Latest Odisha News

BREAKING NEWS

ଛାତ ଉପରେ ୮୫ ଫୁଟର ବିମାନ, ପାଲଟିଛି ପଞ୍ଜାବର ପ୍ରତୀକ

ପଞ୍ଜାବ: ସାଧାରଣତଃ ସମସ୍ତଙ୍କର ରୁଚି ଭିନ୍ନ ଭିନ୍ନ ହୋଇଥାଏ । ଏମିତି ଜଣେ ବ୍ୟକ୍ତି ଅଛନ୍ତି, ଯିଏ କି ବିମାନରେ ରହିବା ଓ ବୁଲିବାକୁ ପସନ୍ଦ କରିଥାନ୍ତି । ସେଥିଲାଗି ସେ ତାଙ୍କ ଘରର ଛାତ ଉପରେ ଏୟାର ଇଣ୍ଡିଆର ଏକ ବଡ଼ ବିମାନ ଠିଆ କରିଛନ୍ତି । ଅବିକଳ ଯାତ୍ରୀବାହୀ ବିମାନ ଭଳି ମନେ ହେଉଥିବା ଏହି ବିମାନଟି ସିମେଂଟ ଓ କଂକ୍ରିଟ୍‌ରେ ତିଆରି ।

BjdElectrycity

ପଞ୍ଜାବ ଜଳନ୍ଦର ସହରରେ ରୁହନ୍ତି ଲାବ୍ରା ଗ୍ରାମର ସନ୍ତୋଷ ସିଂ । ସନ୍ତୋଷ ଜଣେ ପ୍ରବାସୀ ଭାରତୀୟ । ସେ ଲଣ୍ଡନରେ ରୁହନ୍ତି ଓ ତାଙ୍କର ସେଠାରେ ହୋଟେଲ ବ୍ୟବସାୟ ରହିଛି । ତେଣୁ ନିଜ ସଉକ ପୁରା କରିବା ପାଇଁ ନିଜ ଗାଁ ଘରର ଛାତ ଉପରେ ବିମାନ ସଦୃଶ କଳାକୃତୀ ତିଆରି କରିଛନ୍ତି । ଭିନ୍ନତା କାରଣରୁ ଏହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରୁଛି । ଯେ କୌଣସି ବ୍ୟକ୍ତିର ନଜର ଏହି ଘରର ଛାତ ଉପରେ ପଡ଼ିଲେ କିଛି ସମୟ ପାଇଁ ଆଗ୍ରହର ସହ ଅଟକି ଯାଉଛନ୍ତି ।

ଡ଼ିଜାଇନ ଅନୁସାରେ ତାଙ୍କ ଘରର ଛାତ ଉପରେ ଏୟାର ଇଣ୍ଡିଆର ବଡ଼ ଯାତ୍ରୀବାହୀ ବିମାନ ଠିଆ ହୋଇଥିବା ଭ୍ରମ ସୃଷ୍ଟି କରୁଛି । ପ୍ରକୃତରେ ଏହା ଏୟାର ଇଣ୍ଡିଆର ବିମାନ ନୁହେଁ ବରଂ ଛାତ ଉପରେ ନିର୍ମିତ ସୁନ୍ଦର ଡ଼ିଜାଇନ । ବିମାନରେ ଉଡ଼ିବା ଏବଂ ସେଥିରେ ରହିବାର ଆକର୍ଷଣ କାରଣରୁ ସନ୍ତୋଷ ନିଜ ଘର ଛାତ ଉପରେ ଏଭଳି କଳାକୃତୀ ନିର୍ମାଣ କରିଛନ୍ତି ।

୮୫ ଫୁଟ ଲମ୍ବର ଏହି ବିମାନକୁ ଅମରନାଥ ନାମକ ଜଣେ ସ୍ଥାନୀୟ ଡ଼ିଜାଇନର ୨୦୦୪ ମସିହାରେ ନିର୍ମାଣ କରିଥିଲେ । ୧୭ ବର୍ଷ ବୟସରେ ଗାଁ ଛାଡ଼ି ବିଦେଶ ଯାଇଥିବା ସନ୍ତୋଷ କହିଛନ୍ତି ଯେ, ଏହି ବିମାନଟି ଏବେ କେବଳ ମୋର ନୁହେଁ, ପୁରା ପଞ୍ଜାବର ସ୍ୱପ୍ନ ଏବଂ ଆକାଂକ୍ଷାର ପ୍ରତୀକ । ଏହି ବିମାନରେ ଦୁଇ ପାଶ୍ୱର୍ରେ କବାଟ ଥିବା ବେଳେ କ୍ୟାବିନ ୱିଣ୍ଡୋ ଏବଂ ଭେଂଟିଲେସନ ପାଇଁ ଝରକା ରହିଛି । ସ୍ଥାନୀୟ ଅଂଚଳରେ ଏହା “ଜାହାଜ ୱାଲା”ଘର ନାମରେ ପରିଚିତ ।

ସେ ଆହୁରି କହିଛନ୍ତି ଯେ, ଛାତ ଉପରେ ଥିବା ଏହି ବିମାନଟି ୨ କିଲୋମିଟର ଦୂରରୁ ଦୃଶ୍ୟମାନ ହୁଏ । ଏବେ ଏହା ଲୋକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ତାଙ୍କ ନାତିନାତୁଣି ଯେତେବେଳେ ଗାଁକୁ ଆସିବେ ସେତେବେଳେ ସେମାନେ ଏଥିରେ ଖେଳିବା ସହ ଅଲଗା ଅନୁଭୁତି ସାଉଁଟିବେ ବୋଲି ଆଶା ରଖିଛନ୍ତି ସନ୍ତୋଷ ।

Leave A Reply

Your email address will not be published.