Latest Odisha News

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୯୦)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର

ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ

ହେଇ, ଦୟାକରି ଅନ୍ତତଃ ଆଜି ଦିନଟା ତମେ ଦୁହେଁ ମତେ ହତାଶ କଲାଭଳିଆ କଥାବାର୍ତ୍ତା ନକଲେ ଚଳନ୍ତାନି? ମୋ’ ଖୁସିବାସିଆ ମୁଡ଼୍‌ଟାକୁ ଆଜି ତମେ ବିଗାଡ଼ି ଦେଉଛ!” ଗୋଟେ ନାଟକୀୟ ଶୈଳୀରେ ମୁଣ୍ଡ ଉପରେ ଦି’ହାତ ରଖି ସିଡ଼୍ ଅଭିଯୋଗ କଲା । “ଚୁପ୍ କର! ଏ ଡ୍ରାମା କୁଇନ୍ । ତମେ କ’ଣ କରିବ ବୋଲି ଭାବୁଛ କହୁନ,” ସିଡ଼୍‌ର କାନ୍ଧକୁ ହାଲ୍‌କା ଭାବରେ ବାଡ଼େଇ ବୀରା ପଚାରିଲା ।

“ମୁଁ ଭାବୁଛି, ମୁଁ… ଆରେ ରହ । ତମେ ମତେ, ସିଡ଼୍ ପରିମଲ୍‌କୁ ଡ୍ରାମା କୁଇନ୍‌ କହିଲ?”, ମୁହଁ ଫୁଲେଇ ସିଡ଼୍ ପଚାରିଲା । ବୀରା ଓ ରୋହାନ୍ ପରସ୍ପରକୁ ଚାହିଁ ହସରେ ଫାଟି ପଡ଼ିଲେ । “ମୁଁ ଭାବୁଛି, ମୁଁ ଏବର୍ଷ ପଢ଼ା ଡ୍ରପ୍ କରିଦେବି ।” ଏକଥା ଶୁଣି ବୀରା ଓ ରୋହାନ୍‌ଙ୍କ ହସ ବନ୍ଦ ହୋଇଗଲା । ପାଟି ସେମିତି ଖୋଲାଥଆଇ ସେମାନେ ସିଡ଼୍ ଆଡ଼କୁ ବୁଲି ଚାହିଁଲେ । ଆ୧⁄୨ର୍ଯ୍ୟ ହୋଇ ରୋହାନ୍ କହିଲା “ମତେ ଲାଗୁଛି, ମୁଁ ତତେ ଠିକ୍ ଭାବରେ ଶୁଣି ପାରିଲିନି ସିଡ଼୍ । କ\’ଣ କହିଲୁ, ଆଉଥରେ କହ ତ!” ଦୀର୍ଘଶ୍ୱାସଟେ ଛାଡ଼ି ସିଡ଼୍ କହିଲା,
“ନାଇଁ, ତମେ ଠିକ୍ ଶୁଣିଛ ବ୍ରୋ । ମୁଁ ଏବର୍ଷ ପଢ଼ା ଡ୍ରପ୍ କରିବାକୁ ଯାଉଛି । ଗୋଟେ ରକ୍‌ଷ୍ଟାର ହେବାର ସ୍ୱପ୍ନ ସାକାର କରିବାକୁ ମୁଁ ଚେଷ୍ଟା କରିବି ।”

ଉଠି ଠିଆ ହୋଇପଡ଼ି, ରୋହାନ୍ ପାଟିକରି କହିଲା, “ମୋ’ ସହିତ ଥଟ୍ଟା କରୁଛୁ ନା କ’ଣ? ଗୋଟେ ରକ୍‌ଷ୍ଟାର ହେବାପାଇଁ କ’ଣ ତୁ ତୋ ପଢ଼ାପଢ଼ି ଛାଡ଼ିଦେବୁ! ଏସବୁ ଏକଦମ୍‌ ମୁର୍ଖତା!” “ରୋହାନ୍‌!” ରୋହାନ୍‌ର ଜ୍ୟାକେଟ୍‌କୁ ଟାଣିଦେଇ ଚାପା ଗଳାରେ ବୀରା କହିଲା ।

“ଏଇଟା ଠିକ୍ ଜାଗା ନୁହଁ ଏସବୁ କଥା ହେବା ପାଇ, ପ୍ଲିଜ୍ ଏଠି ଏମିତି ଝଗଡ଼ା କରନି । ଆମେ ଚାଲ ବାହାରକୁ ଯାଇ କଥା ହେବା?”

ରୋହାନ୍ ଅନୁଭବ କଲା ଯେ ବୀରା ଠିକ୍ କଥା କହୁଛି । ତେଣୁ ସେ ତା’ ପକେଟ୍‌ରୁ ଦି’ଟା ବିଲ୍ ବାହାର କରି ଟେବୁଲ୍ ଉପରେ ଫିଙ୍ଗିଦେଇ ଦୁମ୍‌ଦୁମ୍ ହୋଇ ରାଗରେ କ୍ୟାଫେ ବାହାରକୁ ଚାଲିଗଲା । ଆଉ ପଛେ ପଛେ ଭୟଭୀତ ସିଡ଼୍ ଓ ଆଶଙ୍କିତ ବୀରା ଚାଲିଲେ । କ୍ୟାଫେ ସାମ୍ନାର ପାର୍କରେ ରୋହାନ୍ ଠିଆ ହୋଇଥାଏ ।

କ୍ରମଶଃ

Comments are closed.