Latest Odisha News

ମୋବାଇଲ କମ୍ପାନୀ ପାଇଁ ୪୦ ବର୍ଷୀୟଙ୍କ ଆତ୍ମହତ୍ୟା ଉଦ୍ୟମ !

ନୂଆଦିଲ୍ଲୀ: ଶୁକ୍ରବାର ଦିଲ୍ଲୀର ରୋହିଣୀ ଅଂଚଳରେ ସାମ୍ନାକୁ ଆସିଥିଲା ଏକ ଅବିଶ୍ୱସନୀୟ ଘଟଣା । ସାମାନ୍ୟ ଏକ ମୋବାଇଲ ଫୋନ୍ ପାଇଁ ହୋଇଥିଲା ଆତ୍ମହତ୍ୟା ଉଦ୍ୟମ । ନିଜ ଦେହରେ ନିଆଁ ଲଗାଇଦେଇଥିଲେ ଜଣେ ୪୦ ବର୍ଷୀୟ ବ୍ୟକ୍ତି । ଏହି ଘଟଣା ଯେତିକି ଅସାଧାରଣ, ଏହା ପଛର କାରଣ ବି ସେତିକି ସାଧାରଣ ।

ପୋଲିସ ରିପୋର୍ଟ ଅନୁଯାୟୀ ଇନଭର୍ଟର୍ ମେକାନିକ୍ ଭାବେ କାମ କରୁଥିବା ଜଣେ ବ୍ୟକ୍ତି କିଛିଦିନ ପୂର୍ବରୁ ଏକ ମୋବାଇଲ୍ ଫୋନ କିଣିଥିଲେ । ଅନ୍‌ଲାଇନ୍ କ୍ଲାସ୍ ପାଇଁ ସେହି ମୋବାଇଲକୁ ସେ ନିଜ ଭାଣିଜୀକୁ ଉପହାର ସ୍ୱରୂପ ଦେଇଥିଲେ ।

ତେବେ ଫୋନଟିକୁ ବ୍ୟବହାର କରିବା ମାତ୍ରେ ଅତ୍ୟଧିକ ଉତ୍ତପ୍ତ ହେବା ସହ କାମ କରିନଥିଲା । ଏ ନେଇ ସେହି ବ୍ୟକ୍ତି ଜଣକ ରୋହିଣୀରେ ଥିବା ଦୋକାନରେ ମୋବାଇଲଟିକୁ ବଦଳାଇବାକୁ ଚେଷ୍ଟା କରିଥିଲେ । ହେଲେ ମୋବାଇଲ କମ୍ପାନୀର ବଦଳାଇବା ନିୟମ ନଥିବାରୁ ତାହା ସମ୍ଭବ ହୋଇପାରିନଥିଲା ।

ତେବେ ବ୍ୟକ୍ତି ଜଣକ ବାରମ୍ବାର ଦୋକାନ ଓ କମ୍ପାନୀକୁ ଯୋଗାଯୋଗ କରିଥିଲେ ବି କିଛି ସୁଫଳ ମିଳିନଥିଲା । ଶେଷରେ ଶୁକ୍ରବାର ଦିନ ପୁଣିଥରେ ମୋବାଇଲ ବଦଳାଇବାକୁ ଚେଷ୍ଟା କରିଥିଲେ । ହେଲେ ଏଥର ବି ବିଫଳ ହେବାରୁ ଗାଡିରେ ରଖିଥିବା ପେଟ୍ରୋଲକୁ ଆଣି ଦୋକାନ ବାହାରେ ନିଜ ଦେହରେ ଢାଳି ନିଆଁ ଲଗାଇଦେଇଥିଲେ ।

ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଂଚି ଅର୍ଦ୍ଧଦଗ୍ଧ ଅବସ୍ଥାରେ ତାଙ୍କୁ ବାବା ସାହେବ ଆମ୍ବେଦକର ହସ୍ପିଟାଲରେ ଭର୍ତ୍ତି କରିଥିଲା । ବ୍ୟକ୍ତି ଜଣକଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବାବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.