ବ୍ୟଙ୍ଗ : ବିବାହ ବାର୍ଷିକୀ ଦିବସ

ଓଁ ଅଭିଜ୍ଞାନ ସାହୁ 

ଏ ବିବାହ ବାର୍ଷିକୀ ଦିବସଟା ଗୋଟେ ବଡ଼ ବିଚିତ୍ର ଦିବସ । ବିଶେଷକରି ଫେସବୁକ ଆଉ ହ୍ଵାଟ୍ସଆପର ବହୁଳ ପ୍ରସାର ପରେ ଯେଉଁ ସବୁ ଉଛୁଳା ପ୍ରେମର ଏକ ନୂତନ ସାହିତ୍ୟ ଧାରା ଆରମ୍ଭ ହୋଇଛି, ତାକୁ ଦେଖି ବେଳେ ବେଳେ ଆଖି ତରାଟି ହୋଇ ଯାଉଛି । ମୋର ଗୋଟେ ଫେସବୁକ ସାଙ୍ଗ । ଘୋଡ଼ା ମଦୁଆ । ସକାଳୁ ତାର ସ୍ତ୍ରୀ ସହ ସବୁ ସର୍ଗ, ଉପସର୍ଗ ଓ ଅଳଙ୍କାର ଯୁକ୍ତ ଭାଷାରେ ଗାଳି ଗୁଳଜ ନ ହେଲେ ସେମାନଙ୍କ ଦିନ ଆରମ୍ଭ ହୁଏନି । ବେଳେ ବେଳେ ଗାଳି ଗୁଲଜଟା ହାତା ହାତିରେ ସମାପ୍ତ ହୁଏ । ଗଲା ସପ୍ତାହରେ ତାର ଆନିଭର୍ସରି ଥିଲା । ସେହି ଦିନ ମୁଁ ଫେସବୁକ ଖୋଲୁ ଖୋଲୁ ଦେଖିଲି ମୋର ସେହି ସାଙ୍ଗ ତା ସ୍ତ୍ରୀ ସହ ଗୋଟେ ବିବାହ ପରର ମୁଚକୁନ୍ଦିଆ ହସ ହସ ଫୋଟ ପୋଷ୍ଟ କରିଥିଲା । ତଳେ ଲେଖିଥିଲା – ମୋ ଜୀବନ ସଙ୍ଗିନୀ, ତୁମେ ମୋ ଜୀବନକୁ କରିଦେଲ ରଙ୍ଗୀନ ରଙ୍ଗୀନ ।

ସେ ଯାହାବି ହେଉ ଏ ପ୍ରକାରର ଛଳନା ପ୍ରତାରଣାପୂର୍ଣ୍ଣ ପୋଷ୍ଟ ଗୁଡିକ କିନ୍ତୁ ମୋ ଜୀବନ ସଙ୍ଗିନୀଙ୍କୁ ଭାରି ପ୍ରଭାବିତ କରେ । କରୋନା କାଳ ଆରମ୍ଭ ପୂର୍ବ ବର୍ଷ କଥା ଆଜି ମୋର ମନେ ପଡୁଛି । ସେଦିନ ଥାଏ ମୋର ଆନିଭର୍ସରି । ସକାଳୁ ସଙ୍ଗିନୀଙ୍କୁ ନେଇ ମନ୍ଦିର ଯାଇଥିଲି । ଦୀପ ଲଗେଇ ଆସିଲୁ । ସାଙ୍ଗମାନଙ୍କୁ ଫୋନ କରି ନିମନ୍ତ୍ରଣ କଲି ସନ୍ଧ୍ୟାରେ ଘରକୁ ଆସିବା ପାଇଁ । ଭାବିଲି ସବୁ ସାଙ୍ଗ ମାନେ ଏକାଠି ବସି ଖୁସି ଗପ କରି ସେହି ବିଶେଷ ଦିନଟିକୁ ମଜାରେ କାଟିବୁ । ଜଣେ ଦିଜଣ ସାଙ୍ଗଙ୍କୁ ଫୋନକରି କଣ ଆଇଟମ କଲେ ଭଲ ହେବ ଆଉ କଣ କଣ ସରଞ୍ଜାମ ସବୁ ଦରକାର ବୁଝିନେଲି । କିନ୍ତୁ ଭାବୁଥାଏ କେମିତି ସଙ୍ଗିନୀଙ୍କୁ କହିବି ।

ବିଲେଇ ବେକରେ ଘଣ୍ଟି ବାନ୍ଧିବି କେମିତି ? ଜଣେ ସାଙ୍ଗ କହିଲା ତରକାରୀ କରିବା ପାଇଁ ଯଦି ବଡ଼ ଟବ (ଚେପଟା ଡେକଚିକୁ ଆମ ଆଡେ ଟବ କହନ୍ତି) ଦରକାର ତାହାହେଲେ କହିବୁ । ସାଙ୍ଗକୁ କହିଲି ହଉ ମୁଁ ଯାଇ ଏବେ ଟବ ନେଇଆସୁଛି । ମୋ କଥା ବୋଧେ ସଙ୍ଗିନୀ ଶୁଣୁଥିଲେ କି କଣ ହଠାତ ତାଙ୍କ ମୁଖମଣ୍ଡଳରେ ଏକ ଅଦ୍ଭୁତ ଖୁସିର ଚମକ ଆସିଗଲା । ଭାବିଲି ସଙ୍ଗିନୀ ବୋଧେ ମୋ ସାଙ୍ଗମାନେ ଘରକୁ ଆସିବା ଜାଣି ଖୁସି ହୋଇଗଲେ । ସୁଯୋଗ ଦେଖି ତାଙ୍କୁ ମନର କଥା ଜଣେଇ କହିଲି, କିଛି ସାଙ୍ଗଙ୍କୁ ଆଜି ସନ୍ଧ୍ୟାରେ ଡାକିଛି। ଯଦି କହିବ ଘରେ ରୋଷେଇ କରିବା ନଚେତ ବାହାରୁ ମଗେଇ ଦେବା । ମୋ କଥାଶୁଣି ପ୍ରସନ୍ନ ବଦନରେ ସଙ୍ଗିନୀ କହିଲେ- “ଏଇଟା ଗୋଟେ କି କଥା। ତୁମ ସାଙ୍ଗ ମାନେ ଘରକୁ ଆସିବେ ଆଉ ତାଙ୍କୁ ବାହାରୁ ମଗେଇ ଖାଇବାକୁ ଦେବା, ଏଇଟା କଣ ସୁନ୍ଦର ଲାଗିବ ! କଣ ଭାବିବେ ସେମାନେ ? ଛି , ଏମିତିକା ଖରାପ କଥା ମୋ ଦେଇ ହେବନି ।” ମୋ ଠାରୁ କଣ ଆଇଟମ ହେବ ଶୁଣି କହିଲେ ହଉ ମୁଁ ନିଜେ ତିଆରି କରିଦେବି ।

ୟୁଟ୍ୟୁବ ବିଶ୍ୱବିଦ୍ୟାଳୟରୁ ପିଏଚଡି କରିଥିବା ଆମ୍ଭ ସଙ୍ଗିନୀ ସଙ୍ଗେ ସଙ୍ଗେ ଦୁଇ ତିନିଟା ରୋଷେଇ ପ୍ରଣାଳୀ ଭିଡିଓ ୟୁଟ୍ୟୁବରୁ ଦେଖି କଣ ସବୁ ଦରକାର ତାର ଗୋଟେ ଲିଷ୍ଟ ମୋତେ ଧରେଇଦେଲେ । କାଳେ ତାଙ୍କର ମନ ପରିବର୍ତ୍ତନ ହେଇଯିବ ବୋଲି ମୁଁ ଅବିଳମ୍ବେ ସେସବୁ ସଉଦା ଦୋକାନରୁ ଆଣି ଆସିଲି । ଆସିଲା ବେଳେ ସାଙ୍ଗ ଘରୁ ବଡ଼ ଟବଟା ବି ନେଇଆସିଲି । ସଙ୍ଗିନୀ ଲାଗିପଡିଲେ କାମରେ । ଯାହାହେଉ ଆଜି ମୋ ଭାଗ୍ୟରେ ବୃହସ୍ପତି ଚଳୁଛନ୍ତି ବିନା ଦ୍ଵିଧାରେ ମନସ୍କାମନା ସବୁ ପୂରଣ ହେଉଛି । ସନ୍ଧ୍ୟା ସୁଦ୍ଧା ସବୁ ରୋଷେଇ କାମ ବିନା କିଛି କୁଁ କାଁରେ ସରିଗଲା । ସନ୍ଧ୍ୟାରେ ସଙ୍ଗିନୀ ଦୁଇଟି ପ୍ୟାକେଟ ଧରି ମୋ ପାଖକୁ ଆସି କହିଲେ, ଦେଖିଲ ଆଜି ମୁଁ ଏତକ ତୁମ ପାଇଁ ଆଣିଛି । ସେ ଦୁଇଟା ବ୍ୟାଗର ସାଇଜ଼ ଦେଖି ମୋ ମୁଣ୍ଡକୁ ପିତ୍ତ ଉଠିଲାଣି । ଗତ ମାସେ ଉପରେ ହେଲାଣି ପ୍ରତିଦିନ କିଛି କିଛି ଟଙ୍କାର ହିସାବ ମୁଁ ଆଉ ପାଉନି । ମୁଁ ବି କେଉଁଠି କଣ ଖର୍ଚ୍ଚ କରୁଛି ମନେପକେଇ ପାରୁନଥିବାରୁ ମୋ ପାକଳ ମନକୁ ଦୋଷ ଦେଉଥିଲି । ଏବେ ବୁଝିଲି ସେ ଟଙ୍କା ସବୁ ଅଦୃଶ୍ୟ ହେବା ପଛରେ କାହାର ହାତ ଅଛି । ହଉ ମନର ରାଗକୁ ମନରେ ରଖି ଚୁପ ରହିଲି । ଆଗକୁ ସାଙ୍ଗ ମାନେ ସବୁ ଘରକୁ ଆସିବେ, ସବୁ କାମ କେମିତି ଭଲରେ କଟିଯାଉ । ମୋ ହାତକୁ ବ୍ୟାଗ ଦିଟା ବଢ଼େଇ ଦେଇ ସେ ଖାଲି ଏପଟ ସେପଟ ଅନଉଥାନ୍ତି କାଳେ ମୁଁ କିଛି ପ୍ରତି ଉପହାର ତାଙ୍କୁ ଦେବି । କିନ୍ତୁ ମୋତେ ନିରବ ଦେଖି କହିଲେ, ତୁମେ ଯେଉଁ ମୋ କାନ ପାଇଁ ଟପ ଆଣିଛ ଦେଖେଇଲ । କାନ ଫୁଲ(ଟପ) କଥା ଶୁଣି ମୋ କାନ ଝାଇଁ ମାରିଗଲା । ମୁଁ କହିଲି,” କାହିଁ ମୁଁ ତ ସେମିତି କିଛି ଆଣିନି କିଏ କହିଲା ।”

“ଆଉ କିଏ କହିବ ! ତୁମେ ସକାଳେ ତୁମ ସାଙ୍ଗକୁ କହୁ ନଥିଲ, ଟପ ଆଣିବାକୁ ଯିବ ବୋଲି ?” ତାଙ୍କ କଥା ଶୁଣି ବହେ ହସିଲି — “ଆହେ , ତୁମ କାନକୁ ଟପ ନୁହେଁ ତରକାରୀ କରିବା ପାଇଁ ତା ଘରୁ ଟବ ଆଣିବାକୁ ଯିବି ବୋଲି କହୁଥିଲି , ତୁମକୁ କଣ ଟପ ଶୁଣାଗଲା କି? ଆଉ ଏ ବିବାହ ବାର୍ଷିକୀ ଜନ୍ମଦିନ ପାର୍ଟି,ଦାମୀ ଉପହାର ସବୁ ବଡ଼ବଡିଆଙ୍କ କଥା ଆମ ଭଳି ଖଟିଖିଆଙ୍କର ଏସବୁ କଣ ଥାଏ କି ? ମନ୍ଦିର ଯାଇ ଠାକୁର ଦର୍ଶନ କରିଲୁ ଆଉ କଣ ଦରକାର ।” ମୋ କଥା ଶୁଣି ହୁଁ ଟା ମାରି ସେଠୁ ଚାଲିଗଲେ । ସେମିତି ମୁହଁଟାକୁ ଫୁଲେଇ ସବୁ କାମ କରିଲେ । ଯାହାହେଉ ଭଲରେ ଭଲରେ ସାଙ୍ଗମାନେ ସବୁ ଖାଇପିଇ ବାହୁଡ଼ିଲେ । ସବୁ କାମ ସରିଲା ପରେ ତାଙ୍କୁ ଯାଇ କହିଲି– ଆଉ କିଛି କଚୋରି ଛାଣି ଦିଅ ବହୁତ ଭୋକ ଲାଗିଲାଣି । ଯେମିତି ସେ ମୋତେ ଅପେକ୍ଷା କରିଥିଲେ ଅଦିନିଆ ମେଘ ଭଳି ବର୍ଷିଗଲେ ।

ହଁ ଘରେ ତ ଗୋଟାଏ ମାଗଣା ରୋଷେଇଆ ଅଛିନା । ଡାକ ଆହୁରି ସାଙ୍ଗ ମାନଙ୍କୁ, ତୁମେ ସବୁ ମଜ଼ା କର ମୁଁ ଏମିତି ଗରମରେ ରୋଷେଇ ଘରେ ସଢ଼ୁ ଥିବି । ଭାବିଲି ଯାହାହେଉ ଏତେ ଖର୍ଚ୍ଚକରି ମୋ ପାଇଁ କାନର ଟପ ଆଣିଛନ୍ତି । ଆଉ ଅଧିକ ଖର୍ଚ୍ଚକରି ପୁଣି ସାଙ୍ଗ ମାନଙ୍କ ପାଇଁ ହୋଟେଲରୁ ଖାଇବା ଆଣିବେ, ମନକୁ ବୁଝେଇ ଏତେ କଷ୍ଟକରି ସବୁ ନିଜେ ରାନ୍ଧିଲି । କଚୋରି ପାଇଁ ମଇଦା ଦଳିବା ପରେ ତାକୁ ବେଲିବା ବେଳକୁ ଆଉ ହାତ ଉଠେଇ ପାରୁନଥିଲି ତଥାପି ସେଇ କଷ୍ଟ ରେ ଚୁଲି ପାଖରେ ଠିଆହୋଇ ସବୁ ଛାଣିଲି, କଣ ପାଇଁ ମ ? ସେଥିରେ ପୁଣି ଖାଇ ସାରିବା ପରେ କହିଲେ କଣ ନା ତରକାରୀ ଟିକେ ଲୁଣିଆ ହେଇଛି ଭାଉଜଙ୍କୁ କହ ଗରମ ପାଣି ମିଶେଇ ଘାଣ୍ଟି ଦେବେ । କଚୋରିରେ ପୁର ଟିକେ ଅଧିକ ହେଇଗଲା ଆଉ ଟିକେ କମ ପୁର ଦେଇଥିଲେ ଭଲ ଲାଗିଥାନ୍ତା । ସବୁ ଶୁଖିଲା ସାଙ୍ଗକୁ ପୋଡ଼ପିଠାଟା ମ୍ୟାଚ କଲାନି । ଶୁଖିଲା ଖାଇବା ସାଙ୍ଗକୁ ଟିକେ ରସମଲାଇ ଭଳି ପାଣିଆ ମିଠା ହେଇଥିଲେ ଜମିଥାନ୍ତା । ମୋ କଥା କିଏ ଭାବିଲା ? କେତେ କଷ୍ଟରେ ଏକା ଏକା ସବୁ କଲି । ତୁମର ଟିକେ ଦୟା ମାୟା ଅଛି ? ଆଜି ଭଳି ଦିନରେ କିଏ କେତେ କଣ କରୁଛନ୍ତି । ଭାଉଜ କହୁଥିଲେ ଭାଇନା ତାଙ୍କୁ ଆନିଭର୍ସରିରେ ଯାହା ସବୁ ଗିପ୍ଟ ଦେଇଛନ୍ତି, ତୁମେ ବାର ବରଷ ଗୋତି ଖଟିଲେ ବି କିଣି ପାରିବନି । ତୁମ ସାଙ୍ଗ ମାନେ ପରା କିଏ କେତେ କଣ ସବୁ କରୁଛନ୍ତି । ବେଲୁନ ଫୁଟେଇ ହୋଟେଲରେ କେକ କାଟୁଛନ୍ତି । ହୋଟେଲ ଡିନର୍ ର ସବୁ ଆଙ୍ଗଲରୁ ଗୋଟେ ଗୋଟେ ଫୋଟ ଉଠେଇ ଛାଡ଼ୁଛନ୍ତି । କାଲି ପରା ତୁମର ଜଣେ ସାଙ୍ଗ ଆନିଭର୍ସରି ପାଇଁ ତାଙ୍କ ସ୍ତ୍ରୀଙ୍କ ସାଙ୍ଗରେ ପୁରୀ ସମୁଦ୍ର କୁଳରେ ବୁଲିବା ଫୋଟ ଛାଡିଥିଲେ । କଣ ସବୁ ଦେଖୁଛ ନା ଆଖି ଫୁଟିଯାଇଛି । ତୁମ ମନ କହିଲାନି ହୋଟେଲ ନହେଲେ ନାହିଁ ଟିକେ ଦୋଳମୁଣ୍ଡେଇ ନେଇ ଗୁପ ଚୁପ ଦିଟା ଖୋଇ ଦେଇଥାନ୍ତି । କେମିତିକା ଲୋକ କେଜାଣି ?

ମୁଁ ଜୀବନରେ ସୁଖ ବୋଲି କିଛି ଦେଖିଲିନି । ମୋ ଭାଉଜ ଠିକ୍ କହୁଥିଲେ- “ଏ ପିଲାଟା କାହିଁକି ମୋତେ ଠିକ୍ ଲାଗୁନି । ତୁ କେମିତି ତାକୁ ପସନ୍ଦ କଲୁ କେଜାଣି ! ବାହା ହେଲେ ପସ୍ତେଇବୁ । ଏ ଲେଖକ ଗୁଡା ବଡ଼ ବାହାପିଆ । ୟାଙ୍କୁ ଜୀବନରେ ଗୋଟେ କାଣି କୁଜି ବି ପାଖରେ ପୂରଉନଥିବେ କିନ୍ତୁ ପ୍ରେମ କବିତା ଏମିତି ଲେଖିବେ ଯେ ଯେମିତି ହେମାମାଳିନୀ ୟାଙ୍କ ପ୍ରେମରେ ଉବୁଟୁବୁ ହେଉଛି । ଭାଉଜଙ୍କ କଥା ଶୁଣିଥିଲେ ଆଜି ଏ ଦିନ ଦେଖିନଥାନ୍ତି । କେତେକଷ୍ଟରେ ଶାଢ଼ି ପିନ୍ଧି ସଜ ହୋଇଥିଲି । ଭାବିଲି ଆଜି ତୁମ ସାଙ୍ଗମାନେ ଆସିବେ । କେତେ କିଏ ସବୁ ଫୋଟ ଉଠେଇବେ, ଫେସବୁକ,ହ୍ଵାଟ୍ସଆପରେ ଛାଡିବେ ।”କମସେ କମ ଶହେଟା ଫୋଟ ତ ଉଠିବ । କଣ ଉଠିଲା ? ହେଇ ହେଇ ଫୋଟ ଦଶଟା ଉଠିଥିବ କି ନାହିଁ ସନ୍ଦେହ । ଉପରେ ପୁଣି ତୁମ ସାଙ୍ଗ ଯେଉଁ ଫୋଟ ଉଠେଇଲେ, ସେଥିରେ ମୁହଁ ସବୁ କଳା ଦେଖାଯାଉଛି । ତୁମକୁ କେକ ଖୋଇଲା ବେଳର ଫୋଟ ଉଠିଛି, ତୁମେ ମୋତେ କେକ ଖୋଇଲା ବେଳେ ମୋ ବେକଠୁ କଟିଯାଇଛି । ମୁଁ ତରକାରୀ ଦେଲା ବେଳ ଫୋଟ ଅଛି ମିଠା ବାଣ୍ଟିବା ଫୋଟ ଉଠିନି । କଣ ଏଇଥିପାଇଁ ମୁଁ ସେଠିକୁ ସଜ ହୋଇ ଯାଇଥିଲି !ଛାଡ଼, ସବୁ ମୋ ପୋଡା କପାଳ । ତୁମ କଲେଜ ସାଙ୍ଗ ପରା ତାଙ୍କ ଆନିଭର୍ସରିକୁ ମୋଗଲ ଗାର୍ଡେନରେ ବୁଲୁଥିବା ଫୋଟ ଫେସବୁକରେ ଛାଡିଥିଲେ । ତାଙ୍କ ସ୍ତ୍ରୀ ସକାଳୁ ଦୁଇଥର ଫୋନ କଲେଣି । ମୁଁ ଫୋନ ଉଠଉନାହିଁ, କଣ କହିବି- ଆଜି ଆମେ ମନ୍ଦିର ଯାଇଥିଲୁ ଦୀପ ଲଗେଇ ଆସିଛୁ ! ତୁମକୁ ତ ସରମ ନାହିଁ ମୋ ମନ ପୋଡ଼ିଜଳି ଯାଉଛି ।”

ମୁଁ ବି ମନେ ମନେ ଭାବୁଥାଏ ଶଳା ଖାନନଗର ପାର୍କରେ ଫୋଟ ଉଠେଇ କହିଲା କଣ ନା ଆନିଭର୍ସରିରେ ଆଉଟିଙ୍ଗ ଆଟ୍ ମୋଗଲ ଗାର୍ଡେନ ! ତା ବୋପା ଚଉଦପୁରୁଷରେ କିଏ ମୋଗଲ ଗାର୍ଡେନ ଦେଖିଥିଲା ? ଶଳା ଫୋଟ ତ ଉଠେଇଲୁ ତାକୁ ପୁଣି ଫେସବୁକରେ ଛାଡିବା କଣ ଦରକାର ଥିଲା ! ସେ ଫୋଟ ଦେଖି କେତେଜଣଙ୍କ ଘରେ ନିଆଁ ଲାଗିଥିବ କିଛି ଅନୁମାନ ଅଛି କି ତାର !! ଆନିଭର୍ସାରି ରେ ଏମିତିକା ବୁଲାବୁଲି ଫୋଟ ସବୁ ଛାଡୁଥିବା ଲୋକ ମାନେ ଯେ କେତେ ନିର୍ଦ୍ଦୟ, ହୃଦୟହୀନ ଓ ନିଷ୍ଠୁର ତାହା ସେମାନେ ଜାଣିପାରନ୍ତି ନାହିଁ ।

ମୋତେ ନିରବରେ କଣ ସବୁ ଭାବୁଥିବା ଦେଖି ସଙ୍ଗିନୀ କହିଲେ, କାଲି ପିଲାଙ୍କୁ ନେଇ ଆମ ଘରକୁ ଯାଉଛି । ଦୁଇ ଦିନ ରହି ଫେରିବୁ । ତୁମେ ଦେଖ ଆଉ କାହାର ଆନିଭର୍ସରି ଡାକରା ଥିବ ସେଠି ଯାଇ ପଙ୍ଗତ ପକେଇଦେବ..।

ବନମାଳୀ ଭବନ
ଖାନ୍ ନଗର , କଟକ