ବ୍ୟଙ୍ଗ : ୱାଇଫ ହାପି ତ ଲାଇଫ ହାପି

ଓଁ ଅଭିଜ୍ଞାନ ସାହୁ 

ଯିଏ ଯାହା କହୁ, ମୋର ଢୋ’ । ମୁଁ ଜାଣିଛି ସ୍ତ୍ରୀ ଖୁସି ହେଲେ ଦୁନିଆ ଖୁସି। ସେଇ ସରସ୍ୱତୀ, ସେଇ ଲକ୍ଷ୍ମୀ, ସେଇ ସାକ୍ଷାତ ମହିଷାମର୍ଦ୍ଦିନୀ , ସେଇ ହାସ୍ୟମୟୀ ସେଇ ଭାଷ୍ୟମୟୀ । ସେଇ ପୁଣି ତ୍ରିକାଳଦର୍ଶୀ । ତାରି ପାଦରେ ଧନ, ହାତରେ ଆୟୁଷ , ଚାହାଣୀରେ ଯୌବନ, ସବୁ କିଛି । ସ୍ନେହମୟୀ ମାଆ ସିନା ସଂସାରକୁ ଆଣିଲା ହେଲେ ପ୍ରେମମୟୀ ତାକୁ ସଂସାରିକ କଲା । ଶାସ୍ତ୍ର କହୁଛି ଯଥା ରାମସ୍ୟ ସୀତା । ଯେତେ ହୋମ ଯଜ୍ଞ ପୂଜା ପାଠ ଧର୍ମକର୍ମ ସବୁଥିରେ ରାମଙ୍କ ସାଥିରେ ସୀତା ଦରକାର । ସୀତା ବିନା ରାମ ବେକାର । ସୀତା ବିନା ଜନ୍ମକଲା ମାଆ ପରା ପିଣ୍ଡ ପାଇବନି । ସେମିତି ଆକାଶରେ ଶୋଷିଲା ଅନେଇଥିବ । ଦ୍ରୌପଦୀ ନଥିଲେ କୋଉ ମହାଭାରତ ଯୁଦ୍ଧ ହୋଇଥାନ୍ତା ନା ଭଗବତ ଗୀତାର ବ୍ୟାଖ୍ୟା । ସୀତା ନଥିଲେ କେଉଁ ଲଙ୍କାକାଣ୍ଡ ହୋଇଥାନ୍ତା ନା ସାତଖଣ୍ଡ ରାମାୟଣ ଲେଖାଯାଇଥାନ୍ତା । ଦୁଇ ତିନିଟି ଖଣ୍ଡରେ କାହାଣୀ ଶେଷ ।

ସୀତାଙ୍କ ଯେ ଏତେ ମାହାତ୍ମ୍ୟ ଏଇ କଥା ହେତୁ ପାଇଲା ବେଳକୁ ବେଳ ଗଡ଼ିଗଲାଣି । ବିଚରୀ ଆମ ସୀତା, ଏଠି ଦିନଯାକ ଖଟି ଖଟି ଡାଙ୍ଗ ହେଇଗଲେଣି । ଉପରେ ପୁଣି ବନ୍ଧୁ ବାନ୍ଧବ । ଏକଲା ମଣିଷ କେତେ ଖଟିବ ଯେ । ସକାଳ ପହରରୁ ରାତି ଅଧ ଯାଏଁ ଖାଲି କାମ ଆଉ କାମ । ପର ଝିଅଟା ବୋଲି କିଛି କହିପାରୁନି ସିନା ହେଲେ ସବୁ ଅନ୍ୟାୟକୁ ଉପରେ ଜଣେ ଦେଖୁଛି ନା । ଧର୍ମ ସହିବ ? ଶାଶୁ କହୁଥିଲେ କାଳେ ତାଙ୍କ ଘରେ ଆମର ଇଏ କୁଟାକୁ ଦି ଖଣ୍ଡ କେବେ କରିନଥିଲେ । ଅବଶ୍ୟ ଏଇଟା ସତ ହୋଇଥିବ ବୋଲି ମୋର ବେଳେବେଳେ ବିଶ୍ୱାସ ହୁଏ । ବାପ ଘରର ଯେଉଁ ଡ଼ଉଲ ଡାଉଲ ଚେହେରାଟା ଏଠିକି ଆସି କଳା କାଠ ପଡ଼ିଗଲାଣି । କୋଉ ମାଆ ସହିପାରିବ । କେତେଥର ୟାଙ୍କ ମୁହଁକୁ ଦେଖି ଶାଶୁମା କାନିରେ ଆଖି ପୋଛିବାର ମୁଁ ନିଜେ ଦେଖିଛି । ବୁଢ଼ୀଲୋକର ଲୁହ ପଡିବନି ? ଝିଅ ଜନମ ପର ଘରକୁ ବୋଲି କଣ ଏତେ ଅନ୍ୟାୟ । ଯେତେହେଲେ ମୋର ବି ଗୋଟାଏ ଝିଅ ଅଛି ନା । ଆଉ ସହି ହେବନି !

ଜଗତରେ ନ୍ୟାୟ ଅନ୍ୟାୟ ବୋଲି ଗୋଟେ ଜିନିଷ ଅଛି ନା ନାହିଁ । ଅନେକ ଥର କଥା ଛଳରେ କହିଛି ତୁମେ ଏକୁଟିଆ ଏତେ ଖଟୁଛ ମୋତେ ଜମାରୁ ଭଲ ଲାଗୁନି । ମୁଁ ଭାବୁଛି ଆଉ ଜଣଙ୍କୁ…… ! ତୁମ କାମବି ଅଧା ହୁଅନ୍ତା ତୁମେ ବି ଟିକେ ଆରାମ କରନ୍ତ ।

ଓଃ , କି ଉଦାର ହୃଦୟ ତାଙ୍କର ! କହିବେ ଥାଉ ତୁମର ରୋଜଗାର ଯେତିକି ସେଥିରେ ଜଣଙ୍କୁ ସମ୍ଭାଳି ପାରୁନ ଆଉ ଜଣଙ୍କୁ ଆଣିଲେ ତୁମକୁ ଅଧିକ ଖଟଣୀ ପଡିବ । ତୁମ ସ୍ୱାସ୍ଥ୍ୟ ଅବସ୍ଥା ଯାହା ଏତେ ଖଟଣି ସମ୍ଭାଳି ପାରିବନି । ବାହାବେଳେ ବାପ ଘରୁ ଯେଉଁ ଦୁଇ ହଳ ଆଣିଥିଲି ତାକୁ ପନ୍ଦର ବରଷ ହେଲା ଧୋଇ ଶୁଖେଇ ପିନ୍ଧୁଛି । ରୁମାଲ ଖଣ୍ଡେକୁ ତୁମର ଅଭାବ । ଆଉ ଜଣଙ୍କୁ ଆଣି ତୁମେ ଖଟି ଖଟି ମରିବ ଆଉ ମୁଁ ଆରାମ କରିବି । ଜୀବନ ଥିବା ଯାଏଁ ଏମିତି ମରିପଡି ଖଟୁଥିବି କିନ୍ତୁ ଦୁଇଟା ନାଆରେ ଗୋଡ଼ ରଖି ତୁମ ହିନସ୍ତା ଦେଖିପାରିବିନି । ତାପରେ ତାଙ୍କର କଥା ସହ ଲଥା ଯୋଡି ହୋଇଯାଏ ।

ମୁଁ ଏଠି ଯେଉଁ ସୁଖ କରୁଛି ଛାଡ଼ । କେତେ ନେହୁରା ହେଲାପରେ କୋଉ ଦଶନ୍ଧି ତଳେ ଥରେ ସିନେମା ଦେଖେଇ ନେଇଥିଲ । ହଲରେ ପହଁଚିଲା ବେଳକୁ ହାଉସଫୁଲ । ସେ ପୋଡାମୁହାଁ ବ୍ଲାକର କେମିତିକା ଟିକଟ ଦେଲା ଯେ ତୁମ ସିଟ୍ ‘ଏ’ ଧାଡିରେ ମୋ ସିଟ୍ ‘କେ’ ଧାଡିରେ । କେତେ ଅନୁରୋଧ କଲୁ ସେ ଟର୍ଚ୍ଚ ବାଲାକୁ, କଣ ହେଲା ? କହିଲା କଣ ନା ବସିଥାଅ ମୁଁ ଦେଖୁଛି । ବାଡିପଡା ସିନେମା ସରିଗଲା ପଛେ ତା ଦେଖା ମିଳିଲା ନାହିଁ । ନିଜ ମରଦ ସାଙ୍ଗରେ ଯାଇ ପର ମରଦ ପାଖରେ ବସି ସିନେମା ଦେଖିଲି । ସେ ତିନିଘଣ୍ଟା କେମିତି ହାତଗୋଡ଼ ଜାକିଜୁକି ହେଇ ବସିଛି ସେଇଟା କେବଳ ମୁଁ ଜାଣିଛି । କଥାରେ ପରା ଅଛି ମନ ନେଇ ଫଳ । ତୁମର କଣ ସତରେ ଇଚ୍ଛା ଥିଲା କି ମୋ ସାଙ୍ଗରେ ସିନେମା ଯିବା ପାଇଁ ? ଖାଲି ଲୋକ ଦେଖାଣିଆ ନା । ହେଇ ଦେଖୁନ ଖୁଣ୍ଟିଆ ବାବୁଙ୍କୁ, କଣ ନ କରୁଛନ୍ତି ! ପିଲାମାନଙ୍କ ଲୁଗାପଟାଠୁ ନେଇ ସ୍ତ୍ରୀର ଲୁଗା,ସାୟା….. ଛାଡ଼, ସବୁ ଧୋଇ ଶୁଖେଇ ଇସ୍ତ୍ରୀ କରୁଛନ୍ତି । ଘର କାମଠୁ ନେଇ ରୋଷେଇବାସ ସବୁଥିରେ ଆଗଭର । ତାଙ୍କ ସ୍ତ୍ରୀକୁ ଖଟରୁ ଓହ୍ଲେଇ ଦେଉନାହାନ୍ତି । (ଏ ଯୁଗଜନ୍ମା ଖୁଣ୍ଟିଆ ବାବୁଙ୍କ ଯୋଗୁଁ ମୁଁ ଘରେ ରୋଜ ଖୁଣ୍ଟା ଖାଉଛି) ଆଉ ତୁମେ, ସକାଳୁ ହାତକୁ ଚାହା କପେ ନ ଦେବା ଯାଏଁ ସେମିତି ଖଟ ଉପରେ ଭକୁଆ ଭଳି ଅନେଇଥିବ । ମୁଁ ଏଠି ଏତେ ଦହଗଞ୍ଜ ହଉଛି ଆଉ ଜାଣିଶୁଣି ଅନ୍ୟ ଗୋଟେ ଝିଅର ଜୀବନ ନଷ୍ଟ ହେବା କେମିତି ଦେଖିବି । ଦେଖିଲେ ପରା ମୋ କଲିଜା ଫାଟିଯିବ । ଥାଉ ତୁମେ ଆଉ ମନ ଦୁଃଖ କରନା । ମୋ ଜୀବନ ପଛେ ନର୍କେ ପଡ଼ିଥାଉ ତୁମ ସଂସାର ଉଦ୍ଧାର ହେଉ । ପିଲାମାନେ ଏବେ ଛୋଟ ଅଛନ୍ତି । ସେମାନଙ୍କ ବାହା କାମ ସାରି ଆଗ ନାତି ନାତୁଣୀ ଦେଖି ସାରେ ତାପରେ ମରିବି । ମୁଁ ମଲା ପରେ ଯଦି ତୁମ  ଇଚ୍ଛା ହୁଏ ତାହାହେଲେ ଆଉ କାହାକୁ ଆଣିବ ଯଦି ଆଣ । ମୁଁ ଥିବି ଯେ ତା ଦୁଃଖ ଦେଖିବି ।

ସତରେ ମୋ ପ୍ରେମମୟୀ କେତେ ଉଦାର, ସ୍ନେହୀ, ହୃଦୟବତୀ । ମୋ ସୁଖ ପାଇଁ ତାଙ୍କର ଏତେ ଚିନ୍ତା । ଓଃ ମୁଁ କି କୁଳାଙ୍ଗାର ଟା । ଟିକେ ବି ତାଙ୍କୁ ଚିହ୍ନି ପାରିଲି ନାହିଁ । କେତେ ମାନବୀୟ ଚିନ୍ତାଧାରା ତାଙ୍କର । କେତେ ବିଶାଳ ହୃଦୟ । ନିଜେ ପଛେ ଖଟି ଖଟି ମରିବେ କିନ୍ତୁ ଆଉ କାହାର ଦୁଃଖ ଦେଖିପାରିବେ ନାହିଁ । ଏତେବଡ଼ ବନ୍ଦନୀ ମହିୟସୀ ମହିଳାଙ୍କ ସାନିଧ୍ୟ ଲାଭ କରି କିଛି ବି ଶିଖି ପାରିଲି ନାହିଁ । ଧିକ ମୋ ଜୀବନକୁ ।ଇଚ୍ଛାହୁଏ ଦୁଇ ହାତ ଉପରକୁ ଟେକି ଠାକୁରଙ୍କୁ ଗୁହାରୀ ହୁଅନ୍ତି- ହେ ପ୍ରଭୁ ଉଠେଇ ନେ ମୋତେ ଆଉ ଅଧିକ ପାପ ପାରିବିନି । ମୁକ୍ତି ଦେ ମୋତେ । ଏତେ ଦିନ ପରେ ମୁଁ ଜାଣିଲି ପତ୍ନୀଙ୍କ ସେବା ହେଲା ମହାପୁଣ୍ୟ । ସକଳତୀର୍ଥ ତାଙ୍କ ଚରଣେ ବଦ୍ରିକା ଯିବି କି କାରଣେ । ତାଙ୍କ ଚରଣେ ନିତ୍ୟ ଧ୍ୟାନ କରି ତରନ୍ତି ପତିଜନ ।ଏ ପୁଣ୍ୟ ଯିଏ କରିଥିବ ତାର ସ୍ଵର୍ଗାରୋହଣ ପକ୍କା । ଏଇଠି ପୁଷ୍ପକ ବିମାନରେ ବସିବେ, ଯମପୁର ବାଇପାସ୍ ରାସ୍ତାରେ ଯାଇ ଡ଼ାଇରେକ୍ଟ ସ୍ଵର୍ଗରେ ଓହ୍ଲେଇବେ । ପଏଣ୍ଟ ଟୁ ପଏଣ୍ଟ ନନ୍ ଷ୍ଟପ୍ ଯାତ୍ରା। ଏତେ ଦିନ ଅଜାଣତରେ ଏ ପୁଣ୍ୟ କାମରୁ ଦୂରରେ ଥିଲି କିନ୍ତୁ ଆଉ ନୁହେଁ ।

ଏବେଠୁ ମନ ପ୍ରାଣ ଦେଇ ପତ୍ନୀ ସେବା କରି ସ୍ୱର୍ଗକୁ ଯିବି । ସେଠି ମେନ୍ ଗେଟ ପାଖରେ ସ୍ୱାଗତ କରିବା ପାଇଁ ହାତରେ ଫୁଲ ତୋଡା ଧରି ଉର୍ବଶୀ ଓ ମେନକା ଅପେକ୍ଷା କରିଥିବେ । ପରୀ ମାନେ ପୁଷ୍ପ ବୃଷ୍ଟିକରି ଭିତରକୁ ପାଛୋଟି ନେଉଥିବେ । ଆଃ ସ୍ୱର୍ଗପୁର ! ହେ ପ୍ରଭୁ ଜଗତର ନାଥ , ହେ ବଡ଼ ଠାକୁର କିଛି ମାଗୁନାହିଁ ତୋତେ । ଅମାବାସ୍ୟା ତ ସାବିତ୍ରୀ ମାନଙ୍କୁ ଦେଲ । ଖାଲି ଏତିକି କରୁଣା ଥାଉ । ସବୁ ସତ୍ୟବାନଙ୍କ ଜୀବନ ପୁନେଇମୟ ହେଉ ।

ପବିତ୍ର ସାବିତ୍ରୀ ଅମାବାସ୍ୟା ଅବସରରେ ସମସ୍ତ ଆୟୁଷଦାୟୀ ଓଷେଇତିମାନଙ୍କୁ ମୋର ଶୁଭେଚ୍ଛା ।

ଖାନନଗର, କଟକ