ଗଳ୍ପ : ଦଂଶନ

ଲକ୍ଷ୍ମୀପ୍ରିୟା ଓଝା

ଭିଡ଼ ଆପେ ଆଡେଇ ଗଲା । ସାଇରନ ମାରି ମେଣ୍ଟାଲ ହସ୍ପିଟାଲ ଆମ୍ବୁଲାନ୍ସଟା ଅଟକିଗଲା ଦାଣ୍ଡରେ । ନୀଳ ୟୁନିଫର୍ମ ପିନ୍ଧା ଦି ଟା ଯୁଆନ ଖପ ଖାପ ଡେଇଁ ପଡିଲେ ତଳକୁ । ପଛ ଡୋର ଖୋଲି ନୀଳ ଶାଢ଼ୀ ପିନ୍ଧା ନର୍ସଟେ ଟିକେ ଧୀରେ ଓ଼ଲ୍ଲେଇଲା । ବୋଧହୁଏ ଶାଢ଼ୀ ପିନ୍ଧାର ଅଭ୍ୟାସ ନାହିଁ, ବାଧ୍ୟବାଧକତାରେ ପିନ୍ଧିଛି ଡିଉଟି ଖାତିରରେ । କିମ୍ବା ସ୍ତ୍ରୀ ସୁଲଭ ସ୍ଵଭାଵ ନଚେତ ଅଭ୍ୟସ୍ତ ଏ ପ୍ରକାର ଘଟଣା ପାଇଁ ।

ସେ ଡ଼େଉଁଥିଲା ପିଣ୍ଢ|ରୁ ଦୁଆର, ଦୁଆରୁ ଦାଣ୍ଡ ଯାଏଁ । ଟାଣି ଟାଣି ଛିଡି ଯାଇଥିଲା ପଛ ପଟ ଉପର ବୋତାମରୁ ଦିଓଟି । କାନ୍ଧରୁ ତଳକୁ ଖସି ପଡୁଥିଲା ଫ୍ରକ । ତାକୁ ଦେଖିବାକୁ ଜମା ହେଇଥିବା ଲୋକଙ୍କ ପାଖକୁ ଦୌଡ଼ି ଆସି ଫ୍ରକକୁ କାନ୍ଧରୁ ଆହୁରି ତଳକୁ ଟାଣି କହୁଥିଲା, ” ଦେଖ ଦେଖ ସାପ ଦଁଶିଛି ମୋତେ । ଦେଖ ଦେଖ କେତେ ଦାଗ । ଦିଶୁନି କେମିତି ବା ତମକୁ ? ହେଇ ଦେଖ ଏଠି କାମୁଡ଼ିଛି ସେ | ହେଇ ଦେଖ ଏଠି ବି | ହେ ଖୁଡି, ହସୁଛୁ କ’ଣ ବା ? ଆଉ ଦେଖିବ, ଦେଖିବ କେତେ ଦାଗ । ଫ୍ରକକୁ ତଳଆଡୁ ଉପରକୁ ଟେକୁଥିଲା ସେ । ସାନ ଭଉଣୀ କାନ୍ଦି କାନ୍ଦି ପକେଇ ଦେଉଥିଲା ଫ୍ରକ ।

ନୀଳ ଶାଢ଼ୀ ପିନ୍ଧା ନର୍ସଟି ତାକୁ ଧରି ଟାଣି ନେଲା ବେଳକୁ ତା ହାତକୁ ପୁଳାଏ କାମୁଡି ଦେଇ ଦୌଡ଼ି ଆସି ଭଉଣୀକୁ କୁଣ୍ଢେଇ ଧରି କହିଲା, ସି, ହୁସିଆର ଥିବୁ । ତୋତେ ବି ସାପ ଦଂଶିବ । ଦଂଶିବ , ଦଂଶିବ , ଛାଡିବନି ଜମା । କହୁ କହୁ ଭେଁ ଭେଁ ହେଇ କାନ୍ଦି ପକେଇଲା । କବାଟ ଫାଙ୍କରେ ଶାଢ଼ୀ କାନିରୁ ମେଞ୍ଚାଏ ପାଟିରେ ପୁରେଇ ପେଟ ଆଡୁ ଉଠି ଆସୁଥିବା କୋହକୁ ଚାପୁଥିଲା ମା ।

ନୀଳ ୟୁନିଫର୍ମ ପିନ୍ଧା ଯୁଆନ ଦି ଟା ତା ଦି ଖୁଆ ଧରି ଶୂନ୍ୟେ ଶୂନ୍ୟେ ଟେକିନେଇ ଆମ୍ବୁଲାନ୍ସ ଭିତରେ ପୁରେଇଦେଇ ସଟ କରି ବନ୍ଦ କରିଦେଲେ କବାଟ । ଆମ୍ବୁଲାସ ଧୀରେ ଧୀରେ ଲୁଚିଗଲା ଗଳି ମୁଣ୍ଡରୁ । ଭିଡ଼ ଜମେଇ ଥିବା ଲୋକ ଯେଝା ଘରକୁ ଫେରି ଯାଉ ଯାଉ କୁହା କୁହି ହେଉଥିଲେ, ” ଆହାଃ ! କି ସରଳିଆ ଟିକ ଛୁଆଟା, କି ଭାଗ୍ୟ ନେଇ ଆସିଥିଲା ବିଚାରୀ ପାଗେଳୀ ହେଇଗଲା ! ଆଉ କେହି କେହି କହୁଥିଲେ,”ବଂଶଗତ ଗୁଣ। ମାଆର ବି ମୁଣ୍ଡ ଦୋଷ ଅଛି ପରା । ”

ଖାଲି ଲୁଙ୍ଗିଟାଏ ପିନ୍ଧି ଦାଣ୍ଡପିଣ୍ଢ|ରେ ବସିଥିବା ବାପ ତା’ର ଝକ କରି ଦିଆସିଲି ମାରି ବିଡ଼ିରେ ନିଆଁ ଧରେଇଲା । ଖୁବ ଜୋରରେ ସୋଟାଏ ଟାଣି ଧୂଆଁତକ ଭକ ଭକ କରି ବାହାର କରି ପକେଇଲା । ଆଖି ବୁଜି ଆଉ ସୋଟାଏ ନେଲା । ଆଃ , କି ଶାନ୍ତି !

ବରୋଦା, ଗୁଜରାଟ