ବ୍ୟଙ୍ଗ : ପ୍ରକାଶନ ବିସମ୍ବାଦ

ଭାଇ ନମସ୍କାର । ଭଲ ଅଛନ୍ତି ? ଆପଣ ଅମୁକ ପତ୍ରିକା କିଣିଲେଣି ? ବଢିଆ ହୋଇଛି କୁଆଡେ ।
— ନା କିଣିନି ।
— ଗୋଟେ କପି କିଣିବେ ନିଶ୍ଚୟ ।
— ଆଚ୍ଛା ହଉ…।
— କଥା କଣ କି ଭାଇ ମୋର ଗୋଟେ ଲେଖା ବାହାରିଛି ସେଥିରେ । ଆପଣ ପଠେଇ ନଥିଲେ କଣ ? କେଉଁ କେଉଁ ପତ୍ରିକାକୁ ଆପଣ ଲେଖା ଦେଇଥିଲେ ? କେତେଟାରେ ଲେଖା ବାହାରିଛି ?
— ନାଁ ମ ! ପ୍ରାୟ କେଉଁଥିରେ ବହାରିନି ।
ଅଳ୍ପ ସମୟ ଗୁମ ମାରି ଟିକେ ରହିଲା ପରେ ବନ୍ଧୁ ଜଣଙ୍କ ପୁଣି ଆରମ୍ଭ କଲେ । ” ମୋର ପ୍ରାୟ ଷୋହଳଟି ଲେଖା ବିଭିନ୍ନ ପୂଜା ସଂଖ୍ୟାରେ ବହାରିଛି ।”
-ଓଃ ଗ୍ରେଟ ! ଅଭିନନ୍ଦନ । ଜାଣି ଖୁସି ହେଲି ।” ମୁଁ କହିଲି ।
— “ଏବେ ବହୁତ କାର୍ଯ୍ୟବ୍ୟସ୍ତ ରହୁଛି । କିଛି ଲେଖିପାରୁନି । ଅନେକ ଗୁଡିଏ ଗପ ଅଧା ଲେଖା ରହିଗଲା ।” ଭାରି ବ୍ୟସ୍ତ ହୋଇ ବନ୍ଧୁ ଜଣଙ୍କ କହିଲେ ।
ମୁଁ ତାଙ୍କୁ ଆଶ୍ଵସନା ଦେବାକୁ ଯାଇ କହିଲି- “ନା ନା ଏଥିରେ ଏତେ ବ୍ୟସ୍ତ ହେବାର କଣ ଅଛି ? ବରଂ ବିଷୁବ ସଂଖ୍ୟା ପାଇଁ ଏବେଠୁ ଲେଖା ଲେଖି ଆରମ୍ଭ କରିଦିଅନ୍ତୁ । ଅଧା ପକେଇଥିବା ଲେଖାଗୁଡିକର ମୁଣ୍ଡି ମାରନ୍ତୁ ।”

ବନ୍ଧୁ କୋମଳ କଣ୍ଠରେ ପୁଣି ଥରେ ଜେରା କଲେ , ” ଆପଣ କଣ କେଉଁ ପତ୍ରିକାକୁ ଲେଖା ପଠେଇନଥିଲେ ?”

— “ଦେଖନ୍ତୁ, ମୋତେ ନ ମାଗିଲେ ମୁଁ ଲେଖା ଦିଏନି । ଅନେକ ପତ୍ରିକା ଲେଖା ପାଇଁ ଥରେ ଦି’ଥର ଅନୁରୋଧ କରି ରହିଲେ । ଛତୁଫୁଟା ପତ୍ରିକାରେ ରେଡିମେଡ଼ ଲେଖା ଲେଖିବାକୁ ମନ କହିଲା ନାହିଁ । କିଛି ଲେଖିପାରିଲି ନାହିଁ ଭଳି କଥା ନିଜ ଗଉଁ ର ବଡୀମା ଦେଖେଇ କହିବିନି । ମୁଁ ଅଧିକାଂଶ ପତ୍ରିକାକୁ ଲେଖା ପଠେଇଥିଲି । କିନ୍ତୁ କେଉଁଠି ବାହାରିଲା ନାହିଁ । ବୋଧହୁଏ ମୋ ଲେଖା ସେ ସବୁ ପତ୍ରିକାର ମାନଦଣ୍ଡରେ ଉତ୍ତୀର୍ଣ୍ଣ ହେଲେନି । ସମ୍ପାଦକଙ୍କ ମୌଳିକ ଅଧିକାରକୁ ସମ୍ମାନ ଜଣେଇ ନିଜକୁ ବୁଝେଇଦେଇଛି ଯେ ମୋତେ ଆହୁରି ଅଧିକ ପରିଶ୍ରମ କରିବା ଉଚିତ କିଛି ଲେଖିବା ପାଇଁ ।”

— “ଆରେ ଏମିତି କଥା ତେବେ ! ଆପଣ ତ ବହୁତ ସୁନ୍ଦର ଲେଖନ୍ତି । ମୁଁ ଆପଣଙ୍କ ଲେଖାର ଜଣେ ଫ୍ୟାନ ।” ଏବେ ବନ୍ଧୁଙ୍କ ପାଳି ଥିଲା ମୋତେ ଆଶ୍ୱସନା ଦେଵା ପାଇଁ ।

— “ଆଉ କଣ ସବୁ ପୂଜା ପତ୍ରିକା କିଣିଲେଣି ?” ମୁଁ କଥାର ମୋଡ଼ ବଦଳେଇ କହିଲି ।

— ହଁ , ମୋର ଯେଉଁ ପତ୍ରିକାରେ ଲେଖା ବାହାରେ ମୁଁ ତାକୁ ପାଞ୍ଚ ଖଣ୍ଡ କିଣେ । ଏହା ବାଦେ ମୋର ବନ୍ଧୁ ବାନ୍ଧବମାନଙ୍କୁ କୁହେ ମୋ ଖାତିରରେ ସେଥିରୁ ଖଣ୍ଡେ ଖଣ୍ଡେ କପି କିଣିବା ପାଇଁ ।
–”ଆଉ ଯେଉଁ ପତ୍ରିକାରେ ଆପଣଙ୍କ ଲେଖା ବାହାରି ନଥାଏ ?” ମୁଁ ତାଙ୍କୁ ମଝିରୁ ଅଟକେଇ ପଚାରିଦେଲି ।

— “କାହିଁକି କିଣିବି ଯେ ? ଫାଲତୁରେ କଣ ପାଇଁ ଖର୍ଚ୍ଚ କରିବି ?”

— “ଭଲ ଭଲ । ସେଇୟା ନୁହେଁତ ଆଉ କଣ । ଆଜି କାଲି ପତ୍ରିକାର ଦାମ୍ ଯାହା ହେଲାଣି, ଜଣେ କିଣି କିଣି କେତେ କିଣିବ ? ମୁଁ କିଛି ବର୍ଷ ହେଲାଣି ଆଉ ପତ୍ରିକା କିଣୁନି । ଆପଣଙ୍କ ଭଳି କିଛି ବନ୍ଧୁ ମାନଙ୍କ ସହ ଯୋଗାଯୋଗ ରଖିଛି । ଫେଶବୁକ୍ ରୁ ଜଣା ପଡ଼ିଯାଏ କାହାର କେଉଁ ପତ୍ରିକାରେ ଲେଖା ବାହାରିଛି । ମୁଁ ସେମାନଙ୍କୁ କମେଣ୍ଟରେ ଅଭିନନ୍ଦନ ଦେବା ସହ ଲେଖି ଦିଏ ସେ ପତ୍ରିକା କେମିତି ପାଇବି । ଆମ ଆଡେ ଏ ପତ୍ରିକା ମିଳୁନି ଇତ୍ୟାଦି ଇତ୍ୟାଦି । କେହି କେହି ଅସଭ୍ୟ କମେଣ୍ଟର ରିପ୍ଲାଇରେ ଆମାଜନର ଲିଙ୍କ ପଠେଇ ଲେଖନ୍ତି ଏହି ଲିଙ୍କ କୁ ଯାଇ ମଗେଇ ପାରିବେ ନଚେତ ମେସେଞ୍ଜରରେ ନିଜ ଲେଖାର ପିଡ଼ିଏଫ, ଫେସବୁକ ଲିଙ୍କ ସହ ପଠେଇ ଦିଅନ୍ତି । ତଳେ ତାଙ୍କ ଲେଖାରେ ସୁନ୍ଦର ମତଟିଏ ଦେବା ପାଇଁ ଅନୁରୋଧ ବି କରିଥାନ୍ତି । ଅବଶ୍ୟ ଅନେକ ଆପଣଙ୍କ ଭଳି ସୁହୃଦ ନିଜେ ପତ୍ରିକା ଖଣ୍ଡେ କିଣି ମୋ ଠିକଣାରେ ପଠାନ୍ତି । କିଛି ନହେଲେ ବି ଫି ବର୍ଷ ମୋତେ ଏହି ସୂତ୍ରେ ମାଗଣାରେ ଦଶ ପନ୍ଦର ଖଣ୍ଡ ପତ୍ରିକା ମିଳିଯାଏ । ଆପଣ ଜାଣି ଖୁସି ହେବେ ଯେ ଏହିଭଳି ହୃଦୟବାନ ସ୍ରଷ୍ଟା ଏବେବି ଆମ ଗହଣରେ ଅନେକ ଅଛନ୍ତି । ଯେଉଁମାନେ ସେମାନଙ୍କ ମୁଗ୍ଧ ପାଠକମାନଙ୍କ ପାଖକୁ ନିଜ ହାତରୁ ଖର୍ଚ୍ଚ କରି ପତ୍ରିକା ପଠାନ୍ତି । ଆପଣ ଫୋନ କରିଛନ୍ତି ବୋଲି କହୁନି ସତ କଥା ହେଲା ଆପଣଙ୍କ ଲେଖା ଯେମିତି ଆପଣଙ୍କ ହୃଦୟଟି ସେମିତି । ଉଭୟ ଚମତ୍କାର ।”

— “ହଉ ଭାଇ ଆଉ କିଛି କୁହନ୍ତୁ ନାହିଁ । ମୁଁ ଆପଣଙ୍କ ଠିକଣାରେ ମୋର ଲେଖା ବାହାରିଥିବା ସବୁ ପତ୍ରିକା ପଠେଇଦେବି । ଏବେ ରହୁଛି ।”

ଏହା ଭିତରେ ପ୍ରାୟ ଦୁଇ ସପ୍ତାହ ବିତିଗଲାଣି । ନା ବନ୍ଧୁଙ୍କର ଦେଖା ଅଛି ନା ପତ୍ରିକାର । ଲେଖା ବାହାରିବା ମାତ୍ରେ ଫେଶବୁକ୍ ରେ ସୂଚନା ଦେଉଥିବା ବନ୍ଧୁ ଜଣଙ୍କ ଏବେ ପ୍ରାୟ ଅଦୃଶ୍ୟ । ନିଜ ଆଡୁ ଆଜି ତାଙ୍କୁ ଫୋନ କରିଥିଲି । ” କଣ ଆଉ କେଉଁ ପତ୍ରିକାରେ ଲେଖା ବାହାରିଲା କି? କାହିଁ ଫେଶ ବୁକ୍ ରେ କିଛି ଶୋର୍ ଶବ୍ଦ ନାହିଁ । କଥା କଣ ଭାଇ। ସବୁ ଭଲ ତ? ”

ମୋ କଥା ଶୁଣି ବନ୍ଧୁ ଜଣଙ୍କ ଗମ୍ଭୀର ହୋଇ ଗଲେ । ଜାଣି ପାରୁଥିଲି ତାଙ୍କ ଛାତି ଭିତରୁ ଏଇ ମାତ୍ର କିଛି ଗୋଟେ ବାହାରି ଫୋନ ଭିତର ବାହାର ପାଣି ପାଣି କରିଦେବ । ତଥାପି ନିଜକୁ ବହୁ କଷ୍ଟରେ ରୋକି ବାଷ୍ପ ରୁଦ୍ଧ କଣ୍ଠରେ କହିଲେ , ଭାଇ ସବୁଯାକ ପତ୍ରିକା ବାହାରିଗଲା ପରେ ଏକା ସାଙ୍ଗରେ ଯାଇ ଆପଣଙ୍କୁ ଦେଇ ଆସିବି ଭାବିଛି । କିନ୍ତୁ ଭଗବାନଙ୍କ ରାଣ କାହାକୁ କହିବେନି କିମ୍ବା ଫେଶବୁକରେ ମହାର୍ଘ ଉପହାର କି ଭଲପାଇବା ଲେଖି ପୋଷ୍ଟ କରିବେନି । ସ୍ତ୍ରୀର ଗହଣା ବନ୍ଧା ରଖି ପ୍ରଥମ କବିତା ବହି ଛାପିଥିଲି । ଆଜି ଯାଏଁ ମାଗଣା ବାଣ୍ଟୁଛି । ଶେଷରେ ପତ୍ରିକାରେ ଲେଖା ବାହାରିଲାନି ଯେ ଲୋକେ ବୁଲେଇ ବଙ୍କେଇ ମାଗଣା ପତ୍ରିକା ମାଗିଲେଣି । ଏ ସବୁ ଦେଖି ମୋ ସ୍ତ୍ରୀ ଦଶହରାରେ ସ୍ୱୟଂ ଚଣ୍ଡୀ ରୂପ ଧାରଣ କଲେଣି । କହୁଛନ୍ତି ,” ଖବରଦାର ଯଦି ଆଉ ସେ ଲେଖା ଲେଖି କର । ଫେଶବୁକ୍ ନାଁ ଶୁଣିଲେ ତ ସେ ସାକ୍ଷାତ ଛିନ୍ନମସ୍ତା । କହୁଛନ୍ତି , ଆଗକୁ ଘରୁ ହାତରୁ ଖାଇ ଘୋଡ଼ା ଆଗରେ ଯେଉଁଦିନ ଡେଇଁବା ଦେଖିବି ତ ସେଦିନ ମୋର ଦିନେ କୁ ତୁମର ଦିନେ । ଭାଇ, ଆପଣ ବୁଝିପାରୁଥିବେ ନୂଆ ନୂଆ ଲେଖୁଥିବା ଜଣେ ଲେଖକର ମାନସିକତା । କେତେ ଖୁସି ଲାଗେ କେଉଁଠି ଟିକେ ନିଜ ଲେଖାକୁ ଛାପା ଅକ୍ଷରରେ ଦେଖିଲେ ! ସିଏ କଣ ବୁଝିପାରୁଛନ୍ତି କେତେ ରୁଟି ବେଲିଲେ ଲେଖାଟିଏ ପ୍ରକାଶିତ ହେଉଛି ! ଜୀବନରେ ନିଜ ବାପ ମାଆଙ୍କୁ ଏତେ ଥର ଆଭୂମ ପ୍ରଣାମ କରିନଥିବି ଯେତେଥର ଭିନ୍ନ ଭିନ୍ନ ସମ୍ପାଦକଙ୍କୁ ଫେଶବୁକରେ ନିଇତି ପ୍ରଣାମ କରୁଛି । ତାଙ୍କ ସମ୍ପାଦନା ଓ ସମ୍ପାଦକୀୟ ଲେଖାକୁ ପୃଥିବୀର ଶ୍ରେଷ୍ଠ , ଉପାଦେୟ , ସର୍ବୋତ୍କୃଷ୍ଟ କହି ତାଙ୍କ କୃପା ଦୃଷ୍ଟି ଆକର୍ଷଣ କରିବାକୁ କେମିତି ପ୍ରଶଂସାର ଶବ୍ଦ ଖୋଜା ପଡେ ଆପଣ ଜାଣନ୍ତି । ସମ୍ପାଦକଙ୍କ ଶାଶୁଙ୍କ ବିୟୋଗରେ ତାଙ୍କୁ ଚିହ୍ନି ନଥିଲେବି ଦେଶ ଜଣେ ସୁଯୋଗ୍ୟା ଧର୍ମପରାୟଣ ମହିଳାଙ୍କୁ ହରେଇଲା ବୋଲି ମାଠିଆଏ ଲୁହର , ପୁଷ୍ପଗୁଚ୍ଛର ଇମୋଜି ଦେଇ କେମିତି ଶୋକ ବାର୍ତ୍ତା ଦେବାକୁ ପଡ଼େ ସେଇଟା ଭୁକ୍ତ ଭୋଗୀ ହିଁ ଜାଣେ । ଏଠି ଲେଖାଟିଏ ଦେଲେ ପ୍ରାପ୍ତି ସ୍ୱୀକାର ତ ଛାଡ଼ ପଚାରିଲେ ଉତ୍ତର ମିଳିବ , “ଆପଣ କ’ଣ ଲେଖା ପଠେଇ ଥିଲେ କି ? ଦେଖି ପାରିନି ଆଉ ଥରେ ମେଲ କରନ୍ତୁ ।” ଆଉ କେତେକ ଫୋନ ସେପଟୁ ଏମିତି ଖିଙ୍କାରୀ ହେବେ ଯେ ଲାଗିବ ଯେମିତି ଏପଟ ଲୋକଟି ଗୋଟେ ଏଲିଅନ ତାଙ୍କ ଘର କଣା କରି ସର୍ବସ୍ବ ଲୁଟି ନେବ । କେହି କେହି ତ ଏମିତି କଥା ହେବେ ଯେମିତି ଏଇ ସଦ୍ୟ ଦାନ୍ତ ଉପାଡି ଆସିଛନ୍ତି । କଥା ହେବାକୁ ଡାକ୍ତର ମନା କରିଛି । ଏହା ଛଡା ବିଶେଷ କ୍ଷେତ୍ରରେ କିଛି କିଛି ମାଜଣା ବି କରିବାକୁ ପଡେ । ଏତେ ଲାଂଛନା ସହି ଲେଖାଟିଏ ପ୍ରକାଶିତ ହେଲା ପରେ ଖୁସିରେ ଯଦି କାହାକୁ କହିବ ସେପଟୁ ଉତ୍ତର ଆସିବ ‘ଆମର ଏଠି ସେ ପତ୍ରିକା ଆସୁନି ମୋ ପାଇଁ ଗୋଟେ ପଠେଇବ ।’ ଭାରି ଦୁଃଖ ଲାଗୁଛି ଭାଇ । ନୂତନ ଲେଖକମାନଙ୍କୁ ଲୋକେ ଉତ୍ସାହିତ କରିବା ଅପେକ୍ଷା ଏମିତି ବ୍ୟବହାର ହୃଦୟକୁ ହାଣି ଦେଉଛି । ଲେଖକ ଖୁସି ହେବା ପରିବର୍ତ୍ତେ ହତୋତ୍ସାହିତ ହୋଇ ଦରମଲା ଜୀବନଟେ କାଟେ ।”

ସବୁ ଶୁଣିଲା ପରେ ମୁଁ କହିଲି – “ମନ ଦୁଃଖ କରନ୍ତୁ ନାହିଁ । ପ୍ରଥମେ ପ୍ରଥମେ ଏ ସବୁ ହୁଏ ତା ପରେ ଦେହସୁହା ହେଇଯିବ । ବହୁ ପ୍ରତିଷ୍ଠିତ ଲେଖକ ମାନେ ମଧ୍ୟ ଏ ସବୁ କରନ୍ତି । ଅବଶ୍ୟ ତରିକ୍କା ଟିକେ ଅଲଗା । ପ୍ରକାଶ୍ୟରେ ଅତି ଆଦର୍ଶ କଥା କହି ନୂତନ ପିଢ଼ିଙ୍କୁ ଅଧ୍ୟବସାୟ କରିବା ପାଇଁ ନୀତି ପ୍ରବଚନ ଦେଉଥିବା ବହୁ ତଥାକଥିତ ପ୍ରତିଷ୍ଠିତ ସାହିତ୍ୟିକ ମାନେ ପରଦା ପଛରେ କିପରି ତୈଳ ମର୍ଦ୍ଦନ କାର୍ଯ୍ୟରେ ଲିପ୍ତ ଥାନ୍ତି ତାହା ମୁଁ ସ୍ୱ ଅନୁଭବରୁ କହୁଛି । ତୁମ ଭଳି ନୂତନ ପୀଢ଼ିଙ୍କ କାନ୍ଧରେ ବନ୍ଧୁକ ଥୋଇ ନିଜ ନିଶାନାକୁ ଗୁଳି କ୍ଷେପନ୍ତି । ଦୁଃଖର କଥା ଏଠି ଯାହାଙ୍କର ବହି କିଣିବାର ସାମର୍ଥ୍ୟ ଅଛି ସେମାନେ ମାଗଣା ଉପହାର ଚାହାଁନ୍ତି ଓ ମାଗଣା ପାଇଥିବା ବହି କିଛି ଦିନ ପରେ ରଦ୍ଦି କାଗଜ ବାଲାକୁ ବିକ୍ରି କରିଦିଅନ୍ତି । ଗୋଟିଏ ପୃଷ୍ଠା ବି ପଢ଼ିବାର କଷ୍ଟ କରନ୍ତି ନାହିଁ । ଆଉ ଯେଉଁ ନିରୁତା ପାଠକଟିଏ ନିଜ କଷ୍ଟ ଅର୍ଜିତ ଧନରୁ ବହିଟିଏ କିଣି ପଢେ ସେ ବହିଟିକୁ ଅତି ଯତ୍ନରେ ସାଇତି ରଖିବା ସହ ଲେଖକଙ୍କୁ ନିଜର ପାଠକୀୟ ମନ୍ତବ୍ୟ ଦେବାରେ କେବେ କାର୍ପଣ୍ୟ ଦେଖାନ୍ତି ନାହିଁ । ଏସବୁ ଆଭୂମ ପ୍ରଣାମ , ଭୂମିଷ୍ଠ ଦଣ୍ଡବତ, ମହାର୍ଘ ମୁହୁର୍ତ୍ତ , ପ୍ରତିଷ୍ଠିତ , ଅଗ୍ରଜ , ପୂଜ୍ୟପ୍ରତିମ , ସର୍ବଶେଷ୍ଠ ଶବ୍ଦ ବିନ୍ଧାଣୀ ଭଳି ତୈଳାକ୍ତ ବିଶେଷଣ ଦେବାରୁ ନିଜକୁ ନିବୃତ୍ତ କରି ନିଜ ସୃଜନ ପ୍ରତି ଅଧିକ ଧ୍ୟାନ ଦିଅ । ଭଲ ଲେଖାକୁ ଲେକେ ଖୋଜି ଖୋଜି ପଢ଼ନ୍ତି , ଆଦର କରନ୍ତି ଯେମିତି ବାସ୍ନା ଫୁଲ । ଭଲ ଲେଖାଟିଏ ସମସ୍ତଙ୍କ ଦୃଷ୍ଟିକୁ ନିଶ୍ଚୟ ଆସେ । ଗହଣା ବନ୍ଧା ପକେଇ ବହି ଛପେଇ ମାଗଣା ବାଣ୍ଟି ଅତି ବେଶୀରେ ବନ୍ଧୁ ବାନ୍ଧବଙ୍କ ପାଖରେ ରାତା ରାତି ଲେଖକ ପରିଚୟଟିଏ ପାଇଯାଇପାର କିନ୍ତୁ ଯଦି ଲେଖାରେ ଦମ୍ ଥିବ ତେବେ ଏକ ବୃହତ ପାଠକଙ୍କ ହୃଦୟରେ ତୁମେ ଜଣେ ପ୍ରିୟ ଲେଖକର ମାନ୍ୟତା ପାଇବ । ତେଣୁ ଏ ହଠାତ ମିଳୁଥିବା ପ୍ରସିଦ୍ଧି ମାୟାରେ ବାୟା ହୁଅନି । ଦଶ ଖଣ୍ଡ ବହି ଲେଖିଥିବା ବିଶ୍ୱର ଶହେ ଭାଷାରେ ଅନୁବାଦ ହୋଇସାରିଥିବା ଅନେକ ତଥାକଥିତ ଆନ୍ତର୍ଜାତିକ ଲେଖକ ଗଣ୍ଡା ଗଣ୍ଡା ବୁଲୁଛନ୍ତି ତାଙ୍କୁ ପାଠକେ ଚିହ୍ନିବା ତ ଦୂର କଥା ତାଙ୍କ ପଡିଶା ଘର ଲୋକ ବି ଚିହ୍ନନ୍ତି ନାହିଁ । ତୁମେ ମନ କଷ୍ଟ କରନି । ତୁମର ସଦ୍ୟ ପ୍ରକାଶିତ ଲେଖାକୁ ମୁଁ ପଢ଼ିସାରିଛି । ମୋତେ ପତ୍ରିକା କିଣି ପଠେଇବା ଦରକାର ନାହିଁ । ମୋର ମଧ୍ୟ କିଛି ପତ୍ରିକାରେ ଲେଖା ପ୍ରକାଶିତ ହୋଇଛି । ଆଜି ତୁମେ ଯେଉଁ ମାନସିକ ପୀଡା ଭୋଗୁଛ ଏକଦା ମୁଁ ମଧ୍ୟ ସେଇ ପୀଡା ଭୋଗିଛି । ଯାହା ଏ ମାୟାରେ ବାୟା ହେବା ପରିବର୍ତ୍ତେ ମୋତେ ସତର୍କ ଓ ସଚେତନ କରିଛି । ହଉ ଭାଇ ରହୁଛି । ତୁମେ ଭଲ ଲେଖୁଛ । ତୁମର ଏ ଗପଟି ମୋତେ ଭଲ ଲାଗିଲା । ଲେଖା ଜାରି ରଖ । ଖୁସିରେ ଥାନ୍ତୁ । ନମସ୍କାର ।”

( ବିଦ୍ର: ଏହି ଲେଖାର ଉଦ୍ଦେଶ୍ୟ କାହାର ସମ୍ମାନହାନୀ କରିବା ନୁହେଁ । ବରଂ ସମ୍ପ୍ରତି ପୂଜା ମାହୋଲରେ ଦେଖୁଥିବା କିଛି ବିସଙ୍ଗତି ପ୍ରତି ଏହା ମୋର ଏକ ବ୍ୟଙ୍ଗୋକ୍ତି ମାତ୍ର । କୌଣସି କ୍ରିୟା ବିହୀନ ପ୍ରତିକ୍ରିୟା ପାଇଁ କମ୍ପାନୀ ଦାୟୀ ରହିବ ନାହିଁ । ଭୁଲ୍ ଚୁକ୍ ରଫା ଦଫା । )

ବନମାଳୀ ଭବନ, ଖାନନଗର, କଟକ