Latest Odisha News

ଆଧୁନିକତାର କାବ୍ୟ ପରମ୍ପରା ଓ କବି ଭୀମ ଭୋଇ

ପଞ୍ଚାନନ ମିଶ୍ରଙ୍କ ସ୍ୱତନ୍ତ୍ର ପ୍ରବନ୍ଧ ‘ ତୃତୀୟ ଭାଗ’

ଧର୍ମ-ଧାରଣା ଓ ଦର୍ଶନକୁ କାବ୍ୟରୂପ ଦେବାରେ କେବଳ ସିଦ୍ଧ କବିମାନେ ସମର୍ଥ ହୋଇଥାନ୍ତି। ପାରମ୍ପାରିକ ହୋଇ ମଧ୍ୟ କବି ଭୀମ ଭୋଇ ଆଧୁନିକ। କାରଣ ପଞ୍ଚସଖା କବିଙ୍କ ସହ କିଛିଟା ସାଦୃଶ୍ୟ ଥିଲେ ହେଁ , ବେସାଦୃଶ୍ୟ ମଧ୍ୟ ଆମ ଦୃଷ୍ଟିକୁ ଆସିଥାଏ । ସାଦୃଶ୍ୟ ଏଥିପାଇଁ ଯେ ପଞ୍ଚସଖା କବିଙ୍କ ପରି ଭୀମ ଭୋଇଙ୍କ କବିତାର ଥିମ ଶୁନ୍ୟ ସାଧନା ଉପରେ ପ୍ରତିଷ୍ଠିତ ।

“ଡାକୁଛି ଶୁନ୍ୟ ଶବଦ ଅନୁମାନ କରେ ଭେଦ
ଅକଳନା ବାରାନିଧି, ନାମ ମହିମା ଅକାଦ
ଗମ୍ୟ ନାହିଁ ଚାରି ଧର୍ମ
ବ୍ରହ୍ମା ବିଷ୍ଣୁ ଶିବ କଣ
ଏମନ୍ତ ସେ ଯେଉଁ ପାଦ ”

ଉଭୟ ପଞ୍ଚସଖା ଓ ଭୀମ ଭୋଇଙ୍କ ମଧ୍ୟରେ ସାମଞ୍ଜସ୍ୟ ସମ୍ପର୍କରେ ପ୍ରଫେସର ଯତୀନ୍ଦ୍ର ମୋହନ ମହାନ୍ତି ଉଲ୍ଲେଖ କରନ୍ତି :

ଏହି ସବୁ ଜଣାଣରେ କୌଣସି ନିର୍ଦ୍ଦିଷ୍ଟ ଦେବ ଦେବୀ ଉପଲକ୍ଷ୍ୟ ନୁହଁନ୍ତି । ଉପଲକ୍ଷ୍ୟ ଏକ ଅନିର୍ଦ୍ଦିଷ୍ଟ ଶକ୍ତି ବା ଅନୁଭୂତି , ଯାହା କବି ଭାଷାରେ ବ୍ରହ୍ମ ବା ଶୁନ୍ୟ । ଏହିସବୁ ଜଣାଣ ଓ ଭଜନ ଗୁଡ଼ିକରେ ସୂଚନା ପ୍ରତୀକଧର୍ମୀ ଓ କବିତାର ସଙ୍ଗଠନରେ ଚିନ୍ତା ଓ ଦର୍ଶନର ଧାରା ଅନ୍ତର୍ନିହିତ । ଷୋଡ଼ଶ ଶତାଦ୍ଦୀର ଅଚ୍ୟୁତାନନ୍ଦ, ଯଶୋବନ୍ତ ଏବଂ ଶିଶୁ ଅନନ୍ତ ପ୍ରଭୃତିଙ୍କର ଭଜନଗୁଡ଼ିକ ଏହି ଶ୍ରେଣୀୟ ଓ ପରେ ଅଠର ଶହ ଶତାଦ୍ଦୀରେ ଆର୍ଯ୍ୟ ଦାସ ଓ ଉନବିଂଶ ଶତାଦ୍ଦୀରେ ଭୀମ ଭୋଇଙ୍କର ଭଜନରେ ଏହାର ପରିପ୍ରକାଶ ଲକ୍ଷ୍ୟ କରାଯାଇପାରେ।

ପ୍ରାଚୀନ ଓଡ଼ିଆ କବିତାରେ ଏକ ଶକ୍ତିଶାଳୀ ଧାରା ଯେଉଁଠି ଆବେଗ ଚିନ୍ତା ଦ୍ୱାରା ଶୃଙ୍ଖଳିତ ଓ କବିର ମୁଖ୍ୟ ଆଧ୍ୟାତ୍ମିକ ଅନୁଭୂତି ମୁକ୍ତିର ସଂହତି ଓ ଶରୀର ସମ୍ପର୍କିତ ବିଭିନ୍ନ ରୂପକର ପ୍ରତୀକତାର ମାଧ୍ୟମରେ ପ୍ରକାଶିତ । ( ପ୍ରାଚୀନ ଓଡ଼ିଆ କବିତା ସମ୍ଭାର ପୃଷ୍ଠା – ୩୨ )

ପ୍ରଫେସର ମହାନ୍ତି ଏ ପ୍ରକାରର ସାମଞ୍ଜସ୍ୟ ଓ ସାଦୃଶ୍ୟ ସମ୍ପର୍କରେ ଆଲୋଚନା କଲାବେଳେ ସମାଲୋଚକ ହର ପ୍ରସାଦ ଦାସ ମୁକ୍ତି ଛଳରେ ଏମାନଙ୍କ ମଧ୍ୟରେ ବେସାଦୃଶ୍ୟ ଉଲ୍ଲେଖ କରନ୍ତି । ଏହା ମାଧ୍ୟମରେ ସେ ପ୍ରମାଣିତ କରନ୍ତି ଯେ ଭୀମଭୋଇ ସମ୍ପୂର୍ଣ୍ଣ ଭାବରେ ମୌଳିକ ଏଥିପାଇଁ ଯେ ତାଙ୍କ କାବ୍ୟ କବିତାର ରାହସ୍ୟବାଦ ସୃଜନଶୀଳତାର ଶିଖରକୁ ସ୍ପର୍ଶ କରିଛି।।

ଏଇଠି ଦେଖିବାର କଥା କିପରି ଭୀମଭୋଇଙ୍କ ରହସ୍ୟବାଦୀ କଳ୍ପନା ତାଙ୍କର ପୂର୍ବସୂରୀ ଅଚ୍ୟୁତାନନ୍ଦଙ୍କଠାରୁ କେବଳ ଭିନ୍ନ ନୁହେଁ ବରଂ ଗୋଟିଏ ସ୍ଵତନ୍ତ୍ରକୋଟିରେ ଉଚ୍ଚତର ହୋଇ ଦଣ୍ଡାୟମାନ। ଅଚ୍ୟୁତାନନ୍ଦଙ୍କ ରହସ୍ୟବାଦୀ କବିତାରେ ଯେଉଁ ପ୍ରହେଳିକାମୟ ଜୀବ-ପରମବାଦ ବିସମ୍ବାଦ , ତାର ପ୍ରଧାନ ଉପଜିବ୍ୟ ଥିଲା ଗୋଟିଏ ସୈଦ୍ଧାନ୍ତିକ ବ୍ୟକ୍ତି । ସେ ବ୍ୟକ୍ତି ମୁଖ୍ୟ ରୂପରେ ଥିଲା ଗୋଟିଏ ପ୍ରତୀକ। ଯେଉଁ ହଂସ , ଯୁଇଫୁଲ , ପୋଖରୀ ମନ୍ଦିର ବା ନୂଆବୋହୁମାନଙ୍କର କଥା ଅଚ୍ୟୁତାନନ୍ଦ ଲେଖିଲେ, ସେମାନେ ସତ୍ତାର ଗୋଟିଏ ଲେଖାଏଁ ପ୍ରତୀକାତ୍ମକ ଭାବମୂର୍ତ୍ତି । କେତେବେଳେ ଜଡ଼ ତ କେତେବେଳେ ଜଙ୍ଗମ, କେତେବେଳେ ମୌନ ତ କେତେବେଳେ ମୁଖର। କିନ୍ତୁ ସେ ସୈଦ୍ଧାନ୍ତିକ ବ୍ୟକ୍ତିତ୍ୱର ଆବେଗ ନଥାଏ ; ସେତିକି ଇନ୍ଦ୍ରିୟାନୁଭବ ପାଇଁ ଯଥେଷ୍ଟ ହୁଏ ନାହିଁ। ତେଣୁ ଅଚ୍ୟୁତାନନ୍ଦଙ୍କ ରାହସ୍ୟବାଦ ଅତି କଳ୍ପନାର ତୁଙ୍ଗରେ ପ୍ରଜ୍ଞା ଲବ୍ଧ ଗୋଟିଏ ଦୃଷ୍ଟି ମାତ୍ର ହୋଇ ରହିଯାଏ। ଭୀମ ଭୋଇଙ୍କ ରାହସ୍ୟବାଦ ଯଦିଓ ତାତ୍ତ୍ଵିକ ଦିଗରୁ ସେଇ ଏକା ନିର୍ଗୁଣ କାବ୍ୟ ପରମ୍ପରାର ଅଂଶ ବିଶେଷ ତେବେ ଏଠାରେ ପ୍ରଜ୍ଞାର ଶିଖରରୁ ଓଲ୍ହାଇ ଆସି ଗୋଟାଏ ବ୍ୟକ୍ତିଜୀବନ ନିଜର ବିଡ଼ମ୍ବିତ ସତ୍ତାକୁ ନିରୀକ୍ଷଣ କରେ, ଛାଟିପିଟି ହୁଏ । ସଂକ୍ଷେପରେ କହିଲେ କାବ୍ୟାନୁଭୂତିର ପ୍ରତୀକରେ ପରିଣତ ହେବାର ପ୍ରକ୍ରିୟାଟି ଭୀମ ଭୋଇଙ୍କର ସୃଜନଶୀଳତା ।

କ୍ରମଶଃ

Comments are closed, but trackbacks and pingbacks are open.