Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ର ସୁରକ୍ଷା କବଚ ମେଘନାଦ ପ୍ରାଚୀର ବିଷୟରେ ଆଲୋଚନା କରିବା ସମୟରେ, ଚାରି ଦ୍ୱାର ବିଷୟରେ ଜାଣିଲେ, କିନ୍ତୁ ମୂଖ୍ୟ ଦ୍ୱାର ବା ପୂର୍ବ ଦିଗରେ ଥିବା ସିଂହଦ୍ୱାର ବିଷୟରେ ବିଷଦ ଆଲୋଚନା କରିବାକୁ ପଡିବ। କାରଣ ଆଧ୍ୟାତ୍ମିକ ଦୃଷ୍ଟିରୁ ଏହି ଦ୍ୱାରର ପ୍ରାଧ୍ୟାନତା କିଛି କମ ନୁହେଁ। ଅରୁଣ ସ୍ତମ୍ଭ ଚକଡାର ସମ୍ମୁଖରେ ପୂର୍ବାଭିମୁଖୀ ହୋଇ ଶ୍ରୀମନ୍ଦିରର ମୂଖ୍ୟ ପ୍ରବେଶ ପଥର ସୁଦୃଶ୍ୟ ଦ୍ୱାର ସିଂହ ଦ୍ୱାର। ଏହି ଦ୍ୱାରର ଉଭୟ ପାର୍ଶ୍ଵରେ ଦୁଇଟି ବୃହତ ସିଂହ ମୂର୍ତ୍ତି ବିରାଜିତ ଥିବାରୁ, ଲୋକ ମୁଖରେ ଏହା ସିଂହଦ୍ୱାର ଭାବରେ ଖ୍ୟାତ ହୋଇଛି। କେବଳ ସିଂହମୂର୍ତ୍ତି ନୁହେଁ ଦୁଇ ପାର୍ଶ୍ଵରେ ଗୋଲାକାର ସ୍ତମ୍ଭ ସଂଲଗ୍ନ ହୋଇ ଜୟ ବିଜୟ ମୂର୍ତ୍ତି ସୁଶୋଭିତ ହୋଇଛି । ପ୍ରାୟ ତିନି ଫୁଟ ଉଚ୍ଚତା ବିଶିଷ୍ଟ ଏହି ବିଗ୍ରହ ଦ୍ୱୟ ଚତୁର୍ଭୁଜ ବିଶିଷ୍ଟ ଉପର ହସ୍ତରେ ଶଙ୍ଖ ଚକ୍ର ଓ ନିମ୍ନ ହସ୍ତରେ ଗଦା ଓ ଜପାମାଳ ଶୋଭିତ ହୋଇଛି। ଏହି ଦୃଶ୍ୟମାନ ବିଗ୍ରହର ପଛରେ ମୁଗୁନି ପଥରର ପ୍ରାୟ ଅଢେଇଫୁଟ ଉଚ୍ଚର ଆଉ ଦୁଇଟି ବିଗ୍ରହ ଅଛନ୍ତି। ସିଂହଦ୍ୱାର ପ୍ରସ୍ଥ ପ୍ରାୟ ଦଶ ଫୁଟ ଓ ଉଚ୍ଚତା ବାର ଫୁଟ ଅଟେ। ଦୁଇ ଫାଳ ବିଶିଷ୍ଟ ଦ୍ୱାରଟି ଶାଳ, ପିଆଶାଲ କାଠରେ ନିର୍ମିତ୍ତ ହୋଇ ଏଥିରେ ପିତ୍ତଳ ଚାଦରର ଛାଉଣୀ ଦିଆ ଯାଇଛି। ଡାହାଣ ଫାଳ ଦ୍ୱାରରେ ଶଙ୍ଖ ଓ ବାମ ଫାଳରେ ଚକ୍ର ସହ ପାଞ୍ଚଟି ଲେଖାଏଁ ଘଣ୍ଟି ରହିଛି। ଡାହାଣ ପାଖରେ ଏକ ଖୁଦ୍ର ଚୋରା ଦ୍ୱାର ରହିଛି। ଦ୍ୱାର ବନ୍ଦ ଥିବା ସମୟରେ ପାଳିଆ ସେବକ, ମନ୍ଦିର କର୍ମଚାରୀ ଏହି କ୍ଷୁଦ୍ର ଦ୍ୱାର ଦେଇ ଯାଇଥାନ୍ତି। ସିଂହଦ୍ୱାର ଉପର ପାର୍ଶ୍ଵ ବନ୍ଧରେ ଖୋଦିତ ନାଗ ବନ୍ଧ, ପଦ୍ମ, ପୁଷ୍ପ ଇତ୍ୟାଦି ଅତ୍ୟନ୍ତ ଚିତାକର୍ଷକ ହୋଇଛି। ଆଗାମୀ ଅଧ୍ୟାୟରେ ଏହି ଦ୍ୱାରରେ ଥିବା ନବଗ୍ରହ ଓ ଅନ୍ୟାନ୍ୟ ମୂର୍ତ୍ତି ବିଷୟରେ ଚର୍ଚ୍ଚା କରିବା। ବର୍ତ୍ତମାନ ଆରାଧନା ଓ ଭାଗବତ ପଠନ।

“ଏ ଆତ୍ମା ମନ ପଛେ ପଛେ
ସ୍ଵଭାବେ ବୁଲଇ ପ୍ରତ୍ୟକ୍ଷେ ।
ଏଣୁ ସେ ମନ ଥାଇ ଯହିଁ
ଏ ଜୀବ ଆତ୍ମା ମିଳେ ତହିଁ ।
ଏ ଆତ୍ମା ଅହଂକlରେ ବନ୍ଦୀ
ଅଦୃଷ୍ଟ ବଶ ନିରବଧି ।”

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.