ଅନୀତା ଦାସ
ମୁଁ ବଞ୍ଚିବାକୁ ସଂଘର୍ଷ କରୁଥିବା ମଣିଷଟିଏ,
ସ୍ୱପ୍ନ ଓ ବାସ୍ତବତା ମଝିର ପ୍ରାଚୀର ଭାଙ୍ଗିବାର
ଅଯଥା ପ୍ରୟାସ କରୁଥିବା ଅସହାୟ ଟିଏ।
ସ୍ୱପ୍ନ ସବୁ ଦଉଡାନ୍ତି ମତେ ତାଙ୍କ ପଛରେ
ଦେଇ ମିଛ ପ୍ରତିଶ୍ରୁତି
ତଥାପି ମୁଁ ଦଉଡେ ଲହୁଲୁହାଣ ହୋଇ
ତୋଳିବାକୁ ଟିକେ ଖୁସି।
ଦିଶୁଥାଏ ଜହ୍ନର ତୋଫା ମୁହଁ
ମୋ ଉଡିଯାଇଥିବା ଛପର କୁଡିଆ ଭିତରୁ
ଦିବା ତତଲା ଖରା ବି କିଛି କମ୍ ଯନ୍ତ୍ରଣା ଦେଇନି
ମୋ ଶୁଖି ଆସିଥିବା ଘା କୁ।
ରାତି ରାତି ଉଜାଗର ରହି ଦେଖେ
ମୁଁ ମୋ ଛୋଟ ମହଲକୁ
ହସେ ପୁଣି କାନ୍ଦେ ଚିତ୍କାର କରି
ଏକାଠି କରି ଲୁହ ଲହୁକୁ।
ବୁକୁ ଫଟେଇ ପଚାରେ
ସତରେ କ’ଣ ଅଛନ୍ତି ଈଶ୍ୱର?
ଯଦି ହଁ ତାହେଲେ ମୋ ପାଇଁ କ’ଣ
ରୁଦ୍ଧ ହୋଇଯାଇଛି ତାଙ୍କ ଦ୍ୱାର?
ଶିକ୍ଷୟତ୍ରୀ ଯାଜପୁର