Latest Odisha News

BREAKING NEWS

ଓଡ଼ିଶା ଲୋକସଭା ନିର୍ବାଚନ: କିଏ ଜିତିଲେ ଓ କିଏ ହାରିଲେ, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ…

ଭୁବନେଶ୍ୱର: ଓଡ଼ିଶାରେ ଅନୁଷ୍ଠିତ ହୋଇଥିବା ଲୋକସଭା ନିର୍ବାଚନରେ ସମୁଦାୟ ୨୧ଟି ଆସନରୁ ବିଜେଡ଼ି ୧୨ଟି ଆସନ ଅକ୍ତିଆର କରିଥିବା ବେଳେ ବିଜେପି ପୂର୍ବ ନିର୍ବାଚନରେ ଗୋଟିଏ ଜିତିଥିବା ବେଳେ ଏଥର କିନ୍ତୁ ୮ଟି ଆସନ ଜିତି ପାରିଛି । ତେବେ କଂଗ୍ରେସ ଦଳ ଏଥର ଗୋଟିଏ ଆସନ ହାତେବାକୁ ସକ୍ଷମ ହୋଇପାରିଛି । ତେବେ ଗତ ନିର୍ବାଚନରେ ବିଜେଡ଼ି ଏକାକୀ ୨୧ଟି ମଧ୍ୟରୁ ଏକାକୀ ୨୦ଟି ଆସନ ଜିତିଥିଲା ବେଳେ ବିଜେପିକୁ ମାତ୍ର ଗୋଟିଏ ଆସନ ମିଳିପାରିଥିଲା ।

ଆସ୍କା: ପ୍ରମିଳା ବିଶୋଇ, ଯିଏକି ଜଣେ ଏସଏଚଜି ଆନ୍ଦୋଳନରେ ଓଡ଼ିଶାରେ ତାଙ୍କର ପରିଚିତି ରହିଥିଲା, ସେ ନୂଅଦିଲ୍ଲୀସ୍ଥିତ ଇନ୍ଦିରାଗାନ୍ଧୀ ମୁକ୍ତ ବିଶ୍ୱବିଦ୍ୟାଳୟରେ ଆସୋସିଏଟ୍ ପ୍ରଫେସର ଭାବେ କାର୍ଯ୍ୟ କରୁଥିବା ତଥା ବିଜେପି ପ୍ରାର୍ଥୀ ଅନିତା ଶୁଭଦର୍ଶିନୀଙ୍କୁ ୨,୦୪,୭୦୭ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ଏହି ଆସନଟି ୧୯୯୬ ପରଠାରୁ କଂଗ୍ରେସର ପାରମ୍ପରିକ ଗଡ଼ ଭାବେ ବିବେଚିତ ହୋଇ ଆସୁଥିଲା । ତେବେ ଗତ ୭ଟି ନିର୍ବାଚନରେ ବିଜେଡ଼ି ଏହି ଆସନରେ ବିଜୟ ଲାଭ କରିଆସୁଛି ।

ବାଲେଶ୍ୱର: ବିଜେପିର ବରିଷ୍ଠ ନେତା ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏହି ଆସନଟିକୁ ବିଜେଡ଼ି ହାତରୁ ଛଡ଼େଇ ଆଣିବାରେ ସକ୍ଷମ ହୋଇଛନ୍ତି । ସେ ବିଜେଡ଼ି ପ୍ରାର୍ଥୀ ରବୀନ୍ଦ୍ର ଜେନାଙ୍କୁ ୧୨,୯୫୬ ଭୋଟ ବ୍ୟବଧାନରେ ପରାସ୍ତ କରିପାରିଛନ୍ତି ।

ବରଗଡ଼: ବିଜେଡ଼ି ହେଭିୱେଟ୍ ତଥା ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀଙ୍କଠାରୁ ୬୩,୯୩୯ ଭୋଟ ବ୍ୟବଧାନରେ ଏହି ଲୋକସଭା ନିର୍ବାଚନ ଜିତି ପାରିଛନ୍ତି ।

ବ୍ରହ୍ମପୁର: ଏହି ଆସନରେ ବିଜେଡ଼ି ପ୍ରାର୍ଥୀ ଚନ୍ଦ୍ରଶେଖର ସାହୁ ବିଜେପିର ଭୃଗୁ ବକ୍ସିପାତ୍ରଙ୍କୁ ୯୪,୮୪୪ ଭୋଟ୍ ବ୍ୟବଧାନରେ ପରାସ୍ତ କରିପାରିଛନ୍ତି ।

ଭଦ୍ରକ: ଏହି ଆସନଟିରେ ବିଜେଡ଼ି ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଳ ବିଜେପିର ଅଭିମନ୍ୟୁ ସେଠୀଙ୍କୁ ୨୮,୮୦୩ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି ।

ଭୁବନେଶ୍ୱର: ଦୁଇ ପ୍ରଶାସକଙ୍କ ମଧ୍ୟରେ ଏହି ସମ୍ମାନଜନକ ଆସରେ ତୀବ୍ର ଲଢେଇ ହୋଇଥିଲା । ପରିଶେଷରେ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ପୂର୍ବତନ ମୁମ୍ବାଇ ପୋଲିସ କମିଶନର ଅରୂପ ପଟ୍ଟନାୟକଙ୍କୁ ୨୩,୮୩୯ ଭୋଟ ବ୍ୟବଧାନରେ ପରାସ୍ତ କଲେ ।

ବଲାଙ୍ଗୀର: ରାଜପରିବାରର ଦୁଇ ହେଭିୱେଟଙ୍କ ମଧ୍ୟରେ ଏହି ଆସନରେ ହୋଇଥିବା ଲଢେଇର ଫଳାଫଳକୁ ସମସ୍ତେ ଅପେକ୍ଷା କରିଥିଲେ । ବିଜେପି ପ୍ରାର୍ଥୀ ସଙ୍ଗୀତା କୁମାରୀ ସିଂହଦେଓ ବିଜେଡ଼ି ପ୍ରାର୍ଥୀ କଳିକେଶ ସିଂହଦେଓଙ୍କୁ ୧୯,୫୧୬ ଭୋଟରେ ପରାସ୍ତ କରିଛନ୍ତି ।

କଟକ: ବିଜେଡ଼ିର ଭତ୍ତୃହରି ମହତାବ ଏହି ଆସନଟିକୁ ଜିତି ପୁଣିଥରେ ନିଜ ଅକ୍ତିଆରରେ ରଖିପାରିଛନ୍ତି । ସାଂସଦ ଶ୍ରୀ ମହତାବ ଏଠାରେ ବିଜେପି ପ୍ରାର୍ଥୀ ତଥା ପୂର୍ବତନ ଓଡ଼ିଶା ପୋଲିସ ଡ଼ିଜି ପ୍ରକାଶ ମିଶ୍ରଙ୍କୁ ୧,୨୧ ୨୦୧ ଭୋଟ ବ୍ୟବଧାନରେ ପରାସ୍ତ କରିପାରି ବହୁତ ବଡ଼ ବିଜୟ ହାସଲ କରିଛନ୍ତି ।

ଢେଙ୍କାନାଳ: ଏଠାରେ ବିଜେଡ଼ି ପ୍ରାର୍ଥୀ ମହେଶ ସାହୁ ବିଜେପିର ବରିଷ୍ଠ ନେତା ରୁଦ୍ର ନାରାୟଣ ପାଣିଙ୍କୁ ୩୫,୪୧୨ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି ।

ଜଗତସିଂହପୁର: ବିଜେଡ଼ି ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଭୁ ପ୍ରସାଦ ତରାଇଙ୍କୁ ୨,୭୧ ୬୫୫ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି ।

ଯାଜପୁର: ବିଜେଡ଼ି ପ୍ରାର୍ଥୀ ଶର୍ମିଷ୍ଠା ସେଠୀ ଏହି ଆସନରେ ବିଜେପି ପ୍ରତ୍ୟାଶୀ ଅମୀୟ କାନ୍ତ ମଲ୍ଲୀକଙ୍କୁ ୧, ୦୧ ୬୯୩ ଭୋଟ ବ୍ୟବଧାନରେ ପରାସ୍ତ କରିବାକୁ ସକ୍ଷମ ହୋଇଛନ୍ତି । ଏହି ଆସରେ ପୂର୍ବରୁ ବିଜେଡ଼ିର ରୀତା ତରାଇ ସାଂସଦ ରହିଥିଲେ ।

କଳାହାଣ୍ଡି: ବିଜେପି ରାଜ୍ୟ ସଭାପତି ବସନ୍ତ କୁମାର ପଣ୍ଡା ବିଜେଡ଼ି ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂହ ଦେଓଙ୍କୁ ୨୬,୮୧୪ ଭୋଟ ବ୍ୟବଧାନରେ ପରାସ୍ତ କରିପାରିଛନ୍ତି ।

କନ୍ଧମାଳ: ବିଜେଡ଼ି ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ଏହି ଆସନଟିକୁ ଜିତି ପୁଣି ଥରେ ବିଜେଡ଼ି ଅକ୍ତିଆରକୁ ଆଣିପାରିଛନ୍ତି । ଶ୍ରୀ ସାମନ୍ତ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ତଥା ବରିଷ୍ଠ ନେତା ମହାମେଘ ବାହନ ଐର ଖାରବେଳ ସ୍ୱାଇଁଙ୍କୁ ୧,୪୯ ୨୧୬ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି ।

କେନ୍ଦ୍ରାପଡ଼ା: ଏହି ନିର୍ବାଚନରେ ଚର୍ଚ୍ଚିତ କେନ୍ଦ୍ରାପଡ଼ା ଆସନଟି ଉଭୟ ବିଜେପି ଏବଂ ବିଜେଡ଼ି ଲାଗି ଏକ ସମ୍ମାନର ପ୍ରଶ୍ନ ହୋଇ ପଡ଼ିଥିଲା । ନିଜର ସମସ୍ତ ଶକ୍ତି ଖଟାଇ ମଧ୍ୟ ବରିଷ୍ଠ ବିଜେପି ନେତା ବୈଜୟନ୍ତ ପଣ୍ଡା ନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ଠାରୁ ପରାସ୍ତ ହୋଇଛନ୍ତି । ଏଠାରେ ଅନୁଭବ ବୈଜୟନ୍ତଙ୍କୁ ୧,୫୨ ୫୮୪ ଭୋଟ ବ୍ୟବଧାନରେ ପରାସ୍ତ କରି ନିଜ ଦଳଲାଗି ଏକ ବିରାଟ ବିଜୟ ହାସଲ କରିପାରିଛନ୍ତି ।

କେନ୍ଦୁଝର: ବିଜେଡ଼ି ପ୍ରାର୍ଥୀ ଚନ୍ଦ୍ରାଣୀ ମୁର୍ମୁ ବିଜେପି ପ୍ରାର୍ଥୀ ଅନନ୍ତ ନାୟକଙ୍କୁ ୬୬,୨୦୩ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି ।

କୋରାପୁଟ: ଏହି ଆସନରେ କଂଗ୍ରେସ ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲ୍ଲାକା କୌଶଲ୍ୟା ହିକକ୍କାଙ୍କୁ ୩,୬୧୩ ଭୋଟ ବ୍ୟବଧାନରେ ପରାସ୍ତ କରିବା ସହିତ ବିଜେଡ଼ି ହାତରୁ ଆସନଟି ଛଡ଼ାଇ ଆଣିଛନ୍ତି । ଏହି ଗୋଟିଏ ମାତ୍ର ଆସନକୁ ଲୋକସଭା ନିର୍ବାଚନରେ ପୂରାତନ କଂଗ୍ରେସ ଦଳ ଜିତିପାରିଛି ।

ମୟୂରଭଞ୍ଜ: ମତଗଣନାର ପ୍ରାରମ୍ଭିକ ପର୍ଯ୍ୟାୟ ଗୁଡ଼ିକରେ ବିଜେଡ଼ି ପ୍ରାର୍ଥୀ ଦେବାଶିଷ ମାରାଣ୍ଡି ବେଶ୍ ଆଗରେ ରହିଥିଲେ ମଧ୍ୟ ୩,୬୧୩ ଖଣ୍ଡ ଭୋଟ ପରି ଅତି କମ୍ ବ୍ୟବଧାନରେ ବିଜେପି ପ୍ରାର୍ଥୀ ବିଶ୍ୱେଶର ଟୁଡୁଙ୍କ ଠାରୁ ପରାସ୍ତ ହୋଇଛନ୍ତି ।

ନବରଙ୍ଗପୁର: ଏହି ଆସନରେ ବିଜେଡ଼ି ପ୍ରାର୍ଥୀ ରମେଶ ମାଝୀ କଂଗ୍ରେସ ପ୍ରାର୍ଥୀ ପ୍ରଦୀପ ମାଝୀଙ୍କୁ ୪୧,୬୩୪ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାସ୍ତ କରିବାକୁ ସକ୍ଷମ ହୋଇଛନ୍ତି ।

ପୁରୀ: ସବୁଠାରୁ ଅଧିକ ପ୍ରତିଦ୍ୱନ୍ଦିତା ଏହି ଆସନରେ ଦେଖିବାକୁ ମିଳିଥିଲା । ଏଥର ବିଜେଡ଼ି ପ୍ରାର୍ଥୀ ତଥା ସାଂସଦ ପିନାକୀ ମିଶ୍ରଙ୍କର ବିଜୟର ବ୍ୟବଧାନ ୧୧,୭୧୪ କୁ ଖସି ଆସିଛି । ଏହି ଆସନଟିକୁ ୨୦୧୪ ନିର୍ବାଚନରେ ଶ୍ରୀ ମିଶ୍ର ୨,୬୩ ୩୬୧ ଭୋଟ ବ୍ୟବଧାନରେ ଜିତି ପାରିଥିଲେ । ପାଞ୍ଚଥର ଲାଗି ସାଂସଦ ରହିଥିବା ପିନାକୀ ମିଶ୍ର ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କୁ ପରାସ୍ତ କରିଛନ୍ତି ।

ସମ୍ବଲପୁର: ବିଜେପି ପ୍ରାର୍ଥୀ ନିତେଶ ଗଙ୍ଗଦେବ ଏଠାରେ ବିଜେଡ଼ି ପ୍ରାର୍ଥୀ ତଥା ପୂର୍ବତନ ପୂର୍ତ୍ତ ବିଭାଗ ସଚିବ ନଳିନୀ କାନ୍ତ ପ୍ରଧାନଙ୍କୁ ୯,୧୬୨ ଖଣ୍ଡ ଭୋଟ୍ ପରି ସ୍ୱଳ୍ପ ବ୍ୟବଧାନରେ ପରାସ୍ତ କରିଛନ୍ତି ।

ସୁନ୍ଦରଗଡ଼: ଏଠାରେ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ପ୍ରାର୍ଥୀ ଜୁଏଲ ଓରାମ ସର୍ବାଧିକ ବ୍ୟବଧାନରେ ଜିତିପାରିଛନ୍ତି । ସେ ୨୦୧୪ ନିର୍ବାଚନରେ ମାତ୍ର ୧୮,୮୨୯ ଭୋଟ ପରି ସ୍ୱଳ୍ପ ବ୍ୟବଧାନରେ ନିର୍ବାଚନ ଜିତିଥିଲେ, ମାତ୍ର ଏହି ୨୦୧୯ ନିର୍ବାଚନରେ ୨,୨୩ ୦୬୫ ଭୋଟ ବ୍ୟବଧାନରେ ଜିତିଛନ୍ତି । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡ଼ି ପ୍ରାର୍ଥୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ୱାଳଙ୍କୁ ପରାସ୍ତ କରିଛନ୍ତି ।

Leave A Reply

Your email address will not be published.