Latest Odisha News

BREAKING NEWS

ମାଟିର ମହାକବି ସଚ୍ଚି ରାଉତରାୟ

ମାଟିର ମହାକବି ସଚ୍ଚି ରାଉତରାୟ

(୧୯୧୬-୨୦୦୪)
କ୍ଷେତ୍ର: ଭାଷା-ସାହିତ୍ୟ (କବିତା)

ବହୁଚର୍ଚ୍ଚିତ ‘ଛୋଟ ମୋର ଗାଁଟି’ ଓ ‘ବାଜି ରାଉତ’ର ସ୍ରଷ୍ଟା ଭାବେ ସୁପରିଚିତ ସଚ୍ଚି ରାଉତରାୟ ଓଡ଼ିଆ ପ୍ରଗତିବାଦୀ କବିତାର ଜଣେ ବରେଣ୍ୟ ସ୍ରଷ୍ଟା। ଦୀର୍ଘ ଅର୍ଦ୍ଧଶତାବ୍ଦୀ ଧରି ସେ ଅପାରଂପରିକ ଶୈଳୀରେ କବିତା, ଗଳ୍ପ, ଆଲୋଚନା ରଚନା କରି ଓଡ଼ିଆ ସାହିତ୍ୟକୁ ପରିପୁଷ୍ଟ କରିଥିଲେ ।

୧୯୧୬ ମସିହା ମେ ୨୩ ତାରିଖରେ ଖୋର୍ଦ୍ଧା ନିକଟସ୍ଥ ଗୁରୁଜଙ୍ଗଠାରେ ଜନ୍ମ ହୋଇଥିଲେ ସଚ୍ଚି ରାଉତରାୟ । ସ୍କୁଲ ଛାତ୍ର ଥିବାବେଳେ ସେ ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇ ଦେଶାତ୍ମବୋଧକ କବିତା ରଚନାରେ ମନୋନିବେଶ କରିଥିଲେ । ସେସବୁ କବିତା ବ୍ରିଟିଶ୍ ସରକାରଙ୍କର ଦୃଷ୍ଟିକଟୁ ହୋଇଥିଲା ଓ ନିଷିଦ୍ଧ ଘୋଷିତ ହୋଇଥିଲା । ତେବେ ତାହା ଯେ ଆଧୁନିକ କବିତାର ଜଣେ ଯୁଗସ୍ରଷ୍ଟାଙ୍କ ଭିତରେ ସଶକ୍ତ ମୂଳଦୁଆ ପ୍ରତିଷ୍ଠା କରିଥିଲା, ତାହାର ପ୍ରମାଣ ଆମେ ପରବର୍ତ୍ତୀ ସମୟରେ ପାଇଲୁ ।

ତାଙ୍କର ପ୍ରଥମ କବିତା ସଂକଳନ ଥିଲା ‘ପାଥେୟ’ । ପରେପରେ ପାଣ୍ଡୁଲିପି, କବିତା-୧୯୬୨, ସ୍ୱଗତ, ପଲ୍ଲିଶ୍ରୀ, ଭାନୁମତୀର ଦେଶ, ଅଭିଯାନ, କବିତା-୧୯୭୭, କବିତା-୧୯୮୭, କବିତା-୧୯୯୦ ଆଦି ସଂକଳନ ପ୍ରକାଶ ପାଇ ତାଙ୍କୁ ସର୍ବଜନବିଦିତ କରିଥିଲା । ଶୋଷଣ ବିରୁଦ୍ଧରେ କବିତାରେ ସ୍ୱର ଉତ୍ତୋଳନ କରିବା ସହ ଚାଷୀ, ମୂଲିଆ, ନିଃସହାୟ ଲୋକଙ୍କ ସମସ୍ୟାକୁ ତାଙ୍କ କବିତାର ବିଷୟବସ୍ତୁ କରି ସେମାନଙ୍କର ନ୍ୟାୟ ପାଇଁ ସ୍ୱର ପାଲଟିବାରେ ସଚ୍ଚି ରାଉତରାୟଙ୍କ ସର୍ଜନଶୀଳତା ମୁଖରିତ । ଟି.ଏସ୍. ଇଲିଅଟ୍ ଏବଂ ୱାଲଟ ହୁଇଟମାନଙ୍କ ଦ୍ୱାରା ପ୍ରଭାବିତ ହେଲେ ବି ସଚ୍ଚି ରାଉତରାୟଙ୍କର ଥିଲା ଏକ ମୌଳିକ କାବ୍ୟଦୃଷ୍ଟି ଓ ଶୈଳୀ । ତାଙ୍କ ରଚିତ ‘ବାଜି ରାଉତ’ ଚରିତ-କାବ୍ୟଟି ପାଇଁ ତାଙ୍କୁ ଓଡ଼ିଶାର ଘରେଘରେ ଜାଣନ୍ତି। ଏହି ପୁସ୍ତକଟି ହରୀନ୍ଦ୍ରନାଥ ଚଟ୍ଟୋପାଧ୍ୟାୟଙ୍କ ଦ୍ୱାରା ଇଂରାଜୀରେ ଅନୂଦିତ ହୋଇ ଭାରତୀୟ ସାହିତ୍ୟରେ ବିଶେଷ ପ୍ରଭାବ ପକାଇ ଥିଲା ।

‘ମଶାଣିର ଫୁଲ ଓ ଅନ୍ୟାନ୍ୟ ଗଳ୍ପ’ ତାଙ୍କର ବହୁଚର୍ଚ୍ଚିତ ଗଳ୍ପ ସଂକଳନ, ଯେଉଁଥିରେ ସମକାଳୀନ ସାମାଜିକ ଘଟଣା ଓ ଚରିତ୍ରର ଅନେକ ଜୀବନ୍ତ ଚିତ୍ର ଦେଖିବାକୁ ମିଳେ । ନିଜର ସାହିତ୍ୟ ସର୍ଜନା ପାଇଁ ସେ ଯେତିକି ଲୋକପ୍ରିୟ, ସେତିକି ବି ମିଳିଛି ତାଙ୍କୁ ସମ୍ମାନ ଓ ସ୍ୱୀକୃତି । ୧୯୮୬ରେ ତାଙ୍କୁ ମିଳିଥିଲା ଜ୍ଞାନପୀଠ ପୁରସ୍କାର, ୧୯୬୨ରେ ପଦ୍ମଶ୍ରୀ ସମ୍ମାନ, ୧୯୬୩ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୬୫ରେ ସୋଭିଏତ୍ ଲ୍ୟାଣ୍ଡ୍ ନେହରୁ ପୁରସ୍କାର ଏବଂ ଆହୁରି ଅନେକ ।

୨୦୦୪ ମସିହା ଅଗଷ୍ଟ ୨୧ ତାରିଖରେ ଏହି କାଳଜୟୀ ସ୍ରଷ୍ଟାଙ୍କର ବିୟୋଗ ହୋଇଥିଲେ ବି ତାଙ୍କ ସର୍ଜନାର ଫସଲ ଏବେ ବି ଅଛି ତାଜା ଓ ସୁମିଷ୍ଟ।

Leave A Reply

Your email address will not be published.