Latest Odisha News

BREAKING NEWS

ଗତବର୍ଷ ତୁଳନାରେ କୃଷିକୁ ୨୦% ଅଧିକ ବ୍ୟୟ ବରାଦ

ଭୁବନେଶ୍ୱର: ୨୦୨୩-୨୪ ଆର୍ଥିକ ବର୍ଷ ବଜେଟ୍ ବିଧାନସଭାରେ ଉପସ୍ଥାପିତ ହୋଇଛି । ପ୍ରଥମେ ଅର୍ଥମନ୍ତ୍ରୀ ଉପସ୍ଥାପନ କରିଥିଲେ କୃଷି ବଜେଟ୍ । ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ୨୪ ହଜାର ୮ ଶହ ୨୯ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ରଖାଯାଇଛି । ଗତବର୍ଷ ତୁଳନାରେ ୨୦ ପ୍ରତିଶତ ଅଧିକ ଓ ୨୦୧୬-୧୭ ଆର୍ଥିକ ବର୍ଷ ବଜେଟ୍ ଆକଳନ ଠାରୁ ୩ ଗୁଣ ଅଧିକ ବ୍ୟୟବରାଦ ହୋଇଛି ।

ଧାନ ସଂଗ୍ରହ କାର୍ଯ୍ୟକ୍ରମ ନିମନ୍ତେ ୨ ହଜାର କୋଟିର ରିଭଲଭିଂ ଫଣ୍ଡର ବ୍ୟବସ୍ଥା କରାଯାଇଛି । କାଳିଆ ଯୋଜନା ପାଇଁ ୧ ହଜାର ୮ ଶହ ୭୯ କୋଟି ଟଙ୍କାର ବ୍ୟୟ ବରାଦ ପ୍ରସ୍ତାବ ରଖାଯାଇଛି । ଓୟୁଏଟିରେ କୃଷି ଗବେଷଣା, ଶିକ୍ଷା ଓ ଭିତ୍ତିଭୂମି ବିକାଶ ପାଇଁ ୧ ଶହ ୬୬ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଯାହାକି ୨୦୧୯-୨୦ ବର୍ଷ ବ୍ୟୟ ବରାଦର ପ୍ରାୟ ୫ ଗୁଣ ।

ଉଦ୍ୟାନ କୃଷି ବିକାଶ କାର୍ଯ୍ଯକ୍ରମ ଅଧିନରେ ୩୮୧ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଜାତୀୟ ଉଦ୍ୟାନ କୃଷି ମିଶନ ଅଧିନରେ ୧୨୧ ଟଙ୍କା ବ୍ୟୟ ବରାଦ ପ୍ରସ୍ତାବ ରହିଛି । ଜୈବିକ କୃଷିକୁ ପ୍ରୋତ୍ସାହନ ଲାଗି ଆଗାମୀ ୫ ବର୍ଷରେ ୨ ଲକ୍ଷ ହେକ୍ଟର ଜମିରେ ଜୈବିକ ଚାଷ ଲକ୍ଷ୍ୟ ରଖାଯାଇଛି । କୃଷି ଯନ୍ତ୍ରାଂଶ ରିହାତି ପାଇଁ ୩୮୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

କ୍ଷୁଦ୍ର ଜଳସେଚନ ରାଜ୍ୟ ସହାୟତା ବାବଦକୁ ୪୫ କୋଟି ଟଙ୍କା ଦିଆଯାଇଛି । ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଲାଗି ୩୦୬ କୋଟି, ଫାର୍ମର ପ୍ରଡ୍ୟୁସର ଅର୍ଗାନାଇଜେସନ୍ ଲାଗି ୫୨ କୋଟି ବ୍ୟୟ ବରାଦ ପ୍ରସ୍ତାବ ରହିଛି । କୃଷି କ୍ଷେତ୍ରରେ ମହିଳା ସଶକ୍ତିକରଣ-ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରୋତ୍ସାହନ ପାଇଁ ୩୬୭ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଛତୁ ମିଶନ ଓ ଫୁଲ ଚାଷ ପାଇଁ ୧୦୦ କୋଟି ଟଙ୍କା ବ୍ୟୟ ବରାଦ ପ୍ରସ୍ତାବ ରହିଛି ।

୫ ବର୍ଷ ମଧ୍ୟରେ ରାଜ୍ୟର ୯ ଜିଲ୍ଲାର ୫୦ଟି ବ୍ଲକରେ ଓଡ଼ିଶା ପଣସ ମିଶନ କାର୍ଯ୍ୟକାରୀ ହେବାକୁ ଯାଉଛି । ଏଥିପାଇଁ ବଜେଟରେ ୯ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ୨୦୨୩ ଶେଷ ସୁଦ୍ଧା ଗଞ୍ଜାମର ଘଟକେଶ୍ୱର ଡ୍ୟାମ, ଅନୁଗୁଳର ମନଯୋର ସମ୍ପ୍ରସାରଣ ଏବଂ ନୟାଗଡ଼ କୁସୁମୀ ବ୍ୟାରେଜ୍ କାର୍ଯ୍ୟ ସରିବ । ଇନଷ୍ଟ୍ରିମ୍ ଷ୍ଟରେଜ୍ ଷ୍ଟ୍ରକ୍ଚର ଲାଗି ୮୫୪ କୋଟି ବ୍ୟୟ ବରାଦ କରାଯାଇଛି ।

ପାର୍ବତୀଗିରି ବୃହତ ଉଠା ଜଳସେଚନ ପାଇଁ ଅତିରିକ୍ତ ୫ ଶହ କୋଟିର ପ୍ରସ୍ତାବ ରହିଛି । ଗଭୀର ନଳକୂପ ସ୍ଥାପନ ପାଇଁ ୪ ହଜାର ୧୯୮ କୋଟି, ବିଜୁ କୃଷକ ବିକାଶ ଯୋଜନା ଅଧିନରେ ୧ ହଜାର ୫୦୦ ଉଠାଜଳସେଚନ ପ୍ରକଳ୍ପ ଲାଗି ୪ କୋଟି ଟଙ୍କାର ପ୍ରସ୍ତାବ ରହିଛି । ଅଚଳ ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପର ପୁନରୁଦ୍ଧାର ଲାଗି ୧୯୧ କୋଟି ଟଙ୍କାର ପ୍ରସ୍ତାବ ରହିଛି । ଆଡ଼ି ଡ୍ୟାମ୍ ଲାଗି ୧୮୧ କୋଟି, ବାତ୍ୟା ପ୍ରତିରୋଧୀ ଲୁଣି ବନ୍ଧ ପ୍ରକଳ୍ପ ଲାଗି ୯୬୧ କୋଟି, ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ଲାଗି ୧୨୫ କୋଟି ବ୍ୟୟବରାଦ ହୋଇଛି ।

ଭାଗଚାଷୀଙ୍କ ପାଇଁ ବଳରାମ ଯୋଜନା ଲାଗି ୯୮ କୋଟି, କାଳିଆ ଯୋଜନାରେ ଚାଷୀଙ୍କୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ଦିଆଯାଉଛି । ୫୦ ହଜାରରୁ ୩ ଲକ୍ଷ ଋଣ ରାଶିରେ ଶତକଡ଼ା ୨ ପ୍ରତିଶତ ସୁଧ ରିହାତି ଲାଗି ୮୩୬ କୋଟି ବ୍ୟୟ ବରାଦ ପ୍ରସ୍ତାବ ରଖାଯାଇଛି । ସମବାୟ ସଂସ୍ଥାରେ କୃଷି ଋଣ ପାଇଁ ୧୫୦ କୋଟି, ସାର ଓ ବିହନ କିଣା ପାଇଁ ସୁଧମୁକ୍ତ ଋଣ ପ୍ରଦାନ ବାବଦକୁ ୨ ଶହ କୋଟିର ବ୍ୟୟ ବରାଦ କରାଯାଇଛି ।

ପ୍ରଧାନମନ୍ତ୍ରୀ ଫସଲ ବୀମା ପାଇଁ ୬ଶହ କୋଟି, ମିଲେଟ୍ ମିଶନ ଲାଗି ୪୯୭ କୋଟି, ମତ୍ସ୍ୟଚାଷ ଓ ପଶୁପାଳନ ଲାଗି ୧ ହଜାର ୭୬୯ କୋଟି, ସଘନ ଓ ଆଭ୍ୟନ୍ତରୀଣ ମାଛଚାଷର ଉନ୍ନତି ପାଇଁ ୧୪୩ କୋଟି, ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ପାଇଁ ୨୧୦ କୋଟି, ମତ୍ସ୍ୟ ଅବତରଣ କେନ୍ଦ୍ର ଲାଗି ୨୨୦ କୋଟି, ଅସ୍ତରଙ୍ଗ ଦେବୀ ମୁହାଣ ଓ ପାରାଦୀପ ମହାନଦୀ ମୁହାଣରେ ନୌକା ଚଳାଚଳ ପାଇଁ ୨୦ କୋଟି ବ୍ୟୟ ବରାଦ ପ୍ରସ୍ତାବ ରହିଛି ।

ନୀଳ ବିପ୍ଳବ ଯୋଜନା ପାଇଁ ୧୮୦ କୋଟି, କୁକୁଡ଼ା ଚାଷ ପାଇଁ ୧୫୭ କୋଟି, ଗୋପାଳନ ଉନ୍ନୟନ ଓ ପଶୁଧନ ପରିଚାଳନା ପାଇଁ ୧୨୦ କୋଟି, ପଶୁସମ୍ପଦ ସ୍ୱାସ୍ଥ୍ୟ ଓ ରୋଗ ନିୟନ୍ତ୍ରଣ ଲାଗି ୨୬୭ କୋଟି, ଦୁଗ୍ଧ ଉତ୍ପାଦନ ପାଇଁ ୧୮ କୋଟି, ପଶୁ ସେବା ତଥା ଆବଶ୍ୟକୀୟ ଭିତ୍ତିଭୂମି ପ୍ରଦାନ ନିମନ୍ତେ ୧୯୪ କୋଟି ବ୍ୟୟ ବରାଦ କରାଯାଇଛି ।

ସୂଚନାଯୋଗ୍ୟ, ରାଜ୍ୟରେ ୨୦୧୩-୧୪ ଆର୍ଥିକ ବର୍ଷରେ ପ୍ରଥମ ଥର ପାଇଁ ୭ ହଜାର ୧୬୨ କୋଟି ଟଙ୍କା ବ୍ୟୟ ଅଟକଳର ସ୍ୱତନ୍ତ୍ର କୃଷି ବଜେଟ୍ ଆଗତ ହୋଇଥିଲା ।

Leave A Reply

Your email address will not be published.