Latest Odisha News

BREAKING NEWS

କବିତା : ଲକ୍ ତାଉନ୍‌

ସଞ୍ଜୟ ଭଟ୍ଟ 

ତମକୁ ଯେତେ ମୁଣ୍ଡରୁ ଫିଙ୍ଗିବି କହିଲେ
ଫିଙ୍ଗି କେଉଁ ପାରୁଛି ଇପ୍ସିତା ?

ତମେ ତ ଝିଟିପିଟି ର ଟକ୍ ଟକ୍ ପରି
ମତେ ଉଠେଇ ଦେଉଛ ରାତି ଅଧରେ ! ଦିନେ ମୁଁ ପଚାରିଥିଲି -କହ ଇପ୍ସିତା ତମର ସ୍ୱପ୍ନ କ’ଣ ?
ତମେ କହିଥିଲ- ମୋ କବିତା ଟେ
ଛପା ହୁଅନ୍ତା କି ବିଜୟା ପତ୍ରିକା କି ସମ୍ବାଦ ଖବର କାଗଜ ର ଛାତିରେ !!
ମୁଁ ରାତାରାତି କବୀ ପାଲଟି ଯାଆନ୍ତି
ମୋର କବିତା ସମୀକ୍ଷା ହେଉଥାନ୍ତା ପାଠକ ମହଲରେ

ମୁଁ ତ ଆଜନ୍ମ ଅବୋଲକରା ଇପ୍ସିତା
ମୁଁ କେଉଁ ଜାଣିଥିଲି ତମ ପ୍ରେମରେ ପାହାଚ ଚଢ଼ିବାକୁ ତୋଳି ଆଣିବାକୁ ହବ ସବୁମନ୍ତେ ତମର ସେ ସ୍ବପ୍ନ ର ସ୍ଵତ୍ତ୍ଵଲିପି !
ସେତେଯାଏ ତମେ ମୋର
ତାପରେ ଆମେ ଦୁହେଁ ଅଜଣା ବ୍ୟକ୍ତି !!

ଇପ୍ସିତା
ତମ ସପନର ତାଲିକା ବଢ଼ି ଚାଲିଥିଲା

ତମ ସାଥେ ପ୍ରେମ ପାଇଁ ସତରେ ମୁଁ କେଡେ ବାୟା ନ ଥିଲି ସେତେବେଳେ ?

ତମେ କହିଲ ତୁମକୁ ମଞ୍ଚ ଦରକାର
ତମେ କହିଲ ଦୂର ଦର୍ଶନରେ ଆଙ୍କରିଙ୍କ କାମ ଦରକାର
ତମେ କହିଲ ତମେ ରହିବ ଗଳ୍ପ ର ଗହଳିରେ
ତମେ କହିଲ ତମେ ଉଡିବ ପକ୍ଷୀରାଜର ଡେଣାରେ !

ବାଃ .ଇପ୍ସିତା ତମର ସପନରେ ମୁଁ ତ କେବେ ବି ନ ଥିଲି !

ଆକାଶ ଥିଲା ,ଉଡାଣ ଥିଲା
ଥିଲେ ଚୁମକି ମାନେ , ଥିଲା କ୍ୟାପିଟାଲ ର ବୟସ୍କା ପବନ
ଥିଲା ଦୁରଦର୍ଶନର ସିମେଣ୍ଟ କାନ୍ଥରେ ଉପସ୍ଥାପିକା ହେବାର ସପନ

ପ୍ରେମିକ ମାନେ କେଡେ ବୋକା ନା ସତରେ
ପ୍ରଥମ ଥର ପ୍ରେମିକ ହୋଇଥିଲି
ମୁଁ ଆଣ୍ଠେଇ ମୋ ପିଠିରେ ଚଢିଯା କହିଲି !!

ଓଃ , ଇପ୍ସିତା, ଉପସ୍ଥାପିକା
ତା ପରଠୁ ଆଉ ପ୍ରେମ ହେଲାନି ମ ମୋ ଦେଇ କି କବିତା ହେଲାନି ତମ ଦେଇ

ଏଇ କରୋନା କାଳରେ
ମୋ ପରି ବୋକା ପ୍ରେମିକର ପ୍ରେମ
ବଣୁଆ ରାସ୍ତାରେ ପଥହରା ହୋଇ
ଲାଇଫ୍ ସହ ବିଲ୍ କାଟୁଛି , ଡିଲ୍ କରୁଛି
ଅଥଚ
ପତ୍ନୀଙ୍କ କଡ଼ା ତାଗିଦ୍
ମତେ ବାହାରକୁ ଏବେ ଜମ୍ମାରୁ ବାହାରିବାର ହିଁ ନାହିଁ !

Leave A Reply

Your email address will not be published.