ହରିକୃପା କେବଳମ୍

ବିଷ୍ଣୁପ୍ରିୟା ହୋତାଙ୍କ ସ୍ମୃତିର ଫରୁଆରୁ 

” ଫେତ ଇଜ ଦି ସୋଲସ ଉଇଟନେସ ଟୁ ସମଥିଁଗ ନଟ ୟେଟ ମେନିଫେଷ୍ଟେଡ଼ ଆଚିଭଡ ଅର ରିଳିଜଡ଼ ବଟ ହୁଇଚ ୟେଟ ଦି ନୋଅର ଉଇଥ ଅସ, ଇଭେନ ଇନ ଆବସେନସ ଅଫ ଅଲ ଇଣ୍ଡିକେସନସ ଫିଲସ ଟୁ ବି ଟ୍ରୁ ଅର ସୁପ୍ରିମଲି ଓ଼ର୍ଥ ଫଲୋଇଙ୍ଗ ଅର ଆଚିଭିଙ୍ଗ । ” ଶ୍ରୀ ଅରବିନ୍ଦଙ୍କ ଏହି ଉକ୍ତି ହିସାବରେ ଜୀବନର ଗତି ସବୁବେଳେ ସରଳ ରେଖାରେ ଚଲେନାହିଁ ବେଳେବେଳେ ଏମିତି ଏକ ମୋଡ଼ରେ ଆସି ପହଞ୍ଚି ଯାଏ ସେଠାରୁ ଆଉ ଆଗକୁ କିଛି ରାସ୍ତା ଦିଶେ ନାହିଁ ,ସେହି ସନ୍ଧିକ୍ଷଣରେ ଏମିତି କିଛି ସାହାଯ୍ୟ ବି ଆସି ପହଞ୍ଚି ଯାଏ ଯାର ଆଦି ଅନ୍ତ ମଣିଷର ସୀମିତ ଧୀଶକ୍ତି ପରିସରର ବାହାରେ। ଲୀଳାବତୀ ଗାଣିତିକ ସୁତ୍ର ବାହାରେ ଘଟି ଯାଉଥିବା ସେହିପରି ଘଟଣା ,ଓ ଇନ୍ଦ୍ରିୟାତୀତ ଅନୁଭୂତିକୁ ଆମେ କେବେ କେବେ ସଂଯୋଗ, କେବେ ଭଗବାନଙ୍କ କୃପା ,ଗୁରୁକୃପା ବୋଲି ଅଖ୍ୟାଦେଇ ବୁଝିବାକୁ ଚେଷ୍ଟା କରୁ। ମୋ ଜୀବନରେ ଘଟିଯାଇଥିବା ଏଇମିତି ଏକ ଘଟଣା ର ଅବତାରଣା ଏଇଠି କରିବି।

ଘଟଣାଟା ଆମେ କେନ୍ଦୁଝରରେ ଥିବା ବେଳର। ସରକାରୀ ଚାକିରୀରେ ବଦଳି ଏକ ନିୟମିତ ପ୍ରକ୍ରିୟା ଆଉ ବିଚାର ବିଭାଗରେ ତିନିବର୍ଷରେ ବଦଳି ଧରାବନ୍ଧା, ତାଠାରୁ କମ ସମୟରେ ବି ହେଇ ପାରେ। ପୁରୋହିତ ବାବୁଙ୍କର ପୁରୀରୁ କେନ୍ଦୁଝର ସିଭିଲ କୋର୍ଟ ରେଜିଷ୍ଟ୍ରାର ଭାବରେ ବଦଳି ହେଲା ଓ ମୋର ଧରଣୀଧର ମହାବିଦ୍ୟାଳୟ। କେନ୍ଦୁଝରର ବଣ ପାହାଡ଼ ଝରଣାଘେରା ପ୍ରକୃତି କୋଳରେ ମା ତାରିଣୀଙ୍କ ଆପାର କରୁଣାରୁ ଅତି ଆନନ୍ଦରେ ତିନି ବର୍ଷ କଟିଗଲା। ପିଲାମାନେ ବି ବେଶ ବଡ଼ ହେଇଗଲେ ସେ ଭିତରେ । ବଡପୁଅର ଦଶମ ଶ୍ରେଣୀ ଓ ସାନର ସପ୍ତମ ଶ୍ରେଣୀ। ପୁରୋହିତ ବାବୁଙ୍କର ବଦଳି ହେଲେ ମୋତେ ପିଲାଙ୍କୁ ନେଇ ବଡ଼ପୁଅର ଦଶମ ଶେଷ ପର୍ଯ୍ୟନ୍ତ କେନ୍ଦୁଝରରେ ହିଁ ରହିବାକୁ ପଡିବ ବୋଲି ବଡ଼ ଚିନ୍ତାରେ ଥାଉ।

ସ୍ତ୍ରୀର ସରକାରୀ ଚାକିରୀ ଓ ପୁଅର ଦଶମ ଶ୍ରେଣୀ କାରଣ ଦର୍ଶାଇ ପାଖାପାଖି ବଦଳି ପାଇଁ ହାଇକୋର୍ଟକୁ ବି ଅନୁରୋଧ ପତ୍ର ଦିଅସାରିଥାଏ। ଯୋଗକୁ ସେହି ସମୟରେ ଆନନ୍ଦପୁର ସବଜଜଙ୍କ ସେଠିକାର ଏସ.ଡି.ଓଙ୍କ ସାଙ୍ଗରେ କିଛି ଗୋଟାଏ ଗଣ୍ଡଗୋଳ ହେଲା, କଥା ହାଇକୋର୍ଟକୁ ଗଲା, ତାଙ୍କୁ ସେଠାରୁ ତତକ୍ଷଣାତ କେନ୍ଦୁଝର ରେଜିଷ୍ଟ୍ରାର ହିସାବରେ ବଦଳି ହେଲା ଓ ତାଙ୍କ ଜାଗାରେ ପୁରୋହିତ ବାବୁଙ୍କୁ ଆନନ୍ଦପୁର। ଉଭୟଙ୍କୁ ଚବିଶଘଣ୍ଟା ଭିତରେ ସ୍ଵକୀୟ କାର୍ଯ୍ୟ କ୍ଷେତ୍ରରେ ଯୋଗଦେବା ପାଇଁ ଅର୍ଡର ହେଇଗଲା। କେଉଁଝରରୁ ଅନନ୍ଦପୁର ମାତ୍ର ସତୁରି କିଲୋମିଟର। ଯଦିଓ ଆନନ୍ଦପୁରରେ ଏପାଖେ କ୍ୱାର୍ଟର୍ସ ଓ କୋର୍ଟ ନଦୀ ଆର ପାଖେ … ନୌକା ଦ୍ୱାରା ନଦୀ ଅତିକ୍ରମ କରିବାକୁ ପଡେ, ତଥାପି ଆମେ ଖୁସି ହେଇଗଲୁ କାରଣ ଅତିକମରେ ପ୍ରତି ଶନିବାର ଘରକୁ ଆସିପାରିବେ।

ଆମର ଆନନ୍ଦ କିନ୍ତୁ ପାଣି ଫୋଟକା ପରି ମିଳେଇ ଗଲା ତହିଁ ଆରଦିନ। କାରଣ ସେତେବେଳେ କେନ୍ଦୁଝରରେ ଯିଏ ଜିଲ୍ଲାଜଜ ଥିଲେ, ତାଙ୍କର ପୁରୋହିତ ବାବୁଙ୍କ ଉପରେ କୌଣସି କାରଣରୁ ରାଗ ଥାଏ, ଆଗରୁ ସେମିତି କିଛି ଜଣା ପଡୁ ନଥିଲା , କିନ୍ତୁ ଯେମିତି ବଦଳି ଅର୍ଡର ଆସିଛି ସାଙ୍ଗେ ସାଙ୍ଗେ ପିଅନ ଓ ଅର୍ଡଲିଙ୍କୁ ଆମ ଘରକୁ ଆସିବାକୁ ମନା କରିଦେଲେ ଓ ରେଜିଷ୍ଟ୍ରାର ପଦରୁ ରିଲିଭି ହେବା ପରେ , ମାସେ ଭିତରେ ସରକାରୀ ବାସଗୃହ ଖାଲି କରିବା ପାଇଁ ଆଦେଶ କରିଦେଲେ। ସାଧାରଣତଃ ବଦଳି ପରେ କୌଣସି ସରକାରୀ କର୍ମଚାରୀ ତିନିମାସ ପର୍ଯ୍ୟନ୍ତ ସରକାରୀ ବାସଗୃହ ରଖି ପାରିବା ନିୟମ ଅଛି , ହେଲେ ଏ କ୍ଷେତ୍ରରେ ବ୍ୟତିକ୍ରମ କରି ସ୍ବେଚ୍ଛାଚାରରେ ଆମକୁ ମାସେ ଭିତରେ ଘର ଖାଲି କରିବାକୁ ଆଦେଶ ଦେଇଥିଲେ।

ପୁରୋହିତ ବାବୁ ଅନନ୍ଦପୁରରେ ଯୋଗ ଦେବା ପରେପରେ ସାତଦିନ ଛୁଟିରେ ଆସି ଘର ଖୋଜିବାରେ ଲାଗିଗଲେ। ଘର ଖୋଜିବା ସହଜ ନଥିଲା ; ଧରଣୀଧର କଲେଜ ଟାଉନର ଶେଷ ମୁଣ୍ଡରେ ଆଗକୁ କେବଳ ଗୋଟିଏ ଗାଁ, ସେ ବାଟରେ ରିକ୍ସା ବି ଯା ଆସ କରେନାହିଁ , ଏପଟେ ପିଲାଙ୍କ ସ୍କୁଲ ଟାଉନ ଭିତରେ । ଦୁର୍ଯୋଗକୁ ସେହି ବର୍ଷ ମୋର ସାନ ଯାଆର ଅସମୟରେ ମୃତ୍ୟୁ ହେଇଯିବା ହେତୁ ତାର ତିନି ବର୍ଷର ସାନ ଝିଅଟି ବି ମୋରି ପାଖରେ ରହୁଥାଏ। ତାର ଦେଖରେଖ ପାଇଁ ପାଖରେ ଜଣେ ନିହାତି ଦରକାର। ଘରେ ସେତେବେଳେ ଦୁହାଁଳିଆ ଗାଈଟିଏ ବି ଥାଏ, ଦିନକୁ ଷୋହଳ ଲିଟର କ୍ଷୀର ଦେଉଥାଏ। ନାଲି ବୋଲି ଡାକିଦେଲେ ପାଖକୁ ଦଉଡି ଆସେ। ସାନ ପୁଅ ବି ତା ପହ୍ନାରେ ହାତ ମାରିଦେଲେ କ୍ଷୀର ବୋହି ପଡେ। ମାରୁତି ୮୦୦ କାରଟିଏ ବି ଥାଏ। ଘର ସାଙ୍ଗରେ ଗୁହାଳ ଓ ଗରେଜ ବି ଦରକାର। ଗାଈର ବହୁତ ଯତ୍ନ ଦରକାର , ନିଜକୁ ସମ୍ଭାଳି ବାକୁ ତର ନାହିଁ ତାକୁ ସମ୍ଭାଳିବ କିଏ?

ଗାଈକୁ ଓ ଗାଡିକୁ ହୁଏତ ବିକ୍ରି କରି ଦେଇ ହେବ ହେଲେ ପିଲାଙ୍କ କଥା!!! ବଡହଳରେ ଘର ନେଲେ ମୋ କଲେଜ ପାଖ ହେବ, ହେଲେ ପିଲାଙ୍କୁ ପ୍ରତିଦିନ ସହରର ଛାତି ଚିରି ଯାଇଥିବା ବିପଦ ସଂକୁଳ ରାଜପଥ ଅତିକ୍ରମ କରି ସ୍କୁଲକୁ ଆସିବାକୁ ପଡିବ। ସେତେବେଳର ଧରଣୀଧର କଲେଜର ପ୍ରିନସିପାଲ ମଧ୍ୟ ଛାତ୍ରୀନିବସ ଦାୟିତ୍ୱ ନେଇ ସେଠିକାର କ୍ୱାର୍ଟର୍ସରେ ରହିବା ପାଇଁ କହୁଥିଲେ , ସେଇ ସମାନ କାରଣ ପାଇଁ ତାଙ୍କୁ ବି ମନା କରଦେଲି। ଠିକ କଲୁ ମୋତେ ଯେତେ କଷ୍ଟ ହେଉ ପଛକେ ପିଲାଙ୍କ ସ୍କୁଲ ପାଖାପାଖି ଘର ଦେଖିବା। ହେଲେ ଆମ ସୁବିଧା ମୁତାବକ ଘର ମିଳୁନଥାଏ। ଏପଟେ ପୁରୋହିତ ବାବୁଙ୍କ ଛୁଟି ସାରିଯାଉଥାଏ।

ଅନେକ ଚିହ୍ନା ପରିଚିତ ଲୋକଙ୍କୁ ମଧ୍ୟ ପିଲାଙ୍କ ସ୍କୁଲ ନିକଟରେ ଗୋଟାଏ ଘର ଦେଖିବା ପାଇଁ ଅନୁରୋଧ କରିଥାଉ। ପ୍ରତି ଶନିବାର ଛୁଟିରେ ଆସିଲେ ଘର ଖୋଜାହୁଏ, କିନ୍ତୁ ଠିକ ହେଇ ପାରେ ନାହିଁ। କଣ୍ଟ ସାରି ଆସୁଥାଏ। ଜିଲ୍ଲାଜଜ ଖବର ପଠାଉ ଥାଆନ୍ତି ମାସ ପୁରିଲେ ଘରୁ ଜିନିଷ ବାହାରକରି ତାଲା ପକେଇଦେବେ।

ଘର ମିଳୁଥାଏ କିନ୍ତୁ କେଉଁଠି ଗରେଜ ନଥାଏ ତ କେଉଁଟା ମାଇନିଙ୍ଗ କଲେଜ ପାଖରେ… ନୂଆଘର , ବିଲ ଭିତରେ ଏକୁଟିଆ ଘର ପାଖପଡ଼ୋଶୀ କେହିନାହିଁ। ଜଣେ ଖବର ଦେଇଥାନ୍ତି ସ୍କୁଲକୁ ଦୁଇ ଶହ ମିଟର ହେବ ଛକ ପାଖରେ ଗୋଟେ ଦୁଇ ମହଲା ଘରର ଉପର ପାଖ ଖାଲି ଅଛି , ଘରେ ଗାରେଜ ବି ଅଛି। ବାହାରେ ଜାଗା ଅଛି, ଟିଣ ପକେଇ ଗୁହାଳ ବି କରିହେବ। ଭଡା ମାସକୁ ମାତ୍ର ହଜାରେ। ମାଲିକ ଘଟଗାଁର ,ତଳେ ଜଣେ ଓକିଲ ଥାଆନ୍ତି ଓ ସେ ହିଁ ଘର ଦାୟିତ୍ୱରେ ଥାଆନ୍ତି। ମାଲିକ ମାସକୁ ମାସ ଆସି ଭଡା ନେଇ ଯାଏ। ଆମେ ଖବର ପାଇ ସେଠିକି ଗଲୁ ମାତ୍ର ଓକିଲ ମହୋଦୟ କହିଲେ,” ସାର, ଘର ଖାଲି ଥିଲା ମାତ୍ର ମାଲିକ ଏଇ ଦି ଦିନ ହେବ କାହାକୁ ଦେଇ ଦେଇଛି। “ଆମକୁ ବୁଦ୍ଧି ବାଟ ଦିଶୁନଥାଏ। ଗାଈ କଥା, ପିଲାଙ୍କ କଥା,କଲେଜ କଥା ,ତା ଉପରେ ଘର ଖୋଜା …ମୋତେ ତ ଏକୁଟିଆ ଥିଲାବେଳେ କାନ୍ଦ ଲାଗେ। ଠାକୁରଙ୍କ ପାଖରେ ଗୁହାରି କରୁଥାଏ।

ପୁରୋହିତ ବାବୁ କିନ୍ତୁ ଏତେ ବ୍ୟସ୍ତ ହେଉନଥାନ୍ତି, କହୁଥାନ୍ତି,”ସେ କେବେବି ଆମକୁ ଘରୁ କାଢି ତାଲା ପକେଇ ପାରିବେ ନାହିଁ, ମୁଁ ହାଇକୋର୍ଟ କୁ ଲେଖିଛି ଅର୍ଡର ଆସିଯିବ ।’ ହାଇକୋର୍ଟ ରୁ ବି କିଛି ଅର୍ଡର ଅସୁନଥାଏ। ମଣିଷ ଓ ମଣିଷ ତିଆରି ଆଇନ ଉପରୁ ବିଶ୍ୱାସ ମୋର ତୁଟି ଯାଉଥାଏ .. “ହରି କୃପାହି କେବଳମ” ନ୍ୟାୟରେ ଖାଲି ଭଗବାନଙ୍କୁ ଡାକୁଥାଏ ,ଯେମିତି ଅପଦସ୍ତ ହେବାକୁ ନପଡୁ। ଖାଇବା ପିଇବାକୁ ବି ମନ ହେଉ ନଥାଏ।

ହରି ଅନନ୍ତ,ହରି କୃପା ବି ଅନନ୍ତ। ଏପଟେ ପଶୁ ଚିକିତ୍ସକଙ୍କ ପାଖରୁ ଶୁଣି କେନ୍ଦୁଝର ରାଜା ନିଜେ ଆସି ସେଇ ଗାଈକୁ ନେଇ ଯିବାକୁ ଅଗ୍ରହ ପ୍ରକାଶ କଲେ। ଯାହାହେଉ ଗାଈର ସୁବିଧା ହେଇଗଲା ।ମାତ୍ର ଆମେ! ଆମ ପାଇଁ ହରିଙ୍କ ବ୍ୟବସ୍ଥା!!!

କଣ୍ଟ କାଲିକି ସରିବ , ରାତି ଆଠଟା ହେବ, ପୁରୋହିତ ବାବୁ ହସି ହସି ଘରକୁ ଫେରିଲେ ,ଗଲାବେଳେ ମୁହଁ ଶୁଖାଇ କହି ଯାଇଥିଲେ ଯାଉଛି ଆଜି ଯେମିତି ହେଲେ ଘର ଠିକ କରି ଫେରିବି ଯଦି ବାଧ୍ୟରେ କାଲି ହିଁ ଛାଡିବାକୁ ପଡେ ସେଠାକୁ ଉଠିଯିବା ପରେ ସୁବିଧା ଦେଖି ଘର ବଦଳେଇବା। ମୋ ମୁହଁରେ ପ୍ରଶ୍ନଚିହ୍ନ ଦେଖି ସେ କହିଲେ ବଢ଼ିଆ ଘର ,ସେଇ ଛକ ଉପର ଘରଟି ଯୋଗାଡ଼ ହେଇ ଗଲା। ମୁଁ ଆଶ୍ଚର୍ଯ୍ୟ ହେଇ ତାଙ୍କୁ ଦେଖିବାରୁ ସେ ମୋତେ କହିଲେ ଯେ ସେ ମାଇଁନିଙ୍ଗ କଲେଜ ପାଖ ଘର ଠିକ କରି ଫେରୁଥାନ୍ତି, ଠିକ ବଜାର ପାଖ ଛକରେ ହେଇଛନ୍ତି, ସେଇ ଓକିଲ ମହୋଦୟ ମାନେ ସାହୁବାବୁ (ଯିଏ ଆଗରୁ ଘର ଖାଲି ନାହିଁ ବୋଲି କହିଥିଲେ ) ପଛରୁ ଡାକ ପକେଇଲେ , “ସାର,ସାର”। ସେ ଅଟକି ଯିବାରୁ ପାଖକୁ ଆସି ପ୍ରଥମେ ଗୋଟେ ଚାବି ଧରେଇ ଦେଇ କହିଲେ, “ସାର,ଏଇ ସେଇ ଘରର ଚାବି,ଘର ସଫା କରିବା ବି ଦରକାର ପଡିବ ନାହିଁ। ଆପଣ କାଲି ସିଫ୍ଟ କରି ଦିଅନ୍ତୁ ।” ପୁରୋହିତ ବାବୁଙ୍କ କଥା ଶୁଣି ଆଖିର ଲୁହ ମୋର ବୋହି ଯାଉଥାଏ, ଥମିବାର ନାମ ନେଉ ନଥାଏ,ମନେହେଲା ସତେ ଯେମିତି ଭଗବାନ ସାହୁବାବୁଙ୍କ ରୂପରେ ଆସି ଚାବି ଧରେଇ ଦେଇଗଲେ। ଭଗବାନ ବୋଧହୁଏ ଧୈର୍ଯ୍ୟର ପରୀକ୍ଷା ନିଅନ୍ତି। ହେଲେ ଯେ ତାକୁ ଆଶ୍ରା କରିଥାଏ ତାକୁ କଦାପି ନିରାଶ କରନ୍ତି ନାହିଁ।

ମଜାର କଥା ହେଲା ଘଟଣାର ପ୍ରାୟ ଦୁଇମାସ ପରେ ଥରେ ପୁରୋହିତ ବାବୁ ଛୁଟିରେ କେନ୍ଦୁଝର ଆସିଥିବା ବେଳେ ସେହି ଜିଲ୍ଲାଜଜ ଅଫିସ ଷ୍ଟାଫ ପଠେଇ ବାଧ୍ୟକରି ନିଜ କାରରେ ବସେଇ ଘଟଗାଁ ତାରିଣୀ ଦର୍ଶନ ପାଇଁ ନେଇ ଯାଇଥିଲେ ଓ ବାଟଯାକ, ” ମୋର ଭୁଲ ହେଇଗଲା, ତୁ ମୋର ଛୋଟ ଭାଇଟା, ମୋତେ ମାଫ କରିଦେ।’ ବୋଲି ବାରମ୍ବାର କହିଥିଲେ ଓ ତାରିଣୀଙ୍କ ପାଖରେ ମଧ୍ୟ ସେହି କଥା କହି କ୍ଷମା ଦେବାକୁ କହିଥିଲେ। କାହିଁକି ଯେ ବଦଳି ସମୟରେ ଜିଲ୍ଲା ଜଜ ସେପରି ବ୍ୟବହାର କଲେ ତାର ଆଦି ଅନ୍ତ ଆଜିବି ମୁଁ ଜାଣି ପାରେ ନାହିଁ। ତାଙ୍କ ମାୟା ତାଙ୍କୁ ହିଁ ଜଣା।

ଆଉ ଆମେ …ମାଆ ତାରିଣୀଙ୍କ କୃପା ଶବ୍ଦରେ ବର୍ଣ୍ଣନା କରି ହେବ ନାହିଁ। ମାଆ ପୁଅ ଓ କୁନି ଝିଅ , ନିର୍ବିଘ୍ନରେ ଦୁଇ ବର୍ଷ ରହିଥିଲୁ ସେହିଘରେ..ଘର ସାମନାରେ ଧାଡ଼ିକି ଧାଡି ଦୋକାନ, ତେଲ ଲୁଣ ଠାରୁ ଆରମ୍ଭ କରି ଜଳଖିଆ ,ପନିପରିବା ଓ ଔଷଧ ସବୁ ମିଳୁଥାଏ, ଆମର ସବୁ ଆବଶ୍ୟକତାକୁ ପୁରଣ କରୁଥାଏ। ତଳେ ରହୁଥିବା ଓକିଲ ସାହୁବାବୁବି ଅନେକ ସାହାଯ୍ୟ କରିଥିଲେ। ଦିନସାରା ଘରେ ରହି ଝିଅକୁ ଜଗିବା ପାଇଁ ବି ଜଣେ ଠିକ ହେଇଗଲେ। ଏପଟେ ପୁରୋହିତ ବାବୁ ବସରୁ ଓହ୍ଲେଇଲେ ଘର। ବଡପୁଅ ବହୁତ ଭଲ ନମ୍ବର ରଖି ଦଶମ ପାସ କଲା। ବଡ଼ପୁଅର ଏକାଦଶ ଶ୍ରେଣୀ ବେଳକୁ ପୁରୋହିତ ବାବୁଙ୍କର ଜୟପୁର ବଦଳି ହେବାରୁ ଆମେ ବାଧ୍ୟହେଇ କେନ୍ଦୁଝର ଛାଡି ଥିଲୁ। ସେସବୁ ଘଟଣାକୁ ଦେଖଲେ ଜାଣି ହୁଏ ମଣିଷ କେତେ ଅସହାୟ !!!!!! ସେଇଥିପାଇଁ ବୋଧହୁଏ କୁହାଯାଏ “ଦଇବ ଦଉଡ଼ି ମଣିଷ ଗାଈ, ଜେଣିକି ଟାଣି ତେଣିକି ଯାଇ। ” ସଂସାର ସାଗରର ଦୁଃଖକଷ୍ଟ ଭିତରେ କୈବର୍ତକ କେଶବ….. ହରିକୃପା କେବଲମ, ହରିକୃପା କେବଲମ ।