ନୂଆଦିଲ୍ଲୀ: ମଣିପୁର ରାଜନୈତିକ ଘଟଣାକ୍ରମକୁ ନେଇ ଦିଲ୍ଲୀରୁ ପାଟନା ହଲଚଲ୍ । ନୀତିଶଙ୍କ ଜେଡିୟୁର ମଣିପୁର ରାଜ୍ୟ ସଭାପତି ବୀରେନ ସିଂ ମେଣ୍ଟ ସରକାରରୁ ସମର୍ଥନ ପ୍ରତ୍ୟାହାର କରିବାକୁ ରାଜ୍ୟପାଳଙ୍କୁ ଚିଠି ଲେଖିଲେ । ମଣିପୁର ବିଧାନସଭାରେ ଜେଡିୟୁର ଜଣେ ବିଧାୟକ ରହିଛନ୍ତି । ତେବେ ସେ ସରକାରରୁ ସମର୍ଥନ ପ୍ରତ୍ୟାହାର କରିବା ଖବର ରାଜନୈତିକ ପାରଦ ବଢାଇଦେଲା । ଚର୍ଚ୍ଚା ହେଲା, ପୁଣି ପଲଟି ମାରିବେ ନୀତିଶ କୁମାର । ପାଟନାରୁ ଦିଲ୍ଲୀ ପର୍ଯ୍ୟନ୍ତ ରାଜନୈତିକ ଅନିଶ୍ଚିତତା ବଢିଲା। ହେଲେ ଦଳୀୟ ଶୃଙ୍ଖଳା ଭାଙ୍ଗିଥିବା ଦର୍ଶାଇ ବୀରେନ୍ ସିଂଙ୍କୁ ଦଳରୁ ବରଖାସ୍ତ କରି ବିଜେପି ସହ ଥିବା କହିଲା ଜେଡିୟୁ । ତେବେ ଚର୍ଚ୍ଚା ହେଉଛି, ବିଜେପିକୁ ମଣିପୁର ଘଟଣା ଦ୍ବାରା ବଡ଼ ସନ୍ଦେଶ ଦେଇଛନ୍ତି ନୀତିଶ ।
ନୀତିଶଙ୍କ ପ୍ରେସର ପଲିଟିକ୍ସ !
କୁହାଯାଏ, ଜେଡିୟୁରେ ନୀତିଶଙ୍କ ବିନା ସହମତିରେ ପତ୍ର ବି ହଲେନି । ଏମିତିରେ ପ୍ରଶ୍ନ ଉଠୁଛି, ନୀତିଶଙ୍କ ଅଜାଣତରେ ମଣିପୁର ଜେଡିୟୁ ଏନଡିଏରୁ ସମର୍ଥନ ପ୍ରତ୍ୟାହାର ନେଇ କେମିତି ନିଷ୍ପତ୍ତି ନେଲା? ଆଗକୁ ବିହାର ନିର୍ବାଚନ ଥିବା ବେଳେ ନୀତିଶଙ୍କୁ ନଜଣାଇ ମଣିପୁର ଜେଡିୟୁ ସଭାପତି ଏତେ ବଡ ନିଷ୍ପତ୍ତି ନେଇଥିବା ବିଶ୍ବାସଯୋଗ୍ୟ ନୁହେଁ । ଚର୍ଚ୍ଚା ହେଉଛି, ବିହାର ନିର୍ବାଚନ ପୂର୍ବରୁ ବିଜେପିକୁ ମଣିପୁର ଘଟଣା ଦ୍ବାରା ସନ୍ଦେଶ ଦେଇଛନ୍ତି ନୀତିଶ । କାରଣ ରାଜନୀତିରେ ସହଯୋଗୀ ବଦଳାଇବାରେ ରେକର୍ଡ କରିଛନ୍ତି ନୀତିଶ । ତେଣୁ ବିହାର ନିର୍ବାଚନ ପୂର୍ବରୁ ନୀତିଶ ପ୍ରେସର ପଲିଟିକ୍ସ ଖେଳିଥିବା ବି କୁହାଯାଉଛି ।
କି ସନ୍ଦେଶ ଦେବାକୁ ଚାହୁଁଛନ୍ତି ନୀତିଶ?
ଚଳିତ ବର୍ଷ ଶେଷ ଆଡକୁ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ୨୦୨୦ରେ କମ୍ ସିଟ ସତ୍ବେ ନୀତିଶଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା ବିଜେପି । ହେଲେ ମହାରାଷ୍ଟ୍ର ନିର୍ବାଚନ ପରେ ଅମିତ ଶାହାଙ୍କ ବୟାନ ଭିନ୍ନ ଦିଗକୁ ଇସାରା କରିଥିଲା । ବିହାରରେ ଏନଡିଏର ନେତୃତ୍ବ କିଏ ନେବେ, ସେନେଇ ବିଜେପି ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବ ବୋଲି କହି ପରୋକ୍ଷରେ ନୀତିଶଙ୍କ ନେତୃତ୍ବ ଉପରେ ପ୍ରଶ୍ନଚିହ୍ନ ଲଗାଇଥିଲେ ଶାହା। ମଣିପୁର ଘଟଣା ଦ୍ବାରା ବିଜେପି ଶୀର୍ଷ ନେତୃତ୍ବଙ୍କ ଉପରେ ନୀତିଶ ଚାପ ପକାଇ ନିର୍ବାଚନରେ ବିଜେପି ଅଧିକ ସିଟ୍ ଜିତିଲେ ବି ନୀତିଶ ହିଁ ମୁଖ୍ୟମନ୍ତ୍ରୀ ହେବେ ସେନେଇ ଗ୍ୟାରେଣ୍ଟି ଚାହୁଁଥିବା ଚର୍ଚ୍ଚା ହେଉଛି ।
ମଣିପୁର ଗୋଟି ପଛରେ ବଡ଼ ଚାଲ୍ !
ଅପ୍ରତ୍ୟାଶିତ ନିଷ୍ପତ୍ତିକୁ ନେଇ ରାଜନୀତିରେ ଚର୍ଚ୍ଚାରେ ରହିଛନ୍ତି ନୀତିଶ କୁମାର । ତେଣୁ କେତେବେଳେ ନୀତିଶ କି ନିଷ୍ପତ୍ତି ନେବେ ତାହା କହିବା କଷ୍ଟ । ଅମିତ ଶାହାଙ୍କ ନେତୃତ୍ବ ବୟାନ ପରେ ନୀତିଶଙ୍କ ନିରବତାକୁ ନେଇ ପ୍ରଶ୍ନ ଉଠିଥିଲା । ନୀତିଶଙ୍କ ପ୍ରଗତି ଯାତ୍ରା ସ୍ଲୋଗାନକୁ ନେଇ ଚର୍ଚ୍ଚା ହୋଇଥିଲା । ନୀତିଶଙ୍କ ନିରବତା ପଛରେ ବଡ଼ ରାଜନୈତିକ ହଲଚଲ ଲୁଚି ରହିଥାଇପାରେ ବୋଲି ବି କୁହାଯାଇଥିଲା । ଏପରିକି ବିଶ୍ବବିଦ୍ୟାଳୟରେ ନିଯୁକ୍ତି ନେଇ ରାଜ୍ୟପାଳଙ୍କୁ ଅଧିକ କ୍ଷମତା ନେଇ ୟୁଜିସି ଆଇନରେ ସଂଶୋଧନକୁ ବି ଜେଡିୟୁ ପକ୍ଷରୁ ବିରୋଧ କରାଯାଇଛି । ୨୦୨୨ ମଣିପୁର ନିର୍ବାଚନରେ ଜେଡିୟୁର ୬ବିଧାୟକ ଜିତିଥିଲେ । ତେବେ ସେମାନଙ୍କ ମଧ୍ୟରୁ ୫ଜଣଙ୍କୁ ବିଜେପି ନେଇ ଯାଇଥିଲା । ସେବେକାର ରାଗ ଏବେବି ନୀତିଶଙ୍କ ମନରେ ରହିଥିବା ବି କୁହାଯାଉଛି ।
କେବଳ ବିହାରରେ ନୁହେଁ କେନ୍ଦ୍ରରେ ବି ଏନଡିଏକୁ ଜେଡିୟୁ ଆବଶ୍ୟକ । ବିଜେପିକୁ ଗତ ଲୋକସଭା ନିର୍ବାଚନରେ ଏକାକୀ ବହୁମତ ମିଳିନଥିବା ବେଳେ ଜେଡିୟୁ ଓ ଟିଡିପି ସହଯୋଗରେ କେନ୍ଦ୍ରରେ ସରକାର ଗଠନ କରିଛି ବିଜେପି । ଆଗକୁ ବିହାର ନିର୍ବାଚନ ଥିବାରୁ ମଣିପୁର ଘଟଣା ଦ୍ବାରା ଟ୍ରେଲର ଦେଖାଇ ବିଜେପି ଉପରେ ନୀତିଶ ଚାପ ପକାଉଥିବା ଚର୍ଚ୍ଚା ହେଉଛି ।
Comments are closed.