Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୫୪)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୫୪

ଦିନ ଗଣିବନି….। ନିଜକୁ  ଜାହିର କରିବନି…। କେତେ ବର୍ଷ ବିତିବ ଏମିତି? ମନର ପ୍ରଶ୍ନ କାହାକୁ ନପଚାରି କେବଳ ଧନ୍ଦି ହେବ ନିଜେ ? ଇଏ ବି ଜୀବନ! ତିଥିର ସମୟ ଏଇଟା। ସନ୍ଧ୍ୟା ପାଞ୍ଚରୁ  ରାତି ଏଗାର। ହଜିହଜି ଯାଉଥିବେ ଦିନମଣି, କଳାଶାଢୀ ପିନ୍ଧି ଉଭା ହେଉଥିବେ କି ନାହିଁ  ସନ୍ଧ୍ୟା , ରାସ୍ତା ଆଲୋକିତ ହେଉଥିବ, ଝଲମଲ କରୁଥିବ ମଲ୍, ମନ୍ଦିର । ଆଉ ବଜାରଘାଟରେ ଖେଳେଇ ଯାଉଥିବ ଆଲୋକର ବନ୍ୟା। ସନ୍ଧ୍ୟାକୁ ଉପଭୋଗ କରି ହୁଏନା ଏଠାରେ । କ୍ଷୋଭ ସେ ପାଇଁ ପ୍ରବଳ ମନରେ। ଧାଇଁ ପଳାଇବାକୁ ଇଚ୍ଛା ହୁଏ ଅନେକ ଦୂରକୁ, ଯେଉଁଠି ବାହ୍ୟ ଆଲୋକ ନୁହେଁ, ଅନ୍ତରକୁ ଆଲୋକିତ କରୁଥିବ ଦିବ୍ୟ ଅନୁରାଗ… ଆତ୍ମ ଚିହ୍ନଟ ହେଉଥିବ … ଅନ୍ତଃକରଣ ସ୍ବଚ୍ଛତା ଅନୁଭବୁଥିବ।

ମଣିଷ ନିଜକୁ ନିଜେ ଠିକ୍ ଚିହ୍ନିଥାଏ। ବଡ ସୁନ୍ଦର ସେ ଢାଙ୍କି ଦେଇପାରେ ଛଳିକି  ନିଜକୁ। ଭଲ ଖରାପର ଭେଦ ଜାଣିଥିବା ସତ୍ତା ମୁହଁ ଫେରେଇ ଆଣେନି କିଆଁ ଖରାପ ଆଡୁ ? ଏଇଠି ବାଘ,ଭାଲୁ,ସାପ, ମାଙ୍କଡସହ ଫୁଲବି ରହିଛି। ଖଞ୍ଜିଚି ସବୁ କିଏ ?ବାହ୍ୟଜଗତର ଭେଳିକିରେ  ନୀଳାଭଜ୍ୟୋତି ଏବେ  ଧୂସର , ବିବର୍ଣ୍ଣ। ଊର୍ଦ୍ଧ୍ବମୁଖୀ ଉଡାଣ ଜାଗାରେ ବାରମ୍ବାର ଧୂଳିଧୂସରିତ ହୁଏ ସତ୍ତା। କାହିଁକି କେଜାଣି ମୋତେ ଆଦୌ ଏସବୁ ଆକୃଷ୍ଟ କରେନି।

କେତେ ବଡ କଥାଟେ କହିଲା ଆଜି ବୟସ୍କା ସଞ୍ଜୁଅପା। କାମରେ ମନ ଧରୁନି ଜମା।  ଭିତରଟା ଖାଲି ଖଣ୍ଡ ଖଣ୍ଡ ଭାବନାରେ ଆଉଟି ପାଉଟି ଯାଉଚି। କେମିତି ରୁଣ୍ଡେଇ ପୁଣ୍ଡେଇ ଏକାଠି କରିବି , ହେ ପ୍ରଭୁ। ପ୍ରିୟ ଆଣ୍ଟିଙ୍କ ପାଇଁ ଏ ସମୟ ମୋ’ର ସ୍ବଇଚ୍ଛାରେ ବରିଚି।ଖଇଚା କାମ ଭଲ ଲାଗେନି ଜମା । କିନ୍ତୁ ପାଟି ଫିଟୁନି ଆଜି। ମନ ଭିତରେ ଖାଲି ସଞ୍ଜୁ ଅପାର କଥା ଘାରୁଚି।

କାଳେ କାଳେ  ବୟସ ଅନୁଭୂତି ସିଦ୍ଧ କରାଏ ମଣିଷକୁ। ସଞ୍ଜୁ ଅପାର ପୋଖତ  ଚିନ୍ତାଧାରା ପାଖରେ ମୁଣ୍ଡ ନଇଁଯାଏ। କେତେ ବେଦନାଭରା କଥାକୁ ସେ ଚାପି ରଖିଚି ପେଟ ଭିତରେ। ଅଥଚ ଆତ୍ମ ଚିହ୍ନଟର ତାତ୍ତ୍ବିକ କଥା ବେଶ ଗପି  ପାରୁଚି ମନ ଖୁସିରେ। ସବୁଠାରୁ ବୟସ୍କା ସେ ‘ଗଙ୍ଗା ଯମୁନା’ ବସ୍ତିର। ତା’ର ଖାତିର ଢେର। କେତେ କେତେ ଟିଭି ସୋରେ  ସେ ଆସୁଚି। କେତେ କେତେ ସାକ୍ଷାତକାର ତା’ର ନିଆଯାଉଚି। ସମସ୍ତଙ୍କ ପାଇଁ ଦୟା ଓ କରୁଣା ସାଇତିଚି। କେତେ ଜଣଙ୍କୁ ନେଇ ନିଜହାତରୁ ସିଲେଇ ମେସିନ କିଣି, ଶିଖଉଚି ଫ୍ରକ,ସାୟା, ବ୍ଲାଉଜ, ବ୍ୟାଗ ଇତ୍ୟାଦି। ନିଜେ ବେଶ ରୋଜଗାରକ୍ଷମ ସେ, କରଉଚି ଅନ୍ୟ ଅନେକଙ୍କୁ ସଶକ୍ତ । ହାତ ପାତିବାକୁ ସେ ଭଲପାଏନା କି କାହାକୁ  ସହଜରେ କିଛି ଦେଇ ଦିଏନା। କାମ ଶିଖାଏ। କାମ କରି ପେଟପୋଷିବାର କଳା ସେ ଜାଣିଚି ବୋଲି,  ପ୍ରତ୍ୟେକ ବ୍ୟକ୍ତିଙ୍କୁ ଥରକରେ ଚିହ୍ନି, ତା’ ପ୍ରତିଭାର ବିକାଶ କରାଏ ।ତା’ ଭାଷା,ତା’ କଥା କୌଣସି  ବିଜ୍ଞ ପ୍ରାଜ୍ଞ ବ୍ୟକ୍ତିଙ୍କଠାରୁ କମ ନୁହେଁ ।

ଋତୁ ଅନୁଯାୟୀ ବରିଷ୍ଠା ସଞ୍ଜୁଅପା ଆଚାର ବନାଏ ଭଳିକି ଭଳି। ବଡି ସହ ପାମ୍ପଡ କରେ କିସମ କିସମର। ଅବହେଳିତ ଜୀବନ ତା’ରି ସ୍ପର୍ଶରେ ହୁଏ ଅସାମାନ୍ଯ। ଆଜି ପାଠ ଭାବରେ ଯେଉଁ ଇଭେଣ୍ଟ ମ୍ୟାନେଜମେଣ୍ଟ କୁହାଯାଉଚି ତା’କୁ ସେ ଆୟତ୍ତ କରିଚି ନିଜ ବୁଦ୍ଧିରେ। ନିଜ ଅକ୍ଳାନ୍ତ ପରିଶ୍ରମରେ।

ଅଷ୍ଟମ ପ୍ରହରୀରେ କୀର୍ତ୍ତନିଆ କୋଉଠୁ ଆସିବେ କ’ଣ , ଗଢିଛି ଦୁଇ ଚାରି ଦଳ ମନ ଲଗେଇ। ଭାତ, ଡାଲମାର ବଢାକୁଢା ପାଇଁ  ଶିଖେଇଚି  କିଛି ଜଣଙ୍କୁ ପ୍ରତ୍ୟକ୍ଷ ତଦାରଖକରି। ଅଶୁଧିଆ ଘରେ, ବାରିକ, ଧୋବା ଇତ୍ୟାଦି ଯାହାସବୁ ଦରକାର  ସେ କହିଲାମାତ୍ରେ ହୋଇଯିବ। କାରଣ , ସେମାନେ ବି ତାହାରି ସହ ସଂଶ୍ଲିଷ୍ଟ। ବାହାବ୍ରତରେ ଫୁଲଠାରୁ ଦୁବ, ଲୁଗାପଟାଠାରୁ ଖାଇବା ପିଇବା, ବଜେଟ କହିଲେ ସେ ଠିଆ କରିଦବ ବିଶ୍ବସ୍ତଭାବେ କେତେଜଣଙ୍କୁ। ପିଲାମାନଙ୍କର ଜନ୍ମଦିନ, ଏକୋଇଶିଆ,  ସତ୍ୟପୀର ପୂଜାକଥା ପଡିଲେ ତା’କୁ  ଖୋଜେ ଏ ନଗର। ବହୁତ ପରିଶ୍ରମ ତା’ର ଯାଇଚି ଏଥିପାଇଁ।

ଅନେକ ଥଟ୍ଟା ପରିହାସକୁ ବେଖାତିର କରି ସେ ଯେ ଆଗେଇଚି, ଆଉ ପଛେଇନାହିଁ କେବେ। ଆମ ସାମାଜିକ ବ୍ୟବସ୍ଥାବି ସେମିତି।  କିଏ ଆଦର କରେ ଏଇମାନଙ୍କୁ ! ଏବେ ଏବେ  ପିଲାଏ ଯେଉଁ ଫାଷ୍ଟ ଲାଇଫକୁ ନେଇ ବଞ୍ଚୁଚନ୍ତି,  ସମୟ କାହିଁ ଏତେକଥା ଭାବିବାକୁ, ବା ନିଜେ ନିଜର କରିବାକୁ।  ବୁଢାବୁଢୀ   ଆଗଭର ପରମ୍ପରା, ସଂସ୍କୃତିକୁ ପାଳିବାକୁ। ଦେହ କିନ୍ତୁ ବାଧକ ସେମାନଙ୍କର। ପିଲାଏ କହିବେ ପଇସା ପଠେଇ ଦେଉଚୁ, କରେଇନିଅ। ଫ୍ଲାଇଟରେ ଆସି ପୁଣି ଉଡିଯିବେ କେଇଘଣ୍ଟା ଭିତରେ। କିଏ କରିବ ଏତେସବୁ। ହନ୍ତସନ୍ତ କେବଳ ବୟସ୍କ ବୟସ୍କାମାନେ। ସେବେଳରେ  ଏଇ ସଞ୍ଜୁଅପା ଓ ତା’ର ବିଭିନ୍ନ ପ୍ରକାରର ହାତଗଢା ଦଳ ଉପସ୍ଥିତ ହୁଅନ୍ତି ଠିକ୍ ଦେବଦୂତ ଭଳି। ପ୍ରତ୍ୟେକ କାମ ହୋଇଯାଏ ଅନାୟାସରେ। ବଦଳରେ ଭଲ ପାରିଶ୍ରମିକ ମିଳେ। ଉଭୟ ଖୁସି ହୁଅନ୍ତି ଢେର।
କ୍ରମଶଃ …..

Leave A Reply

Your email address will not be published.