Latest Odisha News

BREAKING NEWS

ସାହିତ୍ୟ ସହିତ ଆଦର୍ଶବାଦ ସମ୍ପୃକ୍ତ ଓ ଆଦର୍ଶବାଦ ହିଁ ସାହିତ୍ୟର ମୂଳପିଣ୍ଡ : ସୁଶାନ୍ତ ଦାଶ

ଓଡ଼ିଆ ସାହିତ୍ୟର ଜଣେ ସମ୍ବେଦନଶୀଳ ଓ ପ୍ରାଣବନ୍ତ ପ୍ରତିଭା କବି ସୁଶାନ୍ତ ଦାଶ । ଲେଖନୀ ଚାଳନାରେ ସେ ଫୁଟେଇ ପାରନ୍ତି ଜୀବନ୍ତ କବିତା । ତାଙ୍କ ସର୍ଜନା କ୍ଷେତ୍ରର ପରିସୀମା ମପା ଯାଇ ପାରେନା । ତାଙ୍କ ସାଧନାର କ୍ଷେତ୍ର ଦିଗରୁ ଦିଗନ୍ତ ଯାଏଁ ପରିବ୍ୟାପ୍ତ । ନୂଆ ପ୍ରତିଭାଙ୍କୁ ପଥ ପ୍ରଦର୍ଶିତ କରିବା ପାଇଁ ମଧ୍ୟ ସେ ସର୍ବଦା ଚେଷ୍ଟିତ ।  କିଛି ଅନ୍ଵେଷା, ରୋମରୁ ମୋନାଲିଆ, ପକେଟ ଖାତା, ଈଶ୍ୱରଙ୍କ କାଳୀଝିଅ, କବିତାରେ ଥିବା ଝିଅ, ତମ ପାଇଁ ଶେଷ ଗୀତ, ମହୁଲ ବଣର ଝିଅ, ପୁଅ ପାଇଁ ସବୁ ଗୀତ ଇତ୍ୟାଦି କବିତା ସଙ୍କଳନର ସେ ଜଣେ ସଫଳ ସ୍ରଷ୍ଟା ।

କବି ସୁଶାନ୍ତ ଦାଶଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କ ଆଳାପ

୧. କବିତା ଶବ୍ଦର ବ୍ୟାଖ୍ୟା କିପରି କରିବେ ?

ଉତ୍ତର : କବିତା ଶବ୍ଦର ବ୍ୟାଖ୍ୟା କିପରି କରାଯାଇ ପାରିବ ? ଏହା ଏକ ସାଧାରଣ ଶବ୍ଦ ନୁହେଁ । କବିତା ଅସୀମ ଅନନ୍ତ ଆକାଶ ପରି ବିଶାଳ , ସାଗର ପରି ଅଟଳ, ଥଳ ଥଳ ଅତଳ ଗଭୀର । କବିତାର  ସଂଜ୍ଞା ବୋଧେ ବଳିଷ୍ଠ ଭାବରେ କୌଣସି ଅଭିଧାନରେ ଲେଖା ଯାଇନାହିଁ , କି କୌଣସି ସ୍ଥାନରେ ଲେଖା ଯାଇନାହିଁ, ଯଦି ଲେଖାଯାଇଛି ବୋଧେ ମୁଁ ଜାଣିନାହିଁ । ହଁ, ଏତିକି କହିବି କବିତା ଏକ ବ୍ୟଞ୍ଜନ ବା ଭିନ୍ନ ଭାବରେ କରିବା ଶୈଳୀ । କବିତା କହିଲେ ମୁଁ ଯାହା ବୁଝେ  କହିବା ବା ଲେଖିବା ଶୈଳୀ ଯାହା କୌଣସି ବିଷୟରେ ଲେଖାଯାଏ ବା କୁହାଯାଏ । ଯେଉଁ ଶୈଳୀକୁ ନେଇ ଅନ୍ୟ ଜଣେ ପାଠକ ସେହି ସ୍ୱତନ୍ତ୍ର ବିଷୟରେ ଅବଗତ ହୋଇ ଆନନ୍ଦିତ ହୁଏ । ମୁଁ ଏତେ ବଡ଼ ହୋଇନି ଯେ କବିତା ଶବ୍ଦକୁ ବ୍ୟାଖ୍ୟା କରିବି । ହଁ , ମୁଁ କବିତା ଲେଖିଛି , ଆପଣ ମାନଙ୍କୁ ଭଲ ଲାଗିଛି । ଅଳ୍ପ ଲେଖିଛି, ଆଗକୁ ଅନେକ ଲେଖିବି କିନ୍ତୁ କବିତା ଶବ୍ଦକୁ ବ୍ୟାଖ୍ୟା କରିବାରେ ମୁଁ ଜଣେ ଅସମର୍ଥ କବି ।

୨. ଆପଣଙ୍କ ଜୀବନ ଉପରେ ସାହିତ୍ୟର ପ୍ରଭାବ କଣ? ସାହିତ୍ୟରେ ନଥିଲେ ଜୀବନର ଗତିପଥ ବଦଳି ଯାଇଥାନ୍ତା କି?

ଉତ୍ତର : ସାହିତ୍ୟ ନଥିଲେ ମୋ ଜୀବନର ଗତିପଥ କଣ ହୋଇଥାନ୍ତା , ତାହା ଭିନ୍ନ କଥା । ଏକ ଅବାନ୍ତର ଆଲୋଚନା କଣ ହୋଇଥାନ୍ତା ତାହା ଛାଡ଼ନ୍ତୁ । ଏବେ ମୁଁ ସାହିତ୍ୟରେ ଅଛି । ତାହା ସତ୍ୟ । ସାହିତ୍ୟ ମୋ ଜୀବନକୁ ଶୃଙ୍ଖଳିତ କରୁଛି , ମତେ ସତମାର୍ଗ ଦେଖାଉଛି , ସଂସ୍କାର ଓ ଶିଷ୍ଟାଚାର ଶିଖାଇଛି । ତେଣୁ ମୁଁ ସାହିତ୍ୟରେ ଅଛି , ଭଲ ଅଛି । ଶେଷରେ ମୁଁ ଏତିକି କହିବି ଯେ ମୋ ସାହିତ୍ୟ ମାଧ୍ୟମରେ ଯଦି କାହାର ଉପକାର ହେବ, ମୋ ଲେଖାରେ ଯଦି କାହାର ମଙ୍ଗଳ ହେବ, ତେବେ ମୋର ସାହିତ୍ୟ ଜୀବନ ସାର୍ଥକ ହେବ ।

୩. ଓଡ଼ିଆ ସାହିତ୍ୟରେ କବିତାର ପ୍ରଭାବ କେମିତି?

ଉତ୍ତର : ଆଜି କାଲିର ଧାରା ଯାହା ଦେଖାଯାଏ କବିଙ୍କ ସଂଖ୍ୟା ମାତ୍ରାଧିକ । ଗାଳ୍ପିକଙ୍କ ସଂଖ୍ୟା କମ । ଉପନ୍ୟାସ , ପ୍ରବନ୍ଧ , ଆଲୋଚନା ଓ ନାଟକ ପ୍ରଭୃତି ଲେଖାର ଲେଖକଙ୍କ ସଂଖ୍ୟା କମି କମି ଯାଉଛି । ଶତକଡା ୭୦ ଭାଗ ଲେଖକ କବି ଅଟନ୍ତି ( ମୋର ନିଜସ୍ୱ ମତ ) । ତେଣୁ କବିତାର ପ୍ରଭାବ ଅଧିକ ବୋଲି କହିବି । ସାହିତ୍ୟର ସ୍ୱୀକୃତି ପାଇବା ପାଇଁ ଅନେକ କବିତା ଲେଖନ୍ତି ଏମିତି ବି କୁହାଯାଇପାରେ ।

୪. ସାହିତ୍ୟ ସହିତ ଆଦର୍ଶବାଦ ସମ୍ପୃକ୍ତ କି?

ଉତ୍ତର : ସମାଜର ହିତ ନିମନ୍ତେ ସାହିତ୍ୟ । ଯଦି ସାହିତ୍ୟର ଆଦର୍ଶବାଦ ନଥିବ, ତେବେ ସେ ସାହିତ୍ୟର କିଛି ମୂଲ୍ୟ ନାହିଁ । ମଣିଷ ସଦା ସର୍ବଦା ନିଜ ପାଇଁ ଏକ ଶୃଙ୍ଖଳିତ ଓ ଆଦର୍ଶବାଦ ପରିବେଶ ଖୋଜୁଥାଏ। ଏ ସବୁର ମୂଳପିଣ୍ଡ ହେଲା ମାନବବାଦ । ଯାହାକୁ ଆମେ ଆଦର୍ଶ ମଣିଷ ପଣିଆ ବୋଲି ବୁଝୁଛେ । ମଣିଷ ମଣିଷର ହିତ ସାଧନା ନିମନ୍ତେ , ମଣିଷ ମଣିଷର ମଙ୍ଗଳ ନିମନ୍ତେ, ମଣିଷ ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ହର୍ଷ ଉଲ୍ଲାସ ନିମନ୍ତେ, ଆଦର୍ଶବାଦ ନିହାତି ଆବଶ୍ୟକ । ହଁ , ଆଦର୍ଶବାଦ ସାହିତ୍ୟ ଆମକୁ ଆଦର୍ଶବାଦ ପ୍ରଦାନ କରେ କି ? ଏହାର ସଠିକ ଉତ୍ତର ହଁ , ମୁଁ ସହମତ ସାହିତ୍ୟ ସହିତ ଆଦର୍ଶବାଦ ସମ୍ପୃକ୍ତ ଓ ଆଦର୍ଶବାଦ ହିଁ ସାହିତ୍ୟର ମୂଳପିଣ୍ଡ ।

୫. କୁହାଯାଏ ଗପ, କବିତା ଅପେକ୍ଷା ଅଧିକ ପ୍ରଭାବଶାଳୀ । ଆପଣ କିପରି ମତ ରଖିବେ?

ଉତ୍ତର : ପ୍ରଥମେ କୁହାଯାଉ କିଏ ଏସବୁ କଥା କହୁଛନ୍ତି ? ଯଦି କୁହାଯାଉଛି ଯେ ଗପ କବିତାଠୁ ଅଧିକ ପ୍ରଭାବଶାଳୀ ଏଥିରେ ମୁଁ ଏକମତ ନୁହେଁ । ମତେ କେବଳ କବିତା ପ୍ରଭାବ ପକାଇଥାଏ । ମୁଁ କବିତାର ମହାସ୍ରୋତରେ ଭାସମାନ ଥାଏ। ତେଣୁ କହିବାକୁ ଗଲେ ଗଳ୍ପ ,କବିତା ଉଭୟ ପ୍ରଭାବଶାଳୀ । କାହାକୁ କିଏ ପ୍ରଭାବ ପକାଇଥାଏ ତାହା ପାଠକ ବା ବ୍ୟକ୍ତି ସତ୍ତା ଉପରେ ନିର୍ଭର କରିଥାଏ। କେଉଁଠି ଗଳ୍ପ ପ୍ରଭାବଶାଳୀ ତ କେଉଁଠି କବିତା ପ୍ରଭାବଶାଳୀ ।

୬. ରଚନା ସହିତ ଅନୁଭୁତି କେତେ ମାତ୍ରାରେ ଜଡ଼ିତ ?

ଉତ୍ତର : ନିଜସ୍ୱ ରଚନାରେ ନିଜସ୍ୱ ଅନୁଭୂତି ଜଡ଼ିତ ଥାଏ। ଏଥିସହ ପରିପାର୍ଶ୍ୱରେ  ଘଟୁଥିବା ଘଟଣାକ୍ରମ ,ସମାଜର ଚିତ୍ର, ନିଜ ନିଜ ଭିତରେ ଘଟୁଥିବା ଘଟଣାମାନ ଲେଖକ ତାର ସାହିତ୍ୟ ସୃଜନରେ ସ୍ଥାନିତ କରିଥାଏ । ଯଦି ସାହିତ୍ୟ କୌଣସି ଅନୁଭୂତି ସମ୍ପୂର୍ଣ୍ଣ ହୋଇନଥାଏ , ତେବେ ତାହା ପାଠକପ୍ରିୟ ହୋଇ ପାରିବ ନାହିଁ । ଯଦି ସାହିତ୍ୟରେ ଅନୁଭୂତି ଥାଏ ତେବେ ସେ ସାହିତ୍ୟ ଜୀବନ୍ତ ହେବା ସହ କାଳଜୟୀ ମଧ୍ୟ ହୋଇଥାଏ। ତେଣୁ ସାହିତ୍ୟରେ ଅନୁଭୂତି ଜଡ଼ିତ, ମୁଁ ସ୍ୱୀକାର କରେ।

୭. ସମକାଳୀନ ସାହିତ୍ୟକୁ ଆପଣ କିପରି ଦେଖନ୍ତି ?
ଉତ୍ତର : ସମକାଳୀନ ସାହିତ୍ୟ ଅତ୍ୟନ୍ତ ଉଚ୍ଚକୋଟୀର । ସମ୍ପ୍ରତି ସାହିତ୍ୟ ସର୍ବକାଳୀନ ସାହିତ୍ୟକୁ ଟକ୍କର ଦେବା ପାଇଁ ସାମର୍ଥ୍ୟ ରଖିଛି । ଯେଉଁଠି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସାହିତ୍ୟ, ଗଙ୍ଗାଧର ସାହିତ୍ୟକୁ, ଫକୀରମୋହନ ସାହିତ୍ୟକୁ ସମ୍ପ୍ରତି ସାହିତ୍ୟ ସହିତ ତୁଳନା କରାଯାଏ ଏବଂ ସମ୍ପ୍ରତି ସାହିତ୍ୟର ମାନ ନିର୍ଦ୍ଧାରଣ କରାଯାଏ ସେଠି ମୁଁ ବିଚଳିତ ହୁଏ । ମୁଁ କହିବାପାଇଁ ବାଧ୍ୟ ହୁଏ ଯେ ପ୍ରତ୍ୟେକ ସାହିତ୍ୟ ସୃଜନର ମୂଲ୍ୟବୋଧ ଥାଏ । ସମକାଳୀନ ସାହିତ୍ୟର ମୂଲ୍ୟବୋଧ ଉଚ୍ଚକୋଟୀର । ସମକାଳୀନ ସାହିତ୍ୟ ଓ ସାହିତ୍ୟିକ ମାନଙ୍କ ସମର୍ଥନରେ ମୁଁ ସଦା ସର୍ବଦା ରହିଛି ଓ ରହିବି ମଧ୍ୟ ।

୮. ଆପଣ ସାହିତ୍ୟ ଏକେଡ଼େମୀ ସଦସ୍ୟ ଥିଲେ ସେ ଗୁରୁ ଦାୟିତ୍ୱ ବିଷୟରେ କିଛି କୁହନ୍ତୁ । 

ଉତ୍ତର : ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ମାନଙ୍କର ସେଇଭଳି କୋଣସି ଗୁରୁ ଦାୟିତ୍ୱ ନଥାଏ । ସଦସ୍ୟ ହେବା ପାଇଁ ଯେଉଁ କସରତ କରିବାକୁ ପଡ଼ିଥାଏ , ସଦସ୍ୟ ହେବାପାରେ ସେହିପରି କୌଣସି କାମ ନଥାଏ । ବ୍ରହ୍ମପୁର ସାହିତ୍ୟ ପରିଷଦ ସଭାପତି, ଓଡ଼ିଶା ସାହିତ୍ୟ ବିକାଶ ପ୍ରତିଷ୍ଠାନ ସଭାପତି, ଜିଲ୍ଲା ପୁସ୍ତକ ମେଳା ସଭାପତି , ଉତ୍କଳ ସାହିତ୍ୟ ସମାଜ ଜିଲ୍ଲା ସଭାପତି ଭାବରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନିର୍ବାହ କରେ। ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଭାବରେ କିଛି କାମ ନଥାଏ ।

୯. ସ୍ରଷ୍ଟାର ସୃଷ୍ଟିକୁ ନକରାତ୍ମକ ମତାମତ ଏବଂ ପ୍ରଶଂସା କେତେ ମାତ୍ରାରେ ପ୍ରଭାବିତ କରେ ?

ଉତ୍ତର : ପ୍ରତ୍ୟେକ ସ୍ରଷ୍ଟା ନିଜର ସୃଷ୍ଟିର ମତାମତ ଚାହିଁଥାଏ । ଲୋକଙ୍କ ଲେଖାରେ ପ୍ରଶଂସା ଯେତିକି ପ୍ରଭାବିତ କରେ , ନକରାତ୍ମକ ମତାମତ ଲେଖକଙ୍କୁ ଅଧିକ ମାତ୍ରାରେ ପରିମାର୍ଜିତ କରିଥାଏ। ତେଣୁ ମୁଁ କହିବି ନକାରାତ୍ମକ ମତାମତ ଲେଖକ ମାନଙ୍କୁ ପ୍ରଭାବିତ କରେ। କିନ୍ତୁ ସମ୍ପ୍ରତି ବ୍ୟକ୍ତିଗତ ଆକ୍ରୋଶମୂଳକ ନକରାତ୍ମକ ମତାମତ ସାହିତ୍ୟର ଏବଂ ସାହିତ୍ୟିକର କ୍ଷତି କରୁଛି ।

୧୦ ନୂଆ ଲେଖକଙ୍କ ପାଇଁ କି ବାର୍ତ୍ତା ଦେବେ ?

ଉତ୍ତର : ନୂଆ ତଥା ଯୁବ ଲେଖକମାନେ ସାହିତ୍ୟର ସମ୍ପତ୍ତି। ମୁଁ ଆନନ୍ଦିତ ଯେ ଯୁବ ଲେଖକ ଏବେ ସାହିତ୍ୟ ପାଇଁ ସମୟ ଦେଉଛନ୍ତି । ଏଥିପାଇଁ ସୋସିଆଲ ମିଡ଼ିଆ ଓ ସାହିତ୍ୟିକ ସଂଗଠନ ମାନେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି । ମୁଁ ଆଶ୍ଵସ୍ଥ ଯେ ଯୁବ ଲେଖକ ମାନଙ୍କ ପାଇଁ ଆମ ସାହିତ୍ୟ ସୁରକ୍ଷିତ ଅଛି। ନୂଆ ଲେଖକ ଯେତେ ପରିମାଣରେ ବଢିବେ ସେତେ ପରିମାଣରେ ଆମର ଭାଷା ସାହିତ୍ୟ ସଶକ୍ତ ଓ ସୁଦୃଢ଼ ହେବ। ତେଣୁ ଯୁବ ଲେଖକ ମାନେ କିପରି ସାହିତ୍ୟକୁ ଆସିବେ , ସାହିତ୍ୟରେ ରହିବେ ସେଥିପାଇଁ ପ୍ରତ୍ୟେକ ପ୍ରତିଷ୍ଠିତ ସାହିତ୍ୟିକ ମାନେ ସରକାରୀ ଓ ବେସରକାରୀ ସଂସ୍ଥା ମାନେ ସଦା ଚେଷ୍ଟା କରିବା ଉଚିତ ।

 

 

 

 

Leave A Reply

Your email address will not be published.