Latest Odisha News

BREAKING NEWS

ପ୍ରଥମ ବିମାନ ଯାତ୍ରା

ଅନସୂୟା ପଣ୍ଡାଙ୍କ ସ୍ମୃତିର ଫରୁଆରୁ …… 

“ତମ ପରି ଭୋଲି ଭାଲି ଝିଅ ଫାଙ୍କଫର୍ଟ ପରି ଏତେ ବଡ଼ ଏୟାର ପୋର୍ଟରେ ହଜି ଯିବନି ତ ‘? ” ଫୋରେକ୍ସ କାର୍ଡ ଓ ହାତଖର୍ଚ୍ଚ ପାଇଁ କିଛି ୟୁରୋ ବଢ଼ାଇ ଦେଲା ବେଳେ ହିନ୍ଦୀରେ ରିସେପସନିଷ୍ଟ ବିଦ୍ୟା କହିଲା l ବିଦ୍ୟା କେରଳି ତେଣୁ ସେ ଏତେ ଭଲ ନ ହେଲେବି ହିନ୍ଦି କହି ପାରେ l ଭିତରେ ଭୟ ଲାଗୁଥିଲେ ବି ମୁଁ ବାହାରେ ଟିକେ ହସି ଦେଇଥିଲି l ଯାହା, ମୁଁ ସବୁ କରିପାରିବି ଏଇ କଥା ସୂଚେଇ ଦେଉଥିଲା l

ପ୍ରସାରଣରେ ହିଁ ଜୀବନ, ସଙ୍କୋଚରେ ନୁହେଁ l ଡରକୁ ମନ ଭିତରେ ଦବେଇ ମୁଁ ଆଗକୁ ଦେଖୁଥିଲି l ଜୀବନ ପାଇଁ ଆସକ୍ତି ହେଲେ ଜୀବନ ଥାଉଁ ଥାଉଁ ମୃତ୍ୟୁ ଜାଣି ଜାଣି ବରିବାକୁ କିଏ ଭଲ ପାଏ l ଯଦି କିଛି ହୋଇଯାଏ! ଯଦି ଆଉ ଦେଶକୁ ଫେରି ନପାରେ! ନନାଙ୍କର ପାସପୋର୍ଟ ବି ନାହିଁ ଯେ ତୁରନ୍ତ କିଛି ପଦକ୍ଷେପ ନେଇ ପାରିବେ!

ନାନା ଚିନ୍ତା ଉନ୍ମତ୍ତ ନୃତ୍ୟ କରୁଥାନ୍ତି ମନରେ, ହେଲେ ବାହାରେ ଧ୍ରୁବଙ୍କ ପରି ସ୍ଥିର, ସ୍ତିବିର ଥିଲି ମୁଁ l ଆସକ୍ତି ମଣିଷ ମନରେ ବେଡି ଲଗାଏ! ପଛକୁ ଟାଣେ l ପୁଣି ଦୃଢ଼ କଲି ମନକୁ, ଭୀଷ୍ମ ଇଛା ମୃତ୍ୟୁର ବରଦାନ ପାଇଥିଲେ, ଇଛା ମୁତାବକ ଜୀବନର ନୁହେଁ! ଆଉ ମୋତେ ମୋ ଇଚ୍ଛା ମୁତାବକ ଜୀବନ ମିଳୁଛି ଆଉ ମୁଁ ପଛକୁ ଦେଖୁଛି!

ସାପ ଯେପରି ଗୋଟେ ନୂଆ ରୂପ ପାଇବା ପୂର୍ବରୁ ପୁରୁଣା କାତି ଛଡ଼ାଏ, ଗୋଟେ ନୂଆ ଜୀବନ ପୂର୍ବରୁ ଅନେକ ବିଘ୍ନ ଆନମନା କରନ୍ତି l ଉପରକୁ ଉଠି ଉଡିବା ପୂର୍ବରୁ ଅନେକ ନୀଚ ଶକ୍ତି ମନକୁ ନିମ୍ନଗାମୀ କରନ୍ତି l ହେଲେ ତାକୁ ଅଣଦେଖା କରି ଆଗକୁ ବଢ଼ିବା ହିଁ ଜୀବନ!

କ୍ଲାଇଣ୍ଟ ଲୋକେସନରେ କାମ କରିବାକୁ ହେଲେ ଟେକନିକାଲ ନଲେଜ ସହିତ ଭଲ ଇଂରାଜୀ ମଧ୍ୟ୍ୟ କହିବାକୁ ପଡେ l ମ୍ୟାନେଜର କୁହନ୍ତି ଇଂରେଜମାନେ କୁଆଡେ ଚେନ୍ନାଇରେ ସବୁଠୁ ଅଧିକ ଦିନ ରହିଥିବାରୁ ସେମାନଙ୍କ ଇଂରାଜୀ ଭାଷାରେ ମାତୃଭାଷା ତାମିଲର ପ୍ରଭାବ ( ମଦର ଟଙ୍ଗ ଇନଫ୍ଲୁଏନ୍ସ) ବହୁତ କମ, ଏପରିକି ମୋଟେ ନାହିଁ କୁଆଡେ l ନର୍ଥ ଇଣ୍ଡିଆନ ସ୍ଲାଙ୍ଗ ନର୍ଥ ଇଣ୍ଡିଆନଙ୍କ ଇଂଲିଶରେ ଜଣାପଡ଼ିଯାଏ l ଯଦିଓ “ମୁଁ ନର୍ଥ ଇଣ୍ଡିଆନ ନୁହେଁ, କିନ୍ତୁ ଯେତେ ବୁଝେଇଲେବି ସେଇ ଗୋଷ୍ଟିରେ ଗଣା ହୁଏ l ମୋ ଇଂରାଜୀରେ “ବ”, “ଭ”, “ସ”, “ଶ” , “ଚ” ଆଦିର ଉଚ୍ଚାରଣରେ ମାତୃଭାଷାର ପ୍ରଭାବ ବେଶି ରହିଯାଉଥିଲା l ଜଣେ କେରଳି କର୍ପୋରେଟ ଟ୍ରେନର ଆସୁଥିଲେ କମ୍ପାନୀକୁ ଇଂରାଜୀ ଉଚ୍ଚାରଣ ଶିଖାଇବାକୁ l ମୁଁ ନିଜକୁ ସଜାଡ଼ିବାକୁ, ପ୍ରଥମେ ମୁଁ କଣ ଭୁଲ କରୁଛି, କେଉଁଟା ଠିକ ଜାଣିବା ପରେ, ଖୁବ ଶୀଘ୍ର ସଜାଡ଼ି ନେଲି l ଟ୍ରେନର ଜଣଙ୍କ ଖୁସିରେ ମ୍ୟାନେଜରଙ୍କୁ ମେଲ ଲେଖିଲେ, “ଭାଷା ଯାହା ଜାଭା କୋଡ ନୁହେଁ ଯେ ତୁରନ୍ତ ରେଜଲ୍ଟ ବାହାରିଯିବ l ମାତ୍ର ଅନସୂୟା ଖୁବ କମ ଦିନରେ କରି ଦେଖାଇଛନ୍ତି!” ତାହା ଖୁବ ଗର୍ବ ଓ ଗୌରବର କଥା ଥିଲା ଉଭୟ ଶିକ୍ଷକ ଓ ଛାତ୍ରଙ୍କ ପାଇଁ l

ମୋର ନେଦରଲାଣ୍ଡ ଯିବା ପାଇଁ ମଧ୍ୟ ଦିନ ଧର୍ଯ୍ୟ ହେଲା l ଯିବାର ଦୁଇ ସପ୍ତାହ ପୂର୍ବରୁ ନନା ଓ ସାନ ଭଉଣୀ ବେବି ଆସିଥିଲେ ଚେନ୍ନାଇ, ସପ୍ତାହେ ପାଇଁ l କିଣାକିଣି କାମ ସହଜ ହୋଇଗଲା l ଲେଡି ମ୍ୟାନେଜର କହିଥିଲେ ୱେଷ୍ଟେର୍ଣ ଡ୍ରେସ, ସୁଜ ଆଦି କିଣିବାକୁ l କ୍ଲାଇଟ ପ୍ଲେସରେ ସ୍ମାର୍ଟ ଦେଖା ଯିବା ନିହାତି ଜରୁରୀ l ମୁଁ ଭାବେ ବିଦେଶୀ ଡ୍ରେସ ପିନ୍ଧି ନୁହେଁ , ସ୍ମାର୍ଟ ଡ୍ରେସ ପିନ୍ଧି ଅନ୍ୟ କାନ୍ଧରେ ଗୋଡ଼ ଦେଇ କାମ ଉଠେଇ ନୁହେଁ, ନିଜ କାମ ନିଜେ ଅନାୟାସରେ କରି ପାରୁଥିବା ମଣିଷ ହିଁ ସ୍ମାର୍ଟ l କାନ୍ଧରୁ ଯାହାର ଓଢଣୀ ନ ଖସିବା ପାଇଁ ସେପ୍ଟିପିନ ଶକ୍ତ ଭାବେ ଲଗାହୋଇଥାଏ, ସିଏ ପୁଣି ଜିନ୍ସ ଟପ ପିନ୍ଧିବ! ସେ ଯାହା ହେଉ ଯେଉଁ ଦେଶ ଯାଇ ସେ ଫଳ ଖାଇ l ସ୍ମାର୍ଟ ଦେଖା ଯିବା ପାଇଁ ଆବଶ୍ୟକତା ମୁତାବକ ଡ୍ରେସ କିଣା ଗଲା l ସେଠି ରୋଷେଇ କରି ଖାଇବାକୁ ଇଲେକଟିକ କୁକର ବି! ଅଳ୍ପ ଚାଉଳ, କିଛି ଡାଲି, ନିହାତି ଆବଶ୍ୟକ ଶୁଖିଲା ଖାଦ୍ୟ, ଇତ୍ୟାଦି ଇତ୍ୟାଦି l ଘରୁ ବୋଉ ତିଆରି କରିଥିବା ଚୁଡା ଚୁନା, ମିକ୍ସଚର, ଚୁଡା ଭଜା ଛୁଙ୍କ, ଶେଉ ଏମିତି ଅନେକ ଆସିଥାଏ l ବୋଉ ତିଆରି କରିଥିବା ଚୁଡା ଚୁନା, ମୁଁ ଘରୁ ଗ୍ରାଜୁଏସନ ପରେ ବାଣୀବିହାର ଗଲା ଦିନଠୁଁ ଆଜିଯାଏ ଖୁବ ବେଳ ଅବେଳର ଖାଦ୍ୟ ହୋଇ ରହିଛି, ସତ କହିଲେ ସକାଳ ଖାଦ୍ୟ ଧାରାବାହିକ ଭାବେ ସେଇ ଚୁଡା ଚୁନା ମୋର ଅଭ୍ୟାସ ହୋଇଯାଇଛି l

ବେବିର ଓଡି଼ଶା ପୋଲିସରେ ଜଏନ କରିବାର ତାରିଖ ଓ ମୋର ନେଦରଲାଣ୍ଡ ଯିବାର ସେଇ ଗୋଟିଏ ତାରିଖ l ତେଣୁ ସେମାନେ ମୋତେ ଥଇଥାନ କରି ଫେରିଗଲେ l ମୋର ଯିବାକୁ ଆଉ ସପ୍ତାହେ ଥାଏ l ସେମାନେ ଥିବା ବେଳେ ବି ମୁଁ ଦିନଟିଏ ଛୁଟି ନେଇନଥିଲି l କାରଣ ଗୋତି ଶ୍ରମିକ ପରି ମୋ ଲେଡି ମ୍ୟାନେଜର ଓ ଲେଡି ଡେପୁଟି ମ୍ୟନେଜେର ମଣିଷ ଚରାନ୍ତି! ଦୁଇ ମାସ ତଳେ ମ୍ୟାଲେରିଆ ହୋଇଥିଲା, ସେଇ ଭିତରେ ପ୍ରଥମ ଥର ପାଇଁ ପାସପୋର୍ଟ ତତ୍କାଳରେ ଆବେଦନ, ମେଲେରିଆ ଚିକିତ୍ସା ପାଇଁ କୁଇନାଇନ ଇଞ୍ଜେକ୍ସନ ନେବା ସବୁକୁ ମିଶାଇ ତିନିଦିନ ଛୁଟି ଦେଇଥିଲେ, ଗୋଟେ ଦିନ ଏକ୍ସଟ୍ରା ରହି ଯାଇଥିଲି ଯେ ଗୋଟେ ଦିନର ଦରମା ସେ କାଟି ଦେଇଥିଲେ l ତେଣୁ ସେ ପକ୍କା ମ୍ୟାନେଜରଙ୍କଠାରୁ ମାନବିକତା ଆଶା ରଖିବା ଖୁବ କମ! ତେଣୁ ଅଫିସ, ଅଫିସରେ ଆଞ୍ଜୁଳି ଭରି କାମ ପରେ, କିଣା କିଣି ସବୁ ସାମନ୍ତରାଳରେ ଚାଲିଥାଏ l

ବାକି ରହିଥିଲା ପ୍ୟାକିଙ୍ଗ l ଛୋଟ ମୋଟ ଜିନିଷ କିଣା ତ ଚାଲିଥିଲା, ତେଣୁ ଆଗରୁ ପ୍ୟାକିଙ୍ଗ ବେବି କରି ନଥିଲା l ମୁଁ ନେବା ଜିନିଷ ଏକାଠି କରିଦେବି ସିନା କିନ୍ତୁ ପ୍ୟାକିଙ୍ଗ ଠିକରେ କରିପାରିବିନି l ସୁସ୍ମିତା ସେନ ! ମିସ ୟୁନିଭର୍ସ ହିରୋଇନ ସୁସ୍ମିତା ସେନ ନୁହଁନ୍ତି, ମୋ ରୁମରେ ରହୁଥିବା ସୁସ୍ମିତା ସେନ! ବଙ୍ଗାଳୀ, ପାଟିରେ ମିଠା ରଖି କହିବା ପରି ମିଠା କଥା! ଯିଏ ରୂପ ଗୁଣ କେଉଁଥିରେ ବି ହେରୋଇନଙ୍କଠୁ ବି କମ ନୁହେଁ, କିନ୍ତୁ ସେ ପ୍ୟାକିଙ୍ଗରେ ଖୁବ ମାଷ୍ଟର l ମୁଁ ଚେନାଇରୁ ଘରକୁ ଆସିଲା ବେଳେ ବି ସେ କରିଦିଏ l ଆଉ ଘରୁ ଗଲାବେଳେ, ବେବି, ବୋଉ ନହେଲେ ସାନ ଭାଇ କରିଦିଅନ୍ତି l ଏବେ ଯାଏ ବି ମୋର ସେ ଦୁର୍ବଳତା ସମ୍ପୂର୍ଣ ଯାଇନି l

ସୁନ୍ଦର ଭାବେ ପ୍ୟାକିଙ୍ଗ କରି ମୋର ବଡ ଚିନ୍ତାକୁ ହାଲୁକା କରିଦିଏ ସୁସ୍ମିତା l ହେଲେ ବାହା ନସରିବା ଯାଏ ଜିନିଷ କିଣା ଚାଲିବା ପରି, ଫ୍ଲାଇଟରେ ନବସିବା ଯାଏ ପ୍ରତିଦିନ ମୋର କିଛି ନା କିଛି କିଣା ଚାଲିଥାଏ l ଆଉ ସୁସ୍ମିତା ତାକୁ ସଜାଡି ଦିଏ l କରିସାରି କୁହେ, ” ହୋ ଗେୟା ଦିଦି, ଅବ ଖୁସ ? ଆନେକା ବାଦ ମୁଝେ ଜାଦା ଚକଲେଟ ମିଲେଗା! ” ହସି ହସି ସେ କୁହେ l ସେ ଓଡ଼ିଆ ଭଲରେ କହି ପାରେନି, ତେଣୁ ହିନ୍ଦୀରେ କୁହେ l ଚଳଚ୍ଚିତ୍ରରେ ଘଟିଲା ପରି ସବୁ ଠିକ ହୋଇ ଆସିଲା ବେଳକୁ ପୁଣି ଅଚାନକ କିଛି ଘଟିବା ପରି, ସବୁଠୁ ବଡ଼ ଅସୁବିଧା ମୁଁ କଣ କରେ, ହଠାତ ଭାବେ ଆରେ ସେ ଜିନିଷଟା ବୋଧେ ରଖା ଯାଇନି, ପୁଣି ସବୁ ଘାଣ୍ଟି ଏପଟ ସେପଟ କରିଦିଏ ଆଉ ପାଇ ସାରି ମୁହଁ ଲେଟକେଇ ବସେ l ସୁସ୍ମିତା ସବୁ ବୁଝି, ଗୋଟେ ଛୋଟ ମିଠା ହସ ହସି କୁହେ, ” କୋଇ ବାତ ନେହି ହମ କରଲେଙ୍ଗେ, ଲେକିନ ବଚ୍ଚା ଯେସା ଆପ ବାର ବାର ଏସା ମତ କିଜିଏ ” ହଁ ମାରେ ହେଲେ ଏବେ ଯାଏବି ମୋର ସେ ଗୁଣ ଗଲାନି l ବ୍ୟାଗ ଉପରେ ନାଁ, ଗାଁ, ଠିକଣା ଲେଖା ଗଲା, ଯଦି ମିସ ହୁଏ ତେବେ ଫେରିବାର ଠିକଣା ଥିଲା ମୋ ଅଫିସ ଠିକଣା l ପରୀକ୍ଷାରେ ପାସ କଲା ପରି, ପ୍ୟାକିଙ୍ଗ ସରିଲା l

ତା ପରର ବ୍ୟସ୍ତତା ଥିଲା ବ୍ୟାଗର ଓଜନ ଜାଣିବା! ଏବେ ସିନା ବିପି, ଡାଇବେଟିସ, ଓୟୀଙ୍ଗ ମେସିନ ସବୁ ଘରେ ଅଛି ହେଲେ ସେତେବେଳେ ହଷ୍ଟେଲରେ ନିଜ ଛୋଟ ଛୋଟ ଅଧିକାରର ମାଲିକାନା ପାଇଁ ଲଢ଼ିଲା ବେଳେ ଏସବୁ ନଥିଲା l ସେଥିପାଇଁ ପ୍ରାୟ ଅଧା କିଲୋମିଟର ଦୂରରେ ଥିବା ଆପୋଲୋ ମେଡିକାଲ ଷ୍ଟୋରକୁ ବ୍ୟାଗ ମୋତେ ଟାଣି ଟାଣି ନେବାକୁ ପଡେ l ମୋତେ ବୁଝି ପାରୁଥିବା, ଅତି ପ୍ରିୟ ମଣିଷ କାଜଲ ବ୍ୟସ୍ତ ନଥିଲେ ମୋ ସହ ଯାଏ l ପୁଣି ଜିନିଷ ଅଧିକ ବେଶି ହେଲେ ପୁଣି ଦିନେ ବ୍ୟାଗ ଟାଣି ଟାଣି ନେବାକୁ ପଡେ l କଷ୍ଟ ଲାଗେ, ହେଲେ ଥକେନି l ସବୁ ହୋଇଯାଏ ସମୟ ସହ, ହେଲେ ହେବାକୁ ଥିଲେ! ନହେଲେ ପ୍ରତିବନ୍ଧକ ମାୟା ମୃଗ ପରି ବାଟ ଛକେ !

ଯିବା ଦିନ ଆସିଗଲା l ରାତି ଗୋଟେରେ ଫ୍ଲାଇଟ l ଚେନାଇ ସେଣ୍ଟ୍ରାଲରୁ ରାତି ତିନିଟାରେ ହାଉଡ଼ା ମେଲରୁ ଓହ୍ଲାଇ ଏକା ଏକା ପ୍ରି ପେଡ ଅଟୋ ଧରି ହଷ୍ଟେଲକୁ ଆସିବା ମୋ ପାଇଁ ସହଜ ରହିଥିଲା ଆଜିଯାଏ ହେଲେ ରାତି ସାଢେ ନ’ ପରେ ଏକୁଟିଆ ଏୟାର ପୋର୍ଟ ଯିବା ଏକୁଟିଆ ଟିକେ ଡର ଲାଗୁଥିଲା ଓ ବିପଦ ଶଙ୍କୁଳ ମଧ୍ୟ l ଭଗବାନଙ୍କ ପାଖରେ ଗୁହାରି କଲାପରି ଆଜି ଯାଏ ମୋର ସବୁ ଅଳି ନନାଙ୍କ ପାଖରେ! କିଏ ଏୟାର ପୋର୍ଟ ଯାଏ ସାଙ୍ଗରେ ଯିବ! ନାନା ବ୍ୟସ୍ତ ହୋଇ ହୋଇ, ଶେଷରେ ତାଙ୍କସହ ଏକା ଅଫିସରେ କାମ କରୁଥିବା ପାଣିଗ୍ରାହୀ ମଉସା( ସ୍ମଲ ଶେଭିଂ ଅଫିସର ), ଯାହା ଘରେ ଭଡା ରୁହନ୍ତି ସେଇ ମାଲିକ ଗୟାଧର ମଉସାଙ୍କ ଜୋଇଁ ସୁଧାକର ସାମଲ l ସେ ପରିବାର ସହ ଇସିଆର ରୋଡ଼, ମୁଁ ରହୁଥିବା ଜାଗାଠାରୁ ପ୍ରାୟ କୋଡିଏ କିଲୋମିଟର ଦୂରରେ ରୁହନ୍ତି, ବିଜିନେସ କରନ୍ତି l
ନନା ତାଙ୍କୁ ଅନୁରୋଧ କରିଥିଲେ ଟିକେ ଆସି ଛାଡି ଦେବାକୁ l ବହୁତ ଭଲ ଲୋକ l କେବଳ ସେଇଥର ନୁହେଁ ମୁଁ ଯେତେ ଥର ଭାରତ ବାହାର କୁ ଯାଇଛି ଆସିଛି ସୁଧା ଭାଇନା ରାତିରେ ଆସିଛନ୍ତି ଛାଡିବାକୁ ପୁଣି ନେବାକୁ l ସୁଧା ଭାଇନା କାର ଧରି ଆସନ୍ତି , ଛାଡ଼ି ଯିବାଯାଏ ଅପେକ୍ଷା କରି ରୁହନ୍ତି l ନେବା ବେଳେ ବି ସେଇଆ l ସେଥିପାଇଁ ମୁଁ ତାଙ୍କ ପାଖରେ ଖୁବ କୃତଜ୍ଞ, ଅନେକ ୠଣୀ l କୃତଜ୍ଞତା ଗୋଟେ ଶବ୍ଦ ନୁହେଁ, ନିଜକୁ ଗ୍ରହୀତା ବୋଲି ପ୍ରମାଣ କରିବାର ଏକ ନିରବ ସାଧନା l ଟିମର ଅନେକ ପିଲା ଆସିଥିଲେ ଅଭିବାଦନ କରିବାକୁ ଏୟାର ପୋର୍ଟ , ହେଲେ କାହା ଆଗରେ ପାଟି ଖୋଲି ମୋତେ ହଷ୍ଟେଲରୁ ଟିକେ ଏୟାରପୋର୍ଟ ଯାଏ ନେବାକୁ କହିବାକୁ ମୋତେ ମାଡ଼ିପଡ଼ିଥିଲା!

ସବୁ ଜିନିଷ ଜୀବନରେ ପ୍ରଥମଥର ପାଇଁ ହୁଏ, ଆଉ ତାହାହିଁ ଇତିହାସ ରଚନା କରିଦିଏ l ଯେମିତି ଥିଲା ମୋର ପ୍ରଥମ ଉଡ଼ାଜାହାଜ ଯାତ୍ରା, ଏୟାର ଫ୍ରାନ୍ସରେ I

 

ଅନସୂୟା ପଣ୍ଡା,
କାର୍ଡଗୁଡ଼ି, ବାଙ୍ଗାଲୋର l

Comments are closed, but trackbacks and pingbacks are open.