Latest Odisha News

BREAKING NEWS

ବ୍ୟଙ୍ଗ : ଟିକସ ଆଦାୟ

ଓଁ ଅଭିଜ୍ଞାନ ସାହୁ

ଏଇ ଗଲା ଗତ ରବିବାର କଥା, ସକାଳୁ ସକାଳୁ ବସି ଖବରକାଗଜ ପଢୁଥାଏ ଆସିଲା ମୋର ମୋବାଇଲକୁ ଗୋଟେ ଏସଏମଏସ । ଫୋନ ଉଠେଇ ଦେଖେତ ଆର ରୁମରେ ପାଠ ପଢ଼ୁଥିବା ମୋ’ ଝିଅ ପଠେଇଛି ,”ବାବା ଆଜି କେଏଫସି ରେ ସ୍ପେଶାଲ ଅଫର । ଛଅ ପିସକୁ ପାଞ୍ଚଶ ଷାଠିଏ ଟଙ୍କା ।” ଭାବିଲି,  ଅବିକା ଝିଅ ରୁମକୁ ଯିବି ଆଉ ଗାଲରେ ଗୋଟେ ଚଟକଣି ଦେବି । ଅନ ଲାଇନ ପାଠପଢ଼ା ନାଁରେ ଗୋଟେ ପ୍ରହସନ ଚାଲିଛି ।

କିଛି ସମୟ ପରେ ଘରଣୀ ଆସିଲେ । ଘରଣୀଙ୍କୁ ଦେଖି ମୋ’ ପାଟି କୁଣ୍ଡେଇ ହେଲା କି କଣ କହିଲି, “ତୁମ ଯୋଗୁ ପିଲାମାନେ ସବୁ ଖରାପ ହୋଇଗଲେଣି । ଯେତେବେଳେ ଦେଖ ଫୋନ୍ । ଝିଅ ବାପ ପାଖକୁ ନ ଆସି ମୋବାଇଲରେ ମେସେଜ ପଠାଉଛି ଦେଖ ।” ପତ୍ନୀ କହିଲେ, ” ତୁମ ଭଳିଆ କଞ୍ଜୁସ ଲୋକ ଯେଉଁଠି ଥିବେ କୋଉ ଝିଅ କାହିଁକି ତା ମୁହଁ ସାରିବ । ତେଣୁ ମେସେଜ କରିବନି ତ କଣ କରିବ ? ଆଜି ବି ଏମିତିରେ ରବିବାର ରୋଷେଇ କରିବାକୁ ଇଚ୍ଛା ନାହିଁ , ଚାଲ ସମସ୍ତେ ଆଜି କେଏଫସି ରେ ଖାଇବା। ଝିଅଟା ମୋର ଖୁସି ହେବ । ”

ତାଙ୍କ କଥା ଗୁଡା ବିରୁଡ଼ି ଭଳିଆ ମୋ କାନ ପାଖରେ ଭାଁ ଭାଁ କରୁଥାଏ । ଭାବୁଥିଲି ଧନ୍ୟ ସେ ଚିକେନ୍କୁ ଯାହାର ଗୋଡ଼ର ଦାମ ଜଣେ ସାଧାରଣ ଲୋକର ଦିନକ ରୋଜଗାରଠୁ ବି ଅଧିକା। କିଛି ନ ଶୁଣିଲା ଭଳି କହିଲି, ହଉ ଯାଉଛି କଣ ପରିବା ନେଇକି ଆସେ । ଶୀଘ୍ର ରାନ୍ଧିଲେ ଖାଇକି ଯିବି । ଅର୍ଜେଣ୍ଟ କାମ ଅଛି । ପତ୍ନୀ କହିଲେ- “ହଉ ଯାଉଛ ଯଦି ଶୁଣ, ୟୁଟ୍ୟୁବରେ ଗୋଟେ ବଢିଆ କେକ୍ ଦେଖିଥିଲି । ଆଜି ଘରେ ସେଇଟା ବନେଇବି ତେଣୁ ଗୋଟେ ମିଲ୍କମେଡ଼,ଦିଇଟା ବଟର ଆଉ କାଜୁ ଆଣିବ। ଘରେ ମଇଦା , ଚିନି ଅଛି । ଆଉ କଣ ଆସିବ ,? ହଁ, ପୁଅର ମିକ୍ସ ଭଜା ହେବ କାପ୍ସିକମ୍ ,ଗାଜର,ପନିର୍ ଆଉ ଏସେନ୍ସ ପାଇଁ ମୁଁ ତାଙ୍କୁ ମଝିରୁ ବାଧା ଦେଇ କହିଲି ଥାଉ ଥାଉ ଆଉ ଲିଷ୍ଟ ଲମ୍ବେଇବା ଦରକାର ନାହିଁ । ଚାଲ କେଏଫସି ଯିବା, ବରଂ ସେଠି ଏହାଠୁ ଶସ୍ତାରେ ହୋଇଯିବ । କାହିଁ ନିଜର ଏଇ ମଖମଲୀ ହାତ , ଗୋଡ଼ , ମୁଣ୍ଡକୁ କେକ୍ ପାଇଁ ଖଟେଇ ନୟାନ୍ତ କରିବ ? ନ ଜାଣି କଣ ମୋଦୀ ଜଣେ ଗୃହିଣୀଙ୍କୁ ଦେଶର ଅର୍ଥମନ୍ତ୍ରୀ କରିଛନ୍ତି ! ଲୋକଙ୍କଠୁ ଟିକସ କେମିତି ଆଦାୟ ହେବ ତୁମ୍ଭମାନଙ୍କୁ ବେଶ ଜଣା ।

ବନମାଳୀ ଭବନ , ଖାନ୍ ନଗର
କଟକ

Leave A Reply

Your email address will not be published.