Latest Odisha News

BREAKING NEWS

ଝାରସୁଗୁଡ଼ା ବିଜୟ ପରେ ବର୍ଷିଲେ ନବୀନ, କହିଲେ ସିଙ୍ଗଲ୍ କି ଡବଲ୍ ଇଞ୍ଜିନ୍ ନୁହଁ…

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଜିତିବା ପରେ ବର୍ଷିଛନ୍ତି ଦଳ ସଭାପତି ନବୀନ ପଟ୍ଟନାୟକ । ବିଜେଡି କାର୍ଯ୍ୟାଳୟ ଶଙ୍ଖ ଭବନରେ ଦଳ ଆୟୋଜନ କରିଥିବା ବିଜୟ ଉତ୍ସବରେ ନବୀନ ଜୋରଦାର୍ ବର୍ଷିଛନ୍ତି ।

ନବୀନ କହିଛନ୍ତି, ପଦ୍ମପୁରରେ ବି ବିରୋଧୀ ଦଳ ମାଆମାନଙ୍କୁ ସମ୍ମାନ ଦେଇ ନଥିଲା । ମହିଳା ପ୍ରାର୍ଥୀଙ୍କୁ ଖରାପ ଭାଷାରେ ଗାଳି କରିଥିଲେ । ପଦ୍ମପୁର ଭଳି ଝାରସୁଗୁଡ଼ାରେ ବାପାଙ୍କୁ ହରାଇଥିବା ଝିଅଙ୍କୁ ଗାଳି କରିଥିଲେ । ପ୍ରତ୍ୟେକଟି ଉପନିର୍ବାଚନରେ ବିରୋଧୀ ମିଶନ ଶକ୍ତିର ନେତ୍ରୀ ଓ ମାଆମାନଙ୍କୁ ସମାଲୋଚନା କରୁଛନ୍ତି ।

ଇତିହାସ ସାକ୍ଷୀ ଅଛି, ଓଡ଼ିଶାବାସୀ କେବେ ବି ମାଆମାନଙ୍କ ପ୍ରତି ଅସମ୍ମାନକୁ ବରଦାସ୍ତ କରି ନାହାନ୍ତି । ଆମର ଝିଅ ମାନେ, ଆମର ଗର୍ବ । ବିଜେଡି ସବୁବେଳେ ସମାଜରେ ମାଆମାନଙ୍କ ଯୋଗଦାନକୁ ଗୁରୁତ୍ୱ ଦିଏ । ସେମାନଙ୍କୁ ମିଶନ ଶକ୍ତି ଭଳି ପ୍ଲାଟଫର୍ମ ଯୋଗାଇ ଦିଆଯାଇଛି । ହାଣ୍ଡିଶାଳରୁ ଚାରିକାନ୍ଥରୁ ବାହାରି ସେମାନେ ମିଶନ ଶକ୍ତି ମାଧ୍ୟମରେ ସଶକ୍ତ ହୋଇଛନ୍ତି ।

ବିରୋଧୀ ଦଳ ସବୁବେଳେ ମାଆମାନେ ସଶକ୍ତ ହେବାକୁ ବିରୋଧ କରିଛି, ଯାହାକି ବିପଦ । ବିରୋଧୀଙ୍କ ଏଭଳି ବ୍ୟବହାରକୁ ଓଡ଼ିଶାବାସୀ ସବୁବେଳେ ନା ପସନ୍ଦ କରି ପ୍ରତ୍ୟାଖ୍ୟାନ କରିଛନ୍ତି । ଆସନ୍ତୁ ଆମେ ଗଣତନ୍ତ୍ରର ସୁରକ୍ଷା ପାଇଁ ମାଆମାନଙ୍କୁ ଅଧିକାର ଦେବା ।

ନବୀନ ବିଜେପିକୁ ସମାଲୋଚନା କରି କହିଛନ୍ତି, ସିଙ୍ଗଲ ଓ ଡବଲ୍ ଇଞ୍ଜିନ୍ ଗୁରୁତ୍ୱପୂର୍ଣ୍ଣ ନୁହେଁ । ଗୁରୁତ୍ୱପୂର୍ଣ୍ଣ ହେଉଛି କିଏ ଲୋକଙ୍କ ପାଇଁ କାମ କରୁଛି । ଭଲ ସରକାର, ଲୋକଙ୍କ ପାଇଁ କାମ କରୁଥିବା ସରକାର ସବୁବେଳେ ଜିତେ । ଯେଉଁମାନେ ଆମ ମାଆଙ୍କୁ ଅସମ୍ମାନ କରନ୍ତି, ଲୋକଙ୍କ ବିରୋଧରେ କାମ କରନ୍ତି ସେମାନେ ହାରନ୍ତି, ଲୋକେ ସେମାନଙ୍କୁ କ୍ଷମା କରନ୍ତିନି ବୋଲି ନବୀନ କହି ପରୋକ୍ଷରେ ବିଜେପିକୁ ଚେତାଇ ଦେଇଛନ୍ତି ।

Leave A Reply

Your email address will not be published.