Latest Odisha News

BREAKING NEWS

ସାହିତ୍ୟ ଏକ ନିରବ ସାଧନା : ସୁଷମା ଦାଶ

ଓଡ଼ିଆ ଭାଷା ସାହିତ୍ୟ ଜଗତରେ କଥା ଓ କବିତାରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ସୁଷମା ଦାଶ । ତାଙ୍କର ପ୍ରତ୍ୟେକଟି ଲେଖାରେ ସ୍ପଷ୍ଟ ବାରିହୁଏଜୀବନ ଯନ୍ତ୍ରଣାର ନିଛକ ପ୍ରତିବିମ୍ବ, ସଂସାର ସଂଘର୍ଷ ଓ ଜୀବନାଦର୍ଶ ପୁଣି ସମାଧାନର ବାଟ । ଅତିସାଧାରଣ ଘଟଣା ଗୁଡ଼ିକୁ ଭାବ ଓ ଭାଷାର ସମନ୍ୱୟରେ ଏକ ଆବେଗମୟ ପରିବେଶ ହିଁ ତାଙ୍କ ସୃଷ୍ଟିର ବିଭବ। ଚିରାଚରିତ ଶୈଳୀର ଢେର ଉର୍ଦ୍ଧ୍ବରେ ତାଙ୍କର ସର୍ଜନାର କ୍ଷେତ୍ର । ଶାଣିତ ଶବ୍ଦର ପ୍ରୟୋଗ ସହ ସାବଲୀଳ ଭାବର ମଧୁରପଣରେ ଅତି ନିଖୁଣ ଭାବରେ ସେ ସଜାଇ ପାରନ୍ତି ସାହିତ୍ୟର କଳେବର ।

ଯଶୋଧାରା , ସାରା ରାତି ବର୍ଷା ପୁସ୍ତକ ସହ ଶତାଧିକ କବିତା ଓ ଗଳ୍ପର ସେ କାଳଜୟୀ ସ୍ରଷ୍ଟା । ନିଜର ନିରବଛିନ୍ନ ସାହିତ୍ୟ ସାଧନା ପାଇଁ ଅନେକ ସାରସ୍ୱତ ଅନୁଷ୍ଠାନ ତଥା ସାହିତ୍ୟ ସଂସଦ ପକ୍ଷରୁ ସେ ସମ୍ମାନିତା ଓ ସମ୍ବର୍ଦ୍ଧିତା ।

ଲେଖିକା ସୁଷମା ଦାଶଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କ ଆଳାପ

କେଉଁ ସ୍ରଷ୍ଟାଙ୍କ ସୃଷ୍ଟି, ଆପଣଙ୍କୁ ସାହିତ୍ୟମନସ୍କ କରାଇଲା ?

ପଦ୍ମଭୂଷଣ ରମାକାନ୍ତ ରଥଙ୍କ ଶ୍ରୀରାଧା ପଢି ମୁଁ ସାହିତ୍ୟ ମନସ୍କ ବେଶି ବେଶି ହେଲି। ହାଇସ୍କୁଲରେ ପଢୁଥିଲା ବେଳୁ ମୋ ଅଜାଣତରେ ସାହିତ୍ୟ ପ୍ରେମରେ ପଡି ଯାଇଥିଲି। ଅନେକ କବିତା ଲୁଚାଇ ଡାଏରିରେ ଲେଖି ରଖୁଥିଲି। କିନ୍ତୁ ତାହା ସାହିତ୍ୟ ବୋଲି ଜାଣି ନଥିଲି ସେତେବେଳେ।

ସାହିତ୍ୟ ଓ ଜୀବନ କିପରି ଭାବରେ ପରସ୍ପର ସହ ଜଡ଼ିତ ?

ଜୀବନ ଅଛି ବୋଲି ସାହିତ୍ୟ ଅଛି । ଅନେକ ଘଟଣା , ଦୁର୍ଘଟଣା ନେଇ ଜୀବନ ଓ ସାହିତ୍ୟ ପରସ୍ପର ହାତ ଧରାଧରି ହେଇ ଚାଲୁଛନ୍ତି।

ଆପଣଙ୍କ ପ୍ରଥମ ପ୍ରକାଶିତ ଲେଖାଟି କଣ ଥିଲା ଓ ତାହା ଆପଣଙ୍କୁ କିପରି ଭାବରେ ଅନୁପ୍ରାଣିତ କରିଥିଲା ?

“ଅପହଞ୍ଚ ” ମୋର ପ୍ରଥମ ପ୍ରକାଶିତ କବିତା  ତାହା ପ୍ରଜାତନ୍ତ ସପ୍ତାହିକିରେ ବାହାରି ଥିଲା। ପ୍ରଥମଥର  ନିଜ ଗାଁ ଓ ନିଜ ନାଁ ଦେଖି ଖୁସି ହେଇଥିଲି । ଅନେକ ପୋଷ୍ଟ କାର୍ଡରେ ଚିଠି ପାଇଥିଲି ।  ମୋର ମନେ ଅଛି ତା ଭିତରୁ ଶିଶୁଙ୍କ ପାଇଁ ଲେଖାଟିଏ ଦେବା ପାଇଁ ଗୋଟିଏ ପତ୍ରିକା ଅନୁରୋଧ କରିଥିଲେ। ସେଇଠୁ ପ୍ରେରିତ ହେଇଥିଲି।

ନାରୀଟିଏ ଲେଖିକା ହିସାବରେ ଅନେକ ଅସୁବିଧାର ସାମ୍ନା କରେ ବୋଲି ଅନେକ ମତ ଦିଅନ୍ତି। ସେ ବିଷୟରେ ଆପଣ କ’ଣ କହିବେ ?

ହଁ , ନିଶ୍ଚୟ । ନାରୀ ନିଜ ଘର ସଂସାର ସହ ନିଜ ବୃତ୍ତିରୁ ଲେଖା ପାଇଁ ସମୟ ବାହାର କରିବା କଷ୍ଟକର। ଏହା ବ୍ୟକ୍ତିଗତ ଅସୁବିଧା। ଅନେକ ବେଳେ କିଛି ରୁଢ଼ିବାଦୀ ଚିନ୍ତାଧାରା  ଲୋକ ନାରୀଟିଏର କିଛି ବୋଲଡ଼ ଲେଖାକୁ ନେଇ ଅନେକ ବାଦ ବିବାଦ କରିବାର ବି ଦେଖାଯାଏ ।

 

ସାହିତ୍ୟର ପ୍ରଚାର ପ୍ରସାର ଦିଗରେ ସାମାଜିକ ଗଣମାଧ୍ୟମ କେତେ ମାତ୍ରାରେ ସହାୟକ ହୋଇଛି ?

ହଁ , ନିଶ୍ଚୟ ବହୁତ ସହାୟକ ହେଇଛି । ଖୁବ ଅଳ୍ପ ସମୟରେ  ପାଠକଙ୍କ ପାଖରେ ଲେଖକଟିଏ ପହଞ୍ଚି ଯାଉଛି । ଲେଖା ଉପରେ ମତାମତଟିଏ ବି ପାଇ ପାରୁଛି।

ପୁରସ୍କାର ଓ ପରିଚିତି ଜଣେ ସାହିତ୍ୟିକଙ୍କୁ କିପରି ପ୍ରୋତ୍ସାହିତ କରେ ? 

ପୁରସ୍କାର ଖୁସି ଦିଏ ସତ , ହେଲେ ତାହା  ଅଳ୍ପ ସମୟ ପାଇଁ। ସାହିତ୍ୟ ଏକ ନିରବ ସାଧନା ବୋଲି ମୁଁ ଭାବେ।

ବ୍ୟକ୍ତିଗତ ଜୀବନ ସାହିତ୍ୟ ସୃଷ୍ଟିରେ କେବେ ବାଧକ ସାଜିଛି କି ? ତାର ସାମ୍ନା କିପରି କରିଛନ୍ତି ?

ନା । ଜୀବନକୁ ମୁଁ  ସବୁବେଳେ ସକରାତ୍ମକ ଭାବେ ନିଏ। ମୋ ସ୍ୱାମୀ ଖୁବ ବୁଝିବାର ମଣିଷ । ମୋତେ ପ୍ରେରଣା ଦିଅନ୍ତି ।

ସମକାଳୀନ କବିତାକୁ ଆପଣ କିପରି ଦେଖନ୍ତି ?

ବର୍ତ୍ତମାନ ସମୟକୁ ନେଇ କବିତା ଭିନ୍ନ ଭିନ୍ନ ବିଷୟ ଉପରେ ଆଧାରିତ। କବିତା ସବୁବେଳେ ଆତ୍ମିକ ଆନନ୍ଦ ଦିଏ।

ରଚନା ସହିତ ଅନୁଭୂତି କେତେ ମାତ୍ରାରେ ଜଡ଼ିତ ?

ଯାହା ମୁଁ ଲେଖେ ତାହା ନିଜ ଆଖପାଖ ଜୀବନ୍ତ ଚରିତ୍ରମାନଙ୍କୁ ନେଇ ଲେଖେ ଯେତେବେଳେ ଯାଏ ମୁଁ ନିଜ ଭିତରେ ସେଇ ଚରିତ୍ରଟିଏ ପାଲଟି ନ ଯାଇଛି ସେତେବେଳର ଯାଏଁ ମୁଁ ଲେଖିବାକୁ ସାହସ କରେନି।

ସମକାଳୀନ କବିତାକୁ ଆପଣ କିପରି ଦେଖନ୍ତି ? ଜଣେ ସଫଳ ଲେଖକ( ଲେଖିକା) କେମିତି ହୋଇ ପାରିବ ?

ନିରନ୍ତର ପ୍ରୟାସ । ଲିଖନ ଓ ପଠନ ଦ୍ୱାରା ଜଣେ ନିଜକୁ ସାହିତ୍ୟ ସାଧନାରେ ଆଗେଇ ନେଇ ପାରିବ।

 

Leave A Reply

Your email address will not be published.