କବିତା : “ନୂଆ ସକାଳ”

ଅମୂଲ୍ୟ କୁମାର ପଣ୍ଡା

ପ୍ରୀତି ନଈ ଧାରେ ଗୋଟିଏ ବନ
ଘନ ବନ ମଧ୍ୟେ ନାହିଁ ଯେ ଜନ
ପକ୍ଷୀ ଦୁଇ ତୋଳି ଥିଲେ ଟି ଘର
ନଥିଲା ସେଇଠି ଆପଣା ପର ।

ପ୍ରେମ ପ୍ରଣୟରେ ମାତିଲେ ଦୁହେଁ
ହସିଲା ଘରଟି ଖୁସିର ସୁଏ
ଜନ୍ମିଲା ପକ୍ଷୀଙ୍କ ନନ୍ଦନ ଦୁଇ
ବିନୋଦ ରଚାନ୍ତି ମାଆକୁ ଛୁଇଁ ।

କୁମର ଦୁହିଁଙ୍କୁ ଲଗିଲା ଭୋକ
ପାଖରେ ନଥିଲା ପୋକ କି ଜୋକ
ପକ୍ଷୀବେନି ଦିନେ ଗଲେଯେ ଦୂର
ଖାଦ୍ୟ ପାଇଁ ଛାଡି ନିଜର ପୁର ।

ବୁଝି ନ ପାରିଣ ଶିକାରୀ ଫନ୍ଦା
ବ୍ୟାଧ ଜାଲେ ପକ୍ଷୀ ହୋଇଲେ ବନ୍ଧା
ଯାମିନୀ ହୋଇଲା ଦିବସ ବିତି
ପିଲାଙ୍କ ମନରେ ବଢିଲା ଭିତି ।

ରାତି ପାହିଗଲା ବାଟକୁ ଚାହିଁ
ପିତା ମାତା ଆଉ ଫେରିଲେ ନାହିଁ
ଆଶା ଛାଡ଼ି ଏବେ କୁମର ଦୁଇ
ଖଣ୍ଡି ଉଡ଼ା ଦେଲେ ଛୁଇଁ କି ଭୂଇଁ ।

ବାରମ୍ବାର ଉଡି ଉପର ତଳ
ଆବୋରି ଧରିଲେ ସାହସ ବଳ
ବଞ୍ଚିବା ଶିଖିଲେ ଛାଡ଼ିକି ଡର
ନୀଳ ଗଗନକୁ କରିଣ ଘର ।