ ସହ “ଆଳାପ” ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କ ସହ ।

୧. ଆପଣଙ୍କ ପାରିବାରିକ ଜୀବନ ସଂପର୍କରେ କିଛି କହନ୍ତୁ।
ଉତ୍ତର: ମୋ ପାରିବାରିକ ଜୀବନର ପୂର୍ବାକାଶରେ ରହିଛନ୍ତି ମୋ ବାପା, ବୋଉ, ସାନଭାଇ ,ପୁତୁରା ଯେଉଁ ମାନଙ୍କ ସମ୍ପର୍କରେ ମୁଁ  ବିଶଦ ଭାବେ ଲେଖି ସାରିଛି  ଗୋଟିଏ ଗାଁର ଚିତ୍ରପଟରେ। ସେମାନେ ଅଛନ୍ତି ଗାଁରେ।
ମୋ ପାରିବାରିକ ଜୀବନର ପଶ୍ଚିମାକାଶରେ ମୋ ପତ୍ନୀ ମିନୁଶ୍ରୀ, ତିନିଝିଅ କସ୍ତୁରୀ , ଆଲୋକିତା ଏବଂ ପ୍ରଜ୍ଞାକୁ ନେଇ। ମୋ ପରିବାର ଗୋଟିଏ ସଙ୍ଗୀତ ଏବଂ ସାହିତ୍ୟ କୈନ୍ଦ୍ରିକ ପରିବାର। ତିନିଝିଅ ସଙ୍ଗୀତରେ ଡିଗ୍ରୀଧାରିଣୀ, ପତ୍ନୀ ମିନୁଶ୍ରୀ ଜଣେ ଶିଶୁସାହିତ୍ୟିକା । ସେମାନେ ମୋ ସାହିତ୍ୟିକ ଜୀବନର ସୁସ୍ଥ ବାତାବରଣ ପାଇଁ ମତେ ଆଲୋକ ଉତ୍ତାପ ଓ ଜଳ ଯୋଗେଇ ଚାଲିଛନ୍ତି ପର୍ଯ୍ୟାପ୍ତ ପରିମାଣରେ।

୨. ଆପଣଙ୍କ ପ୍ରଥମ ସୃଷ୍ଟିର ଅଙ୍କୁରୋଦଗମ କେବେ ଘଟିଥିଲା ?
ଉତ୍ତର: ପ୍ରକୃତରେ ସପ୍ତମଶ୍ରେଣୀରେ ମୁଁ ପଢୁଥିଲା ବେଳେ ତରିକୁନ୍ଦ ହାଇସ୍କୁଲରେ ଗୀତଟିଏ ଲେଖିଥିଲି । “ଛନ୍ଦାଚରଣ ହେ ସନ୍ଧ୍ୟା ଆରତୀ ସାରି ନୁଆଁଇଲି ଶିର “। ଏହା ପରେ ଆଉ ଦଶ ପନ୍ଦରଟି ଗୀତିକବିତା , ଯାହା ସେତେବେଳେ ଆମ ନବପାଟଣା ଗ୍ରାମର ଦଧିବାମନଙ୍କ ମନ୍ଦିର ପ୍ରାଙ୍ଗଣରେ କେତେଜଣ ଗ୍ରାମ୍ୟ କଳାକାରଙ୍କ ଦ୍ଵାରା ବୋଲା ଯାଉଥିଲା। କିନ୍ତୁ ସେସବୁ କେଉଁଠି ପ୍ରକାଶିତ ହୋଇ ପାରିନଥିଲା । କିନ୍ତୁ ମୁଁ ମୋର ଯେଉଁ ଲେଖାକୁ ପ୍ରଥମେ ପ୍ରକାଶିତ କରିବାର ମାନ୍ୟତା ପ୍ରଦାନ କରିଛି ତାହା ପ୍ରକାଶିତ ହୋଇଥିଲା କଟକ ଆକାଶବାଣୀ କେନ୍ଦ୍ରରୁ , ପ୍ରସିଦ୍ଧ ନାଟକ ସପ୍ତାହ କାର୍ଯ୍ୟକ୍ରମରେ। ଶିଶୁ ଭାବରେ ମୋର ଜନ୍ମ ପ୍ରିୟ ଗାଁ ନବପାଟଣାରେ ସତ କିନ୍ତୁ ଜଣେ ଲେଖକ ଭାବରେ ମୋର ଜନ୍ମ ଆକାଶବାଣୀ କଟକ କେନ୍ଦ୍ରରେ।

୩.ଆପଣ  ନିଜର ଶିଳ୍ପକଳା ଓ ଚାତୁର୍ଯ୍ୟ ପାଇଁ କାହା ନିକଟରେ ଋଣୀ?
ଉତ୍ତର: ପ୍ରଥମତଃ ମୋ ବାପା ବୋଉଙ୍କ ପାଖରେ , ଦ୍ବିତୀୟତଃ ମୋ ଗାଁ ନବପାଟଣା ନିକଟରେ । ଯେଉଁଠି ପ୍ରତିଟି ସାଧାରଣ ଘଟଣାରେ ଗଳ୍ପ ବୀଜ ସବୁ ଭରପୁର ଥିଲା। ଶେଷରେ ମୋ ପୂର୍ବସୁରୀ ଗାଳ୍ପିକ ଗଣ  ଯଥା ସୁରେନ୍ଦ୍ର ମହାନ୍ତି , ମନୋଜ ଦାସ , ରାମଚନ୍ଦ୍ର ବେହେରା , ଅଚ୍ୟୁତାନନ୍ଦ ପତି , ତରୁଣକାନ୍ତି ମିଶ୍ରଙ୍କ ଠାରୁ  ପ୍ରତିଭାବାନ ମୋର କେତେଜଣ ଗାଳ୍ପିକ ମାନଙ୍କ ନିକଟରେ। ଏ ସମସ୍ତଙ୍କର ପ୍ରଭାବ ମୋ ଭିତରେ କୌଣସି ଏକ ରାସାୟନିକ ପ୍ରକ୍ରିୟା ଦ୍ୱାରା ଏଭଳି ଫେଣ୍ଟିହୋଇ ଯାଇଛି ଯେ ସେଥିରୁ କାହାକୁ ସ୍ୱତନ୍ତ୍ର ଭାବରେ  ରେଖାଙ୍କିତ କରିବା ଅତ୍ୟନ୍ତ କଷ୍ଟକର ବ୍ୟାପାର। କିନ୍ତୁ ପ୍ରକୃତରେ ସମସାମୟିକ କଥାଶିଳ୍ପୀ ଭାବରେ ମୋର ପ୍ରସିଦ୍ଧି ପଛରେ ଅଛି  ନାନାଦି ଶୁଭଶକ୍ତିଙ୍କର ଅବଦାନ ଯେଉଁମାନଙ୍କ ଋଣଭାରରେ ମୋ ମସ୍ତକ ଅବନତ।

୪. ଗ୍ରାମ୍ୟସ୍ମୃତି ଆଧାରିତ ଆପଣଙ୍କ “ଗୋଟିଏଗାଁର ଚିତ୍ରପଟ”  ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛି । ତେବେ ପୁରସ୍କାର ପାଇବା ସମ୍ପର୍କରେ ଆପଣ ପ୍ରଥମେ କେମିତି ଜାଣିଲେ? ଆପଣଙ୍କ ପ୍ରତିକ୍ରିୟା କିପରି ଥିଲା?

ଉତ୍ତର:ପୁରସ୍କାର ପାଇବାର ସମ୍ବାଦ ସନ୍ଧ୍ୟା ୩ ଟା ୧୦ ମିନିଟରେ ମୁଁ ପ୍ରଥେମ ଶୁଣିଲି ମୋର ଜଣେ  ବନ୍ଧୁ ଗାଳ୍ପିକ ଚୌଧୁରୀ ବରଦା ପ୍ରସନ୍ନ ଦାସଙ୍କ ଠାରୁ । ସେ ଟିଭିରୁ ସମାଚାର ଦେଖି ମୋତେ ଜଣାଇଥିଲେ। ମୁଁ ଅଫିସରେ ବିଳମ୍ବିତ  ସମୟ ଯାଏଁ କାର୍ଯ୍ୟବ୍ୟସ୍ତ ଥିଲାବେଳେ। ମୁଁ ସ୍ୱାଭାବିକ ଭାବରେ ଖୁସି ହୋଇଗଲି। ରାତି୧୦ଟା ପର୍ଯ୍ୟନ୍ତ ସେଇଠି ବସିବସି ମୋର ଶୁଭେଚ୍ଛୁ ଏବଂ ପାଠକ ମାନଙ୍କର ଅଭିନନ୍ଦନ ଗ୍ରହଣ କଲି ପ୍ରକୃତରେ ଆନନ୍ଦମୟ ଅନୁଭୁତି । ଏହା ସହିତ ମୋର ହୃଦବୋଧ ହେଲା ଏ ପୁରସ୍କାର ମୋର ଗଳ୍ପଗ୍ରନ୍ଥ “ଗୋଟିଏ ଗାଁର ଚିତ୍ରପଟକୁ ” ପ୍ରସିଦ୍ଧ କରିବା ସହିତ  ମୋ ପ୍ରିୟ ଗାଁ ଗଳ୍ପପ୍ରସୂ ନବପାଟଣାକୁ ମଧ୍ୟ କମ ପ୍ରସିଦ୍ଧି ଆଣିଦେଇନାହିଁ।
ଏ ପୁରସ୍କାର ନିଶ୍ଚିତ ଭାବରେ ମୋର ଦୀର୍ଘଦିନବ୍ୟାପି ସାଧନାର ଫଳଶ୍ରୁତ  ଏବଂ ମୋ ଗଳ୍ପର ଶୈଳୀ ତଥା କଥାବସ୍ତୁ ସପକ୍ଷରେ, ଗୋଟିଏ ଉଚ୍ଚତର ସ୍ୱୀକୃତି। ଯାହାକୁ ସମ୍ମିଳିତ କରତାଳି ଦେଇ ଅଭିନନ୍ଦନ ଜଣାଇଛନ୍ତି ମୋ ପ୍ରିୟ ପାଠକକୁଳ ଓ ଶୁଭେଚ୍ଛୁବର୍ଗ।

୫. ଜଣେ ସର୍ଜନଶୀଳ ଶିଳ୍ପୀ ନିମନ୍ତେ ପୁରସ୍କାର କିଭଳି ଗୁତୁତ୍ୱ ରଖେ ବୋଲି ଆପଣ ବିଚାର କରନ୍ତି।

ଉତ୍ତର: ହଁ , ଗୁରୁତ୍ୱ ରଖେ । ଦେଖନ୍ତୁ ଜଣେ ସାହିତ୍ୟସ୍ରଷ୍ଟା ନିରନ୍ତର ସାଧାନାରେ ଜୀବନବବିତାଇ ଚାଲିଥାଏ । ସେ ପୁଣିଏମିତି ଏକ ଜୀବନ ଯେ ତା ଚାରିକାଡ଼େ ଦୁଃଖ , ଦୁର୍ବିପାକ ଓ ନୈରାଶ୍ୟ ଘୁରିବୁଲୁଥାନ୍ତି , ଋଷି ବିଶ୍ଵାମିତ୍ରଙ୍କ ଚାରିକଡ଼େ ରେରେକାର କରୁଥିବା ଅସୁରପରି ଯଜ୍ଞ ପଣ୍ଡ କରିବା ପାଇଁ ସେମାନଙ୍କର କୁ ପ୍ରୟାସ ଜାରି ରହିଥାଏ। ଯଦିଓ ସେହି ସାଧକର ସାଧନା ସହଜରେ ବିଡ଼ମ୍ବିତ କିମ୍ବା ଲକ୍ଷଭ୍ରଷ୍ଟ ହୁଏନା। ତଥାପି ସେ ମନେ ମନେ ଖୋଜୁଥାଏ ଟିକେ ଆଶ୍ୱାସନା ଟିକକ ନେଇ ଆସେ ଏବଂ ଆତ୍ମଶକ୍ତିକୁ ଆଉଟିକେ ତେଜିଦିଏ।
ଲେଖକଟିଏ ଲେଖାଲେଖି ବାବଦରେ କାଣିଚାଏ ପାରିଶ୍ରମିକ ପାଏନା। ଏପରିକି ଲେଖାଟିଏ ପତ୍ରିକାକୁ ପଠାଇବା ପାଇଁ ଲୋଡ଼ା ହେଉଥିବା ଖର୍ଚ୍ଚ ବି ପାଏନା। ପ୍ରକାଶନ ସଂସ୍ଥାରେ ବହିଟିଏ ପ୍ରକାଶିତ ହେଲେ ସେଥିପାଇଁ ରୟାଲଟି ମଧ୍ୟ ପାଏନା। ଯେଉଁ ପାଠକ ମାନଙ୍କ ପାଇଁ ରାତି ରାତି ଉଜାଗର ରହି ସେ ଲେଖାଟିଏ ପ୍ରସ୍ତୁତ କରେ ସେମାନେ କେତେ ସଂଖ୍ୟାରେ ଲେଖାଟିକୁ ପଢ଼ାନ୍ତି , ସେ କଥା ଆମେ ସମସ୍ତେ ଜାଣୁ। ଯେଉଁ ଅଳ୍ପ ସଂଖ୍ୟକ ପଢନ୍ତି ସେମାନଙ୍କ ଠାରୁ କୌଣସି ପ୍ରତିକ୍ରିୟା ମଧ୍ୟ ଲେଖକଟିଏ ପାଏନା।

ବାକି ରହିଲା ପ୍ରତିଷ୍ଠା କଥା , ଯେଉଁଠି ଲେଖକ ଟିଏ ତା’ର ସାମାନ୍ୟ ପରିଚିତି ଟିଏ ହାସଲ କରିବାରେ ବ୍ୟର୍ଥ ହେଉଥାଏ। ସେଠାରେ ପ୍ରତିଷ୍ଠା ତା’ପାଇଁ ଗୋଟିଏ ଦିବାସ୍ବପ୍ନ ନୁହେଁ କି ? ଫାଟି ଆଁ କରି ନିର୍ଜଳା ପ୍ରାନ୍ତର ପରି ଦିଶୁଥିବା ନାହିଁ ନାହିଁର ପୃଥିବୀ ଉପରେ ପୁରସ୍କାର ଅସରାଏ ବର୍ଷା ପାଣି ପରି। ତା’ ପିଣ୍ଡରେ ପ୍ରାଣ ପୁରାଏ। ହଁ ସେ ପୁରସ୍କାର , ଏ ଲୋକ ଦେଖାଣିଆ ସାମାଜରେ ଲେଖକକୁ କିଛି ମାତ୍ରାରେ ପରିଚିତି ଦିଏ । ହେଉପଛେ ଏତକ ଉପଲବ୍ଧି କ୍ଷଣସ୍ଥାୟୀ।।କିନ୍ତୁ ଲେଖକକୁ ତା ହା ହା କାରର ନିଗତ୍ ଭିତରୁ ମୁକ୍ତି ଦେବା ପୁରସ୍କାର ଗୋଟିଏ ମହନୀୟ ଅବଦାନ ।

୬. ବିଷ୍ଣୁସାହୁଙ୍କ ପ୍ରେମଗଳ୍ପ ପୁସ୍ତକରେ ପ୍ରେମ ବର୍ଣ୍ଣନା ଖୁବ ହୃଦୟସ୍ପର୍ଶୀ ଏବଂ ବହୁସମୟରେ ଏହା ଦେହାତୀତ ମଧ୍ୟ । ତେବେ ଏହି ପ୍ରେମର ଉତ୍ସ ବ୍ୟକ୍ତିଗତ ନା ସାହିତ୍ୟମନସ୍କତାରୁ ଉତ୍ସ ?

ଉତ୍ତର: ଯୁଗେ ଯୁଗେ ପ୍ରତିଭାବାନ ସାହିତ୍ୟସ୍ରଷ୍ଟାଟିଏ ସୁକୁମାରପ୍ରେମ ଭାବନାର ସ୍ରୋତ ମୁହଁରେ ପରମ ଆହ୍ଲାଦରେ ଭାସି ଚାଲିଥାଏ। କେବଳ ଲେଖକ ଟିଏ କାହିଁକି କବି , ଚିତ୍ରଶିଳ୍ପୀ , ସଂଗୀତଜ୍ଞ କେହି ମଧ୍ୟ ପ୍ରେମର ବାହୁବଳୟ ଭିତରୁ ବର୍ତ୍ତିପାରିନାହାଁନ୍ତି । ସେମାନେ ଦେହକୁ ନେଇ ଯେତିକି ପାଗଳ ଦେହାତୀତକୁ ନେଇ ତହୁଁ ବେଶୀ ଅନ୍ୟମନସ୍କ । ଏହି ପ୍ରେମପ୍ରବଣତା ହିଁ ତାଙ୍କଭିତରେ ସର୍ଜନାଗ୍ନିକୁ ଶେଷନିଶ୍ୱାସ ଥିବାପର୍ଯ୍ୟନ୍ତ ଜଳାଇ ରଖିଥାଏ। ପ୍ରେମ ଯେତିକି ପ୍ରାଚୀନ ନବ ନବ ରସାନୁଭୁତିରେ ସେତିକି ଅଭିନବ ଏବଂ ଉଦ୍ଦାପିତ।

୭. ଗଳ୍ପ ବ୍ୟତୀତ ଆପଣ ନାଟକ , କବିତା , ଗୀତିକବିତା ସ୍ତମ୍ଭ ଶିଶୁସାହିତ୍ୟ , ଫିଚର ପ୍ରଭୃତି ଲେଖି ଖୁବ ପ୍ରଶଂସିତ ହୋଇଛନ୍ତି ମ ତେବେଆପଣ ନିଜକୁ କେଉଁବିଭାଗରେ ଅଧିକ ସହଜ ଭାବନ୍ତି।

ଉତ୍ତର: ଦୀର୍ଘ ଦିନର ସାହିତ୍ୟସାଧାନରୁ ମୋର ଉପଲବ୍ଧି ହୋଇଛି  , ଭାଷାର ଆନୁପାତିକ ପ୍ରୟୋଗ , ପ୍ରକାରଭେଦ ସୂତ୍ର ଓ ସ୍ୱରୂପ ତଥା ଭାଷାର ବର୍ଣ୍ଣନାତ୍ମକ ଅବରୋଧକୁ ଯଥାର୍ଥ ଭାବରେ ଅନୁଶୀଳନ କରିପାରିଲେ ଯାଇ ଜଣେ ନିଷ୍ଠାପର ସ୍ରଷ୍ଟା ଯାହାକିଛି ଲେଖିଲେ ବି ସେଥିରେ କଳାତ୍ମକତା ଫୁଟିଉଠେ। କଳାତ୍ମକତା ନଥିଲେ ଲେଖା ପ୍ରଶଂସିତ ହୋଇପାରେନା। ତେବେ ସାହିତ୍ୟର ଏତେ ଦୀର୍ଘ ଏବଂ ଜଟିଳ ପଥ ଦେଇ ଆସୁଆସୁ ମୁଁ ଅଟକି ଯାଇଛି । ସେଇଟିହେଲା ଗଳ୍ପ ପ୍ରବାହ ସବୁଜସୁନ୍ଦର ଉପତ୍ୟକା। ମୁଁ ତାକୁ ଯେତେ ନୟନ ପୁରାଇ ଦେଖିଲେ ସୁଦ୍ଧା ତୃପ୍ତିର ଅବସାଦ ଆସୁନାହିଁ। କାଳକ୍ରମେ ମୁଁ ଗଳ୍ପର ମାୟାଜାଲରେ ଛନ୍ଦି ହୋଇପଡିଛି। ନିରନ୍ତର ପରୀକ୍ଷା ନିରୀକ୍ଷା ଯୋଗୁଁ ମୁଁ ମୋ ଗଳ୍ପରେ କବିତା , ଗୀତି କବିତା ନାଟକୀୟତାର ତ୍ରିବେଣୀସଙ୍ଗମ ଘଟାଇ ପାରିଛି ବୋଲି ମୋର ହୃଦବୋଧ ହୋଇଛି। ତେବେ କ୍ଷୁଦ୍ରଗଳ୍ପ ମତେ ସବୁଠୁଁ ଅଧିକ ଆନଦ ଦେଇଛି ଏବଂ କହିବାକୁ ଗଲେ ବର୍ତ୍ତମାନ ମୋପାଇଁ ଗଳ୍ପହିଁ ସର୍ବୋତ୍ତମ।

୮ . ଆପଣଙ୍କ ଶ୍ରେଷ୍ଠ ଲେଖା କେଉଁଠି?

ଉତ୍ତର:ମୋ ଶ୍ରେଷ୍ଠଗଳ୍ପର ବିଚାର ମୋ ପାଠକ ଏବଂ ସମାଲୋଚକ ମାନଙ୍କ ହାତରେ ଛାଡ଼ିଦେବା ବିଜ୍ଞତା ହେବ । ତେବେ ମୁଁ ମୋ ପ୍ରିୟଗଳ୍ପ କେତୋଟିର ସୂଚନା ଦେଇପାରେ। ପ୍ରାୟ ପ୍ରତ୍ୟେକ ଗଳ୍ପରେ ମୁଁ  ମୋ ସୃଜନାତ୍ମାର କିଛି ଅଂଶ ଢାଳିଦେଇ ସେଗୁଡିକୁ ଗଢ଼ିଥାଏ। ସେହି ପ୍ରିୟ ସୃଷ୍ଟି ଗୁଡିକ ଭିତରେ ମୁନ୍ନାପାଇଁ ପ୍ରାଥନା , କାହାଣୀ ଓ କାଠଚମ୍ପା , ଗୋଟିଏ ପ୍ରଜାପତିରଜନ୍ମ , ଚନ୍ଦ୍ରମା ମଜୁମଦାର , ଜଣେ ସୁନ୍ଦରୀ ସମ୍ପର୍କରେ  ଏବଂ ଗୋଟିଏ ଗାଁର ଚିତ୍ରପଟର ସବୁତକ ଗଳ୍ପ ଇତ୍ୟାଦି । ଏସବୁ ଉଲ୍ଲେଖ କଲାବେଳେ ମୋ ଭାବାବେଗକୁ ନିୟନ୍ତ୍ରଣରେ ରଖିବା ବଡ଼ କଠିନହେଉଛି।

୧୦ ଅନ୍ୟାନ୍ୟ ଭାରତୀୟ ସାହିତ୍ୟ ତୁଳନାରେ ଓଡ଼ିଆ ଗଳ୍ପର ସ୍ଥିତି ବର୍ତ୍ତମାନ କେଉଁଠି ? ଏହାର ଭବିଷ୍ୟତ କ’ଣ ?

ଉତ୍ତର:ଅନ୍ୟାନ୍ୟ ଭାରତୀୟ ଗଳ୍ପ ସାହିତ୍ୟ ତୁଳନାରେ ଓଡ଼ିଆ ଗଳ୍ପ କାନ୍ଧକୁ କାନ୍ଧ ମିଳାଇ ଚାଲିବା ପରି ଏବଂ ସ୍ଥଳବିଶେଷରେ ମୁଣ୍ଡ ଉପରକୁ ଉଠାଇ ଠିଆ ହେଲାପରି ମଧ୍ୟ। ବିଭିନ୍ନ ଭାରତୀୟ ଭାଷାର ଆଦରଣୀୟ କଥାଶିଳ୍ପୀଙ୍କ ଯେଉଁଗଳ୍ପକୁ ଅନୁବାଦ ଜରିଆରେ ଆସି ଆମ ନିକଟରେ ପହଁଚିଛି ସେସବୁ ସହିତ ଆମ ସାହିତ୍ୟର ଗାଳ୍ପିକଙ୍କ ଗଳ୍ପକୁ ତୁଳନାତ୍ମକ ଭାବେ ଅନୁଶୀଳନ କରିବା ପରେ ନିଶ୍ଚୟ ଜଣେ ସଚେତନ ପାଠକ  ଉପରୋକ୍ତ ନିଷ୍କର୍ଷରେ ପହଞ୍ଚିପାରିବ। ତେବେ ତୁଳନାତ୍ମକ ଭାବରେ ଆମ ଗଳ୍ପ ଗୁଡ଼ିକ ଚରମ ଉଦାସୀନତା  କାରଣରୁ ଅନ୍ୟ ଭାଷାକୁ ଅନୁଦିତ ନହେବା ଆମର ଅସଲ ସମସ୍ୟା ।

୧୧ .ଓଡ଼ିଆ ଭାଷା ପ୍ରତି ବିମୁଖତା ଯୋଗୁଁ ଓଡ଼ିଆ ସାହିତ୍ୟର ଅଧୋଗତି ହେଉଛି କି ? ଯଦି ହେଉଥାଏ ଏଥିରୁ ରକ୍ଷାପାଇବାର ଉପାୟ କଣ ?

ଉତ୍ତର:ଓଡ଼ିଆ ଭାଷାପ୍ରତି ବିମୁଖତା ଏବଂ ଓଡ଼ିଆ ଭାଷା ସାହିତ୍ୟ ପ୍ରତି ବିମୁଖତା ଦୁଇଟା ଯାକର ପରିପ୍ରେକ୍ଷୀ ଭିନ୍ନ ଭିନ୍ନ । ଯେଉଁମାନେ ଇଂରାଜୀ ଭାଷା ପ୍ରୀତି ଦେଖାଇ ପିଲା ମାନଙ୍କୁ  ଇଂରାଜୀ ପଢ଼ାଇ ଶିକ୍ଷିତ କରୁଛନ୍ତି ସେମାନଙ୍କ ଭିତରୁ କେତେଜଣ ଇଂରାଜୀ ସାହିତ୍ୟ ପଢ଼ନ୍ତି ? ପଢ଼ନ୍ତି କି  ସେକସପୀୟର, ମିଲଟନ , କିଟସ , ଏଲିଅଟ କିମ୍ବା ନାଇପଲଙ୍କୁ ? ସେମାନେ ଇଂରାଜୀ ସାହିତ୍ୟ ଟ୍ରେଣ୍ଡ ସମ୍ପର୍କରେ ସଚେତନକି ?
ନା, ଏହା କଦାପି ନୁହେଁ । ପ୍ରକୃତରେ ସେମାନେ ଯେଉଁଭାଷା ମୋହରେ ଅନ୍ଧ ତାହା ହେଉଛି ପାଠ୍ୟ ପୁସ୍ତକର ଭାଷା। ସ୍ଥଳବିଶେଷରେ ତାହା ବୈଷୟିକ ଜ୍ଞାନ କୌଶଳ ସମ୍ମିଳିତ ପୁସ୍ତକର ଭାଷା। ସେ ଭାଷା ସାହିତ୍ୟର ଭାଷା ନୁହେଁ । ତାହା ଯେଉଁଭାଷା ତାକୁ ପଢି ପଦ ପଦବୀ ପ୍ରତିଷ୍ଠା ମିଳିବ ବୋଲି ସେମାନଙ୍କ ଧାରଣା । ଭାଷା ସାହିତ୍ୟ ପ୍ରତି ରୁଚିଶୀଳ ହେବା ଏଭଳି ଏକ ବ୍ୟାପାର ଯେ , ସେ ଯେଉଁ ଭାଷା ହେଉନା କାହିଁକି ,କୌଣସି ବି  ଗୋଟିଏ ଭାଷାସାହିତ୍ୟ ପ୍ରତି ଆଗ୍ରହ ରହିବା ଏକ ଉତ୍ତୀର୍ଣ୍ଣ ମାନସିକତାର କଥା। ସାମ୍ପ୍ରତିକ ସମୟରେ ଓଡ଼ିଆ ସାହିତ୍ୟରେ ପ୍ରକାଶିତ ପତ୍ରପତ୍ରିକା ଏବଂ ପୁସ୍ତକ ସଂଖ୍ୟା ବଢିଛି , ସେହି ଅନୁସାରେ ପାଠକ ସଂଖ୍ୟାର ମଧ୍ୟ ବୃଦ୍ଧି ଘଟିଛି। ।ଯଦି ଓଡ଼ିଆ ସାହିତ୍ୟର ଅଧଃପତନ ଘଟୁଛି ବୋଲି କୁହାଯାଉଛି ତା’ର ପ୍ରମୁଖ କାରଣଟି ଆମ ସାହିତ୍ୟ ଜଗତରେ ଗୁଡ଼ିଏ ଅଲେଖକଙ୍କର ଅନୁପ୍ରବେଶ ବୋଲି ଏ ଲେଖକ ମନେ କରେ। ସୃଜନାତ୍ମକ ମୌଳିକ ଲେଖା କ୍ଷେତ୍ରରେ କୌଣସି ସାଲିସ କରାନଯାଉ। ଲେଖା ନିର୍ବାଚନ ବେଳେ ସମ୍ପାଦକ ଜଣେ ମନେ ରଖିବା ଉଚିତ ଯେ ଭାଷା ସାହିତ୍ୟ ଗୋଟିଏ ଜାତିର ସ୍ବାଭିମାନଏବଂ ମେରୁଦଣ୍ଡ।। ତେଣୁ ଯାହା ତାହା ଲେଖା ପ୍ରକାଶ କରି ପୃଷ୍ଠା ପୂରଣ କରିବା ସାହିତ୍ୟ ଦ୍ରୋହ ବୋଲି ଆମର ବିଚାର  ।

୧୨.ନବପ୍ରଜନ୍ମର ଗଳ୍ପ ସ୍ରଷ୍ଟାମାନଙ୍କୁ ଯଦି ଗୋଟିଏକଥା ଆପଣଙ୍କର କହିବାର ଥାଏ , ତେବେ ସେଇଟି କ’ଣ ?

ଉତ୍ତର: ଆମର ସାହିତ୍ୟ ଶାସ୍ତ୍ରରେ ଅଛି ଗଦ୍ୟମ କବିନାଂ ନିକଶଂ ଭବତି ଅର୍ଥାତ ଜଣେ କବିର ଉଚ୍ଚତା ଯଦି ମାପିବାକୁ ଚାହଁ , ତେବେ ତାକୁକିଛି ଗଦ୍ୟ ଲେଖିବାକୁ କହ । ଗଦ୍ୟରୁହିଁ ତାର ସାମର୍ଥ୍ୟ ପ୍ରତିଭାତ ହେବ।
ଏ ଲେଖକ ସେହିପରି ନିଜ ଅନୁଭୁତିରୁ ପଂକ୍ତିଟିଏ ଆବିଷ୍କାର କରିଛି  । ତାହା ହେଲା ବାକ୍ୟମ କଥାକାରା ନିକଷ ଭବତି  ଅର୍ଥାତ ଗାଳ୍ପିକଟିଏ ପ୍ରଥମେ ବାକ୍ୟଟିଏ ଲେଖି ଶିଖୁ , ଗୋଟିଏ ବାକ୍ୟରୁ ହିଁ ଗାଳ୍ପିକର ଉଚ୍ଚତା ମାପିହେବ । ବ୍ୟଞ୍ଜନାପୂର୍ଣ୍ଣ ଶବ୍ଦବିନ୍ୟାସ ନଥିଲେ ତାହା ଗଳ୍ପ ବାକ୍ୟ ଟିଏ ଭାବରେ ନିଷ୍ପ୍ରଭ ଦିଶିବ।
କହିବା କଥା ହେଲା , ଖୁବ ସହଜ ସରଳ ଏବଂ ଶବ୍ଦ ମଧ୍ୟ ଭାବପୂର୍ଣ୍ଣ ବ୍ୟଞ୍ଜନା ସୃଷ୍ଟି କରାଯାଇପାରେ। ଏହା ଅଧ୍ୟୟନ ଓ ଅଧ୍ୟବସାୟରୁ ହିଁ ମିଳିବ ।  କୋଟି କୋଟି ସାଧାରଣ ମଣିଷଙ୍କ ଭିତରେତ ଗଳ୍ପର ଭୃଣ ଭରପୂର ହୋଇ ରହିଛି। ସେମାନଙ୍କୁ ଗାଳ୍ପିକ ବୋଲି କୁହାଯାଇ ପାରିବକି ? ତାକୁ ହିଁ ଗାଳ୍ପିକ କୁହାଯିବ ଯିଏ ଗଳ୍ପରେ ତା ବାକ୍ୟ ଗୁଡ଼ିକ ଛନ୍ଦୋବଦ୍ଧ ଭାବରେ ନିର୍ମାଣ କରିବାର କୌଶଳ ଅକ୍ତିଆର କରିପାରୁଥିବ ଏବଂ କଥାବସ୍ତୁର ସଂଯୋଜନାରେ ତା’ କଳା କାରିଗରୀ ହିଁ ଫୁଟାଇ ପାରୁଥିବ ।