ନବଜାତକର ହସ

ନବଜାତକର ହସ

ବିରଜା ବଳ

ଲାଳସରସର ନବଜାତ ଶିଶୁର ହସ ।

ହସରହିତ ଉପଲକ୍ଷରେ
ଆକାଶିଆ ଗଛଯାଏ ଉଡ଼ିଯାଏ
ଘୂରିବୁଲେ ଭିନ୍ନଭିନ୍ନ ଦୃଶ୍ୟ ଭିତରେ ।

ଗୋଟେ କୁନିଗଛର ମୂଳବାହିକା ଚେର
ପ୍ରବେଶ କରେ ଭିତରକୁ
ମାଟିତଳ ରସମୟ ବୋଲି ଆବୃତ୍ତି କରେ,
ହସ, ରସମୟ ବୋଲି
ଆବୃତ୍ତି କରେ ନବଜାତ ଶିଶୁ ।

କେଉଁଆଡେ଼ ପୃଥିବୀ
ପ୍ରାଚୀନ ଆତଙ୍କ ଓ ନୂତନ ସ୍ୱପ୍ନ ଉପରେ ଠିଆହୋଇ
ପୃଥିବୀ ଯେ ଶୂନ୍ୟରେ ଘୂରେ!

କ୍ରମଶଃ ବହଳ ହୁଏ ହସଟିକକର ଉଜ୍ଜ୍ୱଳତା
ସୁନ୍ଦର ପୃଥିବୀର ଆଭାଟିଏ ଫୁଟିଉଠେ
ନବଜାତ ଶିଶୁର ହସରେ ।

ପୃଥିବୀ ଖସି ନପଡ଼ୁ ତଳକୁ
ଖସି ନପଡ଼ୁ ତଳକୁ ନବଜାତ ଶିଶୁର ହସ
ଚୁରମାର୍‍ ହୋଇ ନଯାଉ
ହସର ଜାଗତିକ ଡିମ୍ବ
ଲାଳ ଓ କେଶରସବୁ ବିଛୁଡ଼ି ହୋଇ ନପଡ଼ୁ
ଶେଷ ହୋଇ ନଯାଉ
ପୃଥିବୀ ଓ ହସର ଗର୍ଭ ଓ ଡିମ୍ବତ୍ୱ ।

ଡିମ୍ବସବୁ ପୃଥିବୀ ପରି ଗୋଲ୍‍ କାହିଁକି?
ଜଠରସବୁ ପୃଥିବୀ ପରି ଲାଲ୍‍ କାହିଁକି?

ଡିମ୍ବ ଭିତରେ ଥାଏ ବୋଲି କ’ଣ ଏକ ଆକୃତି
ଜଠର ଭିତରେ ଥାଏ ବୋଲି କଣ ଏକ ରୂପ
ହସର କକ୍ଷପଥରେ ଘୂରୁଥାଏ ବୋଲି ଅରୂପ?

ନବଜାତ ଶିଶୁର ହସ ପାଣିଫୋଟକା ନୁହେଁ
କାଳବେଷ୍ଟିତ ହେଲେ ବି
ଲହସ ହୋଇ ଫେରିଆସେ ।

ସେଇ ହସର ଲହରେ ପରଦାସବୁ ହଲିଉଠେ
ଅଗଣାରେ ଶୁଖୁଥିବା ଶାଢ଼ି ଓ ଗାମୁଛା ହଲିଉଠେ
ଆଲମାରିରେ ଲାଖିରହିଥିବା ଚାବିନେନ୍ଥା ହଲିଉଠେ ।
ପୁରୁଣା ଫଟୋ ଆଲବମ୍‍ ବି ହସିଉଠେ ।
ସେଇ ହସ ଶବ୍ଦ ଲଭିବାର କଳା ଶିଖାଏ
ଅଗଣାସାରା ମାଳମାଳ ହୋଇ ଖେଳିବୁଲୁଥାଏ ଶବ୍ଦପୁଞ୍ଜ ।

ଶବ୍ଦସବୁ ସାଉଁଟି ପକୋଉଥାଏ
ବନ୍ଦ ପଞ୍ଜୁରି ଭିତରେ ସଜା କାଟୁଥିବା ଶୁଆପକ୍ଷୀ ।

LEAVE A REPLY

Please enter your comment!
Please enter your name here