ଜୟନ୍ତୀ ମିଶ୍ର
ମୁଁ ମୋ ବିରୁଦ୍ଧରେ ସବୁକାଳେ।
କେତେ ବାଛି ବାଛି ସବୁ ଅଜାଡିଦେଲଯେ ଇଶ୍ୱର,
କୋଉ ଭୋଗିପାରିଲି ।
ଏ ବିଶାଳ ସାମ୍ରାଜ୍ୟର
ଛତ୍ରଛାୟା ତଳେ ସୁରକ୍ଷିତ
ମୋର ବଳକା ଆୟୁଷ
ଥରେ ଚିହ୍ନିପାରିଲିନି କୋଉଠି
ଲୁଚିଛି ତୁମ ପାଦଚିହ୍ନ।
ଦୂରରୁ ଦିଶୁଛି ,ଶୁଭୁଛି ପୁଣି ଶୁଭୁନି
ଯେଉଁ ଅଜଣା ଆତଙ୍କର ସ୍ୱର
ତାହାମୋର ଭବିତବ୍ୟ ।
ଇସାରାରେ ନହେଲେ ନାହିଁ
ଅଭିଶାପରେ କିଏ ଛାଡି ଦେଇଛି
କିଛି ମୋହ ।
ମୁଁ ଅନ୍ଧଲୋକରେ ସୁନାର ଫରୁଆରେ
ଆତ୍ମସ୍ଥ ସାଦା ପଥର ।
ମୋ ଦୁର୍ଭାଗ୍ୟକୁ ବଡ ଅହଂକାରରେ ସଜାଇ ସାରିଛି ଇଶ୍ଵର।
ତୁମ ପୃଥିବୀର ସବୁ ମଣିଷ ପରି ମୁଁ ବି ହେବାକୁ ବାଧ୍ୟ ସ୍ୱାର୍ଥପର।
ଏବେ ଏତେ ପାଖରୁ ଯୋଉ ଫୁଲର ବାସ୍ନାରେ ମୁଁ ବିଭୋର
ସଯତ୍ନରେ ସାଇତିଛି ଭାବି ପ୍ରସାଦ ତୁମର।
କାଲି ଏ ବାସ୍ନା ନଥିବ ଜାଣେ
ଜାଣେ ଜାଣିଶୁଣି ତୁମେ ଫେରେଇନେବ
ମୋଠୁ ତୁମ ଅଧିକାର,
ଜାଣେ ଆଜିପରି ତୁମେ ଲୁଣ୍ଠନ କରିବ ମୋର କାଲି ।
ସବୁ ମାଟିରେ ବିଞ୍ଚିଦେବ ମୃତ୍ୟୁ ସଞ୍ଜିବନୀ।
ମୁଁ କଣ କେବେ ଦୋଷ ଦେବି ମୋର ଭାଗ୍ୟକୁ?
ତୁମେ ବଡ଼ଲୋକ ହେ ଇଶ୍ଵର ।
ସେଥିପାଇଁ ତ ମୁଁ କହିସାରିଛି
କିଛି ପ୍ରୟୋଜନ ନାହିଁ ଆଉ ଏବେ ତୁମର।
କ୍ରିଷ୍ଣା ନଗର
ଲସପେଟ ପୁଡୁଚେରୀ