Latest Odisha News

BREAKING NEWS

ଅନୁଭୂତିରେ ରଥଯାତ୍ରା : ଲୋପାମୁଦ୍ରା ପରିଡ଼ା 

ସ୍ମୃତିରେ ତୁମେ

କାଳିଆର କଥା ତ ସ୍ମୃତି ନୁହେଁ ଆତ୍ମା, ଚେତନାର ଅନୁଭୂତି ।ପ୍ରଣବାକାର ପରମ ବ୍ରହ୍ମ ସିଏ । ସେ ଆମକୁ ସେତିକି ଭଲପାଇବା ଦେଇଛି ଯେ ଆମ ଭିତରର ଆପଣାପଣ ତାକୁ ଅତି ଆପଣାର ପ୍ରିୟ ମଣିଷ ପରି ” ତୁ ” ପରି ସମ୍ବୋଧିତ କରିପାରୁଛେ । ନୋହିଲେ ସେ ତ ଅଖିଳକୋଟି ବ୍ରହ୍ମାଣ୍ଡ ପତି, ଅଚଳ ମହାମେରୁ ,ସୃଷ୍ଟି _ ସ୍ଥିତି_ପ୍ରଳୟ, ଆଦି _ ଅନ୍ତ _ ଅନନ୍ତ । କୁହନ୍ତି ନା କୋଟି ଜନ୍ମର ପୂଣ୍ୟ ବଳେ ଜୀବ ମନୁଷ୍ୟ ଯୋନିର ଜନ୍ମେ । ଏଇ ଜନ୍ମ ହି ତାକୁ ମୋକ୍ଷ ଦେଇ ଈଶ୍ବରପ୍ରାପ୍ତି ପରି ଜୀବନର ଏକମାତ୍ର ଦିବ୍ଯ ଲକ୍ଷ୍ୟକୁ ପାଇପାରେ । ଯାହାଙ୍କର ଇଛ୍ଛା ମାତ୍ରକେ ସୃଷ୍ଟି ଓ ପଲକ ମାତ୍ରକେ ବିଲୟ ସେ ମହାବାହୁଙ୍କ ଶ୍ରୀ ଅରବିନ୍ଦ ଚରଣାରବିନ୍ଦେ କୋଟି କୋଟି ନମନ ।

ରଥ ଦିନ ଆମେ ସବୁ ପୁରୀମଣିଷ କାଳିଆର ନନ୍ଦିଘୋଷ ରଥ ଟଣା ହେଇ ଗୁଣ୍ଡିଚା ଘର ପଟକୁ ଗଡିଗଲା ପରେ ନିଜ ନିଜ ଘରକୁ ଫେରୁ ସିନା , ହେଲେ ମନ ଟା ଭାରି, ଆଉ ଆଖି ହଳକ ଲୁହ ଲୁହ ଥାଏ । ଶ୍ରୀମନ୍ଦିର ଖାଲି ଖାଲି ଲାଗେ । ଆପେ ଅନେଇ ବସୁ ପୁଣି କେବେ ଜଗା ଫେରିବ, ବଡଦେଉଳ ପୁରି ଉଠିବ । ଏ ନଅ ଦିନ କେମିତି କଟିବ । ଗୁଣ୍ଡିଚା ମନ୍ଦିର ପଟେ ଲୋକେ ମହା ଆନନ୍ଦିତ ହୁଅନ୍ତି ଜଗାର ନବଦିନ ଯାତ୍ରା ନେଇ ।

ସେବେ ରଥକୁ ବିଶ୍ବଯାକର ଲୋକେ ରୁଣ୍ଡ ହେଲେ ବି ବାହୁଡାକୁ ଖାଲି ପାଖ ଆଖ ଗାଁ ଗଣ୍ଡା, ଷୋଳ ଶାସନୀ, ସବୁ ସେବାୟତ ଓ ପୁରୀର ବାସିନ୍ଦା ମାନେ ହି ରୁହନ୍ତି ଏବଂ ଅଳ୍ପ ସଂଖ୍ୟକ ଶ୍ରଦ୍ଧାଳୁ ପାଖ ସହର ମାନଙ୍କରୁ ଜୁଟନ୍ତି । ସେଥିପାଇଁ ରଥ ଟଣାରେ ସହଜବୋଧ ହୁଏ ।ରଥ ଦଉଡି ଛୁଇଁ ସେଇଥିରୁ ସୂତାଏ ଟାଣିନେଇ ଘରର ସର୍ବ ଦୋଷ ନିରାକରଣ ରୂପେ ନେଇ ରଖନ୍ତି । ବର୍ଷକିଆ ଶିଶୁ ମାନଙ୍କୁ ରଥ ଛୁଏଁଇବାର ବିଧି ଆମ ସଂସ୍କୃତି ରେ ପ୍ରଚଳିତ । ସେ ନେଇ ଅନେକ ଅଭିଭାବକ ତୋଳି ଧରନ୍ତି କଅଁଳା ପିଲାଙ୍କୁ କାଳିଆକୁ ସମର୍ପିତ କରି । ତାର ଜୀବନକୁ ଟେକିଦିଅନ୍ତି କାଳିଆର ଭୁଜବଳକୁ ଭରସି ।

ବାଟ ଯାକ ଚାରିଚକିଆ ଠେଲା ଗାଡିରେ ବିଭିନ୍ନ ପ୍ରକାର ମିଠେଇ ଭୋଗ ପାଇଁ ବିପଣୀ ଲଗେଇଥାନ୍ତି । ବଡଦାଣ୍ଡର ସବୁଦିନିଆ ରାସ୍ତା ଦୁଇପାଖର ଉଠା ଦୋକାନ ତକ ରଥ ପାଇଁ ଉଠି ଯାଇଥାନ୍ତି । ଏ ନଅ ଦିନ ମେଳା ମଉଛ୍ଛବ, ପ୍ରଦର୍ଶନୀ,ଘରକରଣା ବିକିକିଣା ଗହଳି ଲାଗିଥାଏ ବଡ ଦାଣ୍ଡ ଯାକ । କାଳିଆ ଯୁଆଡେ ଗହଳି ସିଆଡେ । ମାଟି କଣ୍ଢେଇର ଦୋକାନରେ ବେଶ୍ ଭିଡ ଜମେ ।

ବାହୁଡା ଦିନ ବଡଦେଉଳ ପଟୁ ସମସ୍ତେ ନିଜ ଜୀବଧନ ଜଗାକୁ ବାହୁଡେଇ ଆଣିବାକୁ ଗୁଣ୍ଡିଚା ଘରେ ପହଞ୍ଚି ସାରିଥାଉ ସକାଳ ପହରୁ । ତା ‘ ଆଗ ଦିନ ଥାଏ ନବମୀ/ ସଂଧ୍ୟା ଦର୍ଶନ । ଆଡପ ମଣ୍ଡପରେ ଚତୁର୍ଦ୍ଦା ମୂର୍ତ୍ତି ଙ୍କୁ ଏହି ସଂଧ୍ୟା ରେ ଦର୍ଶନ କଲେ ଚତୁର୍ବଗ ଫଳ ( ଧର୍ମ, ଅର୍ଥ, କାମ,ମୋକ୍ଷ ) ପ୍ରାପ୍ତି ହୁଏ ବୋଲି ଲୋକବିଶ୍ବାସ ।

ଆମେ ଯେମିତି କୁଆଡେ ବୁଲି ଗଲେ ଫେରିବାକୁ ଡେରି ଡେରି କରୁ, ସେଠା ମଉଜ ଛାଡି ଆସିବାକୁ ଇଛ୍ଛା କରୁନା, ଆମ ଠାକୁର ବି ସେମିତି ଜମା ମନ ବଳାଏନି ତରତର ହେଇ ଫେରିଆସିବାକୁ । ପତିତପାବନ ପରା ସିଏ । ବାହାରକୁ ଆସିଛି ଯେତେବେଳେ ଲକ୍ଷେକୋଟି ପତିତ ଉଦ୍ଧାରେ ତାର ମନ ।

ବିଭିନ୍ନ ମଠ ମନ୍ଦିର ମାନଙ୍କରୁ, ବିଭିନ୍ନ ଗ୍ରାମ ଓ ପ୍ରାନ୍ତରୁ ଓ ଲୋକଙ୍କ ଘର ମାନଙ୍କରୁ ଲୋକେ ପନ୍ତି ଭୋଗ ନୂଆ ବାଇହାଣ୍ଡି ,କୁଡୁଆ, ତାଳପତ୍ର ଡାଲା, ଝୁଡି, ଟୋକେଇ ଆଦିରେ ଚୁଡାଘଷା, ନୁଣୁଖୁରୁମା, ପାରିଜାତକ, ମୁଠି ଗଜା, ଖଜା, ପୁରୀ, ମୋହନଭୋଗ, ବୁନ୍ଦିଆ, କାକରା,ଜଗନ୍ନାଥ ବଲ୍ଲଭ,ନଡିଆ, ତୁଳସୀ ମାଳ,ଫୁଲ,ପଦ୍ମ ଇତ୍ୟାଦି ଇତ୍ୟାଦି ଆଣି ବଡଦାଣ୍ଡ ରେ ରଥମଣୋହୀ କରନ୍ତି । ଦୀପ,ଧୂପ, ନୈବେଦ୍ଯ ବାଢି ନିଉଛାଳି ହୁଅନ୍ତି । ଭାରି ଭାବଭରା ସେ ଦୃଶ୍ୟ । ଅଭିମାନ, ସୁଖ,ଦୁଃଖ, ମାନ, ମନ ସବୁ ଦି ହାତ ତୋଳି ଜାଚି ଦେଉଥାନ୍ତି କାଳିଆକୁ ।

ଛକ ଛକରେ ବିଭିନ୍ନ ମଠ,ସ୍ବେଚ୍ଛାସେବୀ ଅନୁଷ୍ଠାନ, ବଦାନ୍ଯ ଓ ଧନିକ ବ୍ଯକ୍ତି ବିଶେଷ ଲୋକେ ବଡ ବଡ ନେଳିଆ ଡ୍ରମରେ ସ୍କ୍ବାସ୍, ରସନା ପାଣି, ଅବଢା ତୋରାଣୀ, ପୁରି ସହ ଶୁଖିଲା ଆଳୁମଟର ତରକାରୀ ,ଓ ଅନ୍ୟାନ୍ୟ ଖାଦ୍ଯ ପୁଡିଆ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ କରିଥାନ୍ତି ଯାତ୍ରୀଙ୍କ ସୁବିଧା ସାହାଯ୍ୟ ଅର୍ଥେ ।ସ୍ଥାନେ ସ୍ଥାନେ ଜଳ ସେଚନ ବ୍ଯବସ୍ଥା ମଧ୍ୟ ହୋଇଥାଏ ଗରମ ଗୁଳୁଗୁଳିରୁ ତ୍ରାହି ନିମନ୍ତେ ।ସରକାରୀ ଆମ୍ବୁଲାନ୍ସ ସହ ସ୍ବେଚ୍ଛାସେବୀ, ସ୍କାଉଟ୍ ଗାଇଡ୍, ଏନ୍ ସି ସି ଦଳ ,ଗୁର୍ଖା ପୋଲିସ୍ ଦଳ, ପ୍ଲାଟୁନ ସମର ଶିକ୍ଷାର୍ଥୀ ବାହିନୀ ମାନେ, ସ୍କୁଲର ପିଲେ ଶୃଙ୍ଖଳା କାର୍ଯ୍ୟ ସହ ହଠାତ୍ ଅସୁସ୍ଥ ବ୍ଯକ୍ତି ମାନଙ୍କ ପାଇଁ ତୁରନ୍ତ ଚିକିତ୍ସାର ତଦାରଖ ବ୍ଯବସ୍ଥା କରୁଥାନ୍ତି ଅବିରତ ଭାବେ ।

ଗୋଟେ ବର୍ଷ କଥା । ବାହୁଡା ଆଷାଢ ଶୁକ୍ଳ ଦଶମୀ । କାଳିଆ, ବଳିଆ, ମାଆ ହଳଦୀମୁହିଁ ତ୍ରିଲୋକ ଭୂବନ ମୋହୀନି ସୁଭଦ୍ରିକେ ଆସି ସିଂହଦ୍ବାରେ । କ୍ଷିରାବ୍ଧି ଆଡକୁ ମୁହଁ କରି ରଥ ତ୍ରୟ ଦଣ୍ଡାୟମାନ ଓ ଶୁଶୋଭିତ, ପୁଲକିତ, ଗର୍ବିତ । ହବନି ନା । ତା’କୋଳର ସ୍ବୟଂ ପରମବ୍ରହ୍ମ ଯେ । ରଥ ଦଶମୀ ସଂଧ୍ୟା ସୁଦ୍ଧା ସିଂହଦୁଆରେ ପହଞ୍ଚି ଯାନ୍ତି ପ୍ରାୟ । ନୋହିଲେ ସଂଧ୍ୟା ପରେ ସେବେ ରଥ ଟଣା ବିଧି ନଥିବାରୁ ପ୍ରାୟତଃ ଶ୍ରୀବଳରାମ ଓ ସୁଭଦ୍ରାଙ୍କର ରଥ ସିଂହଦରଜା ଠି ଆଉ ଜଗାର ରଥ କୋଡିଏ ପଚିଶ ହାତ ଏପାଖକୁ ବଡଦାଣ୍ଡରେ ଠିଆ ହୁଅନ୍ତି ନହେଲେ ଲାଗିଗଲେ ଯଦି ଲାଗିଗଲେ । ତାର ଇଛ୍ଛା । ତା’ଚଳମାନ ହେବା ତାର ହିଁ ଇଛ୍ଛା ।ନୋହିଲେ ପତ୍ର ଟିଏ ଭଲା କିଏ ହଲେଇପାରେ । ସେ ବର୍ଷ ବି ଜଗା ରଥ ଲୁଗା ପଟ୍ଟି ପାଖକୁ ଥାନ୍ତି । ମୁଁ ଘର ଲୋକଙ୍କ ସାଙ୍ଗେ ରାତିରେ ଯାଇ ରଥରେ ଚଢି ଜଗାକୁ କୋଳେଇ କୁଣ୍ଢେଇ ମୁଣ୍ଡିଆ ମାରି ଫେରିଥାଏ। ଫେରିବାକୁ କାହାର ମନ ଥାଏ ଯେ ଥରେ ତା ଆଖିରେ ଆଖି ଲାଖିଲେ । ଥରେ ତା ହୃଦପଲ୍ଲଭରେ ଆଉଜି ଗଲେ । ସେବେ ଏତେ କଡା କଟକଣା ନଥାଏ । ସମସ୍ତେ ଯା ଆସ କରୁଥିବା ଲୋକେ ରଥରେ ଚକ ,ପାରାଭାଡିକୁ ଭରାଡେରା ଦେଇ ଚଢିଯାନ୍ତି । ଦିଅଁ ଙ୍କୁ ଦର୍ଶନ କରି ପରମ ଆନନ୍ଦେ ଧନ୍ଯ ହୁଅନ୍ତି । ଚାରମାଳ ନଥାନ୍ତି। ଚାରମାଳ କେବଳ ଦିଅଁ ପହଣ୍ଡି ପାଇଁ ବନ୍ଧା ହୁଅନ୍ତି । ମୋର ଭାରି ପ୍ରିୟ ଦିଅଁ ରଥରେ ଥିବେ ,ତମେ ଚଢିକି ଛୁଇଁକି,ମନ ଭରି ଗପିକି ଆସିବା ।ଏକାଦଶୀ, ଦ୍ବାଦଶୀଠୁ ନିଳାଦ୍ରୀ ବିଜେ ଯାଏ ତିନି ଦିଅଁ ରଥ ଉପରେ ବଡ ଦାଣ୍ଡ ରେ ଜନତାଙ୍କୁ ଦର୍ଶନ ଦେଇ ସୌଭାଗ୍ଯ ମଣ୍ଡିତ କରାନ୍ତି ।

ତା ପର ଦିନ ଏକାଦଶୀ । ମହାପ୍ରଭୁଙ୍କର ସୁନାବେଶ ହବ ରାତିକି । ଦିନ ବେଳା କାଳିଆ ରଥ ସକାଳୁ ଆସି ବଡଭାଇ ଆଉ ସୁନା ଭଉଣୀ ପାଖରେ ଠିଆ ହେଇ ସାରିଛନ୍ତି ।ଏମାର ମଠ ଉପର ପଟକୁ ପାଲ ଛାମୁଣ୍ଡିଆ ବନ୍ଧାହେଇ ସଂଧ୍ୟା ରେ ହବାକୁ ଥିବା ଭଜନ ସମାରୋହ ର ବ୍ୟବସ୍ଥା ଚାଲିଥାଏ ।ସେଇ ପଟକୁ ଦୀପ ଜାଳୁଥାନ୍ତି ସମସ୍ତେ, ନଡିଆ ବାଡଉଥାନ୍ତି ।ତୁଳସୀ ମାଳ, ପଦ୍ମ ମାଳ, ଗୁରୁଦଲାଙ୍ଗ, ମଲ୍ଲୀ, କିଆକେତକୀ ମାଳ ଧରା ହାତ ସବୁ ରଥ ଉପରକୁ ବଢୁଥାନ୍ତି ।କାଳିଆ ସଜେଇହେଉଥାଏ ଭକ୍ତି ଅର୍ଘ୍ଯ ରେ । ତା ଲମ୍ବା ଶୁଆ ପରି ନାକରେ କର୍ପୂର ଗୁଣ୍ଡ ବୋଳି ହୋଇ ପୁଣି ଭକ୍ତ ଆଖି ପଲକକୁ ଛୁଉଁ ଥାଏ । ଲାଲି ଟହଟହ ହସ ମହକୁଥାଏ । ପାଟ ଲୁଗାରେ ମଣ୍ଡି ହେଇଥାଏ ଜଗା ।

ମୁଁ ଘରୁ ଚାଲିଚାଲି ଗଲି ।ଏମାର ମଠ ବାହାର ବେଢାରେ ଦୀପ ଲଗେଇ ମୁଣ୍ଡିଆ ମାରି ତିନିଦିଅଁଙ୍କୁ ଚାହିଁ ଥାଏ ।ଗୋପାଳ ବଲ୍ଲଭ ଭୋଗ ରଥ ଉପରେ ଟେରା ବାନ୍ଧି ପତିମହାପାତ୍ରେ ଭୋଗ ବାଢୁଥାନ୍ତି । ମୁଁ ରଥ ଚକ ଛୁଇଁ ପାର୍ଶ୍ବଦେବତାଙ୍କୁ ପରିକ୍ରମା କରି ଲକ୍ଷ୍ମୀ ବଜାରପଟକୁ ଯାଉଥାଏ ଡାହାଣ କୋଣ ଦୋକାନରୁ ଦହି କିଣିବାକୁ । ବାଟରେ ସବୁ ଦୋକାନ ଦେଖି ଦେଖି ଯାଉଥାଏ । ପୁରୀରେ ଘର ହେଲେ ବି ବଡଦାଣ୍ଡର ସବୁ ଦାଣ୍ଡ ଦୋକାନ ମାନଙ୍କର ଏକ ଅଦ୍ଭୁତ ଆକର୍ଷଣ ଥାଏ ।କେତେ କଣ ଜିନିଷ ଥାଏ ସେଠି । ସବୁବେଳେ ନୂଆ ଲାଗେ ।ପଛପଟୁ କିଏ ଡାକିଲା ପରି ଶୁଭିଲା, ” ଲୋପା ଅପା, ଲୋପା ଅପା ” । କିଏ ବୋଲି ବୁଲି ଦେଖେ ପଦ୍ମିନୀ । ମୋର ସାନ ଭଉଣୀ ପରି । କଟକରେ ରୁହେ । ସୁଦକ୍ଷା ଓଡିଶୀ ନୃତ୍ଯାଶିଳ୍ପୀ । ଆମେ କୋଳା କୋଳି ହେଇଗଲୁ । କିଛି ସୁଖଦୁଃଖ ହେଇନୁ ସେଯାଏ ,ସିଏ ମତେ କହିଲା, “ଅପା ମୁଁ ଟିକେ ରଥ ଉପରକୁ ଚଢନ୍ତି, କାଳିଆ ପାଖକୁ ଯାନ୍ତି । ମତେ ଟିକେ ନେଇଯାନ୍ତ । ମତେ କଣ ଛାଡିବେ ଉପରକୁ ? ମୁଁ କଣ ପାରିବି ? ” ଏବେ ବି ମୋର ମନେଅଛି ତାର ଭକ୍ତି ଓ ଲୁହ ଭରା ଆଖି ର ଅନୁନୟ, ବାଷ୍ପରୁଦ୍ଧ ଗଦଗଦ ସ୍ବର । ମୁଁ କହିଲି, ” ହଁ ଚାଲୁନୁ ରଥ ତ ଠିଆ ହେଇଛନ୍ତି, ସମସ୍ତେ ଚଢୁଛନ୍ତି । ଦର୍ଶନ କରିଆସିବୁ ଚାଲେ । ଆଗେ କାଳିଆରଥରେ ଚଢିଯା ।ସେଇଠୁ” ରଥକୁ ରଥ ଡେଇଁ ବଳଭଦ୍ର ଆଉ ସୁଭଦ୍ରା ରଥରେ ଦର୍ଶନ ସାରି ଓହ୍ଲାଇ ପଡିବୁ ।” ସିଏ ମୋ ଦି ପାପୁଲିକୁ ଜାବୁଡି ଧରିଥାଏ ଓ ଭକ୍ତି ପୁଲକରେ ଥରୁଥାଏ । ମୁଁ ସେଇ ସୂକ୍ଷ୍ମ ଭାବଟି ଅନୁଭବ କରିପାରୁଥାଏ । ସେତେବେଳେ ବେଳକୁ ଶ୍ରୀବଳରାମ ଓ ସୁଭଦ୍ରାଙ୍କର ରଥ ଟିକେ ଫାଙ୍କା ଥାଏ । କାଳିଆ ରଥ ତ ସବୁ ବେଳେ ଭିଡ ।

ସିଏ ତୁଳସୀ ହାର ସହ ପଦ୍ମମାଳଟେ ଧରିଥାଏ ।

ଆମେ ଦିହେଁ କାଳିଆ ରଥ ପଟକୁ ଗଲୁ ।  ଚେଷ୍ଟା କଲୁ । ପ୍ରବଳ ପେଲାପେଲି ଭିତରେ ବି ମୁଁ ତାକୁ ପଛପଟୁ ଧରି ଉଠେଇ ଦେଲି, ସିଏ ବି ତାର ପ୍ରାଣପଣେ ଚେଷ୍ଟା କରି ଉଠିପଡି ଆଉ ପଛକୁ ଚାହିଁନି । ମୋ ହାତ କିନ୍ତୁ ଖସିଗଲା । ସେମିତିରେ ତ ପାଦ ତଳ ଝିପିଝିପି ମେଘ ଆଉ ନଡିଆ ପାଣିରେ ପଚପଚ ଖସଡ । ମୁଁ ଆଖି ବୁଜି ଖସିପଡୁ ପଡୁ କାଳିଆରେ ଡାକଟେ ଦେଇଛି କି ନାହିଁ ରଥ ଉପରେ କିଏ ଜଣେ ନଇଁ ପଡି ମୋ ହାତ ଧରିପକେଇଲେ ହସ ହସ ମୁହଁ ରେ ,ଢଳ ଢଳ ଆଖିରେ । ମୋ ପାଦ ସମ୍ଭାଳିଗଲେ । ମୋ ସାଲୁଆର ରଥଚକ କଣ୍ଟାରେ ଲାଖି ଟାଣି ହେଇ ଚିରିସାରିଥିଲେ । ମୁଁ ତଳେ ପଡି ଛତୁ ହଉ ହଉ ଅଳ୍ପକେ ରକ୍ଷା ପାଇଗଲି । ମୁଁ ସେମିତି ତାଙ୍କ ମୁହଁକୁ ଅନେଇଥାଏ ଶୂନ୍ୟ ଶୂନ୍ୟ ଭାବରେ । ସେ ସେମିତି ମୋ ହାତକୁ ଧରିଥାନ୍ତି । କହିଲେ, ” ଆସିବ ? ” ମୁଁ ଉଠିଆସିଲି ରଥ ଉପରକୁ ତାଙ୍କରି ଭରସାରେ । ମତେ ଚଢେଇଦେଇ ସିଏ ବୁଲିଗଲେ । ମୁଁ ଜଗାର ଚକା ଚକା ଆଖିକୁ ଚାହିଁ ଭାସିଯାଉଥାଏ । କ୍ଷଣକ ଭିତରେ କଣ ସବୁ ହେଇଗଲା ବୁଝିବା ଶକ୍ତି ବାହାରେ ଥାଏ । ପରେ ଆବଶ୍ୟ ଆଖି ବୁଲେଇଛି ମୋ ତ୍ରାଣକର୍ତ୍ତା ଭାବେ ଯିଏ ପ୍ରାଣ ରଖିଲେ…. କିନ୍ତୁ କାଳିଆ କୋଉଠି କେମିତି କୋଉ ରୂପରେ ଆସି ହାତ ଧରିଦବ ସେ କଥା ସିନା ତାକୁ ଜଣା ।

“ଆସ ଆସ ” “ଚାଲ, ଚାଲ ” ଶବ୍ଦ ଭିତରେ ମୁଁ କାଳିଆ ପେଟରେ ମୁଣ୍ଡ ଲଗେଇ ରଥବଇଠିପଟା ପଛ ପଟକୁ ବୁଲିଗଲା ବେଳକୁ ପଦ୍ମିନୀ ତୁଳସୀ ଦୟଣା ମୋଟ ମାଳଟେ ଗଳାରେ ଲମ୍ବେଇ ରାଧା ରାଧା ଭାବରେ ଉତ୍ଫୁଲିତା ମୋତେ କୁଣ୍ଢେଇ ଧରିଲା । ଆହାଃ କି ବାସ୍ନା । କାନ୍ଦୁଥାଏ ଧାର ଧାର । ଅଶ୍ରୁ ବିଗଳିତ । କିଛି କହିବା ଅବସ୍ଥାରେ ନଥାଏ । କେତେ ସମୟ ପରେ କହିଲା, ” ଦେଖ ଅପା କାଳିଆ କଣ କଲା! ତା ‘ ମାଳ ମୋ ଗଳାରେ ପିନ୍ଧେଇଦେଲା ।” କହୁଥାଏ କାନ୍ଦୁଥାଏ । କୃତ୍ଯ କୃତ୍ଯ ହେଉଥାଏ । ପରିପୂର୍ଣ୍ଣତାରେ ଭରିଯାଇଥାଏ ସିଏ । ଏତେ ଭାବବିହ୍ବଳ ଭାବ ତା ମୁହଁରେ ଉକୁଟୁଥାଏ ଯେ ସିଏ ଏକ ଅପୂର୍ବ ଆଭାଯୁକ୍ତ ଦିଶୁଥାଏ । ତୁମ ଯୋଗୁଁ ଯା ହଉ ମୋର ଏତେ ଭାଗ୍ୟ ହେଲା ଅପା କହିବାରେ ମୁଁ ତା ପାଟିରେ ହାତ ଦେଲି । ସବୁ ତ ତାରି ଲୀଳା । ତାରି ଇଚ୍ଛା। ମୁଁ କିଏ ,ତୁ କିଏ ? ମୋ ଅନୁଭୂତି ରଥରୁ ଖସୁ ଖସୁ ଉଦ୍ଧାର ପାଇବା କଥା କୁ ମୁଁ ସେ ଯାଏ ଭାବୁଥିଲି । ମୋର ବା କୋଉ ଅବସ୍ଥା ଥିଲା କିଛି କହିବାକୁ! ଆମେ ଦିହେଁ ଡେଣା ଲାଗିଲା ପରି ହାତ ଧରା ଧରି ହେଇ ଏ ତିନି ରଥ ଦର୍ଶନ କଲୁ ଆଉ ଓହ୍ଲାଇ ଆସି ତଳେ ଭୁମିଷ୍ଠ ପ୍ରଣାମ କଲୁ । ମୁଁ ଘରକୁ ଦହି ନେଇ ଫେରିଲି ସିଏ କଟକ ବସ ପଟକୁ ଗଲା …. ହେଲେ ଦିହିଁଙ୍କ ଆତ୍ମା ରହିଗଲା ସେଇଠି ବଡଦାଣ୍ଡରେ ।

କାଳିଆକୁ ନେଇ ଅନୁଭୂତି ସବୁ ଜୀବନ ଭରିଦିଏ । କହୁଥିଲେ କହୁଥିବ ।ସରୁନଥିବ ।

ଜୟ ଜଗନ୍ନାଥ ।

ପାନାଥୁର
ବାଙ୍ଗାଲୋର

Leave A Reply

Your email address will not be published.