Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୬୫)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୬୫

ମାଆ ହବ ଜାଣିବା ପରେ ବିରକ୍ତ  ଲାଗିଲା ଭୀଷଣ। ହେତ୍, ଆଘାତ ଦେଇଥିବା ମଣିଷ ହିଁ  ବାପା ହେବ ପିଲାଟିର।  ଜାବାଳି  ନା ଇତରା କ’ଣ ସିଏ ? ସତ୍ୟକାମ  ନା ଐତ୍ତେରୀୟ  …କିଏ ସବୁ ଆସିବେ ୟା ପରେ। ତଥାପି ଆଗ୍ରହୀ ସେ। ମାଆ ମନ ବୁଝିବ କିଏ ବା! ଚିନ୍ତାରେ ଚିନ୍ତାରେ ଗଡିଗଲା ଦୁଇ ଚାରିଦିନ। ଭାଳେଣି ପଡିଲା ମୁଣ୍ଡରେ। କାହାକୁ କହିବ ମଣିଷ। ପଥର ଦିଅଁ ନିର୍ବିକାର । କିଏ ଟିକିଏ ଆଦର କଲେ ସିନା ବଖାଣି ହେବ ଦୁଃଖ । କାହାରି ପାଖରେ ସମୟ ନାହିଁ କି ମନ ନାହିଁ।

ରାସ୍ତା ସେକଡ ବରଗଛ ମୂଳରେ ଦୁହେଁ ବୁଣୁଥିଲେ, କୁଲା, ଡାଲା, ପାଛିଆ, ଟୋକେଇ ଇତ୍ୟାଦି ବାଉଁଶରେ। ରାସ୍ତା ପାରେଇ ସେଇମାନଙ୍କ ପାଖକୁ କେମିତି ଯେ ଗଲି କେଜାଣି। ଅଚିହ୍ନା ଅପରିଚିତ ପାଖରେ ଆଶ୍ବାସନା ମିଳିବ ବୋଲି କେମିତି ଯେ ଭାବିଲି…! ଜଣେ ସ୍ତ୍ରୀ ଲୋକ ଆଉଜଣକୁ ବୁଝିପାରିବ ବୋଲି ବିଶ୍ବାସକରି ଗଲି।  ଆଶା ଯାହାଥିଲା ତାହା ସତ ହେଲା। ସନିଆ ଓ ମୁଗୁନି ଆଦର କଲେ ତାଙ୍କ ହିସାବରେ। କ୍ଷଣିକରେ ବୁଝିଗଲେ ସବୁ। ବିଶେଷ କିଛି ପଚରା ଉଚୁରା ବି କଲେନି। ନିହାତି ସରଳ ଓ ଅମାୟିକ ଦୁହେଁ। ତାଙ୍କ ପେଟରୁକାଟି ଖାଇବାକୁ ଦେଲେ। ବରଗଛ ମୂଳହିଁ ତାଙ୍କର ନିଜଜାଗା ଯେମିତି। ଜରିଦେଇ ଆବାଦ କରିଥିବା ଅଞ୍ଚଳ ତାଙ୍କ ଘର।ପୋଲିସକୁ ଡର ଯାହା। ମୁଗୁନିର ପାଲଟାଲୁଗା ପିନ୍ଧିବା ଛଡା ଉପାୟ ନଥିଲା। ବିଶେଷ ପ୍ରଶ୍ନ ନ ପଚାରି କେମିତି ମୋତେ ବିଶ୍ବାସ କଲେ ସେମାନେ ମ । ବହୁତ ଥର ଏକଥା ମୋତେ ଆଶ୍ଚର୍ଯ୍ୟ ଚକିତ କରେ। ଧନ୍ୟବାଦ ଦେବି କାହାକୁ .. ସରଳମତି ମଣିଷଙ୍କୁ, ଈଶ୍ବରଙ୍କୁ ନା ନିଜ ଭାଗ୍ୟକୁ…କାହାକୁ?

କିଛି ଆସୁନଥିଲା ମୋତେ ବାଉଁଶରେ କାମ। ଖାଲି ବସିବାକୁ ଭଲ ଲାଗୁନଥିଲା।  ରାସ୍ତା ପାରେଇ ମନ୍ଦିରକୁ ଯିବାକୁ ଇଚ୍ଛା ନଥିଲା। କିଏ ଯେମିତି ଲକ୍ଷ୍ମଣ ରେଖାଟିଏ ଟାଣି ଦେଇଥିଲା। ଏ ଦୁହିଁଙ୍କ ପେଟରୁକାଟି ଖାଇବାକୁ ମନହିଁ ନଥିଲା। କ’ଣ କରିବି,  କେମିତି କରିବି, ଘାରୁଥିଲା ଚିନ୍ତା ଦିନରାତି। ଭୀଷଣ ବର୍ଷା ପରେ ଅସମ୍ଭବ ନୀରବତା …  ଧିରସ୍ଥିର ପୃଥିବୀ। କାଦୁଅରେ ଖେଳୁଖେଳୁ ମନେପଡିଗଲା କଣ୍ଢେଇ ଗଢିବାକଥା। ପିଲାଦିନ, କାଇଁଚ, ନାଲି, ନେଳି ରଙ୍ଗ ….ହଳଦି ମଳୁଖରୁ ପରା ଶ୍ରୀଗଣେଶଙ୍କ ଜନ୍ମ। ମାଆଟିଏ  ଗଢିପାରେ… ଜୀବନ୍ୟାସ ଦେଇପାରେ। ସୃଜିବା ଶକ୍ତି ମାଆର ଆଉ ଆକଟିବା କଳାବି ତାହାର। କରିପାରେ ବିନାଶବି ଅକ୍ଳେଶରେ । ଶକ୍ତିମୟୀ ନିଜ ଶକ୍ତିକୁ କିଭଳି ବିନିଯୋଗ କରିବ ତା’ ଉପରେ ନିର୍ଭର କରେ। ତା’ ସାମର୍ଥ୍ୟ ପରଖନି ଆଉ !

ମାଟି ଚକଟିଲା ସନିଆ, ମୁଗୁନି ଶୁଖେଇଲା କଣ୍ଢେଇ। ରଙ୍ଗ ବ୍ୟବହାର କଳା ମୋତେ ଜଣାଥିଲା। ଏଥର ଡାଲାରେ ସଜେଇ ରଖିଦେଲାବେଳକୁ ବଡ ସୁନ୍ଦର ଦିଶିଲା। ଲୋକଙ୍କ ଆଖି ପଡିଲା। ରାସ୍ତାରେ ଯାଉଥିବା ଲୋକେ ଆଖି ନଚେଇ ଦାମ ପଚାରିଲେ।କି ଉତ୍ତର ଦେବି ମ ମୁଁ । ସନିଆ ଗାର୍ଡିଆନ ତଥା ବଡଭାଇ ଭଳି ଉତ୍ତର ଦେଲା ଯୋଡା ତିରିଶ। ଅଳ୍ପ ସମୟରେ ଶେଷ। ତାପରେ ଆଉ କିଛି ଗଢାହେଲା। ଏଥର ଦାମ ଆଉଟିକେ ବଢିଲା।   ଏ ବେପାର ଭଲ ଚାଲିଲା। ଆଶ୍ରୟ ଦାତା, ଅନ୍ନଦାତାଙ୍କୁ କୃତଜ୍ଞତା ଜଣାଇ ଶିଉଳି ମନ ଖୁସିରେ ଗଢିଲା ଖଣ୍ଡିଆ ଇଟା ଉପରେ ବସି ନିଠେଇ ନିଠେଇ କଣ୍ଢେଇ। କେତେ ମାସ ଚାଲିଗଲା। ଏବକୁ ଗୋଇଠା ମାରେ ପିଲା ପେଟରେ। ‘ ଏ ଧନ ତୁ ଜାଣୁଚୁ ସବୁ ତୋ’ ମାଆର କଥା’ ନିଜକୁ ନିଜେ କହିହୁଏ ଧିରେ।

Leave A Reply

Your email address will not be published.