ରଞ୍ଜିତା ହୋତା
ତୁମେ କି ଆସୁଛ ଶୁଭ୍ର ଶରତେ କାଶ ଫୁଲ ହାସ ନେଇ?
କାସାରେ କାସାରେ ଫୁଟେ କୁମୁଦିନୀ, ତବ ଆଗମନ ପାଇଁ
ଗଙ୍ଗଶିଉଳି ବୁକୁରେ ବୁକୁରେ, ମୁଗ୍ଧ ମହକ ଭରା,
ଆଦ୍ୟ ଶିଶିର ସ୍ୱଚ୍ଛ, ଶୀତଳ,ମଧୁର ପୀୟୂଷ ବୋଳା।
ଦୁଆରେ ଦୁଆରେ ଦ୍ଵେଷର କାଳିମା, ଅହମିକା କଳା ଛାଇ,
ଦନୁଜଦଳିନୀ, ତୁମେ କି ଆସୁଛ ଦର୍ପେ ଦଳିବାପାଇଁ ?
ପଦ୍ମନୟନା, ପଲକପାତରେ ପରଷିବ ସୁଧାଧାର,
ଉଜ୍ଜ୍ବଳ ହେବ ପ୍ରତି ଅନ୍ତର,ବିବେକ ଊର୍ଜ୍ଜସ୍ୱଳ ।
ତୁମରି କମଳ ଚରଣପାତରେ ,କୋମଳ ଭାବନା ଝଳେ,
ସ୍ୱର୍ଣ୍ଣ ଶୀର୍ଷ ଶସ୍ୟ ଦୋଳଇ,ଶୁଭ୍ର ଶରତ କୋଳେ।
ଅୟି ଅମ୍ବିକା,ତୁମେ କି ଆସୁଛ ଅଜ୍ଞାନ ମନ ତଟେ ?
ପୁଣ୍ୟ ସଲିଳ ଭରି ଦେବାପାଇଁ ପ୍ରତ୍ୟେକ ପାପ ଘଟେ ।
ତୁମରି ପାବନ ସ୍ପର୍ଶେ ଜନନୀ, ଯାତନା ଅସୁର ମରୁ,
ଶୁଭ ପାର୍ବଣେ ବିଶ୍ୱ ବିତାନେ, ପ୍ରୀତିର ଫଲ୍ଗୁ ଝରୁ ।