ଗଳ୍ପ: ଗାଇଡ୍ 

 ଲୋପାମୁଦ୍ରା  ପରିଡା 

ହାତ ଘଡି ରାତି କରାଏନି, ରାତି କରାଏ ସୂର୍ଯ୍ୟ ।ନୀଳପର୍ବତ ସେପଟେ ନାଲିମା ଭରା ସୂର୍ଯ୍ୟ ନଇଁଲେ ଯାଇ ନାରଙ୍ଗୀ ଓଢଣୀର ଆକାଶ ଗାଢନୀଳ ଚାଦର ଘୋଡେଇହୁଏ, ସେତେବେଳେ ଲାଗେ ରାତି ଆସିଲା ।କିନ୍ତୁ କିଛି ସୂର୍ଯ୍ୟ ତ ଥରେ ଉଇଁଲେ ଢଳିଯାନ୍ତି ଯଦି ତ ଆଉ କେବେ ଉଅଁନ୍ତିନି ,ଆକାଶର ଉଚ୍ଚତାରୁ ପର୍ବତ ଶିଖର ସବୁକୁ ପାରି କରି ସମୁଦ୍ର ର ଅତଳ ଗଭୀରତା ତଳେ ଅସ୍ତ ହେଇ ମରିଯାଏ ।ଫେରିପାଏ କି ତାର ପ୍ରତ୍ଯୟ ପୁଣିଥରେ ? ଆଛ୍ଛା ,ସୂର୍ଯ୍ୟ କଣ କେବେ ତାର ପ୍ରତ୍ଯୟ  ହରେଇପାରେ ! ପାରେନା, ପାରେନା ।ଯଦି ହୁଏ ତେବେ ସେ କି ସୂର୍ଯ୍ୟ ଯେ ? ଟିକେ ତ ସ୍ଫୁଲିଙ୍ଗ ବଳିଥିବ ତା’ଠି ! କିଛି ଗୋଟେ ସ୍ପାର୍କ, ଝକ୍ କି  କିଛି ଗୋଟେ ସେମିତି ।

ଆରେ ସଞ୍ଜ ନଇଁଲାଣି ,ଶିଘ୍ର ଶିଘ୍ର ଚାଲ ।ପାଦ ବଢାଅ ।ପାଞ୍ଚାଟାରେ ପରା ଗେଟ୍ ପଡିଯିବ, ତିନିଟା ହେଲାଣି ପରା ଅଧା ବି ବୁଲା ସରିନି ।କିଚୁମିଚୁ କରି ଚାଲିଛ ।

ବଡବାପା ,ପେଟେ ଖାଇସାରି ଆଉ କିଏ ଚାଲେ ।ହେଇ ଦେଖ ପୁରା ନନ୍ଦନକାନନ ବୁଲେଇବାକୁ ଛ’ ଛକିଆ ଗାଡି ବୁଲୁଛି ,ଆମେ ଖାଲି ପଦବାବୁଙ୍କ ଗାଡିରେ ।ଆଉ ଚାଲି ହଉନି ।ସେଥିରେ ତୁମର ତ ପ୍ରତି ପାଦେ ପାଦେ କିଏ କିଏ ସବୁ ଚିହ୍ନା ଦେଖା ହଉଛନ୍ତି ଯେ ସେଠି ପନ୍ଦର ମିନିଟ୍, ଅଧ ଘଣ୍ଟା ।

ମୋ ସାନଭାଇ ତାକୁ ଧଡସ୍ ଦେଖେଇ ତାଗିଦା କଲା,ବଡବାପା କେତେ ବଡ ଲୋକ,କେତେ ନାଁ ତାଙ୍କର ସାରା ଓଡିଶାରେ ।ଏମିତି କିଏ କଥା କହେ ବଡ ମାନଙ୍କୁ ହାଁ ।ମୁହଁ ଶୁଖେଇ ଆଗେଇଲେ ପିଲେ, ଆଉ ମୁଁ ଉତ୍ଫୁଲ୍ଲିତ ହେଲି ନିମିଷଟେ ପାଇଁ ନିଜର ଜଶବାନା ଧରି ।

ହଉ ଚାଲ୍ ଚାଲ, ଗାଡି ଗୋଟେ ବରାଦ କର, ଚଞ୍ଚଳ ବୁଲା ସାରି ବାହାରିବା ଶୀତଦିନ ସଞ୍ଜ ଚଞ୍ଚଳ ଢଳିଯିବ ପୁଣି ଥରି ଥରି ଯିବା ।ଆମ ଗାଡିବାଲା ବି କେର୍ କେର୍ ହବ ଭଡା ବି ଚଢେଇବ ।ଗୋଟେ ଗାଇଡ୍ ବି ନେଇଚାଲ ,ଅଳ୍ପକେ ବହୁତ ଦେଖେଇଦବ ।

ଗାଇଡ୍ ବତଉଥାଏ, ପିଲେ କାଇଁ କାଇଁ କୋଉଠି କୋଉଠି କରି ଦେଖି ନଦେଖି ଆଗଉ ଥାନ୍ତି ।ଏଇ ଏଇ ବାଙ୍ଗିରିପୋଷିର ଅରଣ୍ଯାନି ଉଦ୍ଧାର ପାଇଥିବା ଶାର୍ବ୍ଦୂଳଶାବକ ଟିଏ କିପରି ପପୁବୋତଲରେ ଲ୍ଯାକ୍ଟୋଜେନ୍ ପି’ ମଣିଷ ଶିଶୁ ପରେ ସହଜ ସୁନ୍ଦର ହୋଇଛି, ହେଲେ ବି ସିଂହ  ସିଂହ ଟିକିଏ ମାତ୍ର ସୁଯୋଗ ତା ‘ ପ୍ରିୟ ଲାଲିତରଳର ବାସ୍ନା ତା ‘ଭିତରର ତାକୁ ବାହାର କରି ଆଣିବାକୁ ଯଥେଷ୍ଟ ।ହେଣ୍ଟାଳ ଛାଡୁଛି ସେ ଅବଦମିତ ଭାବେ ।ଦୂରରେ ଅନେକ ଅନ୍ଯ ସିଂହ, ସିଂହି, ବାଘ,ବାଘୁଣୀ ଉପରଓଳିଆ ଖରାର ଉଷୁମ କୁ ଭୋଗୁଛନ୍ତି ନିର୍ଲିପ୍ତ ଭାବେ ,ଏଇ ଏବେ ବୋଧେ ସଦ୍ଯ ସରିଛି ଭୁରିଭୋଜନର ମହାର୍ଘ୍ଯ ପର୍ବ ମୂହୁର୍ତ୍ତକେ ଆଗରୁ ।ସବୁଠି ସେଇ ‘ ଭୋକ’ ପ୍ରକାର ଭେଦରେ ଭିନ୍ନତା ଯାହା ସ୍ପଷ୍ଟ ଦୃଶ୍ୟମାନ ।ଗାଇଡ୍ ହାତ ଠାରି ଠାରି ଦେଖଉଛି  ,” ଏଇ ଦେଖନ୍ତୁ ଆଜ୍ଞା ଏଇ ପୃଥିବୀ ବିଖ୍ଯାତ ଧଳାବାଘ, ପୁରା ଓରିଜିନାଲ୍ ଆମ ଓଡିଆ ସିଏ ,ଓଡିଶା ପ୍ରଡକ୍ଟ ଉନେଇଶ ଅଶିରେ ।ଡାହାଣ ପଟକୁ ଦେଖନ୍ତୁ ଆଜ୍ଞା ଏମୁ,ଏରା, ଓଟପକ୍ଷୀ ।ଅଷ୍ଟ୍ରେଲିଆ ର ଜାତିୟପକ୍ଷୀ, ଉଡିପାରେନି କିନ୍ତୁ ପକ୍ଷୀ ମାନଙ୍କ ଭିତରେ ସବୁଠୁ ବଡ ।ୟା ଅଣ୍ଡା ଆଜ୍ଞା ଆମ ମୁଣ୍ଡ ସାଇଜିର ।ବିଶ୍ବାସ ହଉନି ଟି ,କିନ୍ତୁ ସତ ।ଏଇ ଥଣ୍ଟିଆ, ଘଡିଆଳ କୁମ୍ଭୀର କାଠଗଡା ଭଳିଆ ପେଟେଇଛି, ହେଇ ସେ ସନ୍ଧିରେ ଝିଙ୍କ ଯାହାର କଣ୍ଟା ରେ ବି ମଣିଷ ର ଲୋଭିଲା ଆଖି , ତାକୁ କୁହନ୍ତି ପରକ୍ଯୁପାଇନ୍ ,ଇଆଡେ ଜଳହସ୍ତୀ ଅଛନ୍ତି, ଆମେରିକା ମାକାଓ ଓ ଆମ  ମୟୁର ସବୁ ବି ।ସିଂହ,ଧଳାବାଘ ସଫାରୀ ଯିବେକି ସାର୍ ।ଏପଟେ ଅନାନ୍ତୁ ପକେଟ ମଙ୍କି,ଆମ ପାପୁଲିର ଆୟତନ ତାର ,ଫେରିଲା ବେଳେ କାଞିଆ ରେ ବୋଟିଂ ବି କରିନେବେ ସାର୍, ପିଲେ ଖୁସ୍ ହେବେ ।ମୁଁ କରେଇ ଦେବି ବ୍ଯବସ୍ଥା ।ଏଇ ଦେଖନ୍ତୁ ସାର୍ ସେଇ ଯେଉଁ କୋଣରେ ଚୁପ୍ କିନା ବସିଛି ତାକୁ କାହା ଉପରେ ରୁଷିକି ବସିଛି କେଜାଣି ।ତା କଥା ରେ ଦେଖିଲି ଏକ ବିରାଟ ଖୋଲା ପ୍ରଙ୍ଗଣରେ ମୁହଁ ଶୁଖେଇ ବସିଥିବା ଏକ ମାତ୍ର ଗରିଲା ଟିକୁ ।ଛାତିର ଅବ୍ଯକ୍ତ ଯନ୍ତ୍ରଣା ସବୁ ଘା’ ହୋଇ ପ୍ରତୀୟମାନ ତା’ ବିଶାଳ ବକ୍ଷରେ ,ଅସହନୀୟ କଷ୍ଟ ସବୁ କୁ ବୋହିଚାଲିଛି ଶୂନ୍ୟ ପ୍ରତିବାଦରେ ।ତା ଆଖି କୋଣରୁ ବହି ଯାଉଛି ଅଜସ୍ର ଅଭିମାନ ତା’ ଅଜାଣତ ପ୍ରାରବ୍ଧ କୁ ଦେଇଥିବା ଈଶ୍ବର ଙ୍କ ପ୍ରତି. କିନ୍ତୁ ସେ ଏତିକି ବି ଜାଣେନା ସେଇ ତା’ ଛାତିର କ୍ଷତ ତାକୁ ଆଜି କରିଛି ବିଶ୍ବବିଖ୍ଯାତ , ନିଜ ଆଗୋଚରେ ପାଇଛି ସେ ସମବେଦନା, ଖ୍ଯାତି ।କ୍ଷତ ଟିଏ ବି କଣ ନ କରି ପାରେ ।ଯେଉଁ ଜଶ କୀର୍ତ୍ତି ପଛରେ ମଣିଷ ତାର ସବୁ ଭୁଲେଇ ହଜେଇ ଦେଇ ପାରେ,ଜୋର କରି ବି ନିଜକୁ ଖସେଇପାରେନି ସେ ଆସନର ଅଠାକାଠିରୁ   ଏ ବନବିହାରର ସବୁ ଜୀବ ଏତେ ପ୍ରସିଦ୍ଧି ପାଇଛନ୍ତି ନିଜ ଅଜ୍ଞାତରେ ।ତାଙ୍କ ପାଇଁ ତ ଏହା ବନ୍ଦୀ ଜୀବନ ।ହଁ ଯେ କୌଣସି ବନ୍ଧନ  ବନ୍ଦୀ ଜୀବନ ନୁହେଁ କି ।ଜୀବନ ତ ଛନ୍ଦାଛନ୍ଦି କେତେ ଫାନ୍ଦ  ବୁଣି ରଖିଥାଏ, ମୁକୁଳେଇ ନ ଦେବାର ଜିଦରେ ।ଆମେ ବି ତ ରେଲିଂ କୁ ଜଡେଇ ରହିବାକୁ ସୁଖ ପାଉ ।

ନଜର ବୁଲି ଆସୁଥାଏ ଏଇ ଗାଇଡ୍ ନାମକ କୋଡିଏ ବାଇଶ ବର୍ଷର ନହକା ପିଲାଟିର ଆଙ୍ଗୁଳି ନିର୍ଦ୍ଦେଶରେ ।

ମଣିଷ ଭିତରେ ଥିବା ଅହେତୁକ ଉଦ୍ଭାବନର ଉଦ୍ଦେଶ୍ୟ ସବୁବେଳେ ଜାଗ୍ରତ ,କିନ୍ତୁ ମଣିଷ ଅବଚେତନରେ ମାନିନିଏ ଏମିତି ଜଣଙ୍କୁ ଯିଏ ଜାଣେ ତା’ଠାରୁ କିଶ୍ଚିତେ ବି ବେଶୀ  କହିପାରେ ବର୍ଣ୍ଣନା କରି ସେଇ ଅଦମ୍ଯ ଶିଖିବା, ଆଉ ଜିତିବାର ପ୍ରଯତ୍ନରେ ।

ଏ ଚନ୍ଦକା ବଣ ଘେରା ଅଭୟାରଣ୍ଯ ର କଟୁଆଳ ପୁଅ ଜଗୁଆଳ ଯେମିତି ସିଏ ।ତିନି ହଜାର ସରିକି ଜୀବଜନ୍ତୁଙ୍କର ଜନ୍ମ ଜାତକ ୟାର ପାଟିରେ ପାଟିରେ ମୁଖସ୍ତ ।ସ୍କୁଲ ମାଟି ମାଡିଥିବ କି ନା ଜୀବ ଓ ଉଦ୍ଭିଦ ବିଜ୍ଞାନୀ ଟିଏ କିନ୍ତୁ ନିଶ୍ଚିତ ।କୋଣ କୋଣ କୁ ୱାକିବ୍ ।ତା’ ଜ୍ଞାତ ଭିତର କଥାଟି ପାଇଁ ବୋଧେ ବିଜ୍ଞାନୀ ଟିଏ କୁ ପୃଷ୍ଠା ଲେଉଟେଇବାକୁ ହୁଅନ୍ତା କି କଣ ।

ବନ୍ଧନ ସହ ମଧ୍ୟ ଜୀବନର ଭୀଷଣ ଭାବେ ଭାବଗତ ସଂମ୍ପର୍କ ଥାଏ ।ଲାଗେ ଯେମିତି ଆମେ ତାକୁଇ ଆଶ୍ରା କରି ବଞ୍ଚିଛୁ ,ସତ  ,ନିଜର ମଣିଛୁ।ଯେମିତି ଛିଡି ପଡୁଥିବା ଆକାଶ କୁ ଆମେ ହି ଆମର ଦୁଇ ଭୁଜବଳରେ ବଳିୟାନ ସାଜି ଟେକି ଧରି ଉଦ୍ଧାରିଛୁ, ମନୋଦଶାର ଭିନ୍ନ ରୂପ ଟିଏ ଖାଲି ସିନା ।ନହେଲେ ଗାଇଡ୍ କିଏ ,ବନ୍ଦୀ କିଏ ଆଉ ଭମ୍ରଣରେ ଆସିଥିବା ସଭିଏଁ  ?

କୋଉଠି ଥିଲା ମୁକ୍ତ ପାତି ଦଳ ଲାଲି ଲାଲି ମୁହଁ ରେ ଝପଟି ଆସି ମୋ ହାତରୁ ଚିନାବାଦାମ ଠୁଙ୍ଗାଟି ତ ଯାହା ଟାଣିନେଲେ ନେଲେ, ପୁଣି ଗଛରେ ଅଦୃଶ୍ୟ ହେବା ଆଗରୁ ଖତେଇବା ଭୁଲିଲେନି ।ପ୍ରକୃତି ପରାନିବୁଜ ଚେତନାକୁ ଆକାଶର ଖୋଲା ନୀଳିମା ତଳେ ହସି ହସି ଉନ୍ମୁକ୍ତ କରିଦିଏ ସେ।