Latest Odisha News

BREAKING NEWS

ଗୌତମ ବୁଦ୍ଧଙ୍କ ମୁକ୍ତ ବିଚାର

‘ବୁଦ୍ଧ ପୂର୍ଣ୍ଣିମା’ ଉପଲକ୍ଷେ ରାଜଲକ୍ଷ୍ମୀ ତ୍ରିପାଠୀଙ୍କ ଆଲେଖ୍ୟ 

ମହାନୁଭବ ମହାତ୍ମା ବୁଦ୍ଧଙ୍କ ବିଚାର ଏକ ମୁକ୍ତ ବିଚାର। ଏକ ମୁକ୍ତ ସ୍ବାଧୀନ ଜୀବନଜୀଇଁବାର ମାର୍ଗ। ସ୍ବାମୀ ବିବେକାନନ୍ଦଙ୍କ ଭାଷାରେ ବୁଦ୍ଧ ଜଣେ ବ୍ୟକ୍ତି ନୁହନ୍ତି ସେ ଏକ ଉପଲବ୍ଧି। ବୁଦ୍ଧତ୍ବ ଏକ ଜ୍ଞାନାଲୋକ ଯାହା ମାନବ ଜୀବନର ତିମିରାଚ୍ଛନ୍ନ ପଥକୁ ଆଲୋକିତ କରିଥାଏ। ପ୍ରତ୍ୟେକ ମନୁଷ୍ୟ ଭିତରେ ବୁଦ୍ଧତ୍ବର ବୀଜ ରହିଛି। ତେଣୁ ବ୍ୟକ୍ତି ଚେଷ୍ଟା କଲେ ସେ ଜ୍ଞାନ ଲାଭ କରିପାରିବ।

ଗୌତମ ବୁଦ୍ଧଙ୍କ ଆଧ୍ୟାତ୍ମିକ ଉପଦେଶରେ ରହିଛି ବାସ୍ତବତା। ମନୁଷ୍ୟ ନିଜର ସ୍ବରୂପକୁ ଚିହ୍ନିବା ପାଇଁ ଏହା ସତ୍ ଧର୍ମର ପଥ ପ୍ରଦର୍ଶନ କରିଥାଏ। ତାଙ୍କ ସତ୍ ପଥ ଶାନ୍ତି ଓ ମୈତ୍ରୀରେ ପରିପୂର୍ଣ୍ଣ। ବୁଦ୍ଧଦେବଙ୍କ ଶିକ୍ଷାରେ ଅଛି ଯେ, ଏହି ଜଗତରେ ସୌନ୍ଦର୍ଯ୍ୟ ଓ କୁତ୍ସିତ ବୋଲି କିଛି ନାହିଁ। ସମସ୍ତ ବସ୍ତୁ ଓ ଧମ୍ମର ପ୍ରକୃତ ସ୍ବରୂପ ସୌନ୍ଦର୍ଯ୍ୟ ଓ କୁତ୍ସିତର ବହୁ ଉର୍ଦ୍ଧ୍ବରେ । ଭଲ ମନ୍ଦ ,ସୁନ୍ଦର ଅସୁନ୍ଦର ଭଳି ଶବ୍ଦର ଧାରଣା ହିଁ ଆମ ମନ ସୃଷ୍ଟି କରିଥାଏ। ବ୍ୟକ୍ତି ଗଭୀରତା ର ସହ ଧମ୍ମ ବା ଧର୍ମ ଓ ବସ୍ତୁ ଗୁଡିକର ଗତିବିଧିକୁ ଲକ୍ଷ୍ୟ କଲେ ଜାଣିପାରେ ଯେ ଯାହାସବୁ ସୁନ୍ଦର କିମ୍ବା ଅସୁନ୍ଦର ଜଣାପଡୁଛି ସବୁ ହିଁ ଭ୍ରମ। କାରଣ ଆମ ଭିତରର ପ୍ରକୃତ ସୌନ୍ଦର୍ଯ୍ୟ ହେଉଛି କରୁଣା ଓ ବିମୁକ୍ତି ; ଯାହାର କି କୌଣସି ମଳିନତା ନଥାଏ। କୌଣସି ବସ୍ତୁଠାରେ ଆସକ୍ତ ନହେବା କିମ୍ବା ତା’ର କୌଣସି ସର୍ତ୍ତ ଦ୍ବାରା ଆବଦ୍ଧ ନହେବା ହେଉଛି ବିମୁକ୍ତି। ସେହିପରି ଅହେତୁକ ଭାବରେ ଭଲ ପାଇବା ଏବଂ ପ୍ରତିବଦଳରେ କିଛି କାମନା ନକରିବା ହିଁ କରୁଣା। ଏହି କରୁଣା ସେବା ଓ ତ୍ୟାଗ ପାଇଁ ଉତ୍ସାହ ପ୍ରଦାନ କରେ । ମନ ରୂପକ ଦର୍ପଣ ନାନା ପ୍ରକାର ସାଂସାରିକ ଭାବନା ଦ୍ବାରା ରଙ୍ଗ ବେରଙ୍ଗ ହୋଇଯାଏ । ଫଳରେ ବ୍ୟକ୍ତି ନିଜ ସ୍ବରୂପକୁ ଦେଖିବାକୁ ଅସମର୍ଥ ହୁଏ । ଏକ ସ୍ବଚ୍ଛ ମନ ଓ କାରୁଣ୍ୟ ହୃଦୟର ପ୍ରଭାବ ଦ୍ବାରା ଚତୁଃପାର୍ଶ୍ବସ୍ଥ ସକଳ ଜୀବଜଗତ ପ୍ରଭାବିତ ହୁଅନ୍ତି।

ବୁଦ୍ଧଦେବ ତାଙ୍କର ଶିଷ୍ୟମାନଙ୍କୁ ଉପଦେଶ ମାଧ୍ୟମରେ ଶିକ୍ଷା ଦେଇଥିଲେ ଯେ , ନିଃସ୍ୱାର୍ଥପର ଭାବରେ ବହୁଜନ ହିତ ପାଇଁ ସେବା କରିବାକୁ ପଡିଥାଏ।ସର୍ବପ୍ରାଣୀଙ୍କ ସେବା ଓ ମୈତ୍ରୀ ଭାବନା ଦ୍ବାରା ମନୁଷ୍ୟ ମନରୁ ସ୍ବାର୍ଥ ବାସନା ଦୂର ହୁଏ । ଆଧ୍ୟାତ୍ମିକ ମାର୍ଗରେ ସର୍ବଦା ମଧ୍ୟମ -ମାର୍ଗକୁ ଗୁରୁତ୍ୱ ଦେଇଥିବା ମହାତ୍ମା ବୁଦ୍ଧ ସବୁ ବସ୍ତୁ କ୍ଷେତ୍ରରେ ଆମର ପାରମିତତା ,ଭାରସାମ୍ୟ ବା ନିୟନ୍ତ୍ରଣ ରହିବା ଉଚିତ ବୋଲି ଶିକ୍ଷା ଦେଇଛନ୍ତି । ପରମ କାରୁଣିକ ବୁଦ୍ଧଙ୍କର ମାନବବାଦ ଦର୍ଶନ ବିଶ୍ବରେ ବିରଳ,ଯାହା ବ୍ୟବହାରିକ ଜୀବନକୁ ଦୁଃଖ ଯନ୍ତ୍ରଣାରୁ ଉପଶମ କରିବା ସହିତ ଶାନ୍ତିମୟ ଜୀବନ ଯାପନ ପାଇଁ ଅନେକ ସମ୍ୟକ ମାର୍ଗ ଓ ପ୍ରେରଣା ଯୋଗାଇଥାଏ ।

ବୁଦ୍ଧଦେବଙ୍କ ବିଚାରଧାରାରେ ପ୍ରତି ମଣିଷ ଭିତରେ ଥିବା ବୁଦ୍ଧ -ସତ୍ତାଙ୍କୁ ଅନୁଭବ କରିବା ସବୁଠାରୁ ବଡ଼ କଥା। ବୁଦ୍ଧ ପୂର୍ଣ୍ଣିମାର ପୁନେଇଁ ଜହ୍ନ ପରି ମଣିଷର ଚେତନାର ଜହ୍ନ ଉଇଁ ଉଠୁ ଏହା ହିଁ ପ୍ରାର୍ଥନା।

Leave A Reply

Your email address will not be published.