ମୋ ସ୍ମୃତିରେ ପୋରୁହାଁ ଅଷ୍ଟମୀ

0
6

ସୁଷମା ପରିଜାଙ୍କ ସ୍ମୃତିର ଫରୁଆରୁ …… 

ପ୍ରଥମାଷ୍ଟମୀରେ ଆଜି ଏଇ ଉତ୍ତର ବୟସରେ ବି ମୋର ମାମୁଁ ଘର କଥା ଖୁବ୍ ମନେପଡେ । ମୋର ମାମୁଁ ଘର ଜଟଣୀ କୁଦିଆରୀ ଗାଁରେ। ଅଜା ଆଈଙ୍କର ଦୁଇ ପୁଅ, ଦୁଇ ଝିଅ । ମାମୁଁ ଦି ଜଣ ବଡ, ମୋର ବୋଉ ଆଉ ମାଉସୀ ସାନ। ଘଟଣାକ୍ରମେ ମୋର ବାପା ମୋ’ ଜନ୍ମ ପରେ ଆସି କଟକର ମଙ୍ଗଳାବାଗ ରେ ମୋ ‘ ମାଉସୀ ଘରେ ରହିଲେ। ମାଉସୀର ଆଉ ଆମର ପରିବାର ଭିନ୍ନ ଭିନ୍ନ ହେଲେ ବି ଗୋଟିଏ ପରିବାର ପରି ଚଳୁଥିଲୁ ଆମେ। ଆମ ପରିବାରରେ ଆମ ବୋଉର ମୋ ଉପରେ ହୋଇଥିବା ପୁଅଟି ବାହୁଡି ଯାଇଥିଲା, ତେଣୁ ମୁଁ ଦୁଆଁ ପୋରୁହାଁ( ଦ୍ୱିତୀୟ ପୋରୁହାଁ) ଥିଲି । ଦୁଆଁ ପୋରୁହାଁ ହେଲେ ବି ବୋଉର ମନ ରଖିବାକୁ ମାମୁଁ ଘର ମତେ ପୋରୁହାଁ କରୁଥିଲେ କାରଣ ସେଇଠି ମୋ ମାଉସୀର ଝିଅକୁ ପୋରୁହାଁ କରିବାକୁ ଆସିଲେ କାଳେ ମୋ ବୋଉର ମନରେ କଷ୍ଟ ହେବ , ସେଇଥିପାଇଁ ।

ମୋର ସ୍ପଷ୍ଟ ମନେଅଛି ସବୁ ବର୍ଷ ପୋରୁହାଁ ଅଷ୍ଟମୀ ଦିନ ଭୋରରୁ ଖୋର୍ଦ୍ଧା ଜଟଣୀ ଫାଷ୍ଟ୍ ଲୋକାଲ୍ ଟ୍ରେନ୍ ଧରି ଆଈ ଆସି ପହଞ୍ଚିଥିବ କଟକରେ ଆମଘରେ ଗୋଟେ ବଡ ଗଣ୍ଠିଲି ଧରି । ସେଥିରେ ଥିବ ବଡ ବଡ ଡାଲିଆ ପିଠା ( ଯାହାକୁ ମାମୁଁ ଘର ଆଡେ ଭୋଗେଇ ପିଠା ବୋଲି କହନ୍ତି), ସେଥିରେ ଛେନା, ନଡିଆ, ରାଶି ଇତ୍ୟାଦି ବିଭିନ୍ନ ରକମର ପୁର ସରିସରି ହୋଇ ଦିଆଯାଇଥିବ। ଆମ ଦି’ ଭଉଣୀ ( ମୁଁ ଆଉ ମୋର ମାଉସୀ ଝିଅ)ଙ୍କ ପାଇଁ ନୂଆ ଜାମା, ଅଳତା, ସାବୁନ, ବାସ୍ନା ତେଲ, କୁଙ୍କୁମ, ପାଉଡର,ନଖପାଲିସି , ନାଲି ରିବନ୍ ,ବାସନା ତେଲ ସହିତ ପ୍ଲାଷ୍ଟିକର ଚିକିମିକି ଚୁଡି ଚାରିପଟ। ବୋଉ, ମାଉସୀଙ୍କ ପାଇଁ ପାନ, ଗୁଆ,ଗୁଣ୍ଡିରୁ ପୁଳାଏ। ଆଈକୁ ଦେଖି ଆମ ମୁହଁରେ ହସ ଚହଟି ଯିବ । ସବୁ ଜିନିଷ କଢା କଢି କରି ବୋଉ ପୂଜା କରିବ ଆମକୁ ଚଉଁରା ପାଖରେ ପିଢା ପକେଇ । ମାଉସୀ ହାତରେ ଚନ୍ଦନ ଚର୍ଚ୍ଚିତ ହେଇଥିବା ଆମେ ଦି ଭଉଣୀ ଗଡ ଜିଣିଲା ଭଳିଆ ବସିଥିବୁ ଆଉ ସାନ ସାନ ଭାଇ ଭଉଣୀମାନେ ଅନେଇ ବସିଥିବେ ଆମ ଚାରିପଟେ ଈର୍ଷା ଭରା ଆଖିରେ । ସତେକି ଭଗବାନଙ୍କୁ ପଚାରୁଥିବେ ତାଙ୍କୁ କାହିଁକି ବଡ କଲ ? ଆମକୁ ବଡ କଲନି କାହିଁକି ? ଭାରି ଭଲ ଲାଗେ ସେଇ ସମୟରେ, ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ହୋଇ ।

ଦିନ ସାରା ଖୁବ୍ ମଜାରେ କଟିବ। ଉପର ବେଳା ଠିକ୍ ଚାରିଟା ବେଳକୁ ଆଈ ବାହାରିବ ଘରକୁ ଫେରିବାକୁ । ସାଢେ ଚାରିଟାରେ ସଟଲ୍ ଟ୍ରେନ୍, ରିକ୍ସାଟି ଆସି ଦୁଆର ମୁହଁରେ ଠିଆ ହୋଇଥିବ । ଆମ ସମସ୍ତଙ୍କର ମୁହଁଟି ମାନ ଶୁଖି ଯାଇଥିବ, ଆଈ ପୁଣି ଥରେ ଆସିବାର ପ୍ରତିଶ୍ରୁତି ଦେଇ ଆମକୁ କୋଳେଇ ନେବ । କହିବ ” ତମ ମାନଙ୍କୁ ଛାଡି ଯିବାକୁ ମନ ହେଉନି , ହେଲେ କ’ଣ କରିବି? ମାମୁଁମାନେ ତ ବାହାରେ ରହିଲେ, ଅଜା ତ ବୁଢା ଲୋକ , ହଇରାଣ ହେବନି? ଆମକୁ ବୁଝାଇବାକୁ ଅଣ୍ଟାରେ ଖୋସିଥିବା ପିତ୍ତଳର ଅଣ୍ଡାକୃତି କରାଟରୁ ପଇସା ଏ ଦି’ ପଇସା କାଢି ଧରେଇ ଦେବ ଆମ ହାତରେ। କବାଟବନ୍ଧ ପଛରେ ବୋଉ ଆଉ ମାଉସୀଙ୍କ ସୁଁ ସୁଁ କାନ୍ଦଣା ଭିତରେ ଆଈ ଲୁଗା କାନିରେ ଆଖି ପୋଛି ଆସି ବସିବ ରିକ୍ସାରେ । ଆମେ ସବୁ ରିକ୍ସା ପଛରେ ଗୋଡେଇ ଗୋଡେଇ ଗଳିମୁଣ୍ଡ ଯାଏଁ ଯିବୁ । ରିକ୍ସା ଆଖିରୁ ଅଦୃଶ୍ୟ ହେଲା ଯାଏଁ ଠିଆ ହୋଇ ରହିଥିବୁ ସେଇଠି । ଘରକୁ ଫେରିବା ବେଳକୁ ସମସ୍ତଙ୍କ ମୁହଁ ହାଣ୍ଡି ଭଳିଆ ହୋଇଥିବ ।

ବେମାର ପଡି ବଡ ମାମୁଁ ଚାଲିଗଲେ। ଅଳ୍ପ ଦିନ ଭିତରେ ପୁଅକୁ ଝୁରି ଝୁରି ଆଈ ଚାଲିଗଲା । ଆମ ପୋରୁହାଁ ଅଷ୍ଟମୀ ଦାୟିତ୍ଵ ପଡିଲା ସାନ ମାମୁଁଙ୍କା ଉପରେ। ଆଈ ଚାଲିଗଲା ପରେ ଆମ ଡାଲିଆ ପିଠା ଖାଇବା ବନ୍ଦ ହୋଇ ଯାଇଥିଲା । ସାନ ମାମୁଁଙ୍କର ସରକାରୀ ଚାକିରୀ , ତେଣୁ ବାହାରେ ବାହାରେ ସବୁବେଳେ । କିନ୍ତୁ ଆମ ପୋରୁହାଁ ଅଷ୍ଟମୀର ଢେର୍ ଦିନ ଆଗରୁ ଟଙ୍କା ମନି ଅର୍ଡର କରି ପଠାନ୍ତି ବୋଉ ନାଁରେ । ବାପା ଆମ ପାଇଁ ଲୁଗାପଟା କିଣି ଆଣନ୍ତି, ମାଉସୀ ର ଶାଶୁ ଅଥାର ବସେଇ ହଳଦୀପତ୍ରରେ ଏଣ୍ଡୁରୀ ପିଠା କରେ, ଆମେ ସେମିତି ପୂଜାରେ ବସୁ ,ପୋରୁହାଁ ଅଷ୍ଟମୀ ପ୍ରତିବର୍ଷ ପାଳନ ହୁଏ କିନ୍ତୁ ଆଈ ଥିବା ବେଳର ପୋରୁହାଁ ଅଷ୍ଟମୀ ମନରୁ ଯାଏନି।

ଆମ ଦି ଭଉଣୀଙ୍କ ବାହାଘର ଯାଏଁ ସେଇ ଧାରା ଅବ୍ୟାହତ ରହିଥିଲା। ଆମ ଆଡେ ଅଛି ଝିଅ ବଡ ହୋଇଥିଲେ ବାହାଘରର ପ୍ରଥମ ବର୍ଷ ଟି ମାମୁଁ ଘର ଝିଅ ଜ୍ୱାଇଁ ଉଭୟଙ୍କୁ ପୋରୁହାଁ କରିବେ ଶାଶୁଘରେ । ସେ ବର୍ଷ ପ୍ରଥା ରକ୍ଷା କରି ମୋ ସାନ ମାଇଁ ଆସି ଥିଲେ ମୋ ଶାଶୁ ଘରକୁ ପୋରୁହାଁ ଅଷ୍ଟମୀର ଭାର ନେଇ । ବହୁତ ଦିନ ପରେ ପୁଣି ଟଙ୍କା ବଦଳରେ ଡାଲିଆ ପିଠାର ବେତୁଲି ସହିତ ଝିଅ ଜ୍ୱାଇଁ ଉଭୟଙ୍କ ପାଇଁ ଲୁଗାପଟା ବାକ୍ସ ସଜ ସବୁ ଆସିଥିଲା ମୋ’ ଶାଶୁଘରକୁ । ମୋ ଛାତି କୁଣ୍ଢେ ମୋଟ ହୋଇ ଯାଇଥିଲା, ଆଈ ର ସ୍ମୃତି ପୁଣି ତାଜା ହୋଇ ଯାଇଥିଲା, ମନେ ମନେ ଭାବୁଥିଲି ମାମୁଁ ଘରୁ ସବୁ ବର୍ଷ ଏମିତି ଭାର ଆସନ୍ତା ନି ! ମୋର ସବୁ ଭାବନା ର ଅନ୍ତ ହୋଇଥିଲା ଯେତେବେଳେ ମାଇଁ କହିଥିଲେ, ଏଇଟା ଶେଷ ପୋରୁହାଁ ଅଷ୍ଟମୀ ଭାର ମାମୁଁ ଘରର। ଆର ବର୍ଷ ଆଉ ଆଶା ରଖିବନି । ମୋ ଆଖିରେ ଲୁହ ଜକେଇ ଆସିଥିଲା । ମାଇଁଙ୍କ ସାଥିରେ ଆସିଥିବା ମୋ ବାପାଙ୍କ ଆଖିରେ ମୋ କାନ୍ଦ କାନ୍ଦ ହୋଇ ଯାଉଥିବା ମୁହଁ ଟା ଧରା ପଡି ଯାଇଥିଲା, ସାଙ୍ଗେ ସାଙ୍ଗେ ସେ କହି ଉଠିଥିଲେ ” ନାଇଁ ରେ ମାଆ ! ମନ ଦୁଃଖ କରନା, ମାମୁଁଘର ଏଣିକି ନଦେଲେ ନାହିଁ, ତୁ ଆମର ପୋରୁହାଁ ଝିଅ, ତୁ ସବୁ ବର୍ଷ ପୋରୁହାଁ ହେବୁ, ମୁଁ ଦେବି ପୋରୁହାଁ ଭାର । ” ମୋ ମୁହଁରେ ହସ ଫୁଟିଥିଲା ।

ସେଇ ଦିନଠାରୁ ସବୁ ବର୍ଷ ମୋର ପୋରୁହାଁ ଅଷ୍ଟମୀ ଭାର ଆସେ । ଅନେକ ଦିନ ତଳୁ ବାପା ଗଲେଣି କିନ୍ତୁ ମୋ’ ବୋଉ ଆଜି ଯାଏଁ ବାପାଙ୍କ କଥା ରଖିଛି । ମୋ ଭାଇମାନଙ୍କୁ କହି ଯେମିତି ହେଉ ପୋରୁହାଁ ଅଷ୍ଟମୀ ରେ ମୋ ପାଇଁ ଲୁଗାପଟା, ମିଠା ପଠାଉଛି । ମୋ ଝିଅର ବାହାଘର ପରେ ତା’ର ମାମୁଁଘର ଅର୍ଥାତ୍ ଆମ ଘରକୁ ପୋରୁହାଁ ଅଷ୍ଟମୀ ଭାର ଯିବା ବନ୍ଦ ହେଲାଣି, କିନ୍ତୁ ମୋ’ ଛୟାଅଶୀ ବର୍ଷର ବୋଉ ଆଜି ଯାଏ ମୋର ପୋରୁହାଁ ଅଷ୍ଟମୀ ଭାର ବନ୍ଦ ହେବାକୁ ଦେଇନି । ଆଜି ବି ସକାଳୁ ମୋର ଭାଇ ସାଥିରେ ଭାର ନେଇ ଆସି ବସିବ ମୋ ଘରେ । ମୋ ପିଲାଏ ହସୁଛନ୍ତି କିନ୍ତୁ ମୁଁ ମୁଗ୍ଧ ହେଉଛି , ବଡ ହୋଇ ଜନ୍ମ ହୋଇଥିଲି ବୋଲି ଗର୍ବିତ ହେଉଛି । ବୋଉ ଭିତରେ ମୋ ଆଈର ସେଇ ଗୋରା ମୁହଁ , ତା’ର ଧାରୁଆ ନାକରେ ପିନ୍ଧି ଥିବା ସୁନାର ନାକ ମାଛି, ତା’ କାନର ଦକ୍ଷିଣୀ ନୋଳି , ତା’ ବେକର ହରଡଫାଳିଆ ହାର ସାଙ୍ଗକୁ ମୋ ବାପାଙ୍କୁ ଦେଖି ମୁଣ୍ଡ ଉପରକୁ ଟାଣି ଆଣୁଥିବା ସରୁ ଓଢଣା, ସବୁ ମତେ ଜଳ ଜଳ ହୋଇ ଦିଶି ଯାଉଛି। ଈଶ୍ବରଙ୍କୁ ହାତ ଯୋଡି ପ୍ରାର୍ଥନା କରୁଛି ମତେ ସବୁଜନ୍ମରେ ମୋ ବୋଉର ଝିଅ କରି ଜନ୍ମ ଦିଅ ହେ ପ୍ରଭୁ ! !

ଶାରଳା ଭବନ, ପୋତାପୋଖରୀ, ନୂଆବଜାର, କଟକ