Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ଦେବୀ (୮)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୮

ନାରୀର ଜୀବନ ଏକ ଜୈବିକ ପରୀକ୍ଷାଗାର। ତା’ ଦେହ ଓ ମନ ଏକଏକ ପରୀକ୍ଷଣ ସାମଗ୍ରୀ। ପ୍ରଥମେ ପ୍ରେମିକ ଆସି ସ୍ବପ୍ନ ଆଉ କଳ୍ପନା ମିଶେଇ ତିଆରି କରେ ଗୋଲାପୀ ସଂଭାବନା। ତାର ଆୟୁଷ ସ୍ୱଳ୍ପ ହେଲେ ହେଁ ସେଇଠୁ ନାରୀ ଶିଖେ ହସ ଆଉ ଲୁହର ପ୍ରୟୋଗ। ପରିସ୍ଥିତି ଆଉ ପରିବେଶ ସହିତ ନିଜକୁ ମିଶେଇଦେବାର କଳା।

ପ୍ରେମିକ ପୁଣି ସ୍ଵାମୀ ହୁଏ। ଏଠି ମନ ଅପେକ୍ଷା ଦେହର ସହଭାଗ ବେଶୀ। ଆଉ ପଚରା ଯାଏନା ପସନ୍ଦ ଅପସନ୍ଦ, ଇଚ୍ଛା ଅନିଚ୍ଛା। ବାହା ବେଦୀରେ ବିସର୍ଜନ କରିଥିବା ସ୍ବପ୍ନ ତାକୁ ହାତ ଠାରି ଡାକେ। ତା ‘ ଚାରିପାଖେ ତିଆରି ସରିଥାଏ ନୀତି ନିୟମ ସମ୍ମାନ ଅସମ୍ମାନର ଦୂର୍ଭେଦ୍ୟ ପ୍ରାଚୀର। ସେ ମୁଖାପିନ୍ଧି ହସେ, ହସାଏ। ମନ ଭରି କାନ୍ଦେ,ଶ୍ରାବଣ ଆକାଶ ସହିତ । ବିବାହ ପୂର୍ବର ମାନସିକ ଆବେଗ ଓ ତ୍ୟାଗ ପୂତ ଭଲପାଇବା ଦୈହିକ ଭୋଗବାଦର ଅଗି ନିଆଁରେ ପୋଡ଼ି ପାଉଁଶ ହୁଏ। ୟା ପରେ ଯାହା ବଳିପଡେ ତା କେବଳ ବାଧ୍ୟ ବାଧକତାର ଏକ ମୃତଛାୟା।

କିନ୍ତୁ ସବୁ ପ୍ରେମିକ ସ୍ଵାମୀ ହୋଇପାରନ୍ତି ନାହିଁ। ଜଣକୁ ଦେହ ମନ ସମର୍ପିଦେଇ ଆଉ ଜଣକ ସହିତ ସଂସାର କଲେ ଜୀବନ କେବଳ ଏକ ମୃତ ସମୁଦ୍ରର ବାଲିଚର ହୋଇଯାଏ। ସେଠି ଏଣେତେଣେ ପଡ଼ିଥାଏ ଅଭୁଲା ସ୍ମୃତିର ଶଙ୍ଖ – ଶାମୁକା, ଦିଗହଜା ନାବିକର ଛିଣ୍ଡା ଚପଲ ଓ ଭଙ୍ଗା ଆହୁଲା। ସେଇତକ ହିଁ ପ୍ରେମିକାର ଗଣ୍ଠିଧନ। ପ୍ରେମିକ ସହିତ ଅତିବାହିତ ପ୍ରତିଟି ପଲକ ତା ପାଇଁ ହୋଇଯାଏ ମୂଲ୍ୟବାନ ପ୍ରାପ୍ତି। ଯେତେଚେଷ୍ଟା କଲେ ବି ସେ ସୁଖି ହୋଇ ପାରେନା । ଅବିନାଶୀ ଅତୀତର ନାଗ ଫାଶରୁ ମୁକୁଳି ପାରେନା।

ଆଉ ଦେବୀର ଜୀବନ ବି ଏମିତି। ଯେଉଁ ସୁଖର ଅଗ୍ରୀମ ଆଲୋଡନ ତାକୁ ଡାକି ନେଇଥିଲା ; ଅତଳ ସାଗର ବକ୍ଷକୁ ସେଇ ସୁଖ ହିଁ ଭେଟିଦେଲା ଘୂର୍ଣ୍ଣିଝଡର ବିପର୍ଯ୍ୟୟ। ଶିଖରର ଅଦୃଶ୍ୟ ହାତ ତାକୁ ଟାଣିନେଲା ଦିଗନ୍ତର ଆରପାରେ ସେଇ ଶିଖର ହିଁ ପାଲଟିଲା ତା ବିପର୍ଯ୍ୟୟର କାରଣ।ତାକୁ ସ୍ୱର୍ଗର ସ୍ଵପ୍ନ ଦେଖେଇଥିବା ଆଖିମାନେ ହଠାତ୍ ଲୁଚିଗଲେ।

ଲାଇନ କଟିଯାଇଥିଲା। ସାରା ଦିନର ବିରକ୍ତି ଓ ହତାଶାର ଶିକାର ହୋଇ ବୋଉ ବାପାଙ୍କ ପାଖରେ ଶୋଇ ପଡ଼ିଥିଲା।ଖଟତଳେ ସେମିତି ଥୁଆ ହୋଇଥିଲା ରୁଟି – ତରକାରୀ।

ଆଜି ତାର ଅନେକ କଥା ମନେ ପଡ଼ୁଥିଲା। ଏଇ ଯେମିତି ପ୍ରଥମ ଶାଢ଼ୀ ପିନ୍ଧା ଦିନ, ଲେଖିଥିବା ପ୍ରଥମ ପ୍ରେମପତ୍ରର କିଛି ଧାଡି, ଜଣକୁ ଦେଇ ପାଇଥିବା ପ୍ରଥମ ଚୁମ୍ବନର ସ୍ମୃତି…..।

ଜୀବନର ଜଟିଳ ଗଣିତରେ ସେ ଗୋଟିଏ ଅମିମାଂସିତ ଇକ୍ୟୁଏସନ୍। ପାଇବା ହରାଇବାର ହିସାବ ନିକାଶରେ ବିଫଳ ଅନୁପାତ। ଧନ ଆଉ ସୁଖ ଭିତରେ ଏକ ବିଷମ ଫଳନ।ହେଲେ ତାର ଦୋଷ କ’ଣ? କେଉଁ ଝିଅ ସ୍ବପ୍ନ ଦେଖେନା ଏକ ସଫଳ ସଂସାରର।

ଜୀବନକୁ ନେଇ ନାନା ପରୀକ୍ଷଣରେ ସେ ସଫଳ ହୋଇପାରିନି। ସେଥିପାଇଁ ସେ ତିଳତିଳକରି ଜାଳିଛି ନିଜକୁ। ମୁଠାଏ ବାଲି ପରି ଫିଙ୍ଗିଦେଇଛି ନିଜର ସ୍ବପ୍ନ,ସୃହା ଓ ସମର୍ପଣ ।

ସ୍ୱାମୀକୁ ଦେହ ଦେଇଛି ହେଲେ ଦେଇପାରିନି ନାରୀ ମନର ଗୋପନ ଗୁମ୍ଫାରେ ଥିବା ବିନ୍ଦୁଏ ଭଲ ପାଇବା। ନିଜକୁ ନିଜ ହାତରେ ଅପଙ୍ଗ କରିଛି। ମୋଡ଼ି ମକଚି ଫିଙ୍ଗି ଦେଇଛି ଇଚ୍ଛା ଓ ସ୍ବପ୍ନକୁ। ଯେତେବେଳେ ବୁଝି ପାରିଛି ସୁଖ ନାମକ ପଦାର୍ଥ କେବେ ଧନ ଦେଇ କିଣାଯାଇ ପାରେନାହିଁ,ସେ ନିଜଭିତରେ ନିଜକୁ ବନ୍ଦୀ କରି ଦେଇଛି। ସ୍ୱାମୀର ପ୍ରେମହୀନ ଦୈହିକ ଯଜ୍ଞରୁ ସେ ପାଇଛି ମାତୃତ୍ଵ। ହେଲେ ମାତୃତ୍ୱର ସୌଭାଗ୍ୟକୁ ଆପଣେଇ ପାରିନି।

ସେ ଅନେକ ଥର ଭାବିଛି ମରିଯିବାକୁ। ହେଲେ କେଉଁ ଏକ ଅଦୃଶ୍ୟ ବନରୁ ଶୁଭିଛି ବିରହ ବଂଶୀସ୍ଵନ। ଆଗନ୍ତୁକ ଆୟୁଷକୁ ସମୟ ହାତରେ ଟେକିଦେଇ ସେ ପୁଣିଥରେ ପାଦରେ ଘୁଙ୍ଗୁର ବାନ୍ଧିଛି। ତା ନିର୍ଜୀବ ସହରର ଏକାନ୍ତ ବଉଳ ଗଛର ଛାଇକୁ କଳ୍ପନାରେ କୃଷ୍ଣ କରି ଲୁହ ଆଉ କୋହରେ ସଜେଇଛି।

ଆଜି କାଇଁ ଖୁବ୍ ମନେ ପଡ଼ୁଛି ଜଣେ। ହେଇ ଆସିଲା ପରି ଲାଗୁଛି ବାଉଳା ପବନ ହୋଇ। ହେଇ ଛୁଇଁଲା ପରି ଲାଗୁଛି ଏକ ଅଜଣା କମ୍ପନ ପରି। ମନ ଟାଣି ନେଉଛି ଦେବୀକୁ କୋଡ଼ିଏ ବର୍ଷ ତଳର ଏକ ଆଲୋକିତ ଅନ୍ଧାର ଭିତରକୁ। ଡାକ ଶୁଭୁଛି କେଉଁ ଏକ ପାହାଡ଼ରୁ – ଦେବୀ ଗୋ…….

କ୍ରମଶଃ….

Leave A Reply

Your email address will not be published.