Latest Odisha News

ବ୍ୟଙ୍ଗ : ଉପଲବ୍ଧି

ମୋ ଜୀବନର ଯଦି ସବୁଠୁ ପ୍ରମୁଖ ଉପଲବ୍ଧି କଣ ବୋଲି ପଚରାଯାଏ ତେବେ ନିଃସନ୍ଦେହରେ ମୁଁ କହିବି ମୋ ଫେସବୁକ ବନ୍ଧୁତା । ମୋର ଫେସବୁକରେ ପୁଲିଙ୍ଗ ସ୍ତ୍ରୀଲିଙ୍ଗ ମିଶେଇ ପ୍ରାୟ ପାଞ୍ଚ ହଜାର ସରିକି ବନ୍ଧୁ ଅଛନ୍ତି । ସବୁଠୁ ମହତ କଥା ହେଲା କେହି ଜଣେ ବି ଅନ୍ୟାୟ କି ଦୁର୍ନୀତିକୁ ଭଲ ପାଆନ୍ତି ନାହିଁ । ସମସ୍ତେ ନାରୀ ଜାତିକୁ ମାଆ ଓ ଭଉଣୀର ସମ୍ମାନ ଦିଅନ୍ତି । ଜୀବେ ଦୟା ଏମାନଙ୍କ ଜୀବନର ଲକ୍ଷ୍ୟ । ସମସ୍ତେ ପିତାମାତା , ଶାଶୁ ଶଶୁର ତଥା ଗୁରୁଜନଙ୍କୁ ଭୂମିଷ୍ଠ ପ୍ରଣାମ କରୁଥିବା ଆଜ୍ଞାଧାରୀ ସନ୍ତାନଗଣ । ସର୍ବୋପରି ଦେଶ ପାଇଁ ଶେଷ ରକ୍ତ ବୁନ୍ଦା ଢାଳିଦେବା ପାଇଁ ସର୍ବଦା ପ୍ରସ୍ତୁତ ଥାନ୍ତି ଏହି ବନ୍ଧୁମାନେ ।

ଆଉ ଗୋଟେ ବିଶେଷ ଗୁଣ ମୋ ବନ୍ଧୁ ମାନଙ୍କ ଭିତରେ ଅଛି ଯାହା ଅନନ୍ୟ ବୋଲି ମୁଁ ଭାବେ । ସେମାନେ ସମସ୍ତେ ସାହିତ୍ୟକୁ ଭଲ ପାଆନ୍ତି ଓ ପରସ୍ପରକୁ ଉତ୍ସାହିତ କରନ୍ତି । ପଢ଼ କି ନପଢ଼ ଲାଇକ କି କମେଣ୍ଟ ଦେଇ ଟେକା ଟେକି କରିବାରେ ମୋ ବନ୍ଧୁମାନଙ୍କଠାରୁ କେହି ଅଧିକ ଜାଣିଥିବେ ଏମିତି ମୋର ଜ୍ଞାତସାରରେ କେହି ନାହିଁ । ଆପଣ ଯଦି ତାଙ୍କ ଲେଖାକୁ ଭଲ ବୋଲି କହିଛନ୍ତି ତେବେ ତାର ପ୍ରତିଉତ୍ତରରେ ସେମାନେ ଆପଣଙ୍କ ଲେଖାକୁ ଭଲ କହିବାର ସୌଜନ୍ୟ ନିହାତି ଦେଖାନ୍ତି । ଖାସ ଏହି ଗୁଣ ଯୋଗୁଁ ଆଜି ମୋ ପ୍ରାୟ ସମସ୍ତ ଫେସବୁକ ବନ୍ଧୁ ଜଣେ ଜଣେ ପ୍ରତିଷ୍ଠିତ ଗାଳ୍ପିକ କିମ୍ବା କବି । ସମସ୍ତେ ଲେଖୁଛନ୍ତି ଓ ନିଜ ନିଜ ଭିତରେ ନିଜ ଲେଖାର କୃତୀ ଏବଂ ଭାବନାକୁ ବାଣ୍ଟୁଛନ୍ତି। ଏହି ବଣ୍ଟା ବଣ୍ଟି ଭିତରେ ରହିଛି ଭାଇଚାରା । ଦେଖିଲେ ଲାଗିବ ସାରା ପୃଥିବୀ ଗୋଟିଏ ପରିବାର । “ବସୁଧୈବ କୁଟୁମ୍ବକମ”ର ଉଦାହରଣ ଜାଣିବାକୁ ଥିଲେ ଥରେ ମୋ ଫେସବୁକ ବନ୍ଧୁମାନଙ୍କ ଆଇଡି ଆଡେ ବୁଲି ଆସିଲେ ଜାଣିପାରିବେ । ସମସ୍ତେ ଦେଶଭକ୍ତ, ଉଦାର, ସଚ୍ଚୋଟ ଓ ସମ୍ବେଦନଶୀଳ ।

ମନେପଡୁନି କିନ୍ତୁ ପିଲାଦିନେ କେଉଁଠି ପଢ଼ିଥିଲି ଜଣେ ସଚ୍ଚୋଟ ବ୍ୟକ୍ତି ଚାହିଁଲେ ସଂସାରରେ ଯେକୌଣସି ପ୍ରକାରର ଏକ ବିରାଟ ପରିବର୍ତ୍ତନ ଆଣିପାରିବ । ଏକା ଗାନ୍ଧିଜୀ ଦେଶର ଲୋକମାନଙ୍କ ମାନସିକତାରେ ବିରାଟ ପରିବର୍ତ୍ତନ ଆଣି ପାରିଥିଲେ । ଆଉ ମୋ ସହ ପୁରା ପାଞ୍ଚ ହଜାର ସଚ୍ଚୋଟ ବନ୍ଧୁ ଅଛନ୍ତି । ଦେଶ ମହାଦେଶ କଥା ଛାଡ଼ ପୁରା ବିଶ୍ୱକୁ ପରିବର୍ତ୍ତନ କରିପାରିବାର ସାମର୍ଥ୍ୟ ମୋ ଫେସବୁକ ବନ୍ଧୁମାନଙ୍କ ପାଖରେ ଅଛି ତାହା ଡେରିରେ ହେଲେ ବି ଏବେ ବୁଝୁଛି । କେହି ଏ ବିଷୟରେ ଚିନ୍ତା କରୁନାହାଁନ୍ତି ତାହା ନୁହେଁ ଉଣା ଅଧିକେ ସମସ୍ତେ ଏଠି ସଚେତନ କିମ୍ବା କହିପାରନ୍ତି ଅତ୍ୟଧିକ ସଚେତନ ।

ଅବଶ୍ୟ ଏ ସବୁ ବିରୋଧ, ବିପ୍ଳବ କିମ୍ବା ସଚେତନତା କାର୍ଯ୍ୟକ୍ରମ ସକାଳୁ ଆରମ୍ଭ ହୋଇ ସନ୍ଧ୍ୟା ଯାଏଁ ଚାଲେ ତାପରେ ଆଉ ଧୈର୍ଯ୍ୟ ରହେନି କି କଣ ଦିନବେଳିଆ ବିପ୍ଲବୀ ଏଠି ରାତି ଅଧିଆ ପ୍ରେମ କବିତା ପୋଷ୍ଟ କରନ୍ତି । ମୁଁ ବି ଆରମ୍ଭରୁ ବୈପ୍ଳବିକ ଲେଖା ସବୁ ଲେଖୁଥିଲି । ହେଲେ ଯେତେବେଳେ ଜାଣିଲି ମୋ ଲେଖା ଦ୍ୱାରା ଦେଶର ରାଜନୀତିରେ ହଲଚଲ ହେଉନି, ଦେଶର ଆର୍ଥିକ ପରିସ୍ଥିତିରେ ପରିବର୍ତ୍ତନ ହେଉନି କିମ୍ବା ସମାଜରେ ସଂସ୍କାର ଆସୁନି ସେତେବେଳେ ମୁଁ ନିରାଶ ହେଇଗଲି । ଭାବିଲି ଫେସବୁକ ଯିବି ସମଭାବାପନ୍ନ କିଛି ବନ୍ଧୁ କରିବି ଓ ପୁଣି ନୂଆ କରି ବିପ୍ଳବ ଆରମ୍ଭ କରିବି ।

ପ୍ରଥମେ ପ୍ରଥମେ ତ ମୁଁ ବନ୍ଧୁ ମାନଙ୍କ ଭାଷା କିଛି ବୁଝିପାରିଲିନି । ଚେନାଏ ଆକାଶ, ମୁଠାଏ ପବନ, ବୁନ୍ଦା ବୁନ୍ଦା ରାତି, ଅନ୍ଧାର ବର୍ଷା ଇତ୍ୟାଦି ଇତ୍ୟାଦି । ସେଥିରେ ପୁଣି ଏ ସବୁ ପୋଷ୍ଟରେ ଆସୁଥିବା କମେଣ୍ଟ ତା ଠାରୁ ଆହୁରି ଦୁର୍ଭେଦ୍ୟ । ଭିଜିଲି , ଚିପୁଡ଼ିହେଲି , ହଜିଗଲି ଇତ୍ୟାଦି ଇତ୍ୟାଦି ।

ସବୁଠୁ ମୋତେ ଆଶ୍ଚର୍ଯ୍ୟ ଲାଗେ ଯେତେବେଳେ ଫେସବୁକରେ ଦିଆ ନିଆ ଚାଲେ । ଜଣେ ପବନରେ ଦିଅନ୍ତି ଆଉ ଜଣେ ପବନ ଭିତରୁ ଛାଣି ଆଣନ୍ତି । ଏଇ ଯେମିତି ଜଣେ ଦୁଇଟା ନାଲି ହୃଦୟ ଦେଇ ଲେଖିବ ,”ବହୁତ ବହୁତ ସ୍ନେହ ନେ” , ସେପଟୁ ଆର ଜଣଙ୍କ ତିନିଟା ନାଲି ହୃଦୟ ଦେଇ ଲେଖିବ,” ନେଲି “। ଜଣେ ଯାବତୀୟ ଗାଳି ଦେଇ ଲେଖିବ ‘ବୁଝିବା ଲୋକ ବୁଝିବ’ ଆଉ ଜଣେ ହସ ଚିହ୍ନ ଦେଇ ଲେଖିବ ‘ମୁଁ ବୁଝିଗଲି’ ।

ସତ କଥା ହେଲା ପୋଷ୍ଟ କରିବା ଲୋକ ଓ କମେଣ୍ଟ ଦେବା ଲୋକ କେହି କିଛି ବୁଝିନଥିବେ । ପଚାରିଲେ କହିବେ ଏଇଟା କାଳେ ଗୋଟେ ଇଷ୍ଟାଇଲି । ଏ ସବୁ ବାଦେ ଯଦି ମୋ ପାଇଁ ସବୁଠୁ ବେଶି ଶିକ୍ଷଣୀୟ କିଛି ହେଇଛି ତାହାହେଲା ଫେସବୁକରେ ପ୍ରକାଶିତ ଅଧିକାଂଶ କବିତାରେ ବ୍ୟବହୃତ ନୂତନ ଶୈଳୀ ତଥା ଭାଷା । ଏଇ ଯେମିତି କିଛି ଦିନ ତଳେ ପଢ଼ିଲି ,ଗୋଲାପ ଫୁଲର ଆଘାତରେ ପଥର ଚୁର୍ ଚୁର୍ । ଏହାକୁ ପଢି ମୋ ପିଲା ଦିନର ଏକ ଘଟଣା ମନେପଡିଗଲା । ସ୍କୁଲରେ ସାରେ ମାୟାଧର ମାନସିଂହଙ୍କ ଏକ କବିତା “ମହାନଦୀରେ ଜ୍ୟୋତ୍ସ୍ନାବିହାର” ପଢଉଥାନ୍ତି । କବିତାରେ ଗୋଟେ ପଦରେ ଲେଖାଥିଲା , ଚନ୍ଦ୍ର ଆଲୋକରେ ମହାନଦୀର ଜଳ ଉପରେ ଏକ ଚାନ୍ଦିର ପରସ୍ତ ପଡିଲା ଭଳି ଲାଗୁଛି । ମୁଁ ଠିଆ ହେଇ କହିଲି ସାର ମୋ ଘର ମହାନଦୀ କୂଳରେ । କିନ୍ତୁ କେବେବି ମୋତେ ଜହ୍ନ ଆଲୋକରେ ମହାନଦୀର ଜଳ ଚାନ୍ଦି ଭଳି ଚକମକ ଦେଖା ଯାଏନି । ସାର ମୋତେ ଅତି ଆଦରରେ ପାଖକୁ ଡାକି ଏମିତି ଗେଲ କରିଥିଲେ ଯେ ଦୁଇ ତିନିଦିନ ଯାକ ଶରୀର ପୀଡା ଭୋଗିଥିଲି ।ସାରଙ୍କ କହିବା କଥା ଥିଲା କବିଙ୍କୁ ଦେଖା ଗଲା ସେ ଲେଖିଲେ । ତୁ କଣ ମାନସିଂହଙ୍କଠାରୁ ବଡ଼ କବି ?

ଗୋଲାପ ଫୁଲର ମାଡ଼ରେ ପଥର ଚୁର୍ ଚୁର୍ କଥାଟା ମୋତେ ସେମିତି ଲାଗିଲା । ଅବଶ୍ୟ ସେଥିରେ ଆସିଥିବା ବିଦଗ୍ଧ କମେଣ୍ଟ ସବୁ ପଢି ଚୁପ ରହିଥିଲି । କିଛିଦିନ ପରେ ସମ୍ପୃକ୍ତ କବିଙ୍କୁ ପଚାରିଥିଲି, ” ଆଜ୍ଞା ଏ ଗୋଲାପ କେଉଁ ଧାତୁରେ ତିଆରି କି ତା ମାଡ଼ରେ ପଥର ଚୁର୍ ଚୁର୍ ହେଇଗଲା ?”

ମୋ ଆଡ଼କୁ ବିସ୍ମୟକର ଆଖିରେ ଅନେଇ କବି କହିଲେ , ଆପଣ କଣ କବିତା ଲେଖନ୍ତି? କବିତା ପଢ଼ନ୍ତି? ମୁଁ କହିଲି , ନାହିଁ । ମୋତେ କହିଲେ ,”ଗୋଲାପର ଆବେଗ ଯଦି ତୀବ୍ର ଥିବ ସେ ପଥରକୁ ବି ଚୁର୍ ଚୁର୍ କରିଦେଇପାରେ ।” ମୁଁ ଆଶ୍ଚର୍ଯ୍ୟ ହୋଇ କହିଲି , “ତୀବ୍ର ବୋଲି କଣ ଏତେ ତୀବ୍ର !! ” ହଁ ଠିକ କଥା, କହି ଜାଣିଲେ କଥା ସୁନ୍ଦର ଲେଖି ଜାଣିଲେ ଲେଖା ସୁନ୍ଦର । ତୁମ ଭାବନା ଓ କବି ପଣକୁ ଦୂରୁ ଜୁହାର । ତୁମେ ଚାହିଁଲେ ପଥରରେ ଗୋଲାପ ଫୁଟେଇ ପାର । ଚାହିଁଲେ ଗୋଲାପ ମାଡ଼ରେ ପଥରକୁ ଫଟେଇ ଦେଇ ପାର । ତୁମେ ନିମିଷକରେ ମଙ୍ଗଳ ଗ୍ରହକୁ ଯାଇ ଫେରିପାର । ମୁଁ ଭାବୁଛି ଯଦି ସମ୍ଭବ ହୁଏ ତେବେ ଆଗାମୀ ପିଏସଏଲଭି ରକେଟ ଉତକ୍ଷେପଣ ପାଇଁ ରକେଟରେ ଇନ୍ଧନ ବଦଳରେ ଚାରିପଟେ ଚାରିଜଣ କବିଙ୍କୁ ବାନ୍ଧି ଦିଆଗଲେ ସେମାନେ ଉପଗ୍ରହକୁ ଅତି ଶୀଘ୍ର ନେଇ ମଙ୍ଗଳ ଗ୍ରହରେ ଛାଡ଼ିଦେଇ ପୁଣି ଧରା ପୃଷ୍ଠକୁ ଫେରି କବିତାରେ ସେ ସମସ୍ତ ଦୃଶ୍ୟର କାଵ୍ୟିକ ଧାରାବିବରଣୀ ଦେଇ ପାରନ୍ତେ ।

ମୁଁ ବି ବହୁତ ଭାବି ଭାବି ଏବେ ଗୋଟେ କବିତା ଲେଖିଛି ‘ଟଗର ଫୁଲର କଣ୍ଟା’ । ସେ କବିତା ପଢି ମୋତେ ବହୁ ପ୍ରଶଂସା ମିଳିଛି । କିଛି ଉଚ୍ଚକୋଟୀର କବି ମୋତେ ପ୍ରଶଂସା କରି ଲେଖିଛନ୍ତି ‘କଣ୍ଟକିତ ଟଗର ମୋତେ ରକ୍ତାକ୍ତ କରିଦେଲା’ । ଆଉ ଜଣେ ଲେଖିଛନ୍ତି ‘ଟଗର ଫୁଲର କଣ୍ଟା !! ଆଃ ଏ ଶୀର୍ଷକ ହିଁ ସବୁ କିଛି କହିଦେଉଛି ।’ ଜଣେ ଲେଖିଲେ, କବିତାର ଆବେଗରେ ମୁଁ ପୁରା ଭିଜିଗଲି । ସ୍ତବ୍ଧ ! ଭାଷା ନାହିଁ ଲେଖିବାକୁ ।

ଏହାର କିଛି ଦିନ ପରେ ରାସ୍ତାରେ ବୁଲୁ ବୁଲୁ ଜଣେ ସ୍ୱନାମଧନ୍ୟ କବିୟିତ୍ରୀଙ୍କ ସହ ଦେଖାହୁଏ । ସେ କାଳେ ମୋ କବିତା ଖୋଜି ଖୋଜି ପଢ଼ନ୍ତି । ଯେତେବେଳେ ଜାଣିଲେ ସମୁଦାୟ ଜୀବକାଳ ଭିତରେ ମୁଁ ଗୋଟିଏ ମାତ୍ର କବିତା ଲେଖିଛି ,ସେତେବେଳେ ସେ ଲାଜେଇ କହିଲେ “ସେଇ ଗୋଟିଏ କବିତା ତ ଓଡ଼ିଆ ସାହିତ୍ୟରେ କାଳଜୟୀ ।” ଟଗର ଫୁଲର କଣ୍ଟାକୁ ନେଇ ମୁଁ ମଧ୍ୟ ବହୁଦିନରୁ ଚିନ୍ତା କରୁଥିଲି କିଛି ଲେଖିବି ବୋଲି ଯାହାହେଉ ଆପଣ ଲେଖିଦେଲେ, ମୁଁ ବହୁତ ଖୁସି । ପରଦିନ ଫେସବୁକରେ ମୋ ସହ ତାଙ୍କର ଏକ ସେଲ୍ଫି ପୋଷ୍ଟ କରି ଲେଖିଛନ୍ତି ,’ଏକ ମହାର୍ଘ ମୁହୂର୍ତ୍ତରେ… ।’ ତାକୁ ଦେଖି ଅନେକ କମେଣ୍ଟରେ ଲେଖିଲେ, ‘ନିଶ୍ଚିତଭାବେ ତୁମେ ଭାଗ୍ୟବାନ ।’ କେହି କେହି ଲେଖିଲେ , ‘ଅଭୁଲା ସ୍ମୃତି ! ଏହି ଫଟୋକୁ ବନ୍ଧେଇକି ରଖ ।’ ବହୁତ ଲୋକ ନମସ୍କାର ଚିହ୍ନଦେଇ ଲେଖିଲେ, ତୁମକୁ ସ୍ନେହ ଓ ସାରଙ୍କୁ ପ୍ରଣାମ ଇତ୍ୟାଦି । ମା’ ରାଣ ଏହା ଦେଖିଲା ପରେ ତିନିଦିନଯାକ ମୁଁ ସାର୍ଟର ଉପର ତିନିଟା ବୋତାମ ଖୋଲାରଖି ବୁଲିଲି । ଅବଶ୍ୟ ଯେତେବେଳେ ମୋ ଏକମାତ୍ର ପତ୍ନୀଙ୍କୁ ଏ ପୋଷ୍ଟ ବିଷୟରେ ଜ୍ଞାତ ହେଲା ତା ପରଠୁ ଅନେକଦିନ ଯାଏଁ କେବଳ ପୂରା ବେକଚିପା ଟି- ସାର୍ଟ ପିନ୍ଧି ବାହାରକୁ ବାହାରିଛି । ଆଜି ଜାଣୁଛି ମୋ ଲେଖା ପ୍ରତି ଆଗ୍ରହ ନୁହେଁ କେବଳ ମୋ ଲେଖାରେ କିଏ କଣ ସବୁ କମେଣ୍ଟ ଦେଉଛନ୍ତି ତାର ମାଇକ୍ରୋସ୍କୋପିକ ନିରୀକ୍ଷଣ ପାଇଁ ପତ୍ନୀ ମୋ ଫେସବୁକ ଆଇଡିକୁ ଯାଇ ଦେଖନ୍ତି । ଛାଡ଼ନ୍ତୁ ସେ ସବୁ । ମୋ ଭାଗ୍ୟ ।

କେବଳ ଓଡିଆ ସାହିତ୍ୟ କାହିଁକି ସାରା ବିଶ୍ୱ ସାହିତ୍ୟରେ ଯଦି ଦେଖିବେ ତେବେ ପତ୍ନୀ ପ୍ରପୀଡ଼ିତ ଲେଖକମାନେ ବହୁଳ ଭାବେ ଦୃଶ୍ୟମାନ ହେବେ । ଅବଶ୍ୟ ସେମାନେ ଲୋକପ୍ରିୟ ହେବା ପୂର୍ବରୁ ପତ୍ନୀ ଅପ୍ରିୟ ହେଇଥିଲେ କି ଲୋକପ୍ରିୟ ହେଲା ପରେ ପତ୍ନୀଙ୍କ ଅପ୍ରିୟ ହେଲେ ତାହା ଗବେଷଣାସାପେକ୍ଷ । ତେଣୁ ଆଜି ଯଦି ମୁଁ ଜଣେ ପତ୍ନୀ ଅପ୍ରିୟ ଲୋକପ୍ରିୟ ଲେଖକ ତେବେ ଧରିନିଅନ୍ତୁ ଅତି ଶୀଘ୍ର ମୁଁ ସେଇ ଖ୍ୟାତିସମ୍ପନ୍ନ ଲେଖକମାନଙ୍କ ଗୋଷ୍ଠୀରେ ସାମିଲ ହେବାକୁ ଯାଉଛି ।

ଏଠାରେ ପ୍ରକାଶ ଥାଉକି ମୁଁ ଯେ କେବଳ ଗୋଟିଏ କବିତା ଲେଖିଛି ତାହା ନୁହେଁ ଅନେକ କବିତାର ଗର୍ଭବେଦନା ସହିଛି । ବହୁ କୁନ୍ଥେଇ କିଛି ପ୍ରସବ ମଧ୍ୟ କରିଛି । ଫେସବୁକରେ ମୋର ବଢୁଥିବା ଲୋକପ୍ରିୟତା ଦେଖି ସେ ସବୁ ପ୍ରକାଶିତ କରିବା ପାଇଁ ଚିନ୍ତା କଲା ବେଳକୁ ଘଟଣାକ୍ରମରେ ମୁଁ ପୁରା ଫେସବୁକରୁ ଆଉଟ ହେଇଗଲି । ଏଇ ଅଳ୍ପଦିନ ତଳେ ଜଣେ କବୟିତ୍ରୀଙ୍କ ଏକ କବିତା ପଢ଼ିଲି । ‘ସାରା ବର୍ଷା ମୋ ପଣତରେ’ ଶୀର୍ଷକ କବିତାଟି ପଢି ମୁଁ ଏତେମାତ୍ରା ରେ ଉଦବୁଦ୍ଧ ହୋଇଗଲି ଯେ ‘ସମୁଦାୟ ଖରା ଏବେ ମୋ ରୁମାଲ ରେ’ ଶୀର୍ଷକ ଥାଇ ଏକ କବିତା ଠିଆ ଠିଆ ଲେଖିଦେଲି । ବଡ଼ ଆଗ୍ରହରେ ପତ୍ନୀଙ୍କୁ ପଢି ଶୁଣେଇଲି । ଶେଷରେ ପତ୍ନୀଙ୍କୁ କହିଲି ଦେଖିବ ଏ କବିତା ଫେସବୁକରେ ଆଲୋଡନ ସୃଷ୍ଟି କରିବ ଏବଂ ଦିନେ ଓଡ଼ିଆ ସାହିତ୍ୟରେ ଏହା କାଳଜୟୀ କବିତା ଭାବେ ଖ୍ୟାତ ହେବ । ସବୁ ଶୁଣିଲା ପରେ ପତ୍ନୀ ଏକ ଦୀର୍ଘନିଶ୍ୱାସ ଛାଡି କହିଲେ, ଏବେ ତୁମର ଫେସବୁକରେ ଯେଉଁ ପ୍ରକାରର ଖ୍ୟାତି ହେଲାଣି ଏ ଲେଖା କାଳଜୟୀ ହେବ କି ନା କହିପାରିବି ନାହିଁ କିନ୍ତୁ ତୁମେ ଅତିଶୀଘ୍ର ଜଣେ କୋଳଜୟୀ କବି ଭାବେ ଖ୍ୟାତ ହେବ ଏଥିରେ ମୋର ତିଳେ ମାତ୍ର ସନ୍ଦେହ ନାହିଁ । କବିତାର ଆବେଗ ଅନୁରାଗରେ ଟକମକ ଫୁଟୁଥିବା ମୋର ସମସ୍ତ ଶରୀର ଉପରେ ଯେମିତି କିଏ ବରଫର ପାଣି ଢାଳିଦେଲା । ମୋ ମନ ଏପରି ଭାଙ୍ଗିଗଲା ଯେ କେବଳ ସାହିତ୍ୟ ସୃଜନ ନୁହେଁ ସମ୍ପୂର୍ଣ୍ଣ ଫେସବୁକରୁ ଆଉଟ ହେଇଗଲି । ମୋ ଲେଖା ମାଧ୍ୟମରେ ଦେଶରେ ଏକ ବୈପ୍ଳବିକ ଧାରା ସୃଷ୍ଟି କରିବାର ଆଭିଳାଷ ଅଧାରେ ରହିଗଲା । ଜଣେ ଉଦୀୟମାନ ସୃଜନଶୀଳ ବ୍ୟକ୍ତିତ୍ୱର ଅକାଳ ନିରବତାରେ ଦେଶ ଜାତି ତଥା ବିଶ୍ୱ ସାହିତ୍ୟର ଯେଉଁ ଅପୂରଣୀୟ କ୍ଷତି ଘଟିଲା ସେଥିପାଇଁ ଆଗାମୀ ପିଢ଼ି କେବେ ବି ଏଭଳି ପତ୍ନୀ ବିଶେଷ୍ୟମାନଙ୍କୁ କ୍ଷମା କରିବେ ନାହିଁ ।

Comments are closed, but trackbacks and pingbacks are open.