ନିଜ ମା’ଠୁ ପାଇଥିବା ସବୁଠୁ ଦୁର୍ମୂଲ୍ୟ ଉପହାର ହେଉଛି ଭାଷା : କମଳା ଶତପଥୀ

ଓଡ଼ିଆ ସାହିତ୍ୟ ଆକାଶର ଏକ ସୁପରିଚିତ ନକ୍ଷତ୍ର କମଳା ଶତପଥୀ । ତାଙ୍କ ସୃଜନୀର ସ୍ରୋତ ଦିଗରୁ ଦିଗନ୍ତ ଯାଏଁ ପରିବ୍ୟାପ୍ତ । ଓଡ଼ିଶା ବାହାରେ ରହି ମଧ୍ୟ ଓଡ଼ିଆ ଭାଷା ସାହିତ୍ୟକୁ ସେ ରୁଦ୍ଧିମନ୍ତ କରିଚାଲିଛନ୍ତି । ତାଙ୍କରି ପ୍ରତିଟି ରଚନାରେ ଥାଏ ଜୀବନର ଦର୍ଶନ । ଭାବ ଓ ଭାଷାର ସମ୍ମିଶ୍ରଣରେ ସେ ଫୁଟାଇ ପାରନ୍ତି ଅନେକ ଚରିତ୍ର । ପୁଣି ସେଇ ଚରିତ୍ର ମାନଙ୍କରେ ରଙ୍ଗ ଭରି ଜୀବନ୍ତ କରନ୍ତି ତାଙ୍କ କଲମ ନିଃସୃତ ପ୍ରତିଟି ଶବ୍ଦ ।

ଇନ୍ଦ୍ରଧନୁର ଅଷ୍ଟମ ରଙ୍ଗ, ପୂର୍ଣ୍ଣଚ୍ଛେଦ ପରର କାହାଣୀ , ଗୋଟିଏ ପାପର କାହାଣୀ , ଚିରାଧଡି , ମହାପାତ୍ରବାବୁଙ୍କ ହାଲ୍ ଚାଲ୍ , ସଂପର୍କର ଦୋ’ଛକିରେ ମଣିଷ (ଇ-ବୁକ୍) ( ଗଳ୍ପ ସଂକଳନ ), ଶେଷ ଫଗୁଣ ( କବିତା ସଂକଳନ ),ମହୁମାଛିର ଜୀବନ ( ନିବନ୍ଧ ) ,ହାଏ ମୁମ୍ବଈ, ଅଧାକାନ୍ଥି ଘର, ସଲାମ୍ ମୁମ୍ବଈ, ହେଲୋ ଭୁଟାନ୍ (ଭ୍ରମଣ ଉପନ୍ୟାସ) , ଫଗୁଣଟା ଫେରିଗଲା ପରେ ଆଦି ଉପନ୍ୟାସର ସେ ସ୍ରଷ୍ଟା ।

କ୍ୟାନସର୍ ନୁହେଁ ଅସାଧ୍ୟ ବେମାରୀ (ଇଣ୍ଡିଆନ୍ କ୍ୟାନସର୍ ସୋସାଇଟି ଦ୍ୱାରା ସଂକଳିତ କ୍ୟାନସର୍ ଉପରେ ଶହେଟି ପ୍ରଶ୍ନ ଆଉ ଉତ୍ତରର ଓଡିଆ ଅନୁବାଦ), ଯାତ୍ରା (ପ୍ରସିଦ୍ଧ ମରାଠୀ ଲେଖକ ଶ୍ରୀ ଶାନ୍ତାରାମଙ୍କ କାହାଣୀର ଓଡିଆ ଅନୁବାଦ), ଜୀବନର ସତ୍ୟତା (ତେଲୁଗୁ ଲେଖକ ଜନାର୍ଦ୍ଦନ ଅମ୍ୱାଲାଙ୍କ କିଛି କାହାଣୀର ହିନ୍ଦୀରୁ ଓଡିଆରେ ଅନୁବାଦ), ରାଣୀର କାହାଣୀ (ତେଲୁଗୁ ଲେଖକ ସଲିମ୍ ଙ୍କର ଉପନ୍ୟାସର ହିନ୍ଦୀରୁ ଓଡିଆରେ ଅନୁବାଦ ), ସୁନେଲି ବାଦଲ (ତେଲୁଗୁ ଲେଖକ ସଲିମ୍ ଙ୍କର ଉପନ୍ୟାସର ହିନ୍ଦୀରୁ ଓଡିଆରେ ଅନୁବାଦ ), ଧ୍ବଂସ ତଳର ଜୀବନ (ତେଲୁଗୁ ଲେଖକ ସଲିମ୍ ଙ୍କର ଉପନ୍ୟାସର ହିନ୍ଦୀରୁ ଓଡିଆରେ ଅନୁବାଦ ) ଇତ୍ୟାଦି ଅନୁବାଦ ପୁସ୍ତକର ସେ ଅନୁବାଦିକା ।

ବୀତେ ବସନ୍ତ କୀ ବାତେଁ (ହିନ୍ଦୀରେ ଅନୁବାଦ ହେଇଥିବା ନିଜର କିଛି କାହାଣୀର ସଂକଳନ ),ସରତ୍ୟା ବସନ୍ତାଚ୍ୟା ଗୋଷ୍ଠୀ (ମରାଠୀରେ ଅନୁବାଦ ହେଇଥିବା ନିଜର କିଛି କାହାଣୀର ସଂକଳନ ), ବୀଣାପାଣି ମହାନ୍ତି କୀ କହାନିୟାଁ (ବୀଣାପାଣି ମହାନ୍ତିଙ୍କ କାହାଣୀର ଉର୍ଦ୍ଦୁ ଅନୁବାଦର ସଂକଳକ ଓ ପ୍ରକାଶକ) ଇତ୍ୟାଦି ତାଙ୍କର ଅନ୍ୟ ଭାଷାରେ ଅନୁଦିତ ହୋଇଥିବା ପୁସ୍ତକ ପାଠକ ମାନଙ୍କ ଦ୍ୱାରା ବେଶ ଆଦୃତ ।

ସୁଧନ୍ୟା ଗଳ୍ପ ସମ୍ମାନ, ଓଡିଶା ଲେଖିକା ସଂସଦ ସମ୍ମାନ, ପ୍ରତିଭା ପୂଜା ସଂସଦ ସମ୍ମାନ,ଗନ୍ଧଗିରି ସମ୍ମାନ,କଳିଙ୍ଗ ପୁସ୍ତକମେଳା ସମ୍ମାନ, ସୁବାର୍ତ୍ତା ଶ୍ରେଷ୍ଠ କବୀ ସମ୍ମାନ, ସାଗରିକା ଗଳ୍ପ ସମ୍ମାନ, କେଦାରନାଥ ଗବେଷଣା କେନ୍ଦ୍ର ପୁରସ୍କାର, ରାଜଧାନୀ ପୁସ୍ତକମେଳା ସମ୍ମାନ, ଗଙ୍ଗାଧର ରଥ ଫାଉଣ୍ଡେସନ୍ ର ସୁବ୍ରତ ରଥ ସ୍ମାରକୀ ପୁରସ୍କାର, ଦକ୍ଷା ଉପନ୍ୟାସ ସମ୍ମାନରେ ସେ ସମ୍ମାନିତା ।

ଏହାଛଡା ଶବ୍ଦସୃଷ୍ଟି ପରିବାର (ମୁମ୍ବଈ) , ମରାଠୀ ସାହିତ୍ୟ ସମାଜ (ମୁମ୍ବଈ), ବମ୍ବେ ଓଡିଆ ଓମେନସ ଆସୋସିଏସନ୍ସ , ବ୍ରଜ-ଗୌରୀ ଟ୍ରଷ୍ଟ, ମହାରାଷ୍ଟ୍ର ୱେଲଫେୟାର ଆସୋସିଏସନ୍ସ (ମୁମ୍ବଈ), ଉତ୍କଳ ସମିତି (ମୁମ୍ବଈ) ଇତ୍ୟାଦି ଅନେକ ଅନୁଷ୍ଠାନ ତରଫରୁ ମଧ୍ୟ ସେ ସମ୍ମାନିତା ।

ଲେଖିକା କମଳା ଶତପଥୀଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କ ଆଳାପ ।

 

୧ . ସାହିତ୍ୟର ସଜ୍ଞା କ’ଣ ?

ଉତ୍ତର : ପ୍ରତି ମଣିଷର କହିବାକୁ ବହୁତ କିଛି ଥାଏ । ସମସ୍ତେ ତା’ କଥା ଶୁଣନ୍ତୁ, ଏପରି ଏକ ଗୋପନ ଇଚ୍ଛା ମନରେ ସାଇତି ରଖିଥିଲେ ବି ଅନେକ ସମୟରେ କହିବାକୁ ସାହସ କରିପାରେନା । ଯେତେବେଳେ ନିଜକୁ ସଂପୂର୍ଣ୍ଣ ପ୍ରସ୍ତୁତ କରି ଅନ୍ୟମାନଙ୍କ ପାଖରେ ପ୍ରକାଶ କରିବାକୁ ଚେଷ୍ଟା କରେ, ସେତେବେଳେ ସାହିତ୍ୟକୁ ମାଧ୍ୟମ କରେ । କହିବାର ଶୈଳୀ ଯାହାର ଯେତିକି ବଳିଷ୍ଠ, ତାକୁ ଶୁଣିବାକୁ ଲୋକଙ୍କ ଭିତରେ ବଢେ ସେତିକି ଆଗ୍ରହ । ଏସବୁର ଆରମ୍ଭ ମୋ ହିସାବରେ ଗାଁ ମାନଙ୍କର ମହିଳା ମହଲରୁ ହି ହେଇଥିବ ନିଶ୍ଚୟ । ପୋଖରୀ ହୁଡାରେ, ନଈ ତୁଠରେ ଅବା ଢିଙ୍କିଶାଳ କି ଖନ୍ଦାଶାଳରେ ବସି ୟା’ ତା’ ନାଁରେ କିଛି ଘଟଣାର ଅବତାରଣା କଲା ବେଳେ ସେମାନେ ଯେମିତି ଫାନ୍ଦିଫୁନ୍ଦି କଥାକୁ ଅଧିକରୁ ଅଧିକ ରୋଚକ କରି ପରିବେଷଣ କରନ୍ତି, ତାହା ହିଁ ସାହିତ୍ୟର ଏନ୍ତୁଡିଶାଳ । କାହାଣୀର ପ୍ରାରମ୍ଭ ସେଇଠୁ । ମାନେ କିଛି ସମୟ ପାଇଁ ନିଜ ଦୈନନ୍ଦିନ କାର୍ଯ୍ୟକୁ ଭୁଲି , ଅନ୍ୟ ମଣିଷ, ପରିବେଶ, ଅବା ପରିସ୍ଥିତି ସହିତ ନିଜକୁ ବାନ୍ଧିକି ରଖିବା ହିଁ ସାହିତ୍ୟର ସଜ୍ଞା ବୋଲି ମୁଁ ମନେ କରୁଛି।

୨ . ନିଜକୁ କେଉଁ ହିସାବରେ ଦେଖନ୍ତି ଗାଳ୍ପିକା ଉପନ୍ୟାସିକା ନା କବୀ ?

ଉତ୍ତର : ପ୍ରଥମେ ମୁଁ ଜଣେ ସାହିତ୍ୟକୁ ଭଲ ପାଉଥିବା ମଣିଷ, ତା’ପରେ ସାହିତ୍ୟିକା । ସମୟ ସୁବିଧା ଅନୁସାରେ ନିଜକୁ ପ୍ରକାଶ କରିବାକୁ ବାଟ ଖୋଜିନିଏ । କେବେ ତାହା ଗଳ୍ପର ରୂପ ନିଏ ତ ଆଉ କେବେ ଉପନ୍ୟାସ ବା କବିତା ଅବା ଲଳିତ ନିବନ୍ଧ । ସବୁକିଛି ଭିତରେ ଅହରହ ଫେଣ୍ଟାଫେଣ୍ଟି ହେଉଥାଏ । ତେଣୁ କୋଉ ପରିଚୟଟା ମୋ ପାଇଁ ଉଦ୍ଦିଷ୍ଟ, ସେକଥା ଆଜି ଯାଏଁ ଭାବିନି । ସେସବୁ ପାଠକଙ୍କ ଉପରେ ନିର୍ଭର କରୁଛି ସେମାନେ ମୋ ଦ୍ୱାରା ଲେଖା ହୋଇଥିବା ସାହିତ୍ୟର କୋଉ ଦୁର୍ଗ ଭିତରକୁ ପ୍ରବେଶ କରି ଆନନ୍ଦ ଅନୁଭବ କରନ୍ତି ଅବା ନକରନ୍ତି !


୩ . ପରିବାରର ଦାୟୀତ୍ୱବୋଧ ଏବଂ ଲେଖିକାପଣର ଦାୟବଦ୍ଧତା ଭିତରେ କେମିତି ସମନ୍ୱୟ ରଖନ୍ତି ?

ଉତ୍ତର : ମହିଳା ଜଣେ କିଛି କରିବାକୁ ଚାହିଁବା ଅର୍ଥ ନୁହେଁ, ପରିବାରକୁ ଛାଡିକି କରିବ ! ଅଥବା ନିଜ ଦାୟୀତ୍ୱ ପ୍ରତି ଆଖି ବୁଜିଦେଇ କେବଳ ନିଜ ପାଇଁ ବଞ୍ଚିରହିବ ! ମୋର ସାହିତ୍ୟ ପ୍ରତି ଦାୟବଦ୍ଧତା କେବେ ପାରିବାରିକ ଦାୟୀତ୍ୱକୁ ପଛକୁ ଠେଲିଦେଇ ନାହିଁ ! ଚବିଶ ଘଣ୍ଟାର ସମୟ ଭିତରୁ ମାତ୍ର ତିନି ଚାରି ଘଣ୍ଟାର ସମୟ ସାହିତ୍ୟକୁ ମୁଁ ଦିଏ । ତା’ଠୁ ଅଧିକ ସମୟ ତ ମହିଳାମାନେ ଅଯଥା ଗପସପ, ଟିଭି ଦେଖା ଅବା ବଜାର ବୁଲାରେ ସାରି ଦିଅନ୍ତି ! ସେସବୁ ମୁଁ କେବେ କରେନି ବୋଲି ସାହିତ୍ୟ ଅବା ଅନ୍ୟାନ୍ୟ କାର୍ଯ୍ୟ ପାଇଁ ମତେ କେବେ ସମୟ ନିଅଣ୍ଟ ପଡେନି । ଖୁବ୍ ବେଶି ଶୃଙ୍ଖଳିତ ମୁଁ । ସବୁ କାର୍ଯ୍ୟ ପାଇଁ ସମୟ ନିର୍ଘଣ୍ଟ କରିଛି । ଖୁବ୍ କ୍ବଚିତ୍ ଖାଲି ବସିଥିବାର ମତେ କେହି ଦେଖିଥିବେ । ତେଣୁ କୋଉ ଦାୟୀତ୍ୱକୁ ଅଣଦେଖା କରିନି ଆଜି ଯାଏଁ । ତା’ ସହିତ ସଂପୂର୍ଣ୍ଣ ପରିବାରର ସାହାଯ୍ୟ ମତେ ସବୁବେଳେ ମିଳିଛି ।


୪. ଅନେକ ସମୟରେ ଦେଖାଯାଏ ଓଡ଼ିଆ ମାନେ ଓଡିଶା ବାହାରକୁ ଗଲେ ଓଡିଆ ବୋଲି ପରିଚୟ ଦେବାକୁ କୁଣ୍ଠାବୋଧ କରନ୍ତି ।କିନ୍ତୁ ଆପଣ ଓଡିଶା ବାହାରେ ରହି ଓଡିଆ ଭାଷା ସାହିତ୍ୟକୁ ସମୃଦ୍ଧ କରିଚାଲିଛନ୍ତି । ସେ ବିଷୟରେ କିଛି କୁହନ୍ତୁ ।

ଉତ୍ତର : ବାହାରେ ରହିବା ଅର୍ଥ କ’ଣ ନିଜ ବାପମା’, ଭାଇଭଉଣୀ, ବନ୍ଧୁବାନ୍ଧବଙ୍କୁ ଭୁଲିଯିବା ? ଯଦି ସେମାନଙ୍କୁ ଆମେ କେବେ ଭୁଲୁନି, ତା’ହେଲେ ସେମାନଙ୍କ ସହିତ ଯୋଗାଯୋଗ କରିବାକୁ ଯୋଉଟା ସବୁଠୁ ସୁଦୃଢ ମାଧ୍ୟମ, ତାକୁ କେମିତି ଭୁଲିପାରିବା ! ନିଜ ମା’ଠୁ ପାଇଥିବା ସବୁଠୁ ଦୁର୍ମୂଲ୍ୟ ଉପହାର ହେଲା ଭାଷା । ସିଏ ଦେଇଥିବା ପ୍ରତିଟି ଉପହାରକୁ ଯତ୍ନରେ ସାଇତି ରଖିବାକୁ ଭଲ ପାଇଲା ବେଳେ, ସିଏ ଦେଇଥିବା ଏ ଉପହାରକୁ ଆମେ କେମିତି ଭୁଲିଯିବା ! ନିଜ ଭାଷା ସାହିତ୍ୟକୁ ସମସ୍ତେ ଭଲ ପାଇବା ସହିତ ସମ୍ମାନ ଦେଖେଇବା ଉଚିତ ବୋଲି ମୁଁ ମଣେ । ତେଣୁ ନିଜ ତରଫରୁ ଯେତିକି ସମ୍ଭବ, ସେତିକି କରିବାକୁ କେବେ ପଛାଏ ନାହିଁ ।
୫. ସମାଜରେ ସାହିତ୍ୟର ଭୂମିକା କ’ଣ ହେବା ଉଚିତ ?

ଉତ୍ତର : ସାହିତ୍ୟ କେବଳ ମନୋରଞ୍ଜନର ମାଧ୍ୟମ ନହେଉ । ସମାଜରେ ଭରି ରହିଥିବା ସମସ୍ତ ଅବ୍ୟବସ୍ଥା ବିରୁଦ୍ଧରେ ଲୋକଙ୍କୁ ଜାଗ୍ରତ କରିବାର ଉତ୍ତରଦାୟୀତ୍ବ ସାହିତ୍ୟର ହେଉ । କିନ୍ତୁ ଉପଦେଶ ବା ଆଦେଶ ରୂପରେ ନୁହେଁ, ବରଂ ହୃଦୟର ରୁଦ୍ଧ ଦ୍ୱାରକୁ ଖୋଲିପାରିବା ରୂପରେ ହେଉ ।

 

୬ . ଆପଣଙ୍କ ରଚନାରେ କାହାର ଅଧିକ ପ୍ରଭାବ ଥାଏ କଳ୍ପନା, ବାସ୍ତବତା ନା ଅନୁଭୂତି ? 

ଉତ୍ତର : ସବୁକିଛିର ମିଶ୍ରଣ । ବାସ୍ତବତା ଉପରେ କଳ୍ପନାର ପୁଟ ଲେପି ଚରିତ୍ର ଗଢେ ମୁଁ, ଯୋଉଥିରେ ନିଜ ସାଥେ ସାଥେ ମୋ ଚତୁଃପାର୍ଶ୍ବରେ ଦେଖୁଥିବା ମଣିଷମାନଙ୍କ ଅନୁଭୂତି ସଜେଇ ହୋଇଥାଏ । ନିହାତି ଉଦ୍ଭଟ ବା ସଂପୂର୍ଣ୍ଣ କାଳ୍ପନିକ କଥା ପ୍ରାୟ ଲେଖେନି ।

୭ . ଓଡିଆ ସାହିତ୍ୟରେ ଗପ ଓ କବିତାର ପ୍ରଭାବ କିପରି ଭାବରେ ଭିନ୍ନ ?

ଉତ୍ତର : ମୋ ହିସାବରେ ଗଳ୍ପର ପ୍ରଭାବ ଅଧିକ । ଗଳ୍ପଟିଏ ମନକୁ ଛୁଇଁଥିଲେ ତା’ର ଚରିତ୍ରମାନେ ମନମସ୍ତିଷ୍କକୁ ଅନେକ କାଳ ଯାଏ ଆଚ୍ଛନ୍ନ କରି ରଖନ୍ତି । ନିଜକୁ ସେଇ ମାନଙ୍କ ଭିତରେ ଦରାଣ୍ଡି ହୁଏ ପାଠକ । କବିତା ମନକୁ ଯେତେ ଶୀଘ ଛୁଇଁଥାଏ, ସେତେ ଶୀଘ୍ର ଉଭେଇ ବି ଯାଏ ବୋଲି ମୁଁ ଅନୁଭବ କରେ ।

୮ . ଗପ ଓ କବିତା ଅପେକ୍ଷା ପାଠକଙ୍କ ଦ୍ୱାରା ଉପନ୍ୟାସ ଅଧିକ ଆଦୃତ କି ?

ଉତ୍ତର : ସବୁର ଆନନ୍ଦ ସମୟ ଓ ପରିସ୍ଥିତିକୁ ନେଇ ଅଲଗା ଅଲଗା ,ସେହି ଅନୁସାରେ ଆଦୃତି ବି । ହାତରେ ସମୟ ଅଧିକ ଥିଲେ ଉପନ୍ୟାସଟିଏ ଧରିବାକୁ ଇଚ୍ଛା ହୁଏ । ମାତ୍ର ସମୟ ନଥିଲା ବେଳେ ଗପ କବିତାରେ ନିଜକୁ ସନ୍ତୁଷ୍ଟ କରିବାକୁ ହୁଏ ।

୯ . ଆପଣଙ୍କ ମତରେ ଜଣେ ସଫଳ ଲେଖକ/ଲେଖିକା କାହାକୁ କୁହାଯାଇ ପାରିବ ?

ଉତ୍ତର : ଯାହାର ନାଁକୁ ପତ୍ରପତ୍ରିକାର ସୂଚୀପତ୍ରରେ ପାଠକଟିଏ ଖୋଜିହୁଏ, ମୁଁ ଭାବେ ସିଏ ହିଁ ସଫଳ ଲେଖକ/ଲେଖିକା ।

 

୧୦ . ଯଦି ପାଠକ ନକାରାତ୍ମକ ମତ ରଖନ୍ତି, ଆପଣଙ୍କ ପ୍ରତିକ୍ରିୟା କ’ଣ ହେବ ?

ଉତ୍ତର : ଏପର୍ଯ୍ୟନ୍ତ ସେପରି ଅନୁଭବ ହେଇନି ମୋର । ଯଦି ସେପରି ପରିସ୍ଥିତି ଭବିଷ୍ୟତରେ କେବେ ଆସେ, ତେବେ ସେଇ ନକାରାତ୍ମକତା ଭିତରେ ସାହିତ୍ୟର ହିତ ସାଧନ ହେଉଥିଲେ, ତାକୁ ନିଶ୍ଚୟ ଗ୍ରହଣ କରିନେବି । ନହେଲେ ଚୁପ୍ ରହିଯିବା ଠିକ୍ ମଣିବି । ଅଯଥାରେ ନିଜ ମନମସ୍ତିଷ୍କକୁ ଭାରି କରି ସମୟ ନଷ୍ଟ କରିବିନି ବୋଧେ ।


୧୧ . ଆଜିର ସାହିତ୍ୟ ଓ କୋଡିଏ ବର୍ଷ ତଳର ସାହିତ୍ୟ ଭିତରେ କି ପ୍ରଭେଦ ରହିଛି ?

ଉତ୍ତର : ସାହିତ୍ୟ ହେଉଛି ସମୟର ବାର୍ତ୍ତାବହ । ଯେଉଁ ସମୟରେ ଯାହା କିଛି ଘଟିତ ହେଉଥାଏ, ତାହା ଆପଣାଛାଏଁ ସାହିତ୍ୟକୁ ପ୍ରଭାବିତ କରିଥାଏ । କୋଡିଏ ବର୍ଷ ତଳର ସାମାଜିକ ଜୀବନ ଆଉ ଏବେକାର ସାମାଜିକ ଜୀବନ ଭିତରେ ଆକାଶ ପାତାଳ ପ୍ରଭେଦ ଆସି ସାରିଲାଣି ଯେତେବେଳେ, ସାହିତ୍ୟରେ ବି ସେହିପରି ପରିବର୍ତ୍ତନ ଆସିବା ସ୍ୱାଭାବିକ । ଟୋକ୍ନୋଲୋଜିର ବହୁଳ ପ୍ରୟୋଗ ଆମ ସାହିତ୍ୟକୁ ଯେତିକି ପ୍ରଭାବିତ କରିପାରିଛି, ସେତିକି ପ୍ରଭାବିତ କରିଛି ଆମ ବ୍ୟକ୍ତିଗତ ସ୍ୱାଧିନ ଓ ମୁକ୍ତ ଚିନ୍ତାଧାରା ! ସେତେବେଳର ସାହିତ୍ୟରେ ପାରିବାରିକ ମୂଲ୍ୟବୋଧର ଯେଉଁ ଛବି ଆମେ ଦେଖିବାକୁ ପାଉ, ତାହା ଏବେକାର ସାହିତ୍ୟରେ କ୍ବଚିତ୍ ଦେଖିବାକୁ ମିଳୁଛି । ତେବେ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ, ଏହା ହିଁ ସମୟର ଡାକ ଓ ସାହିତ୍ୟ ପାଇଁ ଆବଶ୍ୟକତା ।

୧୨ . ନୂଆ ଲେଖକଙ୍କ ପାଇଁ ଆପଣଙ୍କ ବାର୍ତ୍ତା କ’ଣ ହେବ ?

ଉତ୍ତର : ନୂଆ ଲେଖକ ମାନେ ଆପଣ ଯଦି ଯୁବ ସମାଜ କଥା କହୁଛନ୍ତି, ତେବେ ମୁଁ କହିବି ସେମାନେ ଆମଠୁ ବହୁତ ଆଗରେ । ସେମାନଙ୍କୁ ଆମ ବାର୍ତ୍ତା ନୁହେଁ, ବରଂ ସହଭାଗିତା ଲୋଡା । ପ୍ରକୃତରେ କହିବାକୁ ଗଲେ ସେମାନଙ୍କ ଠାରୁ ମତେ ହି ବହୁତ କିଛି ଶିଖିବାକୁ ଅଛି । ମୁଁ ତ ବହୁତ ନୂଆ କଥା ମୋ ପିଲାଙ୍କଠୁ ଶିଖେ । ତେଣୁ ମୁଁ କି ବାର୍ତ୍ତା ଦେବି !!