Latest Odisha News

BREAKING NEWS

୨୦୧୯ ନିର୍ବାଚନରେ ୧୦ଟି ବଡ଼ ଝଟକା…

ନୂଆଦିଲ୍ଲୀ: ବିଜେପି କେନ୍ଦ୍ରରେ ସୁନାମୀ ପରି ପୁଣି କ୍ଷମତାକୁ ଫେରିବ ବୋଲି ଏକଜିଟ୍ ପୋଲର ପୂର୍ବାନୁମାନ ଠିକ୍ ହୋଇଥିଲା । ଅବଶ୍ୟ, ଏହାକୁ ଅନେକ ବ୍ୟକ୍ତି ଏକଜିଟ୍ ପୋଲ୍ ଅନୁସାରେ ଫଳାଫଳ ସଠିକ୍ ହେବନାହିଁ ବୋଲି ଅନୁମାନ ମଧ୍ୟ କରୁଥିଲେ । ମାତ୍ର, ଅଦୃଶ୍ୟ ଭାବରେ ମୋଦୀଙ୍କର ଏକ ଶକ୍ତିଶାଳୀ ହାୱା ଚାଲିଥିଲା ବୋଲି କାହାକୁ ଦୃଶ୍ୟ ହେଉନଥିଲା ।

ଏହି ନିର୍ବାଚନ ଫଳାଫଳ ଏହି ବିରାଟ ବିଜୟ ମଧ୍ୟରେ ମଧ୍ୟ ଅନେକ ଝଟକା ଆଣିଦେଇଛି ।
୧ – ଆମେଥି ଆସନରେ ସ୍ମୁତି ଇରାନୀଙ୍କଠାରୁ ରାହୁଲ ଗାନ୍ଧୀଙ୍କ ପରାଜୟ:
ଋାହୁଲ ଗାନ୍ଧୀଙ୍କୁ ଆମେଥି ଆସନରେ ପରାସ୍ତ କରି ସ୍ମୃତି ଇରାନୀ ଦଳ ଲାଗି ଏକ ବଡ଼ ହାତୀ ଶୀକାର କରିବା ସାବ୍ୟସ୍ତ ହୋଇଛନ୍ତି । କଂଗ୍ରେସ ଦଳର ଅଧ୍ୟକ୍ଷଙ୍କୁ ନିର୍ବାଚନରେ ପରାସ୍ତ କରିବା ଆଦୌ କମ୍ ବଡ଼ କଥା ନୁହେଁ । ତେବେ ୨୦୧୪ ନିର୍ବାଚନରେ ସ୍ମୃତି ରାହୁଲଙ୍କ ବିରୋଧରେ ଛିଡ଼ା ହୋଇଥିଲେ ମଧ୍ୟ ପରାସ୍ତ ହୋଇଥିଲେ । ସ୍ମୃତିଙ୍କର ଏହି ବିରାଟ ବିଜୟ ଉଭୟ ରାହୁଲ ଏବଂ ସ୍ମୃତିଙ୍କ ଲାଗି ବଡ଼ କ୍ଷତି ସାବ୍ୟସ୍ତ ହେଲା ।
୨ – ଭୋପାଳରେ ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କ ବିଜୟ:
ଏହି ନିର୍ବାଚନରେ ସବୁଠାରୁ ବିବାଦୀୟ ପ୍ରାର୍ଥୀ ଥିଲେ ସାଧ୍ୱୀ ପ୍ରଜ୍ଞା ଠାକୁର । ଭୋପାଳରେ ପ୍ରଜ୍ଞା ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହଙ୍କୁ ପରାସ୍ତ କରିଛନ୍ତି । ଅନେକ ଭାବୁଥିଲେ ପ୍ରଜ୍ଞା ନିଶ୍ଚିତ ରୂପେ ଏହି ନିର୍ବାଚନ ହାରିଯିବେ । ହେମନ୍ତ କରକରେଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେବାଠାରୁ ସେ ବେଶ୍ ଚର୍ଚ୍ଚିତ ହୋଇପଡ଼ିଥିଲେ । ତେବେ ବିବାଦୀୟ ମନ୍ତବ୍ୟ ଲାଗି ସେ ପରାଜିତ ହେବେ ବୋଲି ଅଧିକାଂଶ ବ୍ୟକ୍ତିଙ୍କର ଧାରଣା ରହିଥିଲା ।

୩ – ଉତ୍ତର ପ୍ରଦେଶରେ ଏସପି-ବିଏସପି ମେଣ୍ଟର ପରାଜୟ ବରଣ:
ଉତ୍ତର ପ୍ରଦେଶ ରାଜନୀତିରେ ଏସପି ଓ ବିଏସପି ମୂଳରୁ ହିଁ ପରସ୍ପରର ବିରୋଧୀ । ପରସ୍ପର ମଧ୍ୟରେ ଶତ୍ରୁତା ଆଚରଣ କରିଆସିଥିବା ତଥା ପ୍ରଦେଶରେ ଏହି ଦୁଇଟି ଦଳ ବେଶ୍ ପ୍ରଭାବଶାଳୀ ରହିଥିବା ବେଳେ ଏହି ମେଣ୍ଟ ଯୋଗୁଁ ସମସ୍ତେ ଭାବିଥିଲେ ଏଠାରେ ବିଜେପି ସୁନିଶ୍ଚିତ ପରାସ୍ତ ହେବ । ମାତ୍ର ୮୦ଟି ଆସନ ମଧ୍ୟରୁ ବିଜେପି ଏକାକୀ ୬୨ଟି ସିଟ୍ ଅକ୍ତିଆର କରିପାରିଛି । ଅନ୍ୟପକ୍ଷରେ ବିଏସପି ୧୦ଟି ଏବଂ ଏସପି ମାତ୍ର ୫ଟି ଆସନରେ ସନ୍ତୁଷ୍ଟ ହୋଇପାରିଛି ।

୪ – ଦିଲ୍ଲୀରେ ‘ଆପ୍’ ର ମୂଳୋତ୍ପାଟନ:
ପୂର୍ବ ନିର୍ବାଚନରେ ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲଙ୍କ ଦଳ ଆମ୍ ଆଦମୀ ପାର୍ଟି ବିଜେପି ପରି ଜାତୀୟ ଦଳକୁ ପରାସ୍ତ କରି ପାରିଥିଲା । ଏପରିକି ବିଧାନସଭା ନିର୍ବାଚନରେ ବିଜେପି ଓ କଂଗ୍ରେସକୁ ପରାସ୍ତ କରି ଅରବିନ୍ଦ କେଜ୍ରିୱାଲ୍ ମୁଖ୍ୟମନ୍ତ୍ରୀ ହୋଇପାରିଥିଲେ । ମାତ୍ର ଏହି ନିର୍ବାଚନରେ ଦିଲ୍ଲୀରେ ସମସ୍ତ ୭ଟି ଯାକ ଆସନରେ ପରାଜିତ ହୋଇ ଦଳ ମୂଳପୋଛ ହୋଇଯାଇଛି ।

୫ – ପଶ୍ଚିମବଙ୍ଗରେ ବିଜେପିର ଅଦ୍ଭୁତପୂର୍ବ ସଫଳତା:
ପଶ୍ଚିମବଙ୍ଗରେ ବିଜେପି ୧୮ ରୁ ଅଧିକ ଆସନ ଜିତିବା ସେଠାକାର ଜନସାଧାରଣଙ୍କୁ ଯେତିକି ବିସ୍ମିତ କରିନଥିବ ବରଂ ତୃଣମୂଳ ନେତ୍ରୀ ମମତାଙ୍କ ଦିନ ହଜେଇ ଦେଇଥିବ । ଆରମ୍ଭରୁ ଲାଗୁଥିଲା ବିଜେପି ସେଠାରେ କିଛିଟା ଭଲ ପ୍ରଦର୍ଶନ କରିବ ମାତ୍ର ଶେଷ କେତୋଟି ପର୍ଯ୍ୟାୟରେ ବିଜେପି ସୁନାମୀ ସୃଷ୍ଟି କରି ନିର୍ବାଚନରେ ଅଦ୍ଭୁତପୂର୍ବ ସଫଳତା ହାସଲ କରିପାରିଛି ।

୬ – ହିନ୍ଦୀଭାଷୀ ପ୍ରଦେଶଗୁଡ଼ିକରେ କଂଗ୍ରେସର ବିରାଟ ପରାଜୟ:
କଂଗ୍ରେସ ଦଳ ୨୦୧୮ ନିର୍ବାଚନରେ କିଛି ବିଜେପି ଶାସିତ ରାଜ୍ୟରେ ନିର୍ବାଚନ ଜିତି ଶାସନକୁ ଓଲଟପାଲଟ କରିଦେଇଥିଲା । ଯେଉଁ ବିଜେପି ଶାସିତ ରାଜ୍ୟରେ କଂଗ୍ରେସ ଶାସକ ଦଳକୁ କ୍ଷମତାଚ୍ୟୁତ କରି କଂଗ୍ରେସ ଶାସନକୁ ଆସିଥିଲା ସେହି ରାଜ୍ୟ ଗୁଡ଼ିକ ହେଲେ – ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ରାଜସ୍ଥାନ । ତେବେ ଲୋକସଭା ନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରିବାକୁ ଆଶା ରଖିଥିବା ବେଳେ ଏଠାରେ ବିରାଟ ପରାଜୟର ସମ୍ମୁଖୀନ ହୋଇଛି । ଏହି ହିନ୍ଦୀ ଭାଷାଭାଷୀ ପ୍ରଦେଶଗୁଡ଼ିକରେ ଭାରତୀୟ ଜନତା ପାର୍ଟି ଦେଖିବାକୁ ଗଲେ ୯୯ ପ୍ରତିଶତ ସଫଳତା ହାସଲ କରିପାରିଛି ।

୭ – ଚନ୍ଦ୍ରବାବୁ ନାଇଡୁଙ୍କୁ କୌଣସି ସିଟ୍ ମିଳିଲା ନାହିଁ:
ଆନ୍ଧ୍ରପଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କେନ୍ଦ୍ରରେ ଏକ ମହାମେଣ୍ଟ ଗଠନ କରିବାକୁ ମମତା ବାନାର୍ଜୀଙ୍କ ସମେତ ବହୁ ବଡ଼ ବଡ଼ ଜାତୀୟ ନେତାଙ୍କୁ ଏକଜୁଟ କରିଚାଲିଥିଲେ । ବିଜେପିକୁ ନିର୍ବାଚନରେ ଅଟକାଇବାକୁ ମେଣ୍ଟ ଗଠନକୁ ଗୁରୁତ୍ୱ ଦେଇ ଜାତୀୟସ୍ତରରେ ଚର୍ଚ୍ଚିତ ହୋଇପଡ଼ିଥିଲେ । ମାତ୍ର ପରିଶେଷରେ ନା ତେଲଙ୍ଗାନା ନା ନିଜ ରାଜ୍ୟ ଆନ୍ଧ୍ରରେ ତାଙ୍କ ଦଳକୁ ଗୋଟିଏ ବି ସିଟ୍ ମିଳିପାରିଲା ।

୮ – ଏଚ ଡ଼ି ଦେୱେଗୌଡ଼ାଙ୍କ ପରାଜୟ:
ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡ଼ି (ଏସ) ସୁପ୍ରିମୋ ଏଚ ଡ଼ି ଦେୱେଗୌଡ଼ା କର୍ଣ୍ଣାଟକର ଟୁମକୁର୍ ଆସନରେ ତାଙ୍କର ବିପକ୍ଷ ବିଜେପି ପ୍ରାର୍ଥୀ ଜି ଏସ ବାସବରାଜଙ୍କ ଠାରୁ ୨୦,୦୦୦ ହଜାର ଭୋଟରେ ପରାସ୍ତ ହେବା ସମସ୍ତଙ୍କୁ ଚକିତ କରିଦେଇଛି । ତାଙ୍କର ପୁତ୍ର ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ଏଚ ଡ଼ି କୁମାରସ୍ୱାମୀଙ୍କ ଭବିଷ୍ୟତ ଏକପ୍ରକାର ଅନିଶ୍ଚିତତା ଆଡ଼କୁ ଗତିକରିବାର ସମ୍ଭାବନା ସୃଷ୍ଟି ହୋଇଛି । ଯେକୌଣସି ସମୟରେ କଂଗ୍ରେସ ସହିତ ମେଣ୍ଟ ସରକାରର ପତ୍ତନ ହେବାର ସମ୍ଭାବନା ଦେଖାଦେଇଛି ।

୯ – ଭାରତୀୟ ରାଜନୈତିକ ଦୃଶ୍ୟପଟ୍ଟରୁ ବାମପନ୍ଥୀ ଦଳଗୁଡ଼ିକର ଅନ୍ତର୍ଦ୍ଧାନ:
ସମସ୍ତ ବାମପନ୍ଥୀ ଦଳଗୁଡ଼ିକ ୨୦୦୪ ନିର୍ବାଚନରେ ପ୍ରାୟ ୬୦ଟି ଲୋକସଭା ଆସନ ଜିତି ପାରିଥିଲେ । ଏହି ଏହି ଦଳଗୁଡ଼ିକ ତିଷ୍ଠି ରହିବା ଲାଗି ସଂଘର୍ଷ କରୁଛନ୍ତି । ବାମପନ୍ଥୀ ଦଳଗୁଡ଼ିକର ପାରମ୍ପରିକ ଗଡ଼ ହେଉଛି ପଶ୍ଚିମବଙ୍ଗ ଏବଂ ତ୍ରିପୁରା, ମାତ୍ର ଏଠାରେ ଦଳଗୁଡ଼ିକର ଅବସ୍ଥା ଏବେ ଶୋଚନୀୟ ।

୧୦ – ଦମ୍ ଦେଖାଇଲେ ସୀମିତ ପ୍ରଭାବ ଥିବା ପ୍ରାର୍ଥୀ:
ନିର୍ବାଚନରେ କିଛି ଅପ୍ରତ୍ୟାଶିତ ଫଳାଫଳ ଜନସାଧାରଣଙ୍କୁ ଚକିତ କରିବା ସ୍ୱାଭାବିକ । ଯେପରିକି କୋଲକାତାର ସମ୍ମାନଜନକ ଯାଦବପୁର ଆସନରେ ଅଭିନେତା ମିମି ଚକ୍ରବର୍ତ୍ତୀ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ୨.୯ ଲକ୍ଷ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ସେହିପରି ବାସିରହଟ ସଂସଦୀୟ ଆସନରେ ନୁସରତ ଜାହାଁ ୩.୫୦ ଲକ୍ଷ ପରି ବିରାଟ ଭୋଟ ବ୍ୟବଧାନରେ ବିଜୟ ହାସଲ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି ।

Leave A Reply

Your email address will not be published.