Latest Odisha News

BREAKING NEWS

ଗଳ୍ପ : ରାମ ପାଗଳା

ସ୍ମୃତି ପଟ୍ଟନାୟକ

କଲୋନୀ ସାରା ହୁରି ପଡିଯାଇଥିଲା,ଲୋନିକୁ କିଏ ଆଣିବ ରାମ ପାଗଳା ପାଖରୁ? ତାର ବାପା, ମାଆ, କାନ୍ଦି କାନ୍ଦି ଅଚେତ ଅବସ୍ଥାରେ, କଲୋନୀ ସାରା ଲୋକେ ସମସ୍ତେ ଖୁବ୍ ଆତଙ୍କିତ ଅବସ୍ଥାରେ, ପ୍ରକୃତ ଘଟଣା କୁ ସମସ୍ତେ ଭୁଲି ଯାଇଥିଲେ, କରୋନା ଭାଇରସର ଆତଙ୍କ ଯୋଗୁ ଲୋନିର ମାଆ ତାକୁ ମନା କରିଥିଲେ ବାହାରକୁ ନ ଯିବା ପାଇଁ । ଚାରି ବର୍ଷର ଲୋନି ମନ ଦୁଃଖରେ ବସି ରହିଥିଲା ଘରେ । କେମିତି ଟିକେ ବାହାରକୁ ଯାଇ ଖେଳିବ,ଝରକା ପାଖରେ ବସି ବାହାରକୁ ଚାହିଁ ରହିଥିଲା ଏକ ଲୟରେ । ସୁଯୋଗ ଅପେକ୍ଷାରେ ଥିଲା । ମାଆ ରୋଷେଇଘରେ ରୋଷେଇ କରୁଥିଲା ବେଳେ ଚୁପିଚୁପି ବାହାରକୁ ପଳାଇ ଆସିଥିଲା ।

ଏତେ ଦିନ ଘର ଭିତରେ ରହି ବାହାରକୁ ବାହାରି ଥିବାରୁ ତାକୁ ଭାରି ଖୁସି ଲାଗୁଥିଲା । ସେ ରାସ୍ତା ଉପରେ ଖୁବ୍ ଖୁସିରେ ଦୌଡୁଥିଲା । ଜଣା ନଥିଲା ତାକୁ କେତେବେଳେ ତା ସାମ୍ନାରେ ମାରଣା ଷଣ୍ଢ ଟିଏ ବୁଲୁଛି । ଭୟରେ ତାର ଆଖି ବୁଜି ହେଇଯାଇଥିଲା ଯେତେବେଳେ ଷଣ୍ଢଟି ତା ଆଗକୁ ଚାଲି ଆସିଲା । ସେ ଆଖି ଖୋଲିଲା ବେଳକୁ ଶୋଇଥିଲା ଗୋଟିଏ ଛୋଟ ବେଡ୍ ଉପରେ, କାନ୍ଥରେ ଜଗନ୍ନାଥ ମହାପ୍ରଭୁଙ୍କ ଫଟୋ। ସିଏ ଉଠି ବସିଲା ଇଏ କାହାକୁ ସେ ଦେଖୁଛି ! ରାମ ପାଗଳା, ହାତରେ କ୍ଷୀର ଗ୍ଲାସ୍ଲୋ । ନିକୁ ପିଆଇ ଦେଲା ନିଜ ହାତରେ, ଭାରି ମିଠା ଲାଗୁଥିଲା କ୍ଷୀର । ଲୋନି ଆଗରେ ଏତେ ଖେଳନା ବିଶ୍ବାସ କରିପାରୁନଥିଲା ସେ । ଖେଳୁଥିଲା ସେ ଖୁସିରେ ।

ଲୋନିକୁ ଖୋଜି ଖୋଜି କଲୋନୀ ସାରା ଲୋକ ଜମା ହୋଇଥିଲେ ରାମ ପାଗଳା ଘର ଆଗରେ । କେହି ଘର ଭିତରକୁ ଯିବାକୁ ସାହାସ କରି ପାରୁ ନ ଥିଲେ । ସମସ୍ତେ ଭୀତତ୍ରସ୍ତ ଅବସ୍ଥା ରେ । ସମସ୍ତ ଙ୍କୁ ଚକିତ କରି ହଠାତ୍ ଘରର କବାଟ ଖୋଲିଗଲା। ଲୋନି ନିଶ୍ଚିନ୍ତରେ ଖେଳୁଥିଲା । ରାମ ପାଗଳା ପିଠି ଉପରେ ବସି । ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଅନାଇ ରହିଥିଲେ, ଲୋନି କହୁଥିଲା ତାର ବାପାଙ୍କୁ, ଦେଖୁଛ ବାପା ମାଆ ଯାହାକୁ ରାମ ପାଗଳା କହି ମୋତେ ଡରାଉଥିଲ, ସେ କେତେ ଭଲ,ମୋତେ ଆଜି ମାରଣା ଷଣ୍ଢ ପାଖରୁ ରକ୍ଷା କଲେ । ହେଇ ଦେଖ ରାସ୍ତା ଉପରେ ପଡି ତାଙ୍କ ମୁଣ୍ଡ ଫାଟି ଯାଇଛି, ମୋର କିଛି ହେଇନି। ଲୋନିର କଥାରେ ସମସ୍ତେ ମୁଣ୍ଡ ତଳକୁ କରି ଛିଡା ହୋଇଥିଲେ।

ରାମ ପାଗଳା ଇଏ ଏକ ଅଦ୍ଭୁତ ଜୀବନ ବୃତ୍ତାନ୍ତ । ଦୁଇ ବର୍ଷ ତଳେ ନିଜ ସ୍ତ୍ରୀ ଓ ଦୁଇ ବର୍ଷର ଝିଅ କୁ ହରାଇ ଥିଲା ଏକ ସଡକ ଦୁର୍ଘଟଣାରେ ଚଇତ ଯାତ୍ରାରୁ ଫେରିଲା ବେଳେ। ସେଦିନ ଚଇତ ପୂର୍ଣ୍ଣିମା ଥିଲା, ମେଳାରୁ ଗୁଡାଏ ଜିନିଷ ଧରି ଅତି ଖୁସିରେ ବିହ୍ୱଳ ହୋଇ ଫେରୁଥିଲେ ପୁରା ପରିବାର । ଗୋଟାଏ ମୁହୂର୍ତ୍ତରେ ସବୁ ଓଲଟ ପାଲଟ ହୋଇଗଲା । ସାମ୍ନାରେ ରକ୍ତ ରଞ୍ଜିତ ଦୃଶ୍ୟ, ମୁଣ୍ଡ କଣ ହେଇଯାଉଥିଲା ରାମର । ତା ପର ଠାରୁ ସେ ଆଉ ଦୃଶ୍ୟ ଜଗତ ସହ ପରିଚିତ ନ ଥିଲା । ବିପର୍ଯ୍ୟସ୍ତ ବେଶଭୂଷା, ରୁକ୍ଷ ଚେହେରା, ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲା। ଗୋଟାଏ ଘରେ କବାଟ ବନ୍ଦ କରି ରହୁଥିଲା । ଇଛା ହେଲେ ବାହାରୁ ଥିଲା ବାହାରକୁ । ଲମ୍ବା ଚେହେରା ସାଙ୍ଗକୁ ଅନଭ୍ୟସ୍ତ କେଶରାଶି । ଦାଢିଭର୍ତି ମୁହଁ ସାରା , ଗଳାରେ ଗୋଛାଏ ରୁଦ୍ରାକ୍ଷ ମାଳା, କପାଳରେ ନାଲି ତିଳକ, ଖୁବ୍ ଗମ୍ଭୀର ସ୍ବଭାବ ତାକୁ ରାମ ପାଗଳା ଆଖ୍ୟା ଦେଇଥିଲା ବେତନଟୀ ବ୍ଲକ କଲୋନୀରେ ।

ରାମରୁ ରାମ ପାଗଳା ପାଲଟି ଯାଇଥବା ଲୋକ ଟିର ଅଭ୍ୟନ୍ତରରେ ଯେ ଦରଦୀ ଓ ସ୍ନେହଛଳଛଳ ହୃଦୟ ଟିଏ ଛପି ରହିଛି ,ତାହା କେହି ବିଶ୍ବାସ କରିପାରୁନଥିଲେ । ଲୋନି ଆସିଲା ବେଳେ ସେ ଲୋନିକୁ ଧରି ଭୋ ଭୋ ହୋଇ କାନ୍ଦୁଥିଲା କହୁଥିଲା ମୋ ଝିଅ କୁ ଆଜି ମୁଁ ପାଇଛି । ଆଉ ଛାଡିବିନି ତାକୁ ମୋ ପାଖରୁ । ଏତେ ମାର୍ମିକ ଥିଲା ସେ ଦୃଶ୍ୟ, ସମସ୍ତଙ୍କ ଆଖିରୁ ଲୁହ ଝରୁଥିଲା ।

ୟୁ ଏନ୍ କଲେଜ୍   ଅଡଶପୁର କଟକ

Leave A Reply

Your email address will not be published.