ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୫
ଆଜିକୁ ଛାଡି ଗତକାଲିକୁ ମନ ଯାଉଥିଲା ବାରମ୍ବାର । ବର୍ତ୍ତମାନ ସର୍ବସ୍ଵ ହେଲାପରେ ପୁଣି ପଛକୁ ଫେରିଯାଉଥିଲା ଥରକୁଥର। ଭବିଷ୍ୟତର ମୀନାର ଉପରେ ପାଦ ଥୋଇବାକୁ ଗଲାବେଳକୁ ଅତୀତ, ତଳକୁ ଟାଣି ଧରୁଥିଲା। ମିଠାମିଠା ସଂଳାପ ଶୁଭିଯାଉଥିଲା। ଛିଣ୍ଡାଛିଣ୍ଡା ବାକ୍ୟ ଖଟଖଟ୍ ଶବ୍ଦ କରୁଥିଲା। ସେ ବେଳରେ ନିରଙ୍କୁଶ ସମ୍ରାଟ ନିଜ ମନପସନ୍ଦ ପୃଥିବୀର, ରଞ୍ଜୁ। କଣ୍ଢେଇ ନଚେଇଲା ଭଳି ନଚଉଥିଲା ସମସ୍ତଙ୍କୁ। ଅଖଣ୍ଡ ଅଧିକାର ଥିଲା ତା’ର ସେବେଳରେ, ସାବ୍ଯସ୍ତ କରୁଥିଲା ସମସ୍ତଙ୍କ ଉପରେ। ହୁକୁମ ଦେଉଥିଲା ଆଗପଛ ନଭାବି। ଯାହା ଯେମିତି ଚାହୁଁଥିଲା ଠିକ୍ ସେମିତି ହେଉଥିଲା। ନା ଊଣେଇଶ ନା ବିଶ। ପାନରୁ ଚୂନ ଖସିଗଲେ ଆଖିରେ ସମୁଦ୍ର ଲହଡି ଭାଙ୍ଗୁଥିଲା । ହଜିଯାଇଥିଲେ ଖୋଜିଆଣିବି, ଭାଙ୍ଗି ଯାଇଥିଲେ ଗଢେଇଦେବି କହି ବଡମାନେ ଶ୍ରଦ୍ଧାର ସହ ସବୁ କାମ କରିଦେଉଥିଲେ ସୁରୁଖୁରୁରେ । ଭାଗ୍ୟ କହିବ ଏହାକୁ ! ସେ ସମୟ ଫେରିଆସନ୍ତାକି ଥରେ ! ସେତକ ତା’ର ଆପଣାର, ଅତି ଆପଣାର।
ନିଜର ବୋଲି ଆଉ ଅଛି କ’ଣ ? ନିଜ ଘର, ନିଜ ଲୋକ, ନିଜ ସମୟ ସବୁ ହଜିଗଲା । ଆସ୍ତେକିନା ଖସିଗଲା ସବୁ ଆଉ ଠୁକ୍ କରି ଭାଙ୍ଗିଗଲା । ନିଜମାନେ ପର ହୋଇଯାଆନ୍ତି କି କେବେ କେବେ। ପ୍ରଶ୍ନ ପରେ ପ୍ରଶ୍ନ ଆସେ। ପର କିଏ ,ନିଜର କିିଏ । ଯିଏ ଦୁର୍ଦ୍ଦିନ ଆସୁୁୁଚି ଜାଣିି ନିିିିଜେ ଛାତି ପତେଇଦବ କିଛି ନ ବିଚାରି ଆଉ କିଏ ଡାକିନେଇ ବଣରେ ଛାଡିଦେଇଆସିବ ବାଘ ,ଭାଲୁ ମେଳରେ। ଛାଡ, ଛାଡ ଏସବୁ। ଏମିତି କହିକହି ସବୁ କିଛି ଛାଡିସାରିଲାଣି ।
ଏକାନ୍ତ ନିଜସ୍ବ କହି ଯାହା ଟିକିଏ ଲୁଚିକି ଅଛି ତା’କୁ କାହାକୁ ଦବନି କି କହିବନି ଜମା ସେ ବିଷୟରେ। ଆଲୋଚନା କଲେ ପାଟିରୁ ଖସିଯିବ କାଳେ କେତେବେଳେ । ଥାଉ ସେତକ ସମ୍ପତ୍ତି ସାତତାଳ ପାଣିରେ, ଫରୁଆ ଭିତରେ।
ଉଦାସ ନିଃସଙ୍ଗ ଆପେକ୍ଷିକ ଶବ୍ଦ ନା । କେଜାଣି, ହୋଇଥିବ । କିଏ ଆଉ ହାଉ ଯାଉ ହଉଚି ଯେ। ସମସ୍ତେ ତ ଏକାଏକା ଏକଦମ୍ ଏକଲା । ନିଜ ପାଖରେ ନିଜେ ଖୋଲାମେଲା। କାହା ସହ ସାଙ୍ଗ ହବ କୁହ ।ଯିଏ ସାମାନ୍ୟ କଥାକୁ ନେଇ ହାଟରେ ବିକି ଦବ ନିଜ ମନମୁତାବକ। ଆଉ ବିଶ୍ବାସରେ ବିଷ ଦଉଥିବ ବାରବାର । ବରଂ ଏକା ରହିବ, ଏ ମୁଖାପିନ୍ଧା ମଣିଷଙ୍କୁ ଚିହ୍ନି ଚିରଦିନ ଦୂରେଇଗଲେ ଅସୁବିଧା କ’ଣ ହବ ଯେ। ଏକା ଆସିଚୁ , ଯିବୁ ଏକା , ମଝିରେ ଖାଲି ଦଳେ ଅଯଥାରେ ହାଉହାଉ କରିବେ। ଏଇଟା ନୁହେଁ ସେଇଟା, ସେମିତି ନୁହେଁ ଏମିତି। କିଛି ଲାଭ ନାହିଁ ଯୁକ୍ତିକରି। ସେମାନେ ବୁଝିବେନି କିଛି ; ବରଂ ମନର ଶାନ୍ତି ଟିକକ ହଜିଯିବ। ଆସିବା ଯିବା ଭିତରର ଏଇ ଯୋଉ ମଝି ସମୟ , ସେତକ କାହା ସହ କେତେ ମାତ୍ରାରେ ବିତେଇବ, ସେତିକି ବୁଝିଦେଇ ଭାଗ କରିନଲେ ଜୀବନ ସାର୍ଥକ। ସେଇଆ ହିଁ ହେଉ। ବିଭକ୍ତ କରିଦେଇ ନିଜକୁ ,ବଞ୍ଚିଯାଉ ପ୍ରାଣ। ଗଡିଯାଉ ସମୟ। ଯୋଉ ଏକା କୁ ସେଇ ଏକା ହୋଇ ରହିଯିବା କଥା ।
ଭାବନାର ଶେଷ ନାହିଁ। କେତେ ଥର ମନରୁ ପୋଛି ଦବାକୁ ଚାହିଁ ପାରିନି । ମନର ଉପଚାର ପାଇଁ ଶୁଦ୍ଧ ମନଟିଏ ଦରକାର। ଏକଥା କେତେଥର ଶୁଣିଚି। ଭୁଲିଗଲା କେମିତି ପୁଣି। ଏଥର ଶୈଶବର ଅଭ୍ୟାସକୁ ଆପଣେଇ ନବ ମନ ପ୍ରାଣଦେଇ । କିଛି ଦିନ ହବ ସେସବୁଠାରୁ ଦୂରେଇ ଆଉ ଠାଏ ମନ ଦେଇଥିଲା। ସେଥିରେ ଲାଭ ତ ନୁହଁ ଅପୂରଣୀୟ କ୍ଷତି ହୋଇଗଲା। ଏଥର ଆଉଥରେ ଯୋଗ ପ୍ରାଣାୟାମ ସହ ଧ୍ୟାନ ପ୍ରାର୍ଥନାରେ ବିତେଇଲେ କିଛି ସମୟ , ଭଲ ଲାଗିବ ହିଁ ଲାଗିବ।
ଶିଶୁଟିର ସତ୍ତା ସବୁବେଳେ କ’ଣ ପାଇଁ ବେଢିରହିଥାଏ ଦେହକୁ ମନକୁ।ବେଳ ଅବେଳରେ ବାହାରିଆସି ରାଜୁତି କରେ।ଦୁର୍ଲ୍ଲଭ ସେ ମୁହୂର୍ତ୍ତ। ଗୋଡିସହ, ପତ୍ର ସହ, ପକ୍ଷୀ ସହ କେତେ କେତେ ବସ୍ତୁ କି ଜୀବସହ ଭେଟ ହୁଏ। ନଈକୂଳ, ବଣ, ବାଲି ଉଚ୍ଚାଟିତ କରନ୍ତି। ଆଖି ବୁଜି ହୋଇଯାଏ। ଆପେଆପେ ହସଫୁଟେ। ଫୁଲର ସୁବାସରେ ମହକିଯାଏ କୋଠରୀ। ଏମିତି ସମସ୍ତଙ୍କ ସହ ହୁଏ କି ନାହିଁ କେଜାଣି ।
ଫୁଟେଜ ଦେଖୁଦେଖୁ ନାନା କଥା ପଶି ଆସୁଚି। ମନଟା ହିଁ ସେମିତି ଜିନିଷଟେ। ପହଁରି ଆସିବ କ୍ଷଣିକରେ ପୃଥିବୀକୁ। ଅନ୍ତରୀକ୍ଷ ଛୁଇଁଦେବ ନିମିଷକରେ। ତାଲା ପକେଇବାକୁ ପଡିବ ଏଥର ମନରେ। ନିଜକୁ ତିଆରି କଲେ ତ ପଢେଇବ । କାଲିର ସକାଳ ପାଇଁ ଆଜି ରାତିଟି ଦରକାର। ମନକୁ ବୁଝେଇ ନେବ ଶରୀର ପାଇଁ। ଦେହ ଖରାପ ହୋଇଯିବ ଯେ। ବହି ସହ ଯୋଡିଯାଉ ସମ୍ପର୍କ ଏଥର। ତାପରେ ତ ଆଖିଏ ନିଦନେଇ ପହଞ୍ଚି ଯିବ ନିଦ ବାୟା। ନିୟମିତ ଶୃଙ୍ଖଳା ଭିତରେ ଏଇଭଳି ଅନିୟମିତ ପରିସ୍ଥିତି ଉପୁଜେ ଦିନେଦିନେ। ଏପଟସେପଟ ହୋଇଯାଏ ଅନେକ କିଛି। ନିଜକୁ ନିଜେ ବୁଝେଇ ଯତ୍ନ ନିଏ ନିଜର।ପୁଣି ଠିକଠାକ୍ ଚାଲେ ସବୁ। ରଞ୍ଜୁ ଏଥର ନିସ୍ତରଙ୍ଗ ନୀରବ।