Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପୁରୁଷୋତ୍ତମ ଶ୍ରୀଜଗନ୍ନାଥ, ଶ୍ରୀମନ୍ଦିର ଓ ସିଂହଦ୍ୱାର ଭକ୍ତର ଚେତନାରେ ସେହି ଏକା ପରମ ପାବନ ଧାରା ସୃଷ୍ଟି କରେ। କାରଣ ସିଂହଦ୍ୱାର ଏଠି କେବଳ ଯିବା ଆସିବା ପଥ ଟିଏ ନୁହେଁ କି ଗୁମୁଟ ଟିଏ ନୁହେଁ, ଏହା କୋଟି ଓଡ଼ିଆଙ୍କ ଭାବର ଉଚ୍ଚ୍ଵାସ । ଏଇଠି ବିରାଜମାନ ପତିତ ମାନଙ୍କ ପ୍ରାଣ ପ୍ରଭୂ “ପତିତପାବନ “. ସିଂହଦ୍ୱାର ଡେଇଁ ଯାଇ ପାରୁନଥିବା ଭକ୍ତ ଟିଏ ବଡ଼ଦାଣ୍ଡରୁ ମଥାରେ ହାତ ଯୋଡି ଡାକେ “ମଣିମା ହେ ଶୁଣିମା ହେଉ ଗୁହାରି ।” ଏହି ଶବ୍ଦର ଲହରୀ ପହଁରି ଯାଏ ଗର୍ଭଗୃହ ପର୍ଯ୍ୟନ୍ତ, ରତ୍ନସିଂହାସନ ପର୍ଯ୍ୟନ୍ତ, ନୀଳାଦ୍ରିବିହାରୀଙ୍କ ପାଖକୁ।

ଆଜି ଆମେ ମଧ୍ୟ ସେହି ସିଂହଦ୍ୱାର ଗୁମୁଟରେ ରହି ତନ୍ନ ତନ୍ନ କରି ସବୁ ଦେଖିନେବା। ଆଗ ସିଂହଦ୍ୱାର ତୋରଣକୁ ଚାହିଁ ଦିଅ। ସେଠି ପରା ବିରାଜିତ ଅଛନ୍ତି ମା ଲଷ୍ମୀ “ତୋରଣ ଲଷ୍ମୀ “। ଅବଶ୍ୟ ମା ଅନ୍ନପୂର୍ଣ୍ଣା ପ୍ରାୟ ୨୨ ଫୁଟ ଉଚ୍ଚତାରେ ଅଛନ୍ତି। ମାଙ୍କ ଡାହାଣରେ ଚାରି ସଖି ଓ ବାମରେ ପାଞ୍ଚ ସଖି ଦଣ୍ଡାୟମାନ ଅଛନ୍ତି। ପ୍ରାୟ ତିନି ଫୁଟ ଉଚ୍ଚତାର ମା ଲଷ୍ମୀ ଏଠି ଚତୁର୍ଭୁଜା, ଡାହାଣ ଦୁଇହାତରେ ପଦ୍ମ ଓ ବାମ ଦୁଇହସ୍ତ ଅଭୟ ମୁଦ୍ରାରେ ଶୋଭିତ। ଦୁଇପାର୍ଶ୍ଵରେ ଦୁଇଟି ଗଜ ବିଦ୍ୟମାନ।
ସିଂହଦ୍ୱାର ପ୍ରବେଶ ପଥର ଠିକ ଉପରେ ଏକ ଶକ୍ତ ଲୁହା ବିମ ଅଛି। ଠିକ ତାରି ଉପରେ ଥିଲା ଦଶ ଅବତାର ମୂର୍ତ୍ତି, ବର୍ତ୍ତମାନ ନୂତନ ଦଶlବତାର ମୂର୍ତ୍ତି ଗଠନ ସରିଥିଲେ ମଧ୍ୟ ତାହା ଲଗାଯାଇନି। ବିବାଦ ନବମ ଅବତାରକୁ ନେଇ। ସେଠି ବୁଦ୍ଧ, ବା ଶ୍ରୀଜଗନ୍ନାଥଙ୍କ ବୌଦ୍ଧ ରୂପ ରହିବ। ସେ ତର୍କର ଅବସାନ ଘଟିଲେ ତାହା ଶୋଭା ପାଇବ। ଆଗରୁ ନବମ ସ୍ଥାନରେ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ହିଁ ଥିଲା। ଗବେଷକଙ୍କ ମତରେ ଶ୍ରୀଜଗନ୍ନାଥ ଅବତାରୀ ତେଣୁ ଅବତାର ସ୍ଥାନରେ କାହିଁକି ତାଙ୍କ ମୂର୍ତ୍ତି ରହିବ। ଏପଟେ ବୁଦ୍ଧଦେବଙ୍କୁ ନବମ ଅବତାର ମାନିବାରେ କିଛି ମତଭେଦ ରହୁଛି। ସମାଧାନ ସ୍ୱୟଂ ଶ୍ରୀଜଗନ୍ନାଥଙ୍କ ହାତରେ। ଆସନ୍ତୁ ଆଗକୁ ପାଦ ବଢାଇବା, ମାନେ ସିଂହଦ୍ୱାର ଗୁମୁଟ ମଧ୍ୟକୁ, ମଥାନତ କରିବା ପତିତପାବନଙ୍କ ନିକଟରେ। କିନ୍ତୁ ଆଲୋଚନା ଆଗାମୀ ଅଧ୍ୟାୟରେ ଏବେ ଆରାଧନା ଓ ଭାଗବତ ପଠନ ।

ମୁଁ ଯେଣୁ ବୈକୁଣ୍ଠ ଠାକୁର
ତେଣୁ ବୈକୁଣ୍ଠ ନାମ ତାର ।
ଏଣୁ ମୁଁ ବ୍ରହ୍ମ ପ୍ରଜାପତି
ଲୋକ ଆଧାର ଲୋକ ସ୍ଥିତି ।
ସମସ୍ତ ପାଳି ଯୋଗ ବଳେ
ପୁଣି ସଂହାରେ ଅନ୍ତକାଳେ ।
ଏଣୁ ଏ ଅନିତ୍ୟ ସଂସାର
ତ୍ରିଗୁଣ କର୍ମରେ ସଂଚାର ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.