Latest Odisha News

BREAKING NEWS

କେଜ୍ରିଓ୍ବାଲ ଖେଳିଲେ ‘ମଧ୍ୟବିତ୍ତ’ କାର୍ଡ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ କାହାର ହେବେ ମଧ୍ୟବିତ୍ତ? ଭୋଟବ୍ୟାଙ୍କ ହାତେଇବାକୁ ଆମ ଆଦମୀ ପାର୍ଟି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି । ମଧ୍ୟବିତ୍ତଙ୍କ ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରକୁ ଘେରିଛନ୍ତି ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ । କେନ୍ଦ୍ର ସରକାର ମଧ୍ୟବିତ୍ତଙ୍କୁ ଏଟିଏମ୍ ଭଳି ବ୍ୟବହାର କରୁଛନ୍ତି । ସରକାର କେବଳ ମଧ୍ୟବିତ୍ତଙ୍କଠାରୁ ଟ୍ୟାକ୍ସ ନେଉଥିବା ବେଳେ ସେମାନଙ୍କୁ କୌଣସି ସୁବିଧା ଦେଉନଥିବା କେଜ୍ରିଓ୍ବାଲ ଅଭିଯୋଗ କରିଛନ୍ତି । ତେବେ ମଧ୍ୟବିତ୍ତଙ୍କ ପାଇଁ କେଜ୍ରିଓ୍ବାଲ ୭ଟି ଦାବି ଉପସ୍ଥାପନ କରିଥିବା ବେଳେ ତାଙ୍କୁ ସିଧା ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ତଥା ବିଜେପିର ଷ୍ଟାର ପ୍ରଚାରକ ନରେନ୍ଦ୍ର ମୋଦି । ଆପ ଦ୍ବାରା ସୃଷ୍ଟି ହୋଉଥିବା ବିପର୍ଯ୍ୟୟ ଯୋଗୁଁ ମଧ୍ୟବିତ୍ତ ସମସ୍ୟା ଭୋଗୁଥିବା ମୋଦି କହିଛନ୍ତି ।

ମଧ୍ୟବିତ୍ତଙ୍କ ପାଇଁ ୭ ଦାବି

ଶିକ୍ଷା ବଜେଟ୍ ଦୁଇ ପ୍ରତିଶତ ବଢାଇ ୧୦ପ୍ରତିଶତ କରାଯାଉ । ଘରୋଇ ସ୍କୁଲ ଉପରେ ଲଗାମ ଲଗାଯାଉ । ଉଚ୍ଚଶିକ୍ଷା କ୍ଷେତ୍ରରେ ସବସିଡି ଓ ଛାତ୍ରବୃତ୍ତି ଦେବାକୁ କେଜ୍ରିଓ୍ବାଲ ଦାବି କରିଛନ୍ତି । ସ୍ବାସ୍ଥ୍ୟ ବଜେଟ୍ ବି ୧୦ପ୍ରତିଶତ କରିବା ସହ ସ୍ବାସ୍ଥ୍ୟ ବୀମା ଉପରୁ ଟ୍ୟାକ୍ସ ହଟାଯାଉ । ଆୟକର ରିହାତି ସୀମା ୭ଲକ୍ଷରୁ ବଢାଇ ୧୦ଲକ୍ଷ କରାଯାଉ । ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଜିଏସଟି ଛାଡ କରାଯାଉ । ବରିଷ୍ଠ ନାଗରିକଙ୍କ ପାଇଁ ଅବସର ଯୋଜନା ପ୍ରସ୍ତୁତ କରିବା ସହ ସେମାନଙ୍କୁ ସାରା ଦେଶରେ ମାଗଣା ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉ । ରେଳବାଇରେ ବରିଷ୍ଠ ନାଗରିକଙ୍କ ପାଇଁ ରହିଥିବା ସୁବିଧା ପୁଣି ଦିଆଯାଉ । ଆଗକୁ ବଜେଟ୍ ଉପସ୍ଥାପନ ହେବାକୁ ଯାଉଥିବା ବେଳେ ସରକାର ଟ୍ୟାକ୍ସ ଅର୍ଥରୁ ମଧ୍ୟବିତ୍ତଙ୍କୁ ଆଶ୍ବସ୍ତି ଦେବାକୁ ଦାବି କରିଛନ୍ତି କେଜ୍ରିଓ୍ବାଲ ।

କାହିଁକି ମଧ୍ୟବିତ୍ତ ଗୋଟି?

ମଧ୍ୟବିତ୍ତଙ୍କ ପାଇଁ ଦାବି ରଖି ଦିଲ୍ଲୀ ରାଜନୀତିରେ ବଡ ଗୋଟି ଚଳାଇଛନ୍ତି ଅରବିନ୍ଦ କେଜ୍ରିଓ୍ବାଲ। ବିଜେପିର ସବୁଠୁ ବଡ ସମର୍ଥକ ବର୍ଗଙ୍କ ମନ ଜିତିବାକୁ ଉଦ୍ୟମ କରିଛନ୍ତି । ମଧ୍ୟବିତ୍ତ ଆମ ଆଦମୀ ପାର୍ଟିକୁ ସମର୍ଥନ କଲେ ବିଜେପିକୁ ଦୁର୍ବଳ କରିବା ସହଜ ହେବ। ତେଣୁ ମଧ୍ୟବିତ୍ତଙ୍କ ସମର୍ଥନ ପାଇଁ ମିଡିଲ କ୍ଲାସ ମାନିଫେଷ୍ଟୋ ଆଣିଛନ୍ତି କେଜ୍ରିଓ୍ବାଲ । ଦେଶରେ ମଧ୍ୟବିତ୍ତଙ୍କୁ ସବୁଠୁ ଅଧିକ ହଇରାଣ କରାଯାଉଛି । ମଧ୍ୟବିତ୍ତଙ୍କ ଆୟର ପ୍ରାୟ ୫୦ପ୍ରତିଶତ ଟ୍ୟାକ୍ସ ଦେବାରେ ଚାଲିଯାଉଛି । ମଧ୍ୟବିତ୍ତ ଟ୍ୟାକ୍ସ ଟେରୋରିଜିମର ଶିକାର ବୋଲି ସେ କହିଛନ୍ତି । ଦିଲ୍ଲୀର ମଧ୍ୟବିତ୍ତଙ୍କ ପାଇଁ କେଜ୍ରିଓ୍ବାଲ ଯେଉଁ ଦାବି ରଖିଛନ୍ତି, ସେସବୁ ସାମାଜିକ, ଆର୍ଥିକ ଓ ରାଜନୈତିକ ଦୃଷ୍ଟିକୋଣରୁ ବେଶ୍ ଗୁରୁତ୍ବପୂର୍ଣ୍ଣ । କାରଣ ଦୀର୍ଘ ବର୍ଷ ଧରି ଏସବୁ ଦାବି ଉଠାଇ ଆସୁଛନ୍ତି ମଧ୍ୟବିତ୍ତ ।

କେଜ୍ରିଓ୍ବାଲଙ୍କୁ ମୋଦିଙ୍କ ଆଟାକ୍

ମଧ୍ୟବିତ୍ତ ପ୍ରସଙ୍ଗକୁ ଅସ୍ତ୍ର କରି ବିଜେପିକୁ ବାଣ ମାରିଛନ୍ତି କେଜ୍ରିଓ୍ବାଲ । ତେବେ ତାଙ୍କୁ ସିଧା ଆଟାକ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଜେପି ମଧ୍ୟବିତ୍ତଙ୍କୁ ଦେଶ ଅର୍ଥନୀତିର ମେରୁଦଣ୍ଡ ମନେକରେ । ମଧ୍ୟବିତ୍ତ କିଭଳି ସୁବିଧାରେ ଜୀବନ ଯାପନ କରିପାରିବେ ସେଥିପାଇଁ ସରକାର ଅର୍ଥ ଖର୍ଚ୍ଚ କରୁଛନ୍ତି । ଦିଲ୍ଲୀରେ ମେଟ୍ରୋ ଓ ଜାତୀୟ ରାଜପଥଠାରୁ ଆରମ୍ଭ କରି ହସପିଟାଲ ଓ ବିଶ୍ବବିଦ୍ୟାଳୟ ପାଇଁ କେନ୍ଦ୍ର ଅର୍ଥ ଖର୍ଚ୍ଚ କରିଥିବା ମୋଦି କହିଛନ୍ତି । ତେବେ ଆପ୍ କୌଣସି ଦାୟିତ୍ବ ପୂରଣ କରିନି । ମିଛର ସହାୟତାରେ ଆପର ଗାଡ଼ି ଚାଲିଥିବା କହି କଟାକ୍ଷ କରିଛନ୍ତି ମୋଦି ।

ଦିଲ୍ଲୀରେ ଚାଲିବ କି ମଧ୍ୟବିତ୍ତ କାର୍ଡ ?

ଦିଲ୍ଲୀ ବିଧାନସଭା ନିର୍ବାଚନରେ କେଜ୍ରିଓ୍ବାଲଙ୍କ ମଧ୍ୟବିତ୍ତ କାର୍ଡ ବଡ ପ୍ରଭାବ ପକାଇପାରେ । କାରଣ ମଧ୍ୟବିତ୍ତଙ୍କ ପାଇଁ ଏସବୁ ଦାବି ବେଶ୍ ଗୁରୁତ୍ବ ରଖେ । ତେବେ ମଧ୍ୟବିତ୍ତ ବି ଜାଣିଛନ୍ତି, ଏସବୁ ଦାବି କେଜ୍ରିଓ୍ବାଲଙ୍କ ଆପ କ୍ଷମତାକୁ ଆସିଲେ ବି ପୂରଣ କରିପାରିବନି। ଏସବୁ କେନ୍ଦ୍ରର ଅଧିକାର ପରିସରଭୁକ୍ତ । ତେବେ ଏସବୁ ଦାବି ଜରିଆରେ ବିଜେପି ପ୍ରତି ମଧ୍ୟବିତ୍ତଙ୍କ ଅସନ୍ତୋଷର ନିଆଁକୁ ତେଜିଛନ୍ତି କେଜ୍ରିଓ୍ବାଲ । ତେବେ ଏହାର ପ୍ରଭାବ ଭୋଟ୍ ଉପରେ କେତେ ପଡୁଛି, ତାଉପରେ ନଜର ରହିବ ।

Comments are closed.